ବିଶ୍ବପ୍ରସିଦ୍ଧ ଜାତୀୟ ଉଦ୍ୟାନ ‘ଭିତରକନିକା’ ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାର ଶେଷାଞ୍ଚଳରେ ଅବସ୍ଥିତ। ଏହାର ଚତୁଃପାର୍ଶ୍ବରେ କାହିଁ କେଉଁ କାଳୁ ବେଢ଼ି ରହିଛି ବ୍ରାହ୍ମଣୀ, ବୈତରଣୀ ଓ ଧାମରା ପରି ସୁଦୃଶ୍ୟ ନଦୀ ସମୂହ; ଯାହା ଏହାର ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରିଥାଏ। ଏହାର ପରିଧି ଶହେ ପଇଁଚାଳିଶ ବର୍ଗ କିଲୋମିଟର ଯାଏ ପରିବ୍ୟାପ୍ତ। ଭାରତ ସରକାରଙ୍କ ତରଫରୁ ୧୯୭୫ ମସିହାରେ ଏହି ଅଞ୍ଚଳକୁ ବନ୍ୟଜୀବ ଅଭୟାରଣ୍ୟ ଭାବେ ଘୋଷଣା କରାଯାଇଛି। ଭିତରକନିକା ଭାରତର ଦ୍ୱିତୀୟ ବୃହତ୍ତମ ଲୁଣା ଜଙ୍ଗଲ ଭାବରେ ପ୍ରସିଦ୍ଧି ଅର୍ଜନ କରିଛି। ଜାତି-ଜାତିକା ଦେଶୀ ବିଦେଶୀ ପକ୍ଷୀଙ୍କ ସୁମଧୁର କଳରବ, ସବୁଜ ସୁନ୍ଦର ହେନ୍ତାଳ ବଣ, ନାନା ପ୍ରଜାତିର କୁମ୍ଭୀର ସମେତ ବିରଳ ବଉଳା କୁମ୍ଭୀର, ଅଲିଭ୍ ରିଡ୍ଲେ କଇଁଛ ପ୍ରଭୃତି ଦୃଷ୍ଟି ଆକର୍ଷଣର ପ୍ରମୁଖ କେନ୍ଦ୍ରବିନ୍ଦୁ ପାଲଟିଥାଏ।
Sambad is now on WhatsApp
Join and get latest news updates delivered to you via WhatsApp
ସବୁଜ ସୁନ୍ଦରୀ ରାଣୀ ଭିତରକନିକା
ପଡ଼ିଥାଏ ତା’ ଆଗରେ ସବୁ ଫିକା ଫିକା
କୋଳରେ ଧରିଥାଏ କେତେ ପକ୍ଷୀ ପଶୁ
କୌଣସି ବିପତ୍ତି ତା’ ପାଖକୁ ନ ଆସୁ।
ଭିତରକନିକା ପକ୍ଷୀମାନଙ୍କର ଗନ୍ତାଘର। ଏଠାରେ ବିଭିନ୍ନ ପ୍ରଜାତିର ଆବାସୀ ଓ ପ୍ରବାସୀ ପକ୍ଷୀ ଦୃଷ୍ଟିଗୋଚର ହୋଇଥାନ୍ତି। ସେ ମଧ୍ୟରେ ପାଣିଚିରି, ନବରଙ୍ଗୀ, କାମ ଚଢ଼େଇ, ଆଠ ପ୍ରଜାତିର ମାଛରଙ୍କା, ପାଣି କୁଣ୍ଡୁରି, ଛୋଟ ପାଣିକୁଆ, କାଠହଣା, ଶାଗୁଣା, କୁରୁବର, ଶଙ୍ଖଚିଲ, ଖପରଖାଇ, କୋଚିଲାଖାଇ, ଛୋଟ ପେଚା ଇତ୍ୟାଦି।
ସବୁଜ ସୁନ୍ଦରୀ ଭିତରକନିକା ମାଆ ପରି ବିଭିନ୍ନ ପ୍ରଜାତିର ପକ୍ଷୀଙ୍କୁ ତା’ କୋଳରେ ଆଶ୍ରୟ ଦେଇଛି। ଏହି ପକ୍ଷୀମାନଙ୍କ ଭିତରୁ ଭିତରକନିକାର ରାଣୀ ହେଉଛି, ମ୍ୟାନ୍ଗ୍ରୋଭ୍ପିଟା (Pitta megarhyncha)। ଏହା ମ୍ୟାନ୍ଗ୍ରୋଭ୍ ଅଞ୍ଚଳରେ ଦେଖାଯାଏ। ସେଥିପାଇଁ ଏହାର ନାମକରଣ ହୋଇଛି ମ୍ୟାନ୍ଗ୍ରୋଭ୍ପିଟା। ଏହାର ପର ରଙ୍ଗବେରଙ୍ଗ ହୋଇଥିବାରୁ ଓଡ଼ିଶାରେ ଏହାକୁ ନବରଙ୍ଗୀ ଚଢ଼େଇ ବୋଲି କୁହାଯାଏ। ଏହି ପକ୍ଷୀ ଭାରତର ସୁନ୍ଦରବଣ ବ୍ୟତୀତ ଭିତରକନିକାରେ ମଧ୍ୟ ଦେଖାଯାଏ। ମ୍ୟାନ୍ଗ୍ରୋଭ୍ପିଟା ଭିତରକନିକାର ସ୍ଥାୟୀ ବାସିନ୍ଦା ଅଟେ। ଭାରତ ବ୍ୟତୀତ ବାଂଲାଦେଶ, ଇଣ୍ଡୋନେସିଆ, ମିଆଁମାର, ମାଲେସିଆ, ସିଙ୍ଗାପୁର ଓ ଥାଇଲ୍ୟାଣ୍ଡ୍ରେ ମଧ୍ୟ ଏହି ପକ୍ଷୀ ଦେଖାଯାଇଥାନ୍ତି।
ମ୍ୟାନ୍ଗ୍ରୋଭ୍ପିଟାର ମନୋହର ରୂପକାନ୍ତି ପରିବେଶକୁ କୁହୁକମୟ କରିଥାଏ। ଏହାର ଓଜନ ପ୍ରାୟ ୭୦ରୁ ୧୫୦ ଗ୍ରାମ୍। ଲମ୍ବ ପ୍ରାୟ ୨୦ ସେ.ମି.। ମୁଣ୍ଡ କଳା ରଙ୍ଗର, ମୁକୁଟ ମାଟିଆ, ବେକ ଧଳା, ଉପର ଅଂଶ ସବୁଜ ଓ ତଳ ଅଂଶ ହାଲୁକା ନାଲି। ଗୋଡ଼ ଦୁଇଟି ହାଲୁକା ବାଇଗଣୀ ରଙ୍ଗର, ଯାହା ଅତ୍ୟନ୍ତ ଆକର୍ଷଣୀୟ। ତା’ର ପ୍ରିୟ ଖାଦ୍ୟ ହେଉଛି ନାଲି କଙ୍କଡ଼ା, ଛୋଟ ଛୋଟ ବେଙ୍ଗ ଓ କୀଟପତଙ୍ଗ। ନଦୀର ଆଖପାଖ ଅଞ୍ଚଳରେ ସେ ବସବାସ କରିଥାଏ ତାର ପ୍ରିୟ ଖାଦ୍ୟର ସୁବିଧା ପାଇଁ। ଜୁଆର ଛାଡ଼ିଯିବା ପରେ ସେ ଖାଦ୍ୟ ସଂଗ୍ରହ କରେ। ହେନ୍ତାଳ ବଣ ତା’ ପାଇଁ ଅନୁକୂଳ ପରିବେଶ। ସେଥିପାଇଁ ସେ ଉଷ୍ଣ ଆର୍ଦ୍ର ଅଞ୍ଚଳରେ ଦେଖାଯାଏ। ଅନ୍ୟ କୌଣସି ସ୍ଥାନରେ ଏହା ଦେଖାଯାଇ ନ ଥାଏ। ଅଣ୍ଡା ଦେବା ସମୟ ଆସିଲେ ସେ ଖୁବ୍ ଚଳଚଞ୍ଚଳ ହୋଇଉଠେ। ହେନ୍ତାଳବଣ ଅଞ୍ଚଳରେ ବସା କରି ଅଣ୍ଡା ଦେଇଥାଏ ଓ ପକ୍ଷୀ ଶାବକ ବଡ଼ ହେବା ପର୍ଯ୍ୟନ୍ତ ତା’ର ଖୁବ୍ ଯତ୍ନ ନେଇଥାଏ। ଏକାଥରକେ ୨ରୁ ୪ଟି ଅଣ୍ଡା ଦେଇଥାଏ। ଅଣ୍ଡା ଉପରେ ହାଲୁକା କଳା ଦାଗ ରହିଥାଏ।
ପର୍ଯ୍ୟଟକମାନେ ତା’ର ମଧୁର ଧ୍ବନି ଦ୍ୱାରା ଆହ୍ଲାଦିତ ହୋଇଥାନ୍ତି। ଫଟୋ ଉତ୍ତୋଳନ ପାଇଁ ଦୂର ଦୂରାନ୍ତରୁ ଦର୍ଶକମାନେ ଆସିଥାନ୍ତି। ମ୍ୟାନ୍ଗ୍ରୋଭ୍ପିଟା wieuw-wieuw ପରି ଶବ୍ଦ କରିଥାଏ। ନିପା ପାମ୍ ଜାତୀୟ ଗଛରେ ସେ ବାସ କରିଥାଏ। ଏହାକୁ ପାସେରିନ୍ ବାର୍ଡ ବୋଲି କୁହାଯାଏ। ପିଟାଟି ପରିବାରରେ ଶ୍ରେଣୀଭୁକ୍ତ କରାଯାଇଛି।
ଆଇୟୁସିଏନ୍ ରେଡ୍ ଡାଟା ଅନୁଯାୟୀ ଏହାକୁ Near threatened ପ୍ରଜାତିର ଅନ୍ତର୍ଭୁକ୍ତ କରାଯାଇଛି। କାରଣ ଲୋକମାନଙ୍କର କାର୍ଯ୍ୟକଳାପ ପରିବେଶକୁ ଅଧିକ ପ୍ରଦୂଷଣ କରୁଛି। ଜଙ୍ଗଲ କ୍ଷୟ, ମାଛ ଧରିବା ଓ ପରିବେଶ ପ୍ରଦୂଷଣ ଏମାନଙ୍କ ଉପରେ କୁପ୍ରଭାବ ପକାଉଛି। ଭିତରକନିକାର ରାଣୀ ମ୍ୟାନ୍ଗ୍ରୋଭ୍ପିଟା ଗୋଟିଏ ଦୁର୍ଲଭ ଓ ବିରଳ ପ୍ରଜାତି। ଯାହା ଅନ୍ୟ କୌଣସି ସ୍ଥାନରେ ସମ୍ମୁଖରେ ଦୃଷ୍ଟିଗୋଚର ହୋଇ ନ ଥାନ୍ତି। ଏମାନଙ୍କର ସଂରକ୍ଷଣ ନିହାତି ଆବଶ୍ୟକ। କାରଣ ଏହା ଆମ ଜାତୀୟ ଉଦ୍ୟାନର ଗୌରବ। ସରକାର ସେମାନଙ୍କର ସଂରକ୍ଷଣ ପାଇଁ ବ୍ୟବସ୍ଥା କରିବା ଆବଶ୍ୟକ।
ଶୁଭଦର୍ଶନୀ ପ୍ରଧାନ, ଗବେଷକ, ଜୈବ ବିବିଧତା, ପ୍ରାଣୀ ବିଜ୍ଞାନ ବିଭାଗ, ଫକୀର ମୋହନ ୟୁନିଭର୍ସିଟି, ବାଲେଶ୍ବର
ପ୍ରଫେସର ଭାସ୍କର ବେହେରା, ବିଭାଗୀୟ ମୁଖ୍ୟ, ପ୍ରାଣୀ ବିଜ୍ଞାନ, ଫକୀର ମୋହନ ୟୁନିଭର୍ସିଟି, ବାଲେଶ୍ବର
(Email: [email protected], [email protected])
ଫଟୋ: ଶୁଭଦର୍ଶନୀ ପ୍ରଧାନ, ବିଜୟ କୁମାର ଦାସ
ଯଦି ଆପଣ ପ୍ରକୃତି କିମ୍ବା ପକ୍ଷୀମାନଙ୍କ ବିଷୟରେ ପ୍ରବନ୍ଧ ଲେଖିବାକୁ ଚାହୁଁଛନ୍ତି ତେବେ bit.ly/naturewriters ସହିତ ଯୋଗାଯୋଗ କରନ୍ତୁ।