ଭୁବନେଶ୍ବର : ସମାବର୍ତ୍ତନ ଉତ୍ସବ ସରିବା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କାରକେଡ୍ କ୍ୟାମ୍ପସ୍ରୁ ବାହାରିଥିଲା। ଆଗରେ ଥିବା ଗୋଟିଏ ପରେ ଗୋଟିଏ ଗାଡ଼ି ଆଗକୁ ବଢ଼ୁଥିଲା। ରାଷ୍ଟ୍ରପତିଙ୍କ ଗାଡ଼ି କ୍ୟାମ୍ପସ୍ ବାହାରକୁ ଆସିବା କ୍ଷଣି ଗାଡ଼ିର ଡାହାଣ ପାର୍ଶ୍ବରେ ବିଶ୍ବବିଦ୍ୟାଳୟର ଶତାଧିକ ଛାତ୍ରୀ ଛିଡ଼ା ହୋଇ ଜୟ ଜୟକାର ଧ୍ବନି ଦେଉଥିଲେ। ଛାତ୍ରୀମାନଙ୍କ ଉତ୍ସାହକୁ ଦେଖି ରାଷ୍ଟ୍ରପତି ମୁର୍ମୁ ନିଜକୁ ଆଉ ସମ୍ଭାଳି ପାରି ନଥିଲେ। ଗାଡ଼ି ଅଟକାଇବା ସହ ସମସ୍ତ ପ୍ରୋଟୋକଲ୍ ଭାଙ୍ଗି ଛାତ୍ରୀମାନଙ୍କ ନିକଟକୁ ଚାଲି ଯାଇଥିଲେ। ଏହା ଦେଖି ରାଷ୍ଟ୍ରପତିଙ୍କ ସୁରକ୍ଷାକର୍ମୀଙ୍କ ଅକଲଗୁଡୁମ୍ ହୋଇଯାଇଥିଲା। ରାଷ୍ଟ୍ରପତି ଛାତ୍ରୀମାନଙ୍କ ନିକଟକୁ ଯାଇ ସେମାନଙ୍କ ସହ ହାତ ମିଳାଇଥିଲେ। କିଭଳି ଅଛ ବୋଲି ପଚାରିଥିଲେ।
କିଛି ଛାତ୍ରୀଙ୍କୁ ଭେଟିବା କ୍ଷଣି କ୍ୟାମ୍ପସ୍ର ଅନ୍ୟ ସ୍ଥାନରେ ଥିବା ଛାତ୍ରୀମାନେ ତାଙ୍କ ପାଖକୁ ଧାଇଁ ଆସିଥିଲେ ଏବଂ ମିଶିବା ପାଇଁ ପ୍ରୟାସ କରିଥିଲେ। ରାଷ୍ଟ୍ରପତି ମଧ୍ୟ ସେମାନଙ୍କ ଇଚ୍ଛାକୁ ସ୍ବୀକୃତି ଦେବା ସହ ସୁରକ୍ଷାବଳୟ ଭିତରେ ହାତ ମିଳାଇଥିଲେ। ପାଖାପାଖି ଗୋଟିଏ ମିନିଟ୍ ଧରି କ୍ୟାମ୍ପସରେ ଏକ ପ୍ରକାର ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଥିଲା। ଛାତ୍ରୀମାନଙ୍କ ଜୟଜୟକାର ଧ୍ବନିରେ ପ୍ରକମ୍ପିତ ହୋଇଉଠିଥିଲା ସାରା କ୍ୟାମ୍ପସ।