ଗ୍ରହ ଖାଦକ ବୃହସ୍ପତି ! ଏହାର ଗର୍ଭରେ ଅନ୍ୟ ଗ୍ରହମାନଙ୍କର ସତ୍ତା ଆବିଷ୍କାର କଲେ ବୈଜ୍ଞାନିକ

ଆମ ସୌରମଣ୍ଡଳର ବୃହତ୍ତମ ଗ୍ରହ ବୃହସ୍ପତି ବା ଜୁପିଟର ଅତୀତରେ ଅନ୍ୟ କ୍ଷୁଦ୍ର ଗ୍ରହମାନଙ୍କୁ ଭକ୍ଷଣ କରି ନିଜର କଳେବରକୁ ଏପରି ପରିବର୍ଦ୍ଧିତ କରିଛି। ପୃଥିବୀର ପ୍ରାୟ ୩୦୦ଗୁଣ ଆୟତନ ତଥା ସୌରମଣ୍ଡଳର ଅନ୍ୟ ଗ୍ରହମାନଙ୍କର ମିଳିତ ଆୟତନର ଦୁଇଗୁଣ ବିଶିଷ୍ଟ ହୋଇଥିବା ଏହି ବୃହସ୍ପତି ଗ୍ରହର ଆଭ୍ୟନ୍ତର ଶିଳାକୁ ଅନୁଧ୍ୟାନ କରି ଜ୍ୟୋତିର୍ବିଜ୍ଞାନୀମାନେ ଏପରି ଦାବି କରିଛନ୍ତି। ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ‘ନାସା’ର ‘ଜୁନୋ’ ଅଭିଯାନରୁ ମିଳିଥିବା ତଥ୍ୟକୁ ବିଶ୍ଳେଷଣ କରି ନେଦରଲାଣ୍ଡ୍‌ସର ବୈଜ୍ଞାନିକମାନେ ଏପରି ନିର୍ଯାସରେ ପହଞ୍ଚି ପାରିଛନ୍ତି। ବୃହସ୍ପତିର ଗର୍ଭରେ ଅନ୍ୟ ଗ୍ରହମାନଙ୍କର ସତ୍ତା ଥିବା ସେମାନେ ଠଉରେଇ ପାରିଛନ୍ତି।

ମହାକାଶ ଯାନ ‘ଜୁନୋ’ ୨୦୧୬ ମସିହାରେ ବୃହସ୍ପତି ଉପକଣ୍ଠରେ ପହଞ୍ଚିଲା ପରେ ତାହାର ଚାରିକଡ଼ରେ ବ୍ୟାପି ରହିଥିବା ୫୦ କିମି ବହଳର ସ୍ଫଟିକ ଆମୋନିଆ ବାଷ୍ପ ଓ ପୃଥକ୍‌ ହୋଇ ରହିଥିବା ଉଦ୍‌ଜାନ ଓ ହିଲିଅମ୍‌ ବାଷ୍ପର ଆସ୍ତରଣକୁ ଅନୁଧ୍ୟାନ କରିଥିଲା। ଏହାପରେ ବୃହସ୍ପତିର ବିଭିନ୍ନ ପୃଷ୍ଠରେ ତାହାର ମାଧ୍ୟାକର୍ଷଣ ବଳ ମାପିଥିଲା। ସେଥିରୁ ବୃହସ୍ପତିର ଗର୍ଭଦେଶରେ ଉଦ୍‌ଜାନ ଓ ହିଲିଅମ୍‌ ଠାରୁ ଅତି ଭାରୀ ଧାତବ ପଦାର୍ଥ ଥିବା ସ୍ପଷ୍ଟ ହୋଇଥିଲା। ସୁତରାଂ ବାହାରକୁ ବାଷ୍ପୀୟ ଜଣାପଡୁଥିବା ବୃହସ୍ପତି ଅନେକ କ୍ଷୁଦ୍ର ଗ୍ରହ ଓ ଗ୍ରହାଣୁକୁ ଗିଳିଦେଇଥିବା ଅନୁମାନ କରାଯାଉଛି।

ସୂଚନାଯୋଗ୍ୟ, ୧୨.୬ କିମି. ପ୍ରତି ସେକେଣ୍ଡ ବେଗରେ ସୂର୍ଯ୍ୟକୁ ପ୍ରଦକ୍ଷିଣ କରୁଥିବା ବୃହସ୍ପତି ମଧ୍ୟ ନିଜ କକ୍ଷ ଚାରିପଟେ ସର୍ବାଧିକ ବେଗରେ ଘୂର୍ଣ୍ଣାୟମାନ। ସୁତରାଂ ତାହାର ଏପରି ବେଗ ଯୋଗୁଁ ଅନ୍ୟ ପଦାର୍ଥଗୁଡ଼ିକୁ ଟାଣିନେଇ ନିଜ ଗର୍ଭରେ ଲୀନ କରାଇବା ସମ୍ଭବ।

ସମ୍ବନ୍ଧିତ ଖବର