ପ୍ରେମିକାକୁ ପ୍ରେମ ନିବେଦନ ହେଉ କି ଅଭିମାନ କରିଥିଲେ ମନେଇବା ହେଉ; ଜନ୍ମଦିନ, ବାହାଘର, ବନ୍ଧୁମିଳନ ସବୁଠି ଶୁଭେଚ୍ଛା ଜ୍ଞାପନ ପାଇଁ ଦରକାର ପଡ଼େ ଫୁଲ। କାର୍ଯ୍ୟାଳୟରେ ସାରାଦିନର କାମ ଚାପ ଆଉ ବ୍ୟସ୍ତତା ପରେ ଘରକୁ ଫେରିଲେ ନିଜ ବଗିଚା କି କୁଣ୍ଡରେ ଫୁଟିଥିବା ଫୁଲ ଦେଖିଦେଲେ ମନ ହାଲୁକା ହୋଇଯାଏ। ହେଲେ ଫୁଲ ଯେ ଖାଲି ନିଜ ରଙ୍ଗ, ରୂପ ଆଉ ବାସନାରେ ଆମକୁ ତୃପ୍ତକରେ ତା’ନୁହେଁ ଅନେକ ଫୁଲ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ୍ ଉପକାରୀ।
ଉପସ୍ଥାପନା: ପ୍ରଗତି ସାହୁ
ଆଜି ଟିକେ ପିଠଉ ଦେଇ କଖାରୁ ଫୁଲ ଭଜା ହୁଅନ୍ତାନି! ପଖାଳ ଖିଆଟା ଆହୁରି ସୁଆଦିଆ ହୋଇଯାଆନ୍ତା। ଆଉ ତା ସହିତ ଯଦି କୁଡୁକୁଡିଆ ନିମ୍ବକଢ଼ି ଭଜାଟା ମିଳିଯାଆନ୍ତା, ତା’ ହେଲେ କାହିଁରେ କ’ଣ! ମୁସୁମୁସିଆ ସଜନା ଫୁଲ ବରା ଯଦି ଏଥିରେ ମିଶିଯାଆନ୍ତା ତ ଗୁଣ୍ଡା କେମିତି ଉଠିଯିବ ଜଣାପଡ଼ିବନି। ଖିଆପିଆକୁ ନେଇ ଓଡ଼ିଆ ଘରେ ଏମିତି କଥାବାର୍ତ୍ତା ପ୍ରାୟ ଶୁଣିବାକୁ ମିଳେ। ଏହା ସୂଚିତ କରୁଛି ଯେ ଓଡ଼ିଆ ହାଣ୍ଡିଶାଳରେ କେବଳ ପନିପରିବା ନୁହେଁ, ବିଭିନ୍ନ ଫୁଲରୁ ମଧ୍ୟ ସ୍ବାଦିଷ୍ଠ ବ୍ୟଞ୍ଜନ ପ୍ରସ୍ତୁତ ହୋଇଥାଏ। ଏହା ଉତ୍କଳୀୟ ଖାଦ୍ୟ ପରମ୍ପରାର ଏକ ସ୍ବକୀୟ ଦିଗ। କେବଳ ଘର ନୁହେଁ, ମୌଳିକ ଓଡ଼ିଆ ବ୍ୟଞ୍ଜନ ଭାବେ ନାମୀଦାମୀ ହୋଟେଲରେ ମଧ୍ୟ ବିଭିନ୍ନ ପ୍ରକାର ଫୁଲର ଭଜା ପରଷା ଯାଉଛି। ଉଲ୍ଲେଖଯୋଗ୍ୟ, ବ୍ୟଞ୍ଜନ ପ୍ରସ୍ତୁତିରେ ବ୍ୟବହାର ହେଉଥିବା ଫୁଲର ସଂଖ୍ୟା ୫୦ରୁ ଅଧିକ।
ଏହାସହିତ ଆୟୁର୍ବେଦରେ ଫୁଲକୁ ଔଷଧ ଭାବେ ମଧ୍ୟ ବ୍ୟବହାର କରାଯାଏ। ବିଭିନ୍ନ ପ୍ରକାର ଫୁଲରେ ଥିବା ଔଷଧୀୟ ଗୁଣ ଅନେକ ରୋଗ ମଧ୍ୟ ଦୂର କରିଥାଏ। ଖାଦ୍ୟରେ ଫୁଲର ବ୍ୟବହାର ପ୍ରାଚୀନ କାଳରୁ ଆରମ୍ଭ ହୋଇଛି। ରୋମ୍ ଓ ଗ୍ରୀକ୍ବାସୀ ବିଭିନ୍ନ ଫୁଲକୁ ଉଭୟ ଖାଦ୍ୟ ତା’ର ଔଷଧୀୟ ଗୁଣ ପାଇଁ ବ୍ୟବହାର କରୁଥିଲେ। ତେବେ ଭାରତୀୟ ଖାଦ୍ୟ ସଂସ୍କୃତିରେ ଗୁଣ ଅନୁସାରେ ଫୁଲର ବ୍ୟବହାର ନିର୍ଦ୍ଦିଷ୍ଟ କରାଯାଇ ସେଥିରୁ ବିଭିନ୍ନ ରକମର ସ୍ବାଦିଷ୍ଠ ବ୍ୟଞ୍ଜନ ପ୍ରସ୍ତୁତିର ପରମ୍ପରା ସୃଷ୍ଟି ହୋଇଛି। ଆସନ୍ତୁ ଜାଣିବା ସେମିତି କିଛି ଫୁଲ ବିଷୟରେ ଯାହା ଆମର ଖାଦ୍ୟପେୟରେ ବ୍ୟବହାର ହେବା ସହିତ ଆମ ଶରୀର ପାଇଁ ଉପକାରୀ ହୋଇଥାଏ।
ବ୍ୟଞ୍ଜନରେ ଫୁଲ
ସଜନା ଫୁଲ: ପ୍ରତ୍ୟେକ ଭାରତୀୟ ସଜନା ଗଛ ସହ ବେଶ୍ ପରିଚିତ। ଆମ ରାଜ୍ୟରେ ସଜନା ଛୁଇଁ, ପତ୍ର ଓ ଫୁଲରୁ ଭଜା ଓ ତରକାରି ପ୍ରସ୍ତୁତ ହୋଇଥାଏ। ତେବେ ବଙ୍ଗୀୟମାନେ ସଜନା ଫୁଲରେ ସ୍ବାଦିଷ୍ଠ ବରା ଓ ପକୁଡ଼ି ପ୍ରସ୍ତୁତ କରୁଥିବା ବେଳେ ଗୋଆରେ ଏହାକୁ ନେଇ ଭିନ୍ନ ଭିନ୍ନ ବ୍ୟଞ୍ଜନ ତିଆରି ହୋଇଥାଏ। ସେଠାରେ ସଜନା ଫୁଲରୁ ତିଆରି ‘ଟିସ୍ରେଓ’ ନାମକ ଏକ ସ୍ବାଦିଷ୍ଠ ଖାଦ୍ୟ ବେଶ୍ ଲୋକପ୍ରିୟ। ସଜନା ଫୁଲରେ ଭିଟାମିନ୍-ଏ, ଆମିନୋଏସିଡ୍, କ୍ୟାଲ୍ସିୟମ୍ ଓ ପଟାସିୟମ୍ ଭଳି ଉପାଦାନ ଭରି ରହିଥିବା ବେଳେ ଏହା ଚକ୍ଷୁ ପାଇଁ ଖୁବ ଉପକାରୀ।
ଅଗସ୍ତି ଫୁଲ: ଏହି ଫୁଲ ଖୁବ୍ ସ୍ବାଦିଷ୍ଠ। ଏହାର ପତ୍ର ଓ ଫୁଲ ଶାଗରୂପେ ବ୍ୟବହାର କରାଯାଏ। ଏହାର ନାଁ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ରହିଛି। କ୍ୟାଲ୍ସିୟମ୍ରେ ଭରପୂର ଅଗସ୍ତି ଫୁଲ ଶରୀରକୁ ଶୀତଳ ରଖିଥାଏ। ଅଗସ୍ତି ଫୁଲରେ ଚା ଓ କକ୍ଟେଲ୍ ମଧ୍ୟ ତିଆରି କରାଯାଇଥାଏ। କେରଳରେ ଲୋକମାନେ ଏହି ଫୁଲକୁ ପିଆଜ, ନଡ଼ିଆ ଓ କଞ୍ଚାଲଙ୍କା ପକାଇ ଭାଜି ଖାଇଥାଆନ୍ତି। ଓଡ଼ିଶାରେ ହବିଷିଆଳୀମାନେ ଏହାର ଶାଗ ଖାଆନ୍ତି। ଅଗସ୍ତି ଫୁଲ ଧଳା ଓ ନାଲି ରଙ୍ଗର। ଏହାର ଆକାର ଅପୂର୍ଣ୍ଣଚନ୍ଦ୍ରାକୃତି ଓ ବକପକ୍ଷୀର ଆକୃତି ଯୋଗଁୁ ଏହାକୁ ବକପୁଷ୍ପ ଭାବେ ଅଭିହିତ କରାଯାଏ।
ନିମ୍ବ କଢ଼: ନିମ୍ବ କଥା ଉଠିଲେ ପାଟି ପିତା ହୋଇଯାଏ। କିନ୍ତୁ ଏହା ଦେହ ପାଇଁ ବହୁ ଉପକାରୀ। ଏହାର ପତ୍ର ପରି ଫୁଲ ମଧ୍ୟ ଶରୀର ପାଇଁ ଖୁବ୍ ସ୍ବାସ୍ଥ୍ୟକର। ତାମିଲ ଲୋକମାନେ ଏହି ନିମ୍ବ କଢ଼କୁ ବ୍ୟବହାର କରି ରସମ୍ ପ୍ରସ୍ତୁତ କରିଥାଆନ୍ତି। ଓଡ଼ିଆ ଘରେ ନିମ୍ବକଢ଼ ଓ ବାଇଗଣ ଭଜା ପ୍ରସ୍ତୁତ ହୋଇଥାଏ। ନିମ୍ବ ଫୁଲ ଓ ପତ୍ରକୁ ଭଜା ଓ ତରକାରିରେ ମିଶାଇ ଖାଇଲେ ଚର୍ମରୋଗ ଦୂର ହୁଏ। ନିମ୍ବ ଫୁଲ ବାନ୍ତି, କୃମି ଦୂର କରିପାରେ। ନିମ୍ବ ଫୁଲ ଖାଇବା ଦ୍ୱାରା ଡାଏବେଟିସ୍ ଭଳି ସମସ୍ୟା ମଧ୍ୟ ଦୂର ହୋଇଥାଏ। ଏଥିରେ ଆଣ୍ଟି-ବ୍ୟାକ୍ଟେରିଆଲ୍ ଓ ଆଣ୍ଟି-ଭାଇରାଲ୍ ଗୁଣ ରହିଛି, ଯାହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ମଧ୍ୟ ସାହାଯ୍ୟ କରିଥାଏ।
କଦଳୀ ଭଣ୍ଡା: ଭାରତର ବିଭିନ୍ନ ସ୍ଥାନରେ କଦଳୀ ଭଣ୍ଡା (କଦଳୀ କାନ୍ଦିର ଅଗରେ ଥିବା ପୁଷ୍ପକୋଷ)କୁ ଖାଦ୍ୟ ପ୍ରସ୍ତୁତିରେ ବ୍ୟବହାର କରାଯାଏ। ଏଥିରେ ଫସ୍ଫରସ୍, କ୍ୟାଲ୍ସିୟମ୍, ଭିଟାମିନ୍-ଏ, ଭିଟାମିନ୍-ସି, ଭିଟାମିନ୍-ଇ, ଫାଇବର୍, ଆଇରନ୍ ଭରପୂର ମାତ୍ରାରେ ରହିଛି। କଦଳୀ ଭଣ୍ଡା ଶରୀରରେ ହିମୋଗ୍ଲୋବିନ୍ର ମାତ୍ରାକୁ ନିୟନ୍ତ୍ରଣରେ ରଖିଥାଏ। ଏଥିରେ ତରକାରି, ଭଜା ଓ ରାଇତା ତିଆରି ହେଉଥିବା ବେଳେ ଆସାମରେ ଏହାକୁ ପାରା ମାଂସରେ ମିଶାଇ ରୋଷେଇ କରିଥାଅାନ୍ତି।
କଖାରୁ ଫୁଲ: ବର୍ଷା ଓ ଖରାଦିନେ କଖାରୁ ଫୁଲର ଚାହିଦା ଢେର୍ ବେଶି। ଲୋକମାନେ କଖାରୁକୁ ଯେତିକି ପସନ୍ଦ କରନ୍ତି ନାହିଁ ଏହାର ଫୁଲକୁ ତା’ଠାରୁ ବେଶି ପସନ୍ଦ କରିଥାଆନ୍ତି। କଖାରୁ ଫୁଲକୁ ଚାଉଳବଟା କିମ୍ବା ବେସନ ଗୋଳାଇ ଛାଣି ଖାଇଥା’ନ୍ତି।
କଖାରୁ ଫୁଲରେ ଭିଟାମିନ୍ ବି-୬, କ୍ୟାଲ୍ସିୟମ୍ ଫସ୍ଫରସ୍, ପଟାସିୟମ୍, ଭିଟାମିନ୍-ଏ, ଭିଟାମିନ୍-ସି, ଆଇରନ୍ ଓ ମ୍ୟାଗ୍ନେସିୟମ୍ ରହିଛି।
ମହୁଲ ଫୁଲ: କେବଳ ଓଡ଼ିଶାରେ ନୁହେଁ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଗୁଜୁରାଟ, ତାମିଲନାଡ଼ୁ ଅଞ୍ଚଳରେ ମଧ୍ୟ ଏହାର ଚାହିଦା ଅଧିକ। କିଛି ଅଞ୍ଚଳରେ ଏଥିରୁ ରସ ବାହାର କରାଯାଇ ମଦ (ମହୁଲି) ପ୍ରସ୍ତୁତ ହେଉଥିବା ବେଳେ ଅନ୍ୟତ୍ର ଟନିକ୍, ଜାମ୍, ଜୁସ୍ ଆଦିେର ବ୍ୟବହାର କରାଯାଏ। କ୍ରିଷ୍ଣା ଗୋପାଳ ଦୁବେଙ୍କ ଲିଖିତ ‘ଦ ଇଣ୍ଡିଆନ୍ କୁଜିନ୍’ ପୁସ୍ତକରେ ଝାଡ଼ଖଣ୍ଡ ଛୋଟନାଗପୁରରେ ଜନଜାତିଙ୍କର ଅସୁର ଖିଚିଡ଼ି ନାମକ ଏକ ସ୍ବତନ୍ତ୍ର ଖାଦ୍ୟ ପ୍ରସ୍ତୁତ ହେଉଥିବା ଉଲ୍ଲେଖ ରହିଛି। ଅଟାରେ ମହୁଲ ଫୁଲର ଗୁଣ୍ଡକୁ ମିଶାଇ କେକ୍ ଓ ରୁଟି ମଧ୍ୟ ପ୍ରସ୍ତୁତ ହୁଏ। ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଳାରେ ଜାନୁଆରି ଓ ଫେବ୍ରୁଆରିରେ ମହୁଲ ଫୁଲ ଫୁଟିଥାଏ। ଏହାର ଫୁଲ ଓ ଫଳରୁ ବିଭିନ୍ନ ସ୍ବାଦିଷ୍ଠ ଖାଦ୍ୟ ପ୍ରସ୍ତୁତ ହୋଇଥାଏ। ସେଥିମଧ୍ୟରୁ ମହୁଲ ଭଜାର ଆଦର ସର୍ବାଧିକ।
ଗଙ୍ଗଶିଉଳି: ଏହି ଫୁଲ ରାତିରେ ଫୁଟେ ଓ ସକାଳ ହେଲେ ଖସିପଡ଼େ। ଗଙ୍ଗଶିଉଳି ପତ୍ରରେ ଆଣ୍ଟି-ଅକ୍ସିଡାଣ୍ଟ୍, ଆଣ୍ଟି-ବ୍ୟାକ୍ଟେରିଆଲ୍ ଓ ଆଣ୍ଟି-ଇନ୍ଫ୍ଲେମେଟୋରି ଗୁଣ ରହିଥାଏ, ଯାହା ଶରୀର ପାଇଁ ଅତ୍ୟନ୍ତ ଉପଯୋଗୀ। ଗଙ୍ଗଶିଉଳିର ସତେଜ ଫୁଲକୁ ମହୁ ସହ ମିଶାଇ ଖାଇବା ଦ୍ବାରା ଆମ ରକ୍ତରେ ଥିବା ଖରାପ କୋଲେଷ୍ଟ୍ରୋଲ୍ ନିୟନ୍ତ୍ରଣରେ ରହିଥାଏ। ଫଳରେ ହୃଦ୍ଘାତ ଜନିତ ସମସ୍ୟା ଦେଖା ଦିଏନାହିଁ। ଆସାମରେ ଗଙ୍ଗଶିଉଳିକୁ ‘ଜେୱାଲି’ କୁହାଯାଏ। ଏଠାରେ ‘ଖାର୍’ ନାମକ ଏକ ପାରମ୍ପରିକ ଖାଦ୍ୟର ସ୍ବାଦକୁ ଦ୍ବିଗୁଣିତ କରିବା ପାଇଁ ସେମାନେ ଗଙ୍ଗଶିଉଳି ଫୁଲକୁ ଉପଯୋଗ କରିଥାଆନ୍ତି। ସେହିପରି ସେମାନେ ମାଛ ତରକାରି ପ୍ରସ୍ତୁତିରେ ଗଙ୍ଗଶିଉଳିକୁ ବ୍ୟବହାର କରୁଥିବା ବେଳେ ଭାତ ଉପରେ ପକାଇ ପରଷିଥାଆନ୍ତି।
ଜୁଆଣି ଫୁଲ: ଜୁଆଣି ଫୁଲ ସେବନ ସ୍ୱାସ୍ଥ୍ୟ ପାଇଁ ଉପକାରୀ। ଏହାର ବ୍ୟବହାର ଜଡ଼ିବୁଟି ଭାବେ କରାଯାଇଥାଏ। ଏଥିରେ ଭିଟାମିନ୍-ଏ, ଭିଟାମିନ୍-ସି, ପ୍ରୋଟିନ୍, ଆଇରନ୍, କାର୍ବୋହାଇଡ୍ରେଟ୍, କ୍ୟାଲ୍ସିୟମ୍, ମ୍ୟାଗ୍ନେସିୟମ୍, ପଟାସିୟମ୍, ସୋଡିୟମ୍ ଓ ଆଣ୍ଟିଅକ୍ସିଡାଣ୍ଟ୍ ଗୁଣ ମିଳିଥାଏ, ଯାହାକି ଶରୀରର ବହୁ ସମସ୍ୟା ଠିକ୍ କରିଥାଏ। ଏଥିସହ ଏହା ହାଡ଼କୁ ମଧ୍ୟ ମଜଭୁତ କରିଥାଏ।
ହୃତ୍ପିଣ୍ଡକୁ ସୁସ୍ଥ ରଖିବା ପାଇଁ ଜୁଆଣି ଫୁଲ ସେବନ ସ୍ୱାସ୍ଥ୍ୟକର। ଏଥିରେ ଥିବା ପଟାସିୟମ୍ ଓ ଆଣ୍ଟି-ଅକ୍ସିଡାଣ୍ଟ୍ ହୃତ୍ପିଣ୍ଡ ସହ ଜଡ଼ିତ ସମସ୍ୟା ଭଲ କରିଥାଏ। ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ଜୁଆଣି ଫୁଲ ବହୁତ ଲାଭକାରୀ। ଆଖିକୁ ସୁସ୍ଥ ରଖିବା ପାଇଁ ଜୁଆଣି ଫୁଲ ସେବନ ବି ଲାଭକାରୀ ହୋଇଥାଏ। ବଦହଜମୀ ଦୂର କରିବା ପାଇଁ ରାତିରୁ ଗୋଟେ ଗ୍ଲାସ୍ ପାଣିରେ ଏହି ଫୁଲକୁ ବତୁରାଇ ରଖି ସେ ପାଣି ପିଇବା ଦ୍ବାରା ବଦହଜମୀ ଓ ଗ୍ୟାସ୍ ଭଳି ସମସ୍ୟା ଦୂର ହୋଇଥାଏ।
ପାନୀୟରେ ଫୁଲ
ଗେଣ୍ଡୁ ଫୁଲ: ଗେଣ୍ଡୁରେ ରହିଛି ଭିଟାମିନ୍-ସି। ଶରୀରର କୌଣସି ସ୍ଥାନରେ କ୍ଷତ ହୋଇଥିଲେ ଏହାକୁ ବ୍ୟବହାର କରାଯାଇପାରିବ। ଏଥିରେ ଚା ମଧ୍ୟ ପ୍ରସ୍ତୁତ କରାଯାଏ। ଅଲ୍ସର୍, ଥଣ୍ଡା, ଜ୍ୱର ଓ କାଶ ସମୟରେ ଏହି ଚା’କୁ ପିଇବା ଶରୀରର ପାଇଁ ଖୁବ ଉପକାରୀ। ଏଥିରେ ଥିବା ଟ୍ରାଇଟର୍ପିନ୍ସ, ଫ୍ଲାଭୋନୋଏଡ୍, ପଲିଫେନୋଲ୍ସ ଆଣ୍ଟିଅକ୍ସିଡାଣ୍ଟ୍ ପରି କାମ କରେ। ଏଥିରୁ ପ୍ରସ୍ତୁତ ଚା’ରେ କୁଳି ଓ ଗାର୍ଗଲି° କଲେ ତଣ୍ଟିଦରଜ ତଥା ପାଟି ଘା’ ଉପଶମ ହୁଏ। ଗେଣ୍ଡୁ ଫୁଲରୁ ମିଳୁଥିବା ଲାଇକୋପେନ୍ ନାମକ ପଦାର୍ଥ ପ୍ରୋଷ୍ଟେଟ୍ କ୍ୟାନ୍ସର୍ର ଆଶଙ୍କା କମାଇଥାଏ।
ନୀଳ ଅପରାଜିତା: ଆଜିକାଲି ରୋଷେୟାମାନେ ବିଭିନ୍ନ ପ୍ରକାର ଫୁଲରୁ ରଙ୍ଗ ବାହାର କରି ଖାଦ୍ୟକୁ ରଙ୍ଗିନ କରିଥାଆନ୍ତି। ସେଥିମଧ୍ୟରୁ ଅାଖିକୁ ଆକର୍ଷିତ କରିବା ପାଇଁ ନୀଳରଙ୍ଗର ଖାଦ୍ୟ ପରଷା ଯାଇଥାଏ। ଆଜିକାଲି ସେଫ୍ମାନେ ନୀଳ ଅପରାଜିତାକୁ ଗରମ ପାଣିେର ଫୁଟାଇ ନୀଳରଙ୍ଗ ପ୍ରସ୍ତୁତ କରନ୍ତି ଓ ଏହାକୁ ବିଭିନ୍ନ ଖାଦ୍ୟରେ ମିଶାଇ ନୀଳରଙ୍ଗର ଖାଦ୍ୟ ତିଆରି କରନ୍ତି। ଯେପରି ନୀଳ ମଣ୍ଡା, ନୀଳ ମୋମୋ, ନୀଳ ଖିରି ଇତ୍ୟାଦି। ଏହା ସହିତ ନୀଳ ରଙ୍ଗର ଚା ମଧ୍ୟ ପ୍ରସ୍ତୁତ କରାଯାଏ। ଅପରାଜିତାରେ ଥିବା ଆଣ୍ଟିଅକ୍ସିଡାଣ୍ଟ୍ ଆନ୍ଥୋସିୟାନାଇନ୍ ଏହାର ସୁନ୍ଦର ନୀଳ ରଙ୍ଗ ପାଇଁ ଦାୟୀ। ଲାବୋରେଟୋରି ପରୀକ୍ଷଣରୁ ଦେଖାଯାଇଛି ଯେ ଏଥିରେ ଥିବା ଟର୍ନାଟିନ୍ ନାମକ ଆଣ୍ଟିଅକ୍ସିଡାଣ୍ଟ୍ କୋଷଗୁଡ଼ିକର ଫୁଲା ବା ଇନ୍ଫ୍ଲାମେସନ୍କୁ କମାଏ, କେତେକ କ୍ୟାନ୍ସର୍ କୋଷର ବୃଦ୍ଧିକୁ ରୋକେ ଏବଂ ଫ୍ୟାଟ୍ ସେଲ୍ ସିନ୍ଥେସିସ୍ ତିଆରିକୁ ରୋକି ମେଦବହୁଳତାକୁ ନିୟନ୍ତ୍ରଣ କରେ। ଏଥିରେ କକ୍ଟେଲ୍ ମଧ୍ୟ ପ୍ରସ୍ତୁତ କରାଯାଏ।
ମଲ୍ଲୀ ଫୁଲ: ମଲ୍ଲୀ ଫୁଲକୁ ରାତିର ରାଣୀ କୁହାଯାଏ। ଏହା ଯେପରି ମହକ ଦିଏ ସେପରି ଦେଖିବାକୁ ମଧ୍ୟ ସୁନ୍ଦର। ଏହାର ପାଖୁଡ଼ାରୁ ଆମେ ଚା ତିଆରି କରିପାରିବା, ଯାହାକୁ ଜସ୍ମିନ୍ ଟି’ କୁହାଯାଏ। ମଲ୍ଲୀ ଫୁଲ ଚା’ରେ ପଲିଫେନୋଲ୍ ନାମକ ଆଣ୍ଟି-ଅକ୍ସିଡାଣ୍ଟ ଥାଏ, ଯାହା ଶରୀରକୁ ଫ୍ରି-ରାଡିକଲ୍ରୁ ରକ୍ଷା କରି ହୃଦ୍ରୋଗ ଓ କ୍ୟାନ୍ସର୍ରୁ ସୁରକ୍ଷା ଦିଏ। ମଲ୍ଲୀ ଫୁଲ ଚା ମନକୁ ଶାନ୍ତକରେ, ଚିନ୍ତା ଦୂରକରେ ଏବଂ ସୁଖନିଦ୍ରା ପ୍ରଦାନ କରେ। ସେହିପରି, ଜସ୍ମିନ୍ ଗ୍ରିନ୍ ଟି’ରେ କ୍ୟାଫେନ୍ ଥିବା କାରଣରୁ ଏହା ମସ୍ତିଷ୍କକୁ ସଜାଗ ରଖେ ଏବଂ ଡୋପାମାଇନ୍ ତଥା ସେରୋଟୋନିନ୍ ପରି ହର୍ମୋନ୍ କ୍ଷରଣ କରି ମିଜାଜକୁ ତାଜା କରେ।
ମନ୍ଦାର ଫୁଲ: ମନ୍ଦାର ଫୁଲ ଅତି ଉପକାରୀ। କେଶର ବିଭିନ୍ନ ସମସ୍ୟା, ଯେମିତିକି କେଶ ଝଡ଼ିବା, କେଶ ପତଳା ହେବା ଆଦି ସମସ୍ୟା ଦୂର କରିଥାଏ ମନ୍ଦାର ଫୁଲ। ନଡ଼ିଆ ତେଲରେ ଏହାକୁ ପକାଇ ଫୁଟାଇ କେଶରେ ଲଗାଇଲେ ସୁଫଳ ମିଳିଥାଏ। ଏହି ଫୁଲରେ ଚା’ ଉଚ୍ଚ ରକ୍ତଚାପ, କୋଲେଷ୍ଟେରଲ୍, ଅଜୀର୍ଣ୍ଣ, କିଡ୍ନି ରୋଗ ଓ କ୍ୟାନ୍ସର୍ ପ୍ରଭୃତି ରୋଗ ପାଇଁ ଉପକାରୀ। ନିମ୍ନ ରକ୍ତଚାପ ଓ କୋଲେଷ୍ଟେରଲ୍କୁ ନିୟନ୍ତ୍ରଣ କରିବାରେ ଏହା ସାହାଯ୍ୟ କରିଥାଏ।
ଗୋଲାପ ଫୁଲ: ଫୁଲ ଭିତରେ ରାଣୀ କୁହାଯାଉଥିବା ଗୋଲାପର ଅନେକ ଔଷଧୀୟ ଗୁଣ ରହିଛି। ଗୋଲାପ ପାଖୁଡ଼ାରେ ତିଆରି ଗୋଲାପ ଜଳକୁ ବିଭିନ୍ନ ଖାଦ୍ୟ ପଦାର୍ଥରେ ବ୍ୟବହାର କରାଯାଇଥାଏ। ପାରମ୍ପରିକ ଚାଇନିଜ୍ ମେଡିସିନ୍ରେ ଶହ ଶହ ବର୍ଷ ଧରି ରୋଜ୍ ଟି’କୁ ଋତୁସ୍ରାବ ସମୟର ଯନ୍ତ୍ରଣାକୁ କମ୍ କରିବା ପାଇଁ ଏବଂ ମାନସିକ ଶାନ୍ତି ପାଇଁ ଆଣ୍ଟି-ଡିପ୍ରେସାଣ୍ଟ୍ ଡ୍ରିଙ୍କ୍, ଷ୍ଟ୍ରେସ୍ ଫ୍ରି ଡ୍ରିଙ୍କ୍ ଭାବେ ବ୍ୟବହାର କରାଯାଇଛି। ଏହା ପ୍ରାକୃତିକ ଉପାୟରେ କ୍ୟାଫେନ୍ ଫ୍ରି ହୋଇଥିବାରୁ ମନକୁ ଶାନ୍ତ ରଖେ। ଗୋଲାପ ପାଖୁଡ଼ାରେ ପ୍ରଚୁର ପରିମାଣରେ ଭିଟାମିନ୍ ରହିଛି। ଗୋଲାପ ଫୁଲ ହୃଦ୍ରୋଗ, ମଧୁମେହ ଓ କ୍ୟାନ୍ସର୍ ପ୍ରଭୃତି ରୋଗରୁ ରକ୍ଷା କରେ। ଫୁଲ ଚା’ କରିବା ବେଳେ ଏହାକୁ ଗରମ ପାଣିରେ ଫୁଟାଇବା ଅନୁଚିତ। ପାଣିକୁ ଫୁଟାଇ ସାରି ସେଥିରେ ୧୦-୧୫ ମିନିଟ୍ଯାଏଁ ଇଚ୍ଛା ମୁତାବକ ଫୁଲ ପକାଇ ରଖି, ଛାଣି ନେବା ଦରକାର। ଏହି ସମସ୍ତ ଫୁଲର ଚା’କୁ ଉଷୁମ ଥିବା ଅବସ୍ଥାରେ କିମ୍ବା ଆଇସ୍-ଟି ହିସାବରେ ମଧ୍ୟ ପିଆଯାଇ ପାରିବ। ସ୍ୱାଦ ପାଇଁ ଲେମ୍ବୁ ରସ, ମହୁ ଓ ପୋଦିନା ପତ୍ର ବ୍ୟବହାର କରାଯାଇ ପାରେ। ଏଥିରେ କକ୍ଟେଲ୍ ସହିତ ବିଭିନ୍ନ ପ୍ରକାର ଫେବ୍ଲର୍ ଜୁସ୍ ମଧ୍ୟ ତିଆରି ହୋଇଥାଏ।
ଆଦିବାସୀଙ୍କ ଖାଦ୍ୟରେ ଫୁଲ
ଆଦିବାସୀମାନଙ୍କ ଜୀବନ ଜୀବିକା ଓ ଖାଦ୍ୟର ଏକ ପ୍ରମୁଖ ଅଂଶ ଭାବେ ଜଙ୍ଗଲୀ ଫୁଲ ସବୁ ବ୍ୟବହାର ହୁଏ। ଏହା ଯେ କେବଳ ପୁଷ୍ଟିକର ତାହା ନୁହେଁ ବରଂ ଏଥିରେ ଔଷଧୀୟ ଗୁଣ ବି ଭରପୂର ମାତ୍ରାରେ ରହିଛି। ଖାଦ୍ୟ ନିରାପତ୍ତା ଓ ପୁଷ୍ଟିକର ଖାଦ୍ୟକୁ ନେଇ ସାରା ବିଶ୍ୱ ଗବେଷଣା କରୁଥିବା ବେଳେ ଓଡ଼ିଶାର ଆଦିବାସୀମାନଙ୍କ ଖାଦ୍ୟ ତାଲିକାରେ କାହିଁ କେଉଁ କାଳରୁ ବିଭିନ୍ନ ଫୁଲ ରହିଆସିଛି। ଆଦିବାସୀମାନେ ବିଭିନ୍ନ ପ୍ରକାରର ଜଙ୍ଗଲୀ ଫୁଲକୁ ନିୟମିତ ଜଙ୍ଗଲରୁ ସଂଗ୍ରହ କରି ଏହାକୁ ଶୁଖାଇ ନଚେତ୍ ସିଧାସଳଖ ଖାଦ୍ୟ ଭାବେ ଗ୍ରହଣ କରିଥାନ୍ତି ।
ସାଧାରଣତଃ ଜଙ୍ଗଲରେ ଅବହେଳିତ ଅବସ୍ଥାରେ ପଡ଼ି ରହୁଥିବା ଅନେକ ଜଙ୍ଗଲୀ ଫୁଲକୁ କୋରାପୁଟ ଜିଲ୍ଲାର ଆଦିବାସୀମାନେ ଖାଦ୍ୟ ଭାବେ ଗ୍ରହଣ କରିଥାଆନ୍ତି। ବିଶେଷ କରି ପାଞ୍ଚ ପ୍ରକାର ଜଙ୍ଗଲୀ ଫୁଲକୁ ସେମାନେ ନିଜ ଖାଦ୍ୟ ତାଲିକାରେ ସାମିଲ୍ କରିଥାଆନ୍ତି। ସେଗୁଡ଼ିକ ହେଲା ଘିରଲି, ଧଟକି, କାନ, ମୁକ୍ତାଦେଇ ଓ ଅଗସ୍ତି। ଏହିସବୁ ଜଙ୍ଗଲୀ ଫୁଲରେ ଅତ୍ୟଧିକ ମାତ୍ରାରେ ପ୍ରୋଟିନ୍, ଫାଇବର୍, ଆଣ୍ଟି-ଅକ୍ସିଡାଣ୍ଟ୍, ଭିଟାମିନ୍-ସି ରହିଥିବା ବେଳେ ଏହା ସ୍ୱାସ୍ଥ୍ୟ ପାଇଁ ଉପଯୋଗୀ। ପରଜା, ଭୂୟାଁ, ଗଦବା, ଭଟ୍ଟା, ସଉରା ଓ କନ୍ଧ ଜନଜାତିର ଲୋକମାନେ ଏହି ଫୁଲକୁ ନିଜର ଦୈନନ୍ଦିନ ଖାଦ୍ୟାଭ୍ୟାସରେ ସାମିଲ କରିଥାନ୍ତି।
ଘିରଲି ଫୁଲର ପାଖୁଡ଼ାକୁ ଆଦିବାସୀମାନେ ସିଧାସଳଖ ଧୋଇ ଡାଲି ସହ ରୋଷେଇ କରି ଖାଇଥାନ୍ତି। ସେହିପରି ଧାତକି ଫୁଲରେ ମିଠା ଅଂଶ ରହିଥିବା ବେଳେ ଏହାକୁ ତରକାରି କରି ଖାଇଥାନ୍ତି। କାଞ୍ଚନ ଫୁଲକୁ ଖରାରେ ଶୁଖାଇ ଦୀର୍ଘଦିନ ଧରି ସାଇତି ରଖିଥାନ୍ତି ଏବଂ ପରେ ଏହାକୁ ତରକାରି ନଚେତ୍ ଶାଗରେ ପକାଇ ଖାଇଥାନ୍ତି। ବର୍ଷାଦିନରେ ମିଳୁଥିବା ଘିରଲି ଫୁଲକୁ ଆଦିବାସୀମାନେ ଖାଉଥିବା ବେଳେ ଏହା ଥଣ୍ଡାକାଶ ଓ ଶ୍ୱାସଜନିତ ରୋଗ ଉପଶମ କରିଥାଏ। ସେହିପରି ଧାତକି ଫୁଲ ଦାନ୍ତବିନ୍ଧା, ରକ୍ତହୀନତା, ଜଳାପୋଡ଼ା, ବେକଫୁଲା ଆଦି ରୋଗକୁ ଭଲ କରିବାରେ ସାହାଯ୍ୟ କରେ।