ବସିଥିବା ଲୋକର ଗୋଡ଼ ରଖିବା ଠାଣିରୁ ଜାଣିହୁଏ ତାଙ୍କର ମନୋଭାବ

ବଡି ଲାଙ୍ଗୁଇଜ୍‌ ବା ବ୍ୟକ୍ତି ବିଶେଷଙ୍କ ଅଙ୍ଗପ୍ରତ୍ୟଙ୍ଗ ଠାଣିରୁ ମଧ୍ୟ ତାଙ୍କ ବିଷୟରେ ଅନେକ କଥା ଜାଣିହୁଏ। ମନେ କରନ୍ତୁ, ଜଣେ ବସିଛନ୍ତି। ସେ ବସିଲାବେଳେ ତାଙ୍କ ଗୋଡ଼ ରଖିବା ଠାଣିରୁ ତାଙ୍କ ମନୋଭାବ ଅନେକାଂଶ ଜାଣିହୁଏ ବୋଲି ମନୋବିଜ୍ଞାନୀମାନେ କହନ୍ତି। ବସିବାବେଳେ ଲୋକେ ସାଧାରଣତଃ ୫ ପ୍ରକାର ମୁଦ୍ରାରେ ଗୋଡ଼ ରଖିଥାଆନ୍ତି। ଧରନ୍ତୁ ସେ ମୁଦ୍ରାଗୁଡ଼କ ହେଉଛି: କ, ଖ, ଗ, ଘ, ଙ। ଏଥିରୁ ଜାଣନ୍ତୁ ବସିବା ଲୋକଟିର ମନୋଭାବ।

କ-ମୁଦ୍ରା: ଏ ଭଳି ଗୋଡ଼ ରଖି ବସିଥିବା ବ୍ୟକ୍ତିମାନେ ଭାବନ୍ତି ସମସ୍ୟାକୁ ଏଡ଼ାଇ ଦେଲେ ସମସ୍ୟା ଦୂରେଇ ଯାଏ। ନିଜ ଉପରେ ପଡ଼ିଥିବା ସମସ୍ୟା ଦାୟିତ୍ୱକୁ ସେମାନେ ଅନ୍ୟ ଉପରେ ଲଦି ଦେବାକୁ ଚାହାନ୍ତି। ଏ ଭଳି ଲୋକମାନଙ୍କ ସହ ସହଜରେ ଯୋଗସୂତ୍ର ସ୍ଥାପନ କରି ହୁଏ। ସେମାନେ କଳ୍ପନାପ୍ରିୟ, ସୃଜନାତ୍ମକ ଚପଳ ସ୍ୱଭାବର। କହିବା ପୂର୍ବରୁ ଏମାନେ କିଛି ଭାବି ନ ଥାନ୍ତି। ଫଳରେ ଅଡୁଆରେ ପଡ଼ି ଯାଆନ୍ତି।

ଖ-ମୁଦ୍ରା: ଏ ଭଳି ମୁଦ୍ରାରେ ଗୋଡ଼ ରଖି ବସୁଥିବା ବ୍ୟକ୍ତିମାନେ ସ୍ପଷ୍ଟ ସୃଜନାତ୍ମକ ଦକ୍ଷତା ଥିବା ଦୂରଦ୍ରଷ୍ଟ୍ରା। ସେମାନେ ସର୍ବଦା ବଡ଼ ଏବଂ ନୂତନ ଭାବନାରେ ଉଛୁଳି ରହିଥାଆନ୍ତି। ତେଣୁ ନିୟମିତ ବ୍ୟବଧାନରେ ତାଙ୍କର ଭାବନାକୁ ସେମାନେ କାମରେ ଲଗାନ୍ତି। ଏହି ଶ୍ରେଣୀର ଲୋକେ ଭ୍ରମଣ ପ୍ରିୟ ଓ ନୂତନ ବନ୍ଧୁ ବାନ୍ଧିବାକୁ ଚାହାଁନ୍ତି। ଆନନ୍ଦ ଓ ରୋଜଗାର ଦେଉ ନ ଥିବା କାମରେ ସେମାନେ ମନ ବଳାନ୍ତି ନାହିଁ।

ଗ- ମୁଦ୍ରା: ଏ ଭଳି ମୁଦ୍ରାରେ ଗୋଡ଼ ରଖୁଥିବା ବ୍ୟକ୍ତି ହିସାବୀ। କୌଣସି ଜିନିଷ ଖରିଦ କରିବା ପୂର୍ବରୁ ସେମାନେ ବହୁ ଦିନ ଧରି ତା’ଉପରେ ଚନ୍ତା କରନ୍ତି। ସବୁ କଥା ସୁରୁଖୁରୁରେ ଚଳାଇବା ପାଇଁ ବିକଳ୍ପ କଥା ମଧ୍ୟ ଚିନ୍ତା କରି ଥାଆନ୍ତି। ପୋଷାକପତ୍ର, ଜୋତା, ଅତର ବା ଆସବାବ୍‌ପତ୍ର ଚୟନ ଉପରେ ଏମାନେ ସନ୍ତୁଷ୍ଟ ହୋଇ ପାରନ୍ତି ନାହିଁ। ଗୋଳମାଳିଆ ପରିସ୍ଥିତିରେ କାମ କରିବା ଜାଣିଥିଲେ ବି ସେମାନେ ସବୁବେଳେ ବାଉଳା ହୋଇ ଯାଆନ୍ତି। ଅନ୍ୟମାନେ ତାଙ୍କୁ ଅହଂକାରୀ ବୋଲି କହି ଥାଆନ୍ତି।

ଘ-ମୁଦ୍ରା: ଏ ଭଳି ମୁଦ୍ରରେ ଗୋଡ଼ ରଖି ବସୁଥିବା ବ୍ୟକ୍ତି ବିଳମ୍ବ ବରଦାସ୍ତ କରି ପାରନ୍ତି ନାହିଁ। ବିଳମ୍ବ ନ କରିବାକୁ ଅନ୍ୟମାନଙ୍କୁ ପ୍ରବର୍ତ୍ତାଇ ଥାଆନ୍ତି। କ୍ଷମତାହୀନ ହେଲେ ମଧ୍ୟ ଏମାନେ ବିଚକ୍ଷଣ ଏବଂ ଶାନ୍ତିପ୍ରିୟ। ଅନ୍ୟମାନଙ୍କ ସହ କଳହ କରିବାକୁ ଏମାନେ ପସନ୍ଦ କରନ୍ତି ନାହିଁ। ସର୍ବସାଧାରଣରେ ନିଜର ଭାବନା ବ୍ୟକ୍ତ କରିବାରେ ଏମାନେ ଅସହଜ ମନେ କରନ୍ତି।

ଙ-ମୁଦ୍ରା: ଏ ଭଳି ମୁଦ୍ରାରେ ଗୋଡ଼ ରଖି ବସୁଥିବା ଲୋକେ କୌଣସି କଥା ପାଇଁ ତରବର ହୁଅନ୍ତି ନାହିଁ। ତାଙ୍କର ବିଶ୍ୱାସ ଉଚିତ ସମୟରେ ସବୁ କଥା ହୁଏ। ଏମାନେ ପ୍ରତିଜ୍ଞାବଦ୍ଧ, ପରିଶ୍ରମୀ ହୋଇଥିବାରୁ ନିଜର କାର୍ଯ୍ୟ ହାସଲ ନ ହେଲା ଯାଏଁ ହାର ମାନି ଯାଆନ୍ତି ନାହିଁ। ଚେହେରା ଉପରେ ଗୁରୁତ୍ୱ ଦେଉଥିବାରୁ ଏମାନେ ସେଥି ପ୍ରତି ଅଧିକ ସମୟ ଦେଇଥାଆନ୍ତି। ଏହା ତାଙ୍କର ଦୁର୍ବଳତା ଏବଂ ଭୟାତୁରପଣିଆକୁ ସୂଚାଏ।

ସମ୍ବନ୍ଧିତ ଖବର