୨୦୨୫ ଜୁନ୍‌ ମାସର କୌଣସି ଏକ ମଙ୍ଗଳବାର ରାତି। ପଶ୍ଚିମବଙ୍ଗର ଗୋସାବା ଗ୍ରାମର ୪୫ ବର୍ଷୀୟ ରତନ ଦାସ ମାଛ ଧରିବା ଲାଗି ବାହାରିଗଲେ ସୁନ୍ଦରବନ ଅନ୍ତର୍ଗତ ଏକ ଜଳାଧାରକୁ। ମାଛ ଧରି ଘର ଅଭିମୁଖେ ଫେରୁଥିବା ବେ‌େଳ ପାଣିଠୁ ଅଳ୍ପ ଊର୍ଦ୍ଧ୍ବରେ ତିନିଟି ଊଜ୍ଜ୍ବଳ ଆଲୋକ ରଶ୍ମି ଦେଖିଲେ। ନୀଳ-ସବୁଜ ରଙ୍ଗ ମିଶାମିଶି ସେ ଆଲୋକ ଏଭଳି ଅସ୍ବାଭାବିକ ଭାବେ ଝଟକୁ ଥିଲା ଯେ ଯାହା ସେ ଜୀବନରେ କେବେ ଦେଖି ନ ଥିଲେ। ଆଉ ତାଙ୍କର ମନେହେଲା ସେ ଆଲୋକ ତିନିଟି ଯେମିତି ତାଙ୍କ ଆଡ଼କୁ ମାଡ଼ି ଆସୁଛନ୍ତି। ସେ ରାତି କଥା ସ୍ମରଣକରି ରତନ କହନ୍ତି, ‘‘ସେ ଆଲୁଅ ମତେ ଅନୁସରଣ କରିବା ପରି ପ୍ରତୀୟମାନ ହେଉଥିଲା। ମୁଁ ଭୟରେ  ଜଲଦି ଜଲଦି ଡଙ୍ଗା ବାହିଲି। କିନ୍ତୁ ସମ୍ପୂର୍ଣ୍ଣ ପଥହରା ହୋଇଗଲି। ପାହାନ୍ତା ପହରକୁ ଯାଇ କୂଳରେ ପହଞ୍ଚିଲି। ସେଦିନ ମରୁ ମରୁ ମୁଁ ବଞ୍ଚିଗଲି।’’

Advertisment

ଜଳାଭୂମିରେ ଭୌତିକ ଆଲୁଅ

ଧୀବର ରତନ ଯେଉଁ ଆଲୋକ ହାବୁଡ଼ରୁ ବର୍ତ୍ତିଯାଇଥିଲେ ତାହାକୁ ଲୋକମୁଖରେ କୁହାଯାଉଛି- ଅଲେୟା ଆଲୋକମାଳା ବା ଭୌତିକ ଆଲୁଅ। ଏ ରହସ୍ୟମୟ ଆଲୋକ ଆବହମାନକାଳରୁ ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ଅନ୍ତର୍ଗତ ପାଟ, ଜୋର ଓ ଜଳାଭୂମିରେ ଦେଖିବାକୁ ମିଳେ। ବିଶେଷକରି, ସୁନ୍ଦରବନ ହେନ୍ତାଳବନରେ ଥିବା ଦଳାଗୁଡ଼ିକରେ ଏହା ଅଧିକ ଦେଖାଯାଏ। ଭାସମାନ ଅଥବା ନୃତ୍ୟରତ ସେ ଆଲୋକମାଳା ଦେଖିବା ଏକ ଅଦ୍ଭୁତ ଅନୁଭୂତି। କିନ୍ତୁ, ସମସ୍ତଙ୍କ ଭାଗ୍ୟରେ ତାହା ଜୁଟେନାହିଁ। କୁହାଯାଏ କି, କିଛିବାଟ ଯିବାପରେ ଅନୁସରଣ କରୁଥିବା ଲୋକଟିକୁ ଧପ ଧପ କରୁଥିବା ସେ ଆଲୋକମାଳା କ୍ରମଶଃ କ୍ଷୁଦ୍ର ଦିଶେ ଓ ପରିଶେଷରେ ନିର୍ବାପିତ ‌େହାଇଯାଏ। ଶେଷରେ ପଥହରା ଲୋକଟି ଗଭୀର ଜଳରେ ବୁଡ଼ିମରେ।

ଆତତାୟୀ ଆଲୋକମାଳା
ଗତ ଏପ୍ରିଲ୍‌ରୁ ଜୁନ୍‌ ପ୍ରାୟ ମାସେ ଭିତରେ ସେ ଭୌତିକ ଆଲୋକ କବଳରେ ପଡ଼ି ସୁନ୍ଦରବନ ଅଞ୍ଚଳର ୫ଜଣ ଧୀବର ଅନ୍ତର୍ଦ୍ଧାନ ହୋଇଯାଇଥିବା କଥା ରିପୋର୍ଟ କରାଯାଇଥିଲା। ସ୍ଥାନୀୟ ପୁଲିସ ରେକର୍ଡରୁ ଜଣାପଡ଼ିଛି ଯେ ନିଖୋଜ ହୋଇଯାଇଥିବା ଉକ୍ତ ଧୀବରମାନଙ୍କୁ ମୃତ ତାଲିକାଭୁକ୍ତ କରାଯାଇଛି। ସେମାନଙ୍କୁ ମିଶାଇ ବିଗତ ଶହେବର୍ଷ ମଧ୍ୟରେ ଭୂତ-ଆଲୋକମାଳା ହାବୁଡ଼ରେ ପଡ଼ି ଅନ୍ୟୂନ ୪୭ଜଣଙ୍କର ମୃତ୍ୟୁ ଘଟିଲାଣି। ସେ ସବୁ ମୃତ ଧୀବରମାନଙ୍କୁ ଜଳାଭୂମିର ସୁଦୂର ପ୍ରାନ୍ତରେ ବୁଡ଼ି ମରିଯାଇଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି। ଅର୍ଥାତ୍‌ ପ୍ରଥମେ ଜଳାଭୂମିର ଯେଉଁଠାରେ ସେମାନେ ଜୀବନ୍ତ ଅବସ୍ଥାରେ ଦେଖାଯାଇଥିଲେ ସେଠାରୁ କିଛି କିଲୋମିଟର୍‌ ଦୂରରେ ସେମାନଙ୍କ ଶବ ମିଳୁଥିଲା। ମନେହୁଏ ସେ ଆଲୋକମାଳିକା ଧୀବରମାନଙ୍କୁ ବାଟବଣା କରାଇ ନେଇ ଜଳାଭୂମିର ଗଭୀରତର ତଥା ବିପଜ୍ଜନକ ଅଞ୍ଚଳକୁ ଟାଣି ନେଇଯାଉଛି। ତେଣୁ ସେଠାରୁ ସେମାନଙ୍କୁ ଉଦ୍ଧାର କରିବା ଅସମ୍ଭବ ହୋଇଯାଉଛି।

ମୃତ ଧୀବରଙ୍କ ଆତ୍ମା

ଏ ସଂକ୍ରାନ୍ତରେ ସ୍ଥାନୀୟ ଧୀବର ସମ୍ପ୍ରଦାୟଙ୍କର ଗୋଟାଏ ଆଦିମ ଧାରଣା ରହିଆସିଛି। ସେମାନଙ୍କର ଦୃଢ଼ ବିଶ୍ବାସ ସେ ଭୌତିକ ଆଲୋକ ହେଉଛି ସେ ଜଳାଭୂମିରେ ଫସି ଅକାଳରେ ମରିଥିବା ଧୀବରମାନଙ୍କ ଆତ୍ମା। ସେମାନଙ୍କର ଶବଗୁଡ଼ିକୁ ରୀତିମତେ ସଂସ୍କାର/ ସମାଧି ଦିଅାଯାଇ ନ ଥିବାରୁ ସେମାନେ ଆଲୋକିତ ଆତ୍ମାହୋଇ ଘୂରିବୁଲୁଛନ୍ତି। ସ୍ଥାନୀୟ ଧୀବରକୁଳ କହନ୍ତି, ଏ ଆଲୋକମାଳା ହେଉଛି ଚିରକାଳ ଏ ଜଳାଭୂମିରେ ସାଥୀ ଖୋଜୁଥିବା ଅଥୟ ଆତ୍ମାସମୂହ। ଆଉ କେତେକ କହନ୍ତି, ଏ ଆଲୋକମାଳା ହେଉଛି ପଥ ପ୍ରଦର୍ଶକ ଆତ୍ମା। ଏସବୁ ସେମାନଙ୍କୁ ବିପଦରୁ ସୁରକ୍ଷିତ ଅଞ୍ଚଳକୁ ବାଟ କଢ଼ାଇ ନିଅନ୍ତି। କିନ୍ତୁ, ବେ‌େଳବେଳେ ସେମାନଙ୍କ ମନରେ ବିଷଦୃଷ୍ଟି ଉଦ୍ରେକ ହୁଏ ଏବଂ ସେମାନେ ଜୀବନ୍ତ ଧୀବରଙ୍କୁ ପଥହୁଡ଼ା କରି ସଲିଳ ସମାଧି ଦିଅନ୍ତି। ଭାସି ଆସିଥିବା ମୃତ ଧୀବରଙ୍କ ଶବ ଅତ୍ୟନ୍ତ ରହସ୍ୟଜନକ ଭାବେ ଜଳାଭୂମି କୂଳରେ ଲାଗେ।

ଏବର୍ଷ ଅଧିକ ଦିଶୁଛି

ଏ ଆଲୋକମାଳା ସବୁକାଳେ ଥିଲେ ବି ଚଳିତବର୍ଷ ହଠାତ୍‌ ବହୁବାର ଦିଶିଲା କାହିଁକି? ସ୍ଥାନୀୟ ସରକାରୀ କର୍ତ୍ତୃପକ୍ଷମାନେ ରିପୋର୍ଟ ଦେଇଛନ୍ତି ଯେ ୨୦୨୫ ମେ ମାସ ପ୍ରାରମ୍ଭରୁ ଅଲେୟା ଆଲୋକ ଦୃଶ୍ୟମାନ ହେବା ପରିମାଣ ପ୍ରାୟ ୩୦୦ ପ୍ରତିଶତ ଅଧିକ ହୋଇଛି। ସାଧାରଣତଃ, ଚର୍ତୁଃମାସ୍ୟାରେ ପରିଦୃଷ୍ଟ ଏ ଆଲୋକମାଳା ବର୍ଷାଋତୁ ପରେ ବି ଦିଶୁଛି। ତେଣୁକରି ଗବେଷକମାନେ ଏହାର କାରଣ ଜାଣିବାକୁ ବେଶ୍‌ ତତ୍ପର ହୋଇଉଠିଛନ୍ତି। ଏକ ଦଶନ୍ଧିରୁ ଊର୍ଦ୍ଧ୍ବ ହେବ ଏ ଆଲୋକମା‌ଳା ଉପରେ ଗବେଷଣା କରୁଥିବା ଯାଦବପୁର ବିଶ୍ବବିଦ୍ୟାଳୟର ବାୟୁମଣ୍ଡଳୀୟ ପଦାର୍ଥବିଜ୍ଞାନୀ ଡକ୍ଟର୍‌ ଅନିର୍ବାଣ ଘୋଷ ଚଳିତବର୍ଷର ଘଟଣା ବିବ୍ରତକର ବୋଲି ମନେକରନ୍ତି। ସେ କହିଛନ୍ତି, ‘‘କିଛିକ୍ଷଣ ପାଇଁ ଦିଶୁଥିବା ଉକ୍ତ ଆଲୋକମାଳା ଘଣ୍ଟା ଘଣ୍ଟା ଧରି ଉଦ୍‌ଭାସିତ ହେଉଥିବା କଥା ରିପୋର୍ଟ ମିଳିଛି। ପୂର୍ବରୁ ରେକର୍ଡ କରାଯାଇଥିବା ଆଲୋକମା‌ଳା ଗତିବିଧି ଅ‌େପକ୍ଷା ଏ ବର୍ଷ ଦୃଷ୍ଟିଗୋଚର ହେଉଥିବା ଆଲୋକମାଳାର ଗତିବିଧି ଭିନ୍ନ।’’ ଏ ଅଜବ ପ୍ରାକୃତିକ ଘଟଣା ସମ୍ବନ୍ଧରେ ପ୍ରତ୍ୟକ୍ଷ ଅନୁଧ୍ୟାନ କରିବା ଲାଗି ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟର ବାୟୁମଣ୍ଡଳ ବିଶେଷଜ୍ଞା ଡକ୍ଟର୍‌ ସରା ମାଥ୍ୟୁସ୍‌ ମଧ୍ୟ କୋଲ୍‌କାତା ଆସିଥିଲେ।

ବୁଝାଇ ପାରୁନି ବିଜ୍ଞାନ

ସେ ଆଲୋକମାଳା ଭ୍ରମଣରତ ପ୍ରେତ ବୋଲି ଜନଶ୍ରୁତି କହୁଥିଲେ ବି ବୈଜ୍ଞାନିକମାନେ ଭିନ୍ନ କଥା କହନ୍ତି। ସେମାନଙ୍କର ମନେହୁଏ ଯେ ଜଳାଭୂମି ମୃତ୍ତିକା ଓ ଜଳରେ କୌଣସି ଜୈବିକ ପଦାର୍ଥ ପଚନକ୍ରିୟାରୁ ନିର୍ଗତ ବାଷ୍ପ ଏଭଳି ଦୀପ୍ତିମନ୍ତ ଦିଶୁଛି। ଫସ୍‌ପିନ୍‌ ଉପାଦାନରେ ମିଥେନ୍‌ ମିଶିଗଲେ ତାହା ନୀଳାଭ ଦୀପ୍ତି ସୃଷ୍ଟିକରେ, ଯାହା ଦଳା ବା ଜଳାଭୂମୀ ଊର୍ଦ୍ଧ୍ବରେ ଭାସିବୁଲେ।
ବୈଜ୍ଞାନିକ ତତ୍ତ୍ବ କହେ ଯେ ଫସ୍‌ପିନ୍‌, ଡିସ୍‌ଫସ୍‌ଫେନ୍‌ ଓ ମିଥେନ୍‌ ଅମ୍ଳଜାନ ସଂସ୍ପର୍ଶରେ ଆସିଲେ ରହସ୍ୟ ଆଲୋକ ପ୍ରକଟ ହୁଏ। କୌଣସି ଜୈବିକ ପଦାର୍ଥ ବିଘଟିତ ହେଲେ ଉପରୋକ୍ତ ରାସାୟନିକ ଉପାଦାନ ସୃଷ୍ଟିହୋଇ ଫୋଟନ୍‌ ନିଷ୍କାସନ କରେ। ସେହି ଫୋଟନ୍‌ ହିଁ ଆଲୋକ ପ୍ରଭା ସୃଷ୍ଟିକରେ।
କିନ୍ତୁ, ଉପରୋକ୍ତ ବୈଜ୍ଞାନିକ ବିଶ୍ଳେଷଣ ସେ ଆଲୋକମାଳାର ବିଚଳିତକାରକ ବୈଶିଷ୍ଟ୍ୟ କାରଣ ସମ୍ବନ୍ଧରେ ନିରବ। ମନୁଷ୍ୟ ଉପସ୍ଥିତି ବେଳେ ଅଲେୟା ଆଲୋକମାଳା କ୍ରିୟାଶୀଳ ହେଲାପରି ପ୍ରତୀୟମାନ ହୁଏ। ସାଧାରଣ ବାଷ୍ପୀୟ ଦହନଜନିତ ଆଲୋକମା‌ଳା କ’ଣ ମନୁଷ୍ୟକୁ ଏତେ ବିଭ୍ରାନ୍ତ କରିପାରେ!

ପୁଣି କିଛି ବୈଜ୍ଞାନିକ କହନ୍ତି ଯେ ‘ବାୟୋଲୁମିସେଣ୍ଟ୍‌ ଡିନୋଫ୍ଲାଜୋନେଟ୍‌’ ନାମକ କ୍ଷୁଦ୍ର ଜେଲିଫିସ୍‌ ଜାତୀୟ ଜଳଚର ଜୀବ ଏହା ସୃଷ୍ଟିକରେ। ଏହି କ୍ଷୁଦ୍ର ଜୀବ କୌଣସି କାରଣରୁ ବ୍ୟତିବ୍ୟସ୍ତ ହୋଇପଡ଼ିଲେ କଅଁଳ ନୀଳାଭ-ସବୁଜ ଆଲୋକ ବିଚ୍ଛୁରଣ କରନ୍ତି। କିନ୍ତୁ, ସେ ଆଲୋକ କାହିଁକି ଚଳନଶୀଳ ଓ ଭାସମାନ ଦିଶେ ସେ ରହସ୍ୟ ବୈଜ୍ଞାନିକମାନେ କହିପାରୁ ନାହାନ୍ତି। ଏମିତି ଅନେକ ବୈଜ୍ଞାନିକ ତତ୍ତ୍ବ ଓ ବ୍ୟାଖ୍ୟାନ ସତ୍ତ୍ବେ ଅଲେୟା ଆଲୋକମାଳା ତଥାପି ରହସ୍ୟମୟ ହୋଇ ରହିଛି। ସ୍ଥାନୀୟ ଧୀବର ଓ ବାସିନ୍ଦାମାନେ ତାହା ଦେଖୁଛନ୍ତି। ପ୍ରକାରାନ୍ତରେ ଅଲେୟା ଆଲୋକମାଳା ସେଠାକାର ଅଧିବାସୀମାନଙ୍କ ସାଂସ୍କୃତିକ ଐତିହ୍ୟର ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ ହୋଇଗଲାଣି। ଏହି ଆଲୋକମାଳା ଦେଖିବା ଲାଗି ଦେଶ ଓ ବିଦେଶରୁ ବହୁ ଉତ୍ସୁକ ଲୋକ ବି ସେଠାକୁ ବୁଲି ଆସୁଛନ୍ତି।