ଦେଶରେ ‘ସୋଲାର୍ ଗାନ୍ଧୀ’ ଭାବେ ପରିଚିତ ପ୍ରଫେସର୍ ଚେତନ୍ ସିଂ ସୋଲାଙ୍କି ଜଳବାୟୁ ପରିବର୍ତ୍ତନ ଭୟାବହତା ଏଡ଼ାଇବାକୁ ସୌରଶକ୍ତି ବ୍ୟବହାର ଉପରେ ଗୁରୁତ୍ବ ଦେଇଆସୁଛନ୍ତି। ଏ ସଂକ୍ରାନ୍ତରେ ଜନସଚେତନତା ସୃଷ୍ଟି କରିବା ଲାଗି ସେ ‘ଊର୍ଜା ସ୍ବରାଜ ଯାତ୍ରା’ରେ ବିଭିନ୍ନ ରାଜ୍ୟକୁ ଯାଇ ଜନସାଧାରଣ ଓ ନୀତିନିର୍ଦ୍ଧାରକଙ୍କ ସହ ଆଲୋଚନା କରୁଛନ୍ତି। ଭବିଷ୍ୟତରେ ଜଳବାୟୁ ପରିବର୍ତ୍ତନଜନିତ ବିପଦ ଏବଂ ଏହାର ନିୟନ୍ତ୍ରଣ କ୍ଷେତ୍ରରେ ସୌରଶକ୍ତିର ଭୂମିକା ସଂପର୍କରେ ସମସ୍ତଙ୍କୁ ଅବଗତ କରାଇବାକୁ ସେ ଜୀବନର ଲକ୍ଷ୍ୟ ଭାବେ ଗ୍ରହଣ କରିଛନ୍ତି। ‘ସମ୍ବାଦ ଗ୍ରୁପ୍’ ପକ୍ଷରୁ ଅନୁଷ୍ଠିତ ‘ପୁନଶ୍ଚ ପୃଥିବୀ’ ମହାସମ୍ମିଳନୀରେ ଯୋଗଦେଇଥିବା ଭାରତର ସୋଲାର୍ ମ୍ୟାନ୍ ପ୍ରଫେସର୍ ସୋଲାଙ୍କିଙ୍କୁ ‘ରବିବାର ସମ୍ବାଦ’ ପକ୍ଷରୁ ଭେଟିଛନ୍ତି ବରିଷ୍ଠ ପ୍ରତିନିଧି ବିଭୂତି ପତି
ଜଳବାୟୁ ପରିବର୍ତ୍ତନ ମୁକାବିଲା ଲାଗି ଆପଣ କାହିଁକି ସୌରଶକ୍ତି ମାଧ୍ୟମ ଉପରେ ଗୁରୁତ୍ବ ଦେବାକୁ ଚିନ୍ତାକଲେ?
ମୁଁ ମଧ୍ୟପ୍ରଦେଶର ଖାର୍ଗୋନ୍ ଜିଲ୍ଲାର ଭିକାନ୍ଗାଓଁ ନାମକ ଛୋଟ ଗାଁରୁ ଆସିଛି। ମୋ ଗାଁ ପ୍ରାଥମିକ ବିଦ୍ୟାଳୟରେ ମାତ୍ର ଗୋଟିଏ ଶ୍ରେଣୀଗୃହ ଓ ଜଣେ ଶିକ୍ଷକ ଥିଲେ। ସେଥିରେ ପାଞ୍ଚଟି ଶ୍ରେଣୀର ପିଲା ପଢୁଥିଲେ। ମୁଁ ଭାଗ୍ୟବାନ୍ ଯେ ବାପା ମୋତେ ପ୍ରଥମେ ଇନ୍ଦୋର ଏବଂ ପରେ ମୁମ୍ବାଇରେ ପାଠ ପଢ଼ାଇଲେ। ଏସବୁ ଦେଖି ଗାଁ ପାଇଁ କିଛି କରିବାକୁ ଚାହୁଁଥିଲି। ମାଇକ୍ରୋ ଇଲେକ୍ଟ୍ରୋନିକ୍ସରେ ଏମ୍ଟେକ୍ କରି ଟେକ୍ସାସ୍ ଇନ୍ଷ୍ଟ୍ରୁମେଣ୍ଟସ୍ରେ ଭଲ ଚାକିରି ପାଇଲି। ପୁଣି ବେଲଜିୟମ୍ ଯାଇ ସୌରଶକ୍ତି ଉପରେ ଡକ୍ଟରେଟ୍ କଲି। ତା’ପରେ ମୋ ଗାଁରେ ସୌରଶକ୍ତି ଉତ୍ପାଦନ କରିବାକୁ ଉଦ୍ୟମ କରି ସଫଳ ହେଲି। ମୁଁ ଜାଣିଥିଲି ମୋ ଗାଁକୁ ବିଜୁଳି ଆସିବା ଏବଂ ନିରବଚ୍ଛିନ୍ନ ବିଜୁଳି ଯୋଗାଣ ଅସମ୍ଭବ ଥିଲା। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଭାରତର ୮୨ ପ୍ରତିଶତ ଗ୍ରାମରେ ୨୦୧୪ ମସିହା ପର୍ଯ୍ୟନ୍ତ ବିଦ୍ୟୁତ୍ ଯୋଗାଣ ସ୍ଥିତି ଅତ୍ୟନ୍ତ ଖରାପ ଥିଲା। ଏ ବିଷୟରେ ଅବଗତ ହେବା ପରେ ମୁଁ ନିଶ୍ଚିତ ହେଲି ବିକାଶ ପାଇଁ ସୌରଶକ୍ତି ଏକମାତ୍ର ବିକଳ୍ପ। ତେଣୁ ସୌରଶକ୍ତି ଉତ୍ପାଦନ ଓ ବ୍ୟବହାର ଲାଗି ସଚେତନତା ଆରମ୍ଭ କଲି।
ଏହି ଲକ୍ଷ୍ୟ ହାସଲ ପାଇଁ ଆପଣ ଊର୍ଜା ସ୍ୱରାଜ ଯାତ୍ରା ଆରମ୍ଭ କରିଥିଲେ କି? ଏହା ମାଧ୍ୟମରେ ଆପଣ ଦେଶର ଅଧିକାଂଶ ରାଜ୍ୟ ଭ୍ରମଣ କରିଛନ୍ତି। କିପରି ଥିଲା ଅନୁଭୂତି?
ଆଜି ପବିତ୍ର ଗାନ୍ଧୀ ଜୟନ୍ତୀରେ ମୁଁ ଓଡ଼ିଶା ଆସିଛି। ଯଦି ମହାତ୍ମା ଗାନ୍ଧୀ ସ୍ବରାଜ ଯାତ୍ରା ନକରିଥାନ୍ତେ, ହୁଏତ ଏତେ ବଡ଼ ଜନଜାଗରଣ ସମ୍ଭବ ହୋଇ ନଥାନ୍ତା। ୨୦୧୯ ମସିହାରେ ଊର୍ଜା ସ୍ବରାଜ ଯାତ୍ରାର ପରିକଳ୍ପନା କରିଥିଲି ଏବଂ ୨୦୨୦ରେ ଯାତ୍ରା ଆରମ୍ଭ କରିଥିଲି। ୨୦୩୦ ପର୍ଯ୍ୟନ୍ତ ମୋର ଯାତ୍ରା ଅବ୍ୟାହତ ରହିବ। ସେଥିପାଇଁ ମୁଁ ସୌରଶକ୍ତି ଚାଳିତ ବସ୍ରେ ଭାରତ ଭ୍ରମଣ କରୁଛି। ଜଳବାୟୁ ପରିବର୍ତ୍ତନ ଯୋଗୁଁ ମାଡ଼ିଆସୁଥିବା ବିପଦ, ବିଶ୍ୱ ତାପମାତ୍ରା ବୃଦ୍ଧିଜନିତ ଭୟାବହତା ଏବଂ ଶତପ୍ରତିଶତ ଅକ୍ଷୟ ଶକ୍ତି ବ୍ୟବହାର କରି ଏହି ଭୟଙ୍କର ବିପଦକୁ କିପରି ପ୍ରତିହତ କରାଯାଇ ପାରିବ ସେ ବିଷୟରେ ସଚେତନତା ବାର୍ତ୍ତା ପହଞ୍ଚାଉଛି। ମୁଁ ବିଶ୍ୱାସ କରେ, ଏଭଳି ଯାତ୍ରା ନିଶ୍ଚିତ ଜନଆନ୍ଦୋଳନକୁ ଜାଗୃତ କରିବ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପ୍ରଥମେ ଆମର ବ୍ୟକ୍ତିଗତ ସଚେତନତା ରହିବା ଉଚିତ। ଆମେ ବୁଝିବା ଦରକାର ସୌରଶକ୍ତି ମାଟି, ପାଣି ଓ ପବନକୁ ସୁରକ୍ଷିତ ରଖି ଆମକୁ ଶୁଦ୍ଧ ବାୟୁ, ନିର୍ମଳ ଜଳ ଓ ଉତ୍କୃଷ୍ଟ ଖାଦ୍ୟ ଯୋଗାଇବାରେ ସହାୟକ ହେଉଛି। ସମାଜ ଓ ଦେଶ କଥା ଛାଡ଼ନ୍ତୁ, ଆମେ ପ୍ରଥମେ ନିଜେ ବଞ୍ଚିବା ପାଇଁ ଏବଂ ଭବିଷ୍ୟତ ବଂଶଧରଙ୍କ ପାଇଁ ଭାବିବାର ସମୟ ଆସିଛି। ଜଳବାୟୁ ପରିବର୍ତ୍ତନ ସମସ୍ୟା ଦ୍ୱାରା ସମସ୍ତେ ପ୍ରଭାବିତ ହେଉଛନ୍ତି। ଯଦି ନିଜେ ଏଥିପାଇଁ ଦାୟୀ ଭାବି ବ୍ୟକ୍ତିଗତସ୍ତରରୁ ଉଦ୍ୟମ ନକରୁ ତେବେ ନେଡ଼ି ଗୁଡ଼ କହୁଣୀକି ବୋହିଯିବାକୁ ଅଧିକ ସମୟ ଲାଗିବ ନାହିଁ।
ଜଳବାୟୁ ପରିବର୍ତ୍ତନ ବିପଦକୁ ନେଇ ଆପଣ ବିଶ୍ୱର ଅନେକ ମଞ୍ଚରେ ଓଡ଼ିଶାର ସାତଭାୟା କଥା କହୁଛନ୍ତି। ଆପଣ ସେଠାକୁ ଯାଇଛନ୍ତି?
ବିଭିନ୍ନ ପତ୍ରପତ୍ରିକାରେ,ଏପରିକି ଅନ୍ତର୍ଜାତୀୟ ଗଣମାଧ୍ୟମରୁ ଜାଣିଲି ଜଳବାୟୁ ପରିବର୍ତ୍ତନ ଯୋଗୁ ଜଳପତ୍ତନ ବୃଦ୍ଧିପାଇ ଓଡ଼ିଶାରେ ଗୋଟିଏ ବିରାଟ ଅଞ୍ଚଳ କିପରି ସମୁଦ୍ର ଗର୍ଭକୁ ଚାଲିଯାଇଛି। ତା’ପରେ ମୁଁ ସାତଭାୟା ଗସ୍ତ କଲି ଏବଂ ସେଠାକାର ଭୟଙ୍କର ଅବସ୍ଥା ଦେଖି ବାସ୍ତବ ସ୍ଥିତି ପରଖିବା ପରେ ସେହି ପ୍ରସଙ୍ଗ ଉପରେ ଆଲୋକପାତ କଲି। ଆପଣ ଭାବନ୍ତୁ ନାହିଁ ଯେ ଏସବୁ କହି ମୁଁ ସମସ୍ତଙ୍କୁ ଡରାଇବାକୁ ଚେଷ୍ଟା କରୁଛି। ବରଂ ଆଗାମୀକାଲିକୁ ଗିଳିବାକୁ ଜିଭ ଲହଲହ କରୁଥିବା ଜଳବାୟୁ ପରିବର୍ତ୍ତନରୂପକ ରାକ୍ଷସ କବଳରୁ ବର୍ତ୍ତିବା ଲାଗି ମୁଁ ଆଇନା ଦେଖାଉଛି।
ଆପଣ ଦେଶବିଦେଶର ଅନେକ ସରକାର ଦେଖିଛନ୍ତି ଏବଂ ବିଭିନ୍ନ ରାଜ୍ୟରୁ ନେଇ ରାଷ୍ଟ୍ରୀୟ ସରକାରୀ ପ୍ରତିନିଧିଙ୍କ ସହିତ ଆଲୋଚନା କରିଛନ୍ତି। ଜଳବାୟୁ ପରିବର୍ତ୍ତନକୁ ନେଇ ସେମାନଙ୍କ ଆଭିମୁଖ୍ୟ ଉପରେ ଆପଣଙ୍କ ମତ କ’ଣ?
ଯାତ୍ରା ଅଭିଜ୍ଞତାରୁ ଜାଣିଲି, ସମଗ୍ର ବିଶ୍ୱରେ ସବୁ ସରକାର ସମାନ ଆଚରଣ କରୁଛନ୍ତି। ବିକାଶଶୀଳ ଦେଶରୁ ନେଇ ବିକଶିତ ଦେଶ ପର୍ଯ୍ୟନ୍ତ ସର୍ବତ୍ର ଅର୍ଥନୈତିକ ବିକାଶ ହିଁ ଏଜେଣ୍ଡାରେ ଏକ ନମ୍ବର ସ୍ଥାନରେ ରହିଛି। ପ୍ରାକୃତିକ ସୁରକ୍ଷାଭିତ୍ତିକ ବିକାଶ ପ୍ରତି କେହି ଯତ୍ନଶୀଳ ନୁହନ୍ତି। ତେଣୁ ପ୍ରକୃତିର ଅବନତି ଘଟୁଛି। ଜମି, ଜଳ ଓ ଜଙ୍ଗଲ ନଷ୍ଟ ହେଉଛି। ଏହି କାରଣରୁ ଜଳବାୟୁ ପରିବର୍ତ୍ତନ ବିପଦ ମାଡ଼ିଆସୁଛି। ଆଜି ମଧ୍ୟ ସମସ୍ତେ ଜିଡିପି ଅଭିବୃଦ୍ଧି ଉପରେ ଧ୍ୟାନ ଦେଉଛନ୍ତି। ନିଜସ୍ୱ ଅଭିଜ୍ଞତାରୁ ଅନୁଭବ କଲି ଯେ ଏ ସମସ୍ୟାର ସମାଧାନ କୌଣସି ସରକାରଙ୍କ କ୍ଷମତାରେ ନାହିଁ। ସରକାର ଚାରି କିମ୍ବା ପାଞ୍ଚ ବର୍ଷର ସ୍ୱଳ୍ପ ସମୟ ପାଇଁ ନିର୍ବାଚିତ ହୁଅନ୍ତି ଏବଂ ସେମାନଙ୍କ ହାତରେ ପର୍ଯ୍ୟାପ୍ତ ସମ୍ବଳ ନଥାଏ। ପୁଞ୍ଜିପତିଙ୍କ ସମ୍ବଳ ଉପରେ ସେମାନେ ନିର୍ଭରଶୀଳ। ତେଣୁ ପ୍ରକୃତି ସୁରକ୍ଷା କରିବା ଏକପ୍ରକାର ଅସମ୍ଭବ।
ତା’ ହେଲେ ବିକଳ୍ପ କ’ଣ?
ଏଭଳି ପରିସ୍ଥିତିରେ ପରିବେଶ ସୁରକ୍ଷା ଓ ଜଳବାୟୁ ପରିବର୍ତ୍ତନଜନିତ କୁପ୍ରଭାବ ମୁକାବିଲା ପାଇଁ ପ୍ରତ୍ୟେକ ବ୍ୟକ୍ତି ସକ୍ରିୟ ହେବା ଦରକାର। କାରଣ, ଜଳବାୟୁ ପରିବର୍ତ୍ତନ ମୁକାବିଲାରେ ପ୍ରତ୍ୟେକଙ୍କ ସହଯୋଗ ଜରୁରି। ସମସ୍ତଙ୍କ ଘରେ ଗ୍ୟାସ୍ରେ ରୋଷେଇ ହୁଏ, ଗରମ ହେଲେ ଏସି ଚାଲେ, ଆଲମାରିରେ ଆବଶ୍ୟକତାଠାରୁ ଅଧିକ ପୋଷାକ ଥାଏ, ପୁଣି ଗ୍ୟାରେଜ୍ରେ ଏକାଧିକ ଗାଡ଼ି। ଏ ସବୁଥିରେ ଶକ୍ତି ଖର୍ଚ୍ଚ ହୁଏ ଏବଂ ଶେଷରେ ଅଙ୍ଗାରକ ନିର୍ଗମନ ବଢ଼ିଥାଏ। ଏହା ହିଁ ବିଶ୍ୱ ତାପମାତ୍ରା ବୃଦ୍ଧି କରିଥାଏ। ତେଣୁ ପ୍ରତ୍ୟେକ ବ୍ୟକ୍ତି ଜଳବାୟୁ ପରିବର୍ତ୍ତନ ପ୍ରଭାବ ଓ ତାପମାତ୍ରା ବୃଦ୍ଧି ହ୍ରାସ ଦିଗରେ ସହଯୋଗ କରିବା ଉଚିତ। ଆମର ନିତିଦିନିଆ କାର୍ଯ୍ୟକଳାପ କୋଇଲା, ଡିଜେଲ୍, ପେଟ୍ରୋଲ୍ ଓ ଗ୍ୟାସ୍ ଉପରେ ନିର୍ଭରଶୀଳ। ୮୫ ପ୍ରତିଶତ ଅଙ୍ଗାରକ ନିର୍ଗମନ ପାଇଁ ଆମେ ହିଁ ଦାୟୀ। ଆମେ ଜାଣିବା ଦରକାର, ଯେଉଁ ବିଷ ଆମେ ନିର୍ଗମନ କରୁଛୁ ଆମ ଭବିଷ୍ୟତ ପିଢ଼ିଙ୍କ ପାଇଁ ତାହା ସଞ୍ଚିତ ହେଉଛି।
ଆପଣଙ୍କ ‘ଏ.ଏମ୍.ଜି.’ ସୂତ୍ର ବେଶ୍ ଚର୍ଚ୍ଚାରେ ରହିଛି, ଏହାକୁ ନେଇ କ’ଣ କହିବେ?
ଏ.ଏମ୍.ଜି. ଅର୍ଥ ‘ଆଭଏଡ୍-ମିନିମାଇଜ୍-ଜେନେରେଟ୍’। ଅଧିକାଂଶ ଲୋକ ଯେତେବେଳେ ସମସ୍ୟା ସମାଧାନ ବାଟ ଖୋଜନ୍ତି, ସେମାନେ ଭାବନ୍ତି ପ୍ରଯୁକ୍ତି ବିକାଶ ସମସ୍ୟା ସମାଧାନ କରିଦେବ। ମୁଁ ଭାବୁଛି ଏହା ଆଦୌ ଠିକ୍ ନୁହେଁ। ପୃଥିବୀର ଆକାର ଏବଂ ଏହାର ସମସ୍ତ ଉତ୍ସ ସ୍ଥିର ଓ ସୀମିତ। କୌଣସି ରକେଟ୍ ବିଜ୍ଞାନ ଏହାର ଆକାର ବୃଦ୍ଧି କରିପାରିବ ନାହିଁ, ପାଣି କି ମାଟିର ପରିମାଣ ବୃଦ୍ଧି ହୋଇପାରିବ ନାହିଁ। ତେଣୁ ଏହି ପରିପ୍ରେକ୍ଷୀରେ ଆମକୁ ଏ ସବୁର ବ୍ୟବହାର ସୀମିତ କରିବାକୁ ପଡ଼ିବ। ଆମେ ଆମ ଜୀବନକୁ ଏପରି ଭାବରେ ପରିଚାଳିତ କରିବା ଆବଶ୍ୟକ ଯେପରି ଆମେ ସୀମିତ ସମ୍ବଳ ମଧ୍ୟରେ ଚଳିପାରିବା। ପୂର୍ବରୁ ଏହି ଚିନ୍ତାଧାରା ଭାରତୀୟଙ୍କ ଦୈନନ୍ଦିନ ଜୀବନର ଧାରା ଥିଲା। ଭାରତରେ ଆମେ ବୃକ୍ଷଲତାରୁ ନେଇ ପ୍ରତିଟି ଜୀବସତ୍ତାକୁ ସମ୍ମାନ କରୁଥିଲୁ। ଏହାଦ୍ୱାରା ଅନାବଶ୍ୟକ ଶକ୍ତି ବ୍ୟବହାରରୁ ଦୂରେଇ ରହିବା ସହଜ ଥିଲା। ଆଜି କିନ୍ତୁ ୯୯ ପ୍ରତିଶତ ଲୋକ ଏହା ବୁଝନ୍ତି ନାହିଁ।
ସୌରଶକ୍ତି ବିକାଶରେ ଆବଶ୍ୟକ ହେଉଥିବା ସିଲିକନ୍ ଭଳି ଅନେକ ସାମଗ୍ରୀ ଅନ୍ୟ ଦେଶରୁ ଆସିଥାଏ ଏବଂ ଏସବୁ ମହଙ୍ଗା ଅଟେ। ଏହା ଶସ୍ତାରେ ସୌରଶକ୍ତି ଉତ୍ପାଦନରେ ବାଧକ ନୁହେଁ କି?
ତେବେ କ’ଣ ଆମେ କୋଇଲା ଶକ୍ତି ଉତ୍ପାଦନ ଚଳାଇ ହଳାହଳ ବିଷ ପିଇ ଚାଲିବା? ପ୍ରଶ୍ନ ହେଉଛି ଆମେ ଠିକ୍ ଭାବେ ସଚେତନ ନହୋଇ ଭୁଲ୍ ଜିନିଷଗୁଡ଼ିକୁ ପରସ୍ପର ସହିତ ତୁଳନା କରୁ ଏବଂ ସମସ୍ତଙ୍କ ମନରେ ଭ୍ରମ ସୃଷ୍ଟିକାରୀ ବାର୍ତ୍ତା ବାଣ୍ଟିଥାଉ। ଭାରତରେ ସିଲିକନ୍ ପ୍ରଚୁର ପରିମାଣରେ ଉପଲବ୍ଧ, କିନ୍ତୁ ଏହାକୁ ଆମେ ବ୍ୟବହାର କରିବା ଭଳି ପ୍ରକ୍ରିୟାକରଣ କରାଯାଇ ନାହିଁ। ଆସନ୍ତୁ, ସିଲିକନ୍ ପ୍ଲାଣ୍ଟ୍ ନିର୍ମାଣ କରିବା ଏବଂ ସମସ୍ୟା ସମାଧାନ କରିବା। କୋଇଲାରୁ ବିଜୁଳି ଉତ୍ପାଦନ ଲାଗି ପୁଞ୍ଜି ନିବେଶ ପରିବର୍ତ୍ତେ ନିଜ ଦେଶରେ ସିଲିକନ୍ ଉତ୍ପାଦନ ପାଇଁ ଅଧିକ ବିନିଯୋଗ କଲେ ସମସ୍ୟାର ସମାଧାନ ହୋଇପାରିବ।
ସୌର ଓ ପବନଶକ୍ତିର ଅନ୍ୟ ଏକ ବିକଳ୍ପ ଆଣବିକ ଶକ୍ତି ମଧ୍ୟ ରହିଛି। ଏହାକୁ ନେଇ କ’ଣ କହିବେ?
ଦେଖନ୍ତୁ, ବ୍ୟବହାର ସୀମିତ ଏବଂ ଉତ୍ପାଦନ ସ୍ଥାନୀୟଭିତ୍ତିକ କରିବା ଆଜି ଦିନର ଆବଶ୍ୟକତା। ଉତ୍ପାଦନ ସ୍ଥାନୀୟ କରିବା କଥା କହୁଥିବା ବେଳେ ଭାବିବା ଦରକାର ଯେ ଆମେ କ’ଣ ପ୍ରତ୍ୟେକ ଘରେ ପରମାଣୁ ଶକ୍ତି ଉତ୍ପାଦନ କରିବା ସମ୍ଭବ? ମୋ ମତରେ, ପର୍ଯ୍ୟାପ୍ତ ପରିମାଣର ସୌରଶକ୍ତି ଉପଲବ୍ଧ ହେଉଥିବାରୁ ସେଥିରୁ ଆମେ ନିଜ ଘରେ ବିଜୁଳିଶକ୍ତି ଉତ୍ପାଦନ କରିପାରିବା। ତେଣୁ ଏତେ ଜଟିଳ କଥା ଭାବିବା କାହିଁକି?