ଓଡ଼ିଆ ଜାତିର କାବ୍ୟ ପୁରୁଷ, ଓଡ଼ିଆ ସାହିତ୍ୟର ନବୀନ ଯୁଗର ବିଶ୍ୱକର୍ମା, ପ୍ରଥିତଯଶା ସାରସ୍ୱତ ସାଧକ ନନ୍ଦକିଶୋର ବଳଙ୍କର ଆଜି ଜନ୍ମଦିନ। ତାଙ୍କ ସାହିତ୍ୟ କୃତିରେ ପଲ୍ଲୀଚେତନାର ବାସ୍ତବତା ପ୍ରତିଫଳିତ ହୋଇଛି ଯାହାକୁ ପଢ଼ିଲେ ଶିଶୁ-ଯୁବା-ବୃଦ୍ଧ ସମସ୍ତଙ୍କ ପ୍ରାଣ ଆହ୍ଲାଦିତ ହୁଏ। ତେଣୁ ସେ ଓଡ଼ିଶାର ପଲ୍ଲୀକବି ଭାବରେ ସୁପରିଚିତ। ତାଙ୍କ କବିତାରେ ପଲ୍ଲୀର ଦୃଶ୍ୟ, ପଲ୍ଲୀ ଜୀବନ, ମାଟି ପ୍ରତି ଭଲପାଇବା ଏବଂ ଭାଷା ସାହିତ୍ୟକୁ ବଞ୍ଚାଇ ରଖିବାର ଆବେଗ ମୁଖର ହୋଇଛି। ଗ୍ରାମ୍ୟ ସମାଜକୁ କୁସଂସ୍କାର ମୁକ୍ତ କରି ଏକ ସୁସ୍ଥ ସମାଜ ଗଠନ କରିବା ତାଙ୍କର ଅନ୍ୟ ଏକ ସ୍ୱପ୍ନ ଥିଲା। ୧୮୭୫ ମସିହା ଡିସେମ୍ବର ଆଜିର ଦିନରେ ମାହାଙ୍ଗା ଥାନା ଅନ୍ତର୍ଗତ କୁସୁପୁର ଗ୍ରାମରେ ସେ ଜନ୍ମ ଗ୍ରହଣ କରିଥିଲେ। ଗ୍ରାମ ଚାଟଶାଳୀ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଶିକ୍ଷା ପରିସମାପ୍ତି ପରେ ସେ ଭକ୍ତମଧୁ ବିଦ୍ୟାପୀଠରୁ ମାଇନର୍ ପାସ୍ କରିଥିଲେ। କେନ୍ଦ୍ରାପଡ଼ା ହାଇସ୍କୁଲ୍‌ରେ ନାମ ଲେଖାଇ ପ୍ରଥମ ଶ୍ରେଣୀରେ ପ୍ରଥମ ହୋଇ ପାସ୍ କରିଥିଲେ।

Advertisment

ରେଭେନ୍‌ସା ମହାବିଦ୍ୟାଳୟରୁ ୧୮୯୮ରେ ସ୍ନାତକ ଉତ୍ତୀର୍ଣ୍ଣ ହୋଇ ସେ ଶିକ୍ଷକତା ଆରମ୍ଭ କରିଥିଲେ। ତାଙ୍କର ସାମଗ୍ରିକ ଜୀବନ ଥିଲା ଶିକ୍ଷା କ୍ଷେତ୍ରରେ। ସ୍ୱଳ୍ପ ଜୀବନ କାଳ ମଧ୍ୟରେ ଓଡ଼ିଆ ସାରସ୍ୱତ ଭଣ୍ଡାରକୁ ସେ ସମୃଦ୍ଧ କରିଥିଲେ। ୧୯୧୦ରେ କଲିକତାର ଡେଭିଡ୍ ହାୟାର ଟ୍ରେନିଂ କଲେଜରେ ଅଧ୍ୟୟନ କରିବା ସମୟରେ ପଣ୍ଡିତ ନୀଳକଣ୍ଠ ଦାସଙ୍କ ସଂସ୍ପର୍ଶରେ ଆସି ସେ ରଚନା କରିଥିଲେ ଦୀର୍ଘ କବିତା ‘ସନ୍ଧ୍ୟାତାରା।’ ଗଦ୍ୟ ରଚନାରେ ମଧ୍ୟ ତାଙ୍କର ଦକ୍ଷତା ଥିଲା। ସମ୍ବଲପୁରରୁ ପ୍ରକାଶ ପାଉଥିବା ‘ସମ୍ବଲପୁର ହିତୈଷିଣୀ’ରେ ତାଙ୍କର କେତେକ ଲେଖା ପ୍ରକାଶ ପାଇ ଉଚ୍ଚ ପ୍ରଶଂସିତ ହୋଇଥିଲା। ବାଲେଶ୍ୱର ଜିଲ୍ଲାର ଡେପୁଟି ଇନ୍‌ସପେକ୍ଟର ଭାବେ କାର୍ଯ୍ୟ କରୁଥିବା ବେଳେ ସେ ଫକୀରମୋହନ ସେନାପତିଙ୍କ ସାନ୍ନିଧ୍ୟ ଲାଭକରି ୧୯୧୪ରେ ‘କନକଲତା’ ଉପନ୍ୟାସ ରଚନା କରିଥିଲେ। ଯଥାର୍ଥରେ ନନ୍ଦକିଶୋର ଓଡ଼ିଆ ସାହିତ୍ୟ ଆକାଶରେ ଜଣେ ଚିରସ୍ମରଣୀୟ ଉଜ୍ଜ୍ୱଳ ଜ୍ୟୋତିଷ୍କ। ୧୯୨୮ ଜୁଲାଇ ୧ ତାରିଖରେ ତାଙ୍କର ପରଲୋକ ହୋଇଥିଲା।
- ଭାବଗ୍ରାହୀ ରାଉତ, ମୋ: ୯୬୬୮୦୭୬୦୨୪