ଆମ ରାଜ୍ୟର ସୌଭାଗ୍ୟ ଯେ, ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ପ୍ରଥମଥର ପାଇଁ ଓଡ଼ିଶାରେ ଅନୁଷ୍ଠିତ ହେଉଛି। ଏହି ଭବ୍ୟ ସମାରୋହ ଆସନ୍ତା ଜାନୁଆରି ୮ ତାରିଖରୁ ତିନିଦିନ ଧରି ଭୁବନେଶ୍ବର ଜନତା ମଇଦାନରେ ଅନୁଷ୍ଠିତ ହେବ। ଗତ ଡିସେମ୍ବର ୧୬ ତାରିଖରେ ନୂଆଦିଲ୍ଲୀର ଜବାହରଲାଲ ନେହରୁ ଭବନସ୍ଥିତ ସିବି ମୁଥାମା ହଲ୍ରେ ଏହି ମହୋତ୍ସବର ୱେବ୍ସାଇଟ୍ ବିଦେଶ ବ୍ୟାପର ମନ୍ତ୍ରୀ ଡଃ ସୁବ୍ରବଣ୍ୟମ୍ ଜୟଶଙ୍କର ଓ ମୁଁ ନିଜେ ଉପସ୍ଥିତ ରହି ଏହାକୁ ମିଳିତ ଭାବେ ଉନ୍ମୋଚନ କରିଥିଲୁ। ତିନିଦିନିଆ ଏହି ସମାରୋହ ଜାନୁଆରି ୮ରୁ ୧୦ତାରିଖ ଯାଏଁ ଚାଲିବ। ଏହି ସମ୍ମାନଜନକ ସମାରୋହକୁ ଓଡ଼ିଶାରେ ଅନୁଷ୍ଠାନ କରିବା ପାଇଁ ବୈଦେଶିକ ମନ୍ତ୍ରାଳୟ ପ୍ରସ୍ତାବ ଦେଇଥିଲେ, ଯାହା ଆମ ସରକାର ଆଗ୍ରହର ସହିତ ଅନୁମୋଦନ ଦେଇଥିଲୁ। ବିଭିନ୍ନ ଦିବସରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହ ମନ୍ତ୍ରୀ ଅମିତ୍ ଶାହ, ବୈଦେଶିକ ମନ୍ତ୍ରୀ ଡଃ ଜୟଶଙ୍କର ଓ ଅନେକ କେନ୍ଦ୍ରମନ୍ତ୍ରୀ ଯୋଗ ଦେବେ। ଦେଶର ଯୁବପିଢ଼ୀଙ୍କୁ ପ୍ରବାସୀ ଭାରତୀୟଙ୍କ ସହ ଦୃଢ଼ ସଂଯୋଗ ସ୍ଥାପନ କରିବା ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ପାଳନର ମୂଳ ଲକ୍ଷ୍ୟ।
ଆମେ ଜାଣୁ ଯେ, ଗୋପାଳକୃଷ୍ଣ ଗୋଖଲେଙ୍କ ଡାକରାରେ ୧୯୧୫ ଜାନୁଆରି ୯ରେ ଦକ୍ଷିଣ ଆଫ୍ରିକାରୁ ଜାତୀର ପିତା ମହାତ୍ମା ଗାନ୍ଧୀ ଭାରତ ଫେରିଆସିଥିଲେ। ତାଙ୍କର ସ୍ମରଣୀୟ ଆଗମନକୁ ଉତ୍ସବଭାବେ ପାଳନ କରିବା ପାଇଁ ପ୍ରତି ଦୁଇ ବର୍ଷରେ ଥରେ ପ୍ରବାସୀ ଭାରତୀୟ ଦିବସ ପାଳନ କରାଯାଉଛି। ଦେଶର ବିକାଶରେ ବିଦେଶୀ ଭାରତୀୟ ସମ୍ପ୍ରଦାୟର ଅବଦାନ ପାଇଁ ଭାରତରେ ଆମେ ୯ ଜାନୁଆରି, ୨୦୦୩ wଠାରୁ ପ୍ରବାସୀ ଭାରତୀୟ ଦିବସ ପାଳନ କରିଆସୁଛେ। ଅଟଳ ବିହାରୀ ବାଜପେୟୀ ଭାରତର ପ୍ରଧାନମନ୍ତ୍ରୀ ଥିଲାବେଳେ, ପ୍ରବାସୀ ଭାରତୀୟଙ୍କ ସମ୍ପର୍କରେ ଅନୁଧ୍ୟାନ କରି ବିସ୍ତୃତ ବିବରଣୀ ପ୍ରଦାନ କରିବାକୁ ବିଶିଷ୍ଟ ବୈଦେଶିକନୀତି ବିଶେଷଜ୍ଞ ଡଃ ଲକ୍ଷ୍ମୀ ମଲ୍ ସିଂଘଭୀଙ୍କ ନେତୃତ୍ବରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଥିଲେ। ୨୦୦୨ ମସିହା ଜାନୁଆରୀ ୮ ତାରିଖରେ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ଏକ ଉତ୍ସବରେ ପ୍ରଧାନମନ୍ତ୍ରୀ ଅଟଳଜୀ ବିବରଣୀକୁ ଗ୍ରହଣ କରି ଘୋଷଣା କରିଥିଲେ ଯେ, ମହାତ୍ମା ଗାନ୍ଧୀଙ୍କ ଭାରତ ପ୍ରତ୍ୟାବର୍ତ୍ତନ ଦିବସ ଜାନୁଆରି ୯ ତାରିଖକୁ ପ୍ରବାସୀ ଭାରତୀୟ ଦିବସ ଭାବେ ପାଳନ କରାଯିବ। ସେହି ଘୋଷଣା ଅନୁସାରେ, ୨୦୦୩ ମସିହାରୁ ପ୍ରବାସୀ ଭାରତୀୟ ଦିବସ ପାଳନ କରିବାର ପରମ୍ପରା ଆରମ୍ଭ ହୋଇଥିଲା। ଭାରତର ବିକାଶ ପାଇଁ ଉଭୟ ବିଦେଶୀ ଏବଂ ପ୍ରବାସୀ ଭାରତୀୟ ସମ୍ପ୍ରଦାୟଙ୍କ ମହତ୍ବପୂର୍ଣ୍ଣ ଯୋଗଦାନକୁ ସମ୍ମାନ ଜଣାଇବା ଏବଂ ବିକଶିତ ଭାରତ ସ୍ବପ୍ନକୁ ସାକାର କରିବା ଲକ୍ଷ୍ୟରେ ସେବେଠାରୁ ଏହି ଦିବସ ପାଳିତ ହେଉଛି। ୨୦୦୩ ଠାରୁ ୨୦୧୫ ମସିହା ଯାଏଁ ପ୍ରତ୍ୟେକ ବର୍ଷ ଅନୁଷ୍ଠିତ ହୋଇ ଆସୁଥିବା ଏହି ମହୋତ୍ସବ ପରବର୍ତ୍ତୀ କାଳରେ ପ୍ରତିବର୍ଷ ନକରି ଦୁଇବର୍ଷରେ ଥରେ ଆୟୋଜନ କରା ଯାଉଛି।
ଅତୀତରେ ମହାରାଷ୍ଟ୍ରର ମୁମ୍ବାଇ, ଅବିଭାଜିତ ଆନ୍ଧ୍ର ପ୍ରଦେଶର ହାଇଦ୍ରାବାଦ, ଗୁଜରାଟର ଗାନ୍ଧିନଗର, କର୍ଣ୍ଣାଟକର ବେଙ୍ଗାଲୁରୁ, ଉତ୍ତର ପ୍ରଦେଶର ବାରାଣାସୀ ଏବଂ ମଧ୍ୟ ପ୍ରଦେଶର ଇନ୍ଦୋରରେ ଥରେ ଲେଖାଏଁ, ରାଜସ୍ଥାନର ଜୟପୁର୍ ଏବଂ କେରଳର କୋଚିରେ ଦୁଇଥର ଲେଖାଏଁ ଓ ନୂଆଦିଲ୍ଲୀରେ ଅନ୍ୟ ସମସ୍ତ ଥର ଏହି ଉତ୍ସବ ଅନୁଷ୍ଠାନ କରାଯାଇ ଥିଲେ ବି, ପ୍ରଥମ ଥର ପାଇଁ କୌଣସି ପୂର୍ବାଞ୍ଚଳ ରାଜ୍ୟରେ ଏଭଳି ଭବ୍ୟ ସମାରୋହ ହେବାକୁ ଯାଉଛି। ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକଶିତ ଓଡ଼ିଶାପାଇଁ ପ୍ରତିବଦ୍ଧତା କାରଣରୁ ସମ୍ଭବ ହେବାକୁ ଯାଉଛି। ପୂର୍ବୋଦୟ ସଂକଳ୍ପର ସଫଳ ରୂପାୟନ ପାଇଁ ଓଡ଼ିଶା ଯେ ଅପାର ସମ୍ଭାବନାର ଗନ୍ତାଘର, ତାହା ପ୍ରଧାନମନ୍ତ୍ରୀ ପ୍ରମାଣିତ କରିଛନ୍ତି। ଅତୀତରେ ଆମ ଓଡ଼ିଶା ଅଖଣ୍ଡ ଭାରତର ମହତ୍ତ୍ୱପୂର୍ଣ୍ଣ ଅଂଶ ସ୍ୱରୂପ ଅନୁପମ କଳା, ଭାସ୍କର୍ଯ୍ୟ, ଆଧ୍ୟାତ୍ମିକ ଚେତନା ଓ ସ୍ପର୍ଦ୍ଧିତ ବୀରତ୍ୱର ମୁଖଶାଳା ଥିଲା। ଆଜି ମଧ୍ୟ ଆମ ରାଜ୍ୟ ନିରନ୍ତର ବିକାଶ ଓ ସେବା ତଥା ସମର୍ପଣ ମନୋଭାବର ନନ୍ଦିଘୋଷ ହେଇ ସଫଳତାର ସହ ଆଗକୁ ଅଗ୍ରସର ହେଇଛି। ଏହି ଅମୃତ ଉପଲବ୍ଧିର ପ୍ରଶସ୍ତ ପରିବେଶ ମଧ୍ୟରେ ଆମ ରାଜ୍ୟକୁ ଏଭଳି ଏକ ସୁଯୋଗ ପ୍ରଦାନ କରି ବିକଶିତ ଓଡ଼ିଶା, ବିକଶିତ ଭାରତ ସଂକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ୨୦୨୫ ଜାନୁଆରି ୮ତାରିଖଠାରୁ ତିନିଦିନ ଧରି ଭୁବନେଶ୍ୱରରେ ପ୍ରବାସୀ ଭାରତୀୟ ଦିବସ ପାଳନ ଅବଧିରେ ପ୍ରାୟ ୭ ହଜାର ଅତିଥି ଏବଂ ପ୍ରତିନିଧି ଯୋଗଦେବାର ଆକଳନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦିଗଦର୍ଶନରେ କେନ୍ଦ୍ରସରକାରଙ୍କ ବିଦେଶ ମନ୍ତ୍ରଣାଳୟ କ୍ରମାଗତ ଭାବରେ ବିଦେଶରେ ବାସ କରୁଥିବା ଭାରତୀୟ (ପ୍ରବାସୀ) ଓ ଭାରତୀୟ ବିଦେଶୀମାନଙ୍କ (ବଂଶୋଦ୍ଭବ) କଲ୍ୟାଣକୁ ପ୍ରାଥମିକତା ଦେଇଆସୁଛନ୍ତି। ଏହି ସମ୍ମାନଜନକ ସମାରୋହରେ ସେମାନଙ୍କ ପ୍ରତିନିଧି ତଥା ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ହାସଲ କରି ଭାରତକୁ ଗର୍ବିତ କରିଥିବା ଭାରତୀୟ-ବିଦେଶୀମାନେ ଯୋଗଦେବେ, ଯାହା ଆମ ରାଜ୍ୟ ପାଇଁ ମଧ୍ୟ ସ୍ମରଣୀୟ ଅନୁଭୁତି ପ୍ରଦାନ କରିବ। ସେମାନଙ୍କ ମାଧ୍ୟମରେ ଓଡ଼ିଶାର ଐତିହ୍ୟ ଓ ସଂସ୍କୃତିକୁ ପ୍ରଦର୍ଶନ କରିବାର ଏକ ସୁଯୋଗ ମିଳିବ। ଜି-୨୦ ସମ୍ମିଳନୀ ବେଳେ, ପ୍ରଧାନମନ୍ତ୍ରୀ ମୋଦିଜୀ କୋଣାର୍କଚକ୍ର ସମ୍ମୁଖରେ ବିଶ୍ବନେତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ; ଯାହା ବିଶ୍ବବାସୀଙ୍କ ଦୃଷ୍ଟି ଆକର୍ଷିତ କରିଥିଲା। ଏବେ, ଓଡ଼ିଶାକୁ ଆସୁଥିବା ପ୍ରବାସୀ ଭାରତୀୟ ଅତିଥିମାନଙ୍କ ପାଇଁ ଆମର କଳା, ସମୃଦ୍ଧ ଇତିହାସ, ପରମ୍ପରା ଏବଂ ଓଡ଼ିଶାର ସଂସ୍କୃତି ଏବଂ ଐତିହ୍ୟ ତଥା ଅତିଥିପରାୟଣତା ନିଶ୍ଚିତ ସ୍ମରଣୀୟ ଅନୁଭୂତି ଆଣିଦେବ। ଅତୁଳନୀୟ ଆନ୍ତରିକତା ଓ ଉଦାରଚେତା ହୃଦୟ ଆମ ଓଡ଼ିଶାର ଗୌରବମୟ ପରିଚୟ।
ପ୍ରବାସୀ ଭାରତୀୟ ଦିବସ ପାଳନ ଭାରତ ସରକାରଙ୍କ ବିଦେଶ ମନ୍ତ୍ରଣାଳୟର ଅନ୍ୟତମ ପ୍ରମୁଖ କାର୍ଯ୍ୟକ୍ରମ। ଏହା ବିଭିନ୍ନ ଦେଶରେ ରହୁଥିବା ଭାରତୀୟମାନଙ୍କୁ ଏକସୂତ୍ରରେ ବାନ୍ଧି ସମ୍ପର୍କ ସ୍ଥାପନ କରିବା ତଥା ପରସ୍ପର ସହ ଆଲୋଚନା ପାଇଁ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ପ୍ରଦାନ କରିଥାଏ। ମଧ୍ୟପ୍ରଦେଶ ସରକାରଙ୍କ ସହଭାଗିତାରେ ଦୁଇବର୍ଷ ତଳେ ଇନ୍ଦୋର ନଗରୀରେ ୧୭ତମ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ଆୟୋଜିତ ହୋଇଥିଲା; ଯାହାର ମୂଳାଧାର ଥିଲା - “ପ୍ରବାସୀ: ଅମୃତକାଳରେ ଭାରତର ପ୍ରଗତିରେ ବିଶ୍ବାସନୀୟ ଭାଗିଦାର”। ଏଥିରେ ପ୍ରାୟ ୭୦ଟି ଦେଶରୁ ୬ ହଜାରରୁ ଅଧିକ ପ୍ରବାସୀ ଭାରତୀୟ ଭାଗ ନେଇଥିଲେ। ଭୁବନେଶ୍ବରର ସମାରୋହର ମୂଳାଧାର ବା ଥିମ୍ ରହିବ - ବିକଶିତ ଭାରତ ପାଇଁ ପ୍ରବାସୀ ଭାରତୀୟଙ୍କ ଅବଦାନ। ଏହି ସମ୍ମିଳନୀରେ ତିନିଟି ଭାଗ ରହିବ। ଏହି ତିନିଦିନିଆ ମହୋତ୍ସବରେ ବିଭିନ୍ନ ପ୍ରସଙ୍ଗ ଆଧାରରେ ପାଞ୍ଚଗୋଟି ବିଷୟବସ୍ତୁ ଉପରେ ଆଲୋଚନା କରାଯିବାକୁ ସ୍ଥିର ହୋଇଛି। ସେଗୁଡିକ ରହିବ: ୧. ପରିସୀମା ବାହାରେ: ବୈଶ୍ବିକ ପୃଥିବୀରେ ପ୍ରବାସୀ ଯୁବ-ଭାରତୀୟଙ୍କ ନେତୃତ୍ୱ, ୨. ପ୍ରତିବନ୍ଧକ ଭାଙ୍ଗି ସେତୁ ନିର୍ମାଣ: ସ୍ଥାନାନ୍ତର କୌଶଳର କାହାଣୀ, ୩. ସବୁଜ ସଂଯୋଗ: ସ୍ଥାୟୀ ସମାବେଶୀ ବିକାଶରେ ପ୍ରବାସୀଙ୍କ ଅବଦାନ, ୪. ପ୍ରବାସୀ ଦିବସ: ମହିଳା ନେତୃତ୍ୱ ଏବଂ ପ୍ରଭାବର ଇସ୍ତାହାର - ନାରୀ ଶକ୍ତି ୫. ପ୍ରବାସୀ ଭାରତୀୟଙ୍କ ମୁହଁରୁ: ସଂସ୍କୃତି, ସଂଯୋଗ ଏବଂ ସମ୍ପର୍କର କାହାଣୀ।
ବିଦେଶରେ ବାସକରୁଥିବା ଭାରତୀୟ ସମ୍ପ୍ରଦାୟ ଭାରତ ସରକାରଙ୍କ ସହ ତଥା ନିଜର ମୂଳ ସଂସ୍କୃତି ସହିତ ଦୃଢଭାବେ ଯୋଡିହୋଇ ରହିବା ପାଇଁ ପ୍ରବାସୀ ଭାରତୀୟ ଦିବସର ପରିକଳ୍ପନା। ସମ୍ମିଳନୀର ପ୍ରଥମ ଦିନଟିକୁ ଯୁବ-ପ୍ରବାସୀ ଭାରତୀୟ ଦିବସ ରୂପେ ଉତ୍ସର୍ଗ କରାଯାଉଛି। ଆମ୍ଭେ ଭାରତର ମାନ୍ୟବର ଗୃହମନ୍ତ୍ରୀ, ବୈଦେଶିକ ବ୍ୟାପାର ମନ୍ତ୍ରୀ, ମାନ୍ୟବର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀଙ୍କ ସହିତ ସମ୍ମିଳିତ ଭାବେ ଯୁବ-ପ୍ରବାସୀ ଭାରତୀୟ ଦିବସକୁ ଉଦ୍ଘାଟନ କରିବୁ। ସମାରୋହର ଦ୍ବିତୀୟ ଦିବସରେ ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଷ୍ଟାଦଶ ସମ୍ମିଳନୀକୁ ବିଧିବଦ୍ଧ ଉଦଘାଟନ କରିବେ ଏବଂ ପରବର୍ତ୍ତୀ ଦିବସର ଅନ୍ତିମ କାର୍ଯ୍ୟକ୍ରମରେ ପ୍ରବାସୀ ଭାରତୀୟ ସମ୍ମାନ ଓ ପୁରସ୍କାର ପ୍ରଦାନ କରିବା ସହିତ ଦୀକ୍ଷାନ୍ତ ଅଭିଭାଷଣ ପ୍ରଦାନ କରିବେ ଭାରତର ମାନ୍ୟବର ରାଷ୍ଟ୍ରପତି ଶ୍ରୀମତି ଦ୍ରୌପଦୀ ମୁର୍ମୁ।
ଓଡ଼ିଶାବାସୀ ସରକାର ପରିବର୍ତ୍ତନ କରି ନୂଆ ସରକାରଙ୍କ ଠାରୁ ସୁଶାସନ, ପ୍ରଗତି ଏବଂ ଓଡ଼ିଆ ଅସ୍ମିତାର ଉପସ୍ଥିତି ଅନୁଭବ କରିବାକୁ ଚାହାନ୍ତି। ଏହା ସେମାନେ ଆଶା କରିବା ମଧ୍ୟ ସ୍ବାଭାବିକ। ଅପାର ସମ୍ଭାବନାର ସମୃଦ୍ଧ ଭଣ୍ଡାର ଆମ ଓଡ଼ିଶା। ସର୍ବଦା ଶାନ୍ତି ଓ ସମୃଦ୍ଧି କାମନା କରୁଥବା ଏ ମାଟିର ମହକ ଦେଶ ବିଦେଶରେ ବିଛୁରିତ। ଆମ ରାଜ୍ୟ ଓଡ଼ିଶା କାଳେକାଳେ ଉନ୍ନତ ସାଂସ୍କୃତିକ ବିଚାରାଧାରା ଓ ମାନବିକତାର ଜୟଗାନ କରିଆସିଛି। ଏହାର ପ୍ରାକୃତିକ ସମ୍ପଦ, ବ୍ୟାପ୍ତ ସାମୁଦ୍ରିକ ଉପକୂଳ, ନଦନଦୀ, ଜଙ୍ଗଲ ଅନନ୍ୟ। ଓଡ଼ିଶାର ସଂସ୍କୃତିସମ୍ପନ୍ନ ଶାନ୍ତିପ୍ରିୟ ମାନବ ସମ୍ବଳ ଅନୁପମ। ଏ ସମସ୍ତ ଉପାଦାନ ସହିତ ପ୍ରବାସୀ ଭାରତୀୟଙ୍କ ପାଖରୁ ଆର୍ଥିକ, ବୈଷୟିକ ଏବଂ କୌଶଳଗତ ସହଯୋଗ ମିଳିଲେ, ଓଡ଼ିଆ ଯୁବସମ୍ପଦ ମଧ୍ୟ ଅସୀମିତ ଉନ୍ନତି ପଥରେ ଆମ ରାଜ୍ୟକୁ ଆଗେଇ ନେଇ ପାରିବେ। ସେମାନଙ୍କ ସହୃଦୟ ସହଯୋଗ ଓ ସକ୍ରିୟ ଭାଗିଦାରୀ ଆମକୁ ଆନନ୍ଦିତ କରିବା ସହ ଏକ ସୁସମୃଦ୍ଧ ଓଡ଼ିଶାର ସ୍ବପ୍ନକୁ ସାକାର କରିବା ଦିଗରେ ଗର୍ବର ସହ ଅଗ୍ରସର ହେଇପାରିବ। ଆସନ୍ତା ୨୮ ଓ ୨୯ ତାରିଖରେ ଆମେ ଉତ୍କର୍ଷ ଓଡ଼ିଶା କନକ୍ଲେଭ୍ ୨୦୨୫ ଆୟୋଜନ କରିବାକୁ ଯାଉଛୁ, ଯେଉଁଥିରେ ଦେଶ ଓ ବିଦେଶର ଶିଳ୍ପପତି, ପୁଞ୍ଜି ବିନିଯୋଗକାରୀ ଓ ଅନେକ ଯୁବ ଉଦ୍ୟୋଗୀ ଷ୍ଟାର୍ଟଅପ୍ ଯୋଗଦେବେ। ଓଡ଼ିଶାକୁ ୨୦୩୬ ମସିହା ବେଳକୁ ଏକ ବିକଶିତ ରାଜ୍ୟରେ ପରିଣତ କରିବାର ସଂକଳ୍ପ ଆମେ ନେଇଛୁ ଏବଂ ପ୍ରଧାନମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ସହଯୋଗ ପାଉଛୁ। ବିକଶିତ ଓଡ଼ିଶାର ସମ୍ଭାବନା ସଫଳ ହେବାପାଇଁ ଓଡ଼ିଶା ମାଟିରେ ପ୍ରବାସୀ ଭାରତୀୟ ଦିବସ ସମାରୋହକୁ ଆମେ ଏକ ମହୋତ୍ସବ ଭଳି ପାଳନ କରିବାକୁ ଯାଉଛୁ। ପ୍ରବାସୀମାନଙ୍କ ଅବଦାନ ଓ ଆମର ନିଷ୍ଠାପର ଉଦ୍ୟମ ଏପରି ମହତ୍ବାକାଂକ୍ଷୀ ସମ୍ଭାବନାକୁ ସଫଳ କରିବାରେ ଗୁରୁତ୍ବପୂର୍ଣ୍ଣ ସାବ୍ୟସ୍ତ ହେବ। ଆମେ ଭୁଲିଯିବା ଉଚିତ ନୁହେଁ କି ବୀର ପ୍ରସବିନୀ ଏହି ମାଟି ଘାତ ପ୍ରତିଘାତ ଓ ସଂଘର୍ଷର ସୁନାମି ଭିତରେ ବି ଦୃଢ଼ ଇଛାଶକ୍ତି ଓ ଅଦମ୍ୟ ସାହସର ହିମାଳୟ ହେଇ ଠିଆ ହେବା ଶିଖିଛି। ଯାତନାର ମହାବାତ୍ୟା ଆମ ଧନ ଜୀବନ ନେଇଯାଇଥାଇପାରେ କିନ୍ତୁ ଅଟଳ ଅଚଳ ମହାମେରୁ ପରି ମନକୁ ଟିକିଏ ବି ଦୋହଲେଇ ପାରିନାହିଁ।
ଓଡ଼ିଶା ମାଟିରେ କୌଣସି ଗୋଟିଏ କାର୍ଯ୍ୟକ୍ରମରେ ଦେଶର ଶୀର୍ଷ ନେତୃତ୍ବଙ୍କ ସମେତ ପ୍ରତିଷ୍ଠିତ ପ୍ରବାସୀ ଭାରତୀୟ ଏକାଠି ହେବାର ବିରଳ ସୁଯୋଗ ସୃଷ୍ଟି କରିବ ଓଡ଼ିଶାରେ ପ୍ରଥମଥର ପାଇଁ ଆୟୋଜନ କରାଯାଉଥିବା ଏହି ମହାମଞ୍ଚ। ଓଡ଼ିଶାରୁ ଯାଇ ଯେଉଁମାନେ ବିଦେଶରେ ବସବାସ କରି ରହୁଛନ୍ତି, ସେମାନେ ଓଡ଼ିଶା ଆସି, ନିଜର ମୂଳ ସହିତ ଯୋଡିହେବାର ଅନନ୍ୟ ସୁଯୋଗ ପାଇବେ। ପ୍ରବାସୀ ଭାରତୀୟ ଦିବସ ସମାରୋହ ଆମ ସମସ୍ତଙ୍କ ପାଇଁ ଏକ ଭାବନାତ୍ମକ କାର୍ଯ୍ୟକ୍ରମ। ଏହାକୁ ସଫଳ କରିବା ଆମ ସମସ୍ତଙ୍କର ଦାୟିତ୍ୱ। ଅତିଥି ପରାୟଣତାର ଶ୍ରେଷ୍ଠ ଉଦାହରଣ ସୃଷ୍ଟି କରିବା ପାଇଁ ପ୍ରବାସୀ ଭାରତୀୟ ଦିବସ ଆମକୁ ଯେଉଁ ସୁଯୋଗ ଦେଇଛି, ତାହାକୁ ସୁଚାରୁ ରୂପେ ସମ୍ପାଦନ କରି ଆସନ୍ତୁ, ଆମେ ଓଡ଼ିଆ ଅସ୍ମିତାର ବୈଜୟନ୍ତୀ ଉଡ଼ାଇବା। ଓଡ଼ିଆ ପ୍ରେମ ଓ ଉତ୍କର୍ଷକୁ ବିଶ୍ୱାସର ବର୍ଣ୍ଣବୋଧ କରି ଆଗକୁ ବଢ଼ିବା। ଓଡ଼ିଆ ସ୍ୱାଭିମାନ ଯେବେ ବି କ୍ଷତବିକ୍ଷତ ହେଇଛି, ସେତେବେଳେ ଆମ ଓଡ଼ିଆ ଭାଇ ଭଉଣୀମାନେ ହିଁ ଏହାର ତ୍ରାଣକାର୍ତ୍ତା ସାଜି ଓଡ଼ିଶାକୁ ମହିମାମଣ୍ଡିତ କରିଛନ୍ତି। ଏଣୁ ଆଜିର ଏ ମହାର୍ଘ ଅବସରରେ ଆଶା କରିବି ଯେ ପ୍ରବାସୀମାନେ ବି ଓଡ଼ିଶା ପ୍ରତି ସେମାନଙ୍କ ଏକାନ୍ତ ଆତ୍ମୀୟତା ଓ ଭଲପାଇବାର ଉଦାହରଣ ଦେଇ ଏ ମାଟିର ସ୍ୱାଭିମାନକୁ ଗୌରବାନ୍ୱିତ କରିବେ।
ମୋହନ ଚରଣ ମାଝୀ
ମୁଖ୍ୟମନ୍ତ୍ରୀ, ଓଡ଼ିଶା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/01/01/9Caw4ZqoNNDm35OkXGmj.jpg)