ସାଧାରଣତଃ ଆମେ ବାହାରୁ କିଣି ପିଉଥିବା ପାଣିର ମୂଲ୍ୟ ବିଶେଷ କରି ତାହାର ଉତ୍ସ, ଉପଚାର, ବିତରଣ ଓ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଉପଲବ୍ଧତା ପରି କାରଣ ଉପରେ ନିର୍ଭର କରିଥାଏ। ଅଧିକନ୍ତୁ, ଜଳ ଯୋଗାଣର ନିୟନ୍ତ୍ରଣ ଓ ସୁରକ୍ଷାକୁ ସୁନିଶ୍ଚିତ କରିବା ସହ ଜଳ ପରିଚାଳନା ଓ ବିତରଣର ତଦାରଖ କରୁଥିବା ବିଭିନ୍ନ ସରକାରୀ ସଂସ୍ଥା ଓ ସଂଗଠନର ଖର୍ଚ୍ଚକୁ ଜଳର ମୂଲ୍ୟ ପ୍ରତିଫଳିତ କରିଥାଏ। ତେବେ ଯାବତୀୟ ଖର୍ଚ୍ଚ ମିଶିଲେ ଗୋଟିଏ ପାଣି ବୋତଲର ଦାମ୍ କେତେ ବା ହୋଇପାରିବ! ହେଲେ ବିଶ୍ବର ସବୁଠୁ ଦାମୀ ପାଣି ବୋତଲ (୭୫୦ ମିଲିଲିଟର) ର ମୂଲ୍ୟ ହେଉଛି ୪୫ ଲକ୍ଷ ଟଙ୍କାରୁ ଅଧିକ। ଗିନିଜ୍ ବିଶ୍ବ ରେକର୍ଡରେ ସବୁଠୁ ଦାମୀ ପାଣିର ମାନ୍ୟତା ରଖିଥିବା ଏହି ପାଣି ବୋତଲର ନାମ ‘ଆକ୍ବା ଡି କ୍ରିଷ୍ଟାଲୋ ଟ୍ରିବୁଟୋ ଏ ମାଡିଗ୍ଲିଆନି’।
ଏହି ୭୫୦ ମି.ଲି. ବୋତଲଟି ସଂପୂର୍ଣ୍ଣ ୨୪-କ୍ୟାରାଟ୍ ସୁନାରେ ନିର୍ମିତ ଏବଂ ସେଥିରେ ଥିବା ପାଣିର ସ୍ବାଦକୁ ଅଧିକ କ୍ଷାରୀୟ ରଖିବା ପାଇଁ ସେଥିରେ ୫ ଗ୍ରାମର ୨୪-କ୍ୟାରାଟ ସୁନା ମଧ୍ୟ ମିଶିଥିଲା। ‘ଆକ୍ବା ଡି କ୍ରିଷ୍ଟାଲୋ’ ପାଣି ପୃଥିବୀର ତିନିଟି ସ୍ଥାନରୁ ସଂଗୃହୀତ। କିଛି ଭାଗ ଜଳ ଫ୍ରାନ୍ସର ଏକ ଝରଣାରୁ ଆସିଥିବା ବେଳେ ଆଉ କିଛି ଭାଗ ଫିଜିର ଏକ ଝରଣା ଯୋଗାଇଛି ଏବଂ ବାକି ଅଂଶ ତକ ଆଇସ୍ଲାଣ୍ଡର ଏକ ହିମଶୈଳରୁ ସଂଗ୍ରହ କରାଯାଇଛି। ୨୦୧୦ରେ ଏକ ବୋତଲ ‘ଆକ୍ବା ଡି କ୍ରିଷ୍ଟାଲୋ’କୁ ୬୦,୦୦୦ ଡଲାର ବା ୪୯ ଲକ୍ଷ ଟଙ୍କାରୁ ଅଧିକ ଦରରେ ନିଲାମ କରାଯାଇଥିଲା। ବିଶ୍ବର ଅନ୍ୟତମ ଦାମୀ ପାଣି ‘କୋନା ନିଗାରି’ ଜାପାନରେ ପ୍ରସ୍ତୁତ ହେଉଛି। ସମୁଦ୍ର ପତ୍ତନର ହଜାର ହଜାର ଫୁଟ ତଳୁ ସଂଗୃହୀତ ଏହି ଜଳର ଲିଟର ପିଛା ମୂଲ୍ୟ ହେଉଛି ୪୪ ହଜାର ଟଙ୍କା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/3-27.jpg)