ବେଜିଂ:  ଚୀନ୍‌ର ଏକ ପରିବାର ଦୀର୍ଘ ଦୁଇ ବର୍ଷ ଧରି ପାଳି ଆସିଥିବା ଏକ ଲୋମଶ କୁକୁର ଶେଷରେ ଏକ ବିଲୁପ୍ତପ୍ରାୟ ପ୍ରଜାତିର ଭାଲୁ ବୋଲି ଜଣାପଡ଼ିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ନ୍ୟୁୟର୍କ ପୋଷ୍ଟ୍‌ରେ ପ୍ରକାଶିତ ଖବର ଅନୁଯାୟୀ, ଚୀନ୍‌ର ୟୁନାନ ପ୍ରଦେଶ ଅନ୍ତର୍ଗତ ଏକ ଗାଁରେ ରହୁଥିବା ସୁ ୟୁଁ ନାମକ ଜଣେ ମହିଳା ଦୁଇ ବର୍ଷ ତଳେ ବାହାରକୁ ବୁଲି ଯାଇଥିବା ବେଳେ ଏକ ‘ତିବ୍ବତୀୟ ମାସ୍ତିଫ’ କୁକୁର ଛୁଆ ସାଙ୍ଗରେ ଆଣିଥିଲେ। ଉକ୍ତ ଲୋମଶ କୌତୁକିଆ ଛୁଆଟିକୁ ସେ ଘରେ ଅତି ଯତ୍ନର ସହ ପାଳିଥିଲେ।

Advertisment

ତେବେ ଦୁଇ ବର୍ଷ ପରେ ଉକ୍ତ ଛୁଆଟି ୨୫୦ ପାଉଣ୍ଡ ବା ୧୧୪ କେଜି ଓଜନର ବିଶାଳକାୟ ହେବା ସହ ପଛ ଗୋଡ଼ ଦୁଇଟିରେ ଚାଲିବା ଆରମ୍ଭ କରିଥିଲା। ଏଥି ସହିତ ଦିନକୁ ଦୁଇ ବାଲଟି ନୁଡଲ୍‌ସ ଓ ପାଞ୍ଚ କେଜି ଫଳମୂଳ ଆଦି ପ୍ରଭୂତ ଖାଦ୍ୟ ଭୁଞ୍ଜିବା ଆଚରଣ ମଧ୍ୟ ସମସ୍ତଙ୍କୁ ଆଚମ୍ବିତ କରିଦେଇଥିଲା। ଫଳରେ ଉକ୍ତ ଗୃହପାଳିତ ପଶୁଟି ସମ୍ପର୍କରେ ୟୁଁଙ୍କ ପରିବାର ଲୋକଙ୍କ ସନ୍ଦେହ ଜାତ ହୋଇଥିଲା। ତେଣୁ ସେମାନେ ପଶୁ ବିଶେଷଜ୍ଞଙ୍କ ସହ ପରାମର୍ଶ କଲା ପରେ ତାହା ଏକ ବିରଳ ପ୍ରଜାତିର ଏସୀୟ କଳାଭାଲୁ ବୋଲି ଜଣାପଡ଼ିଥିଲା।

ସୂଚନାଯୋଗ୍ୟ, ଶାବକ ଅବସ୍ଥାରେ ଉକ୍ତ ଭାଲୁଟି ଅବିକଳ କୁକୁର ଛୁଆ ପରି ଜଣାପଡୁଥିଲା। ତେବେ ତାହାର ପ୍ରକୃତ ପରିଚୟ ଜଣାପଡ଼ିଲା ପରେ ବନ୍ୟପ୍ରାଣୀ ଅଧିକାରୀମାନେ ତାହାକୁ ନିଶ୍ଚେତକ ପ୍ରୟୋଗ କରି ଏକ ବନ୍ୟପ୍ରାଣୀ ଆଶ୍ରୟସ୍ଥଳକୁ ନେଇଯାଇଛନ୍ତି।