ଆବହମାନ କାଳରୁ ଆଶା ଓ ‌ସୌନ୍ଦର୍ଯ୍ୟର ପ୍ରତୀକ ଭାବେ ବିବେଚିତ ହୋଇଆସୁଥିବା ଇନ୍ଦ୍ରଧନୁ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଭବିଷ୍ୟତରେ କେଉଁଠି ଅଧିକ ଦେଖାଯିବ ତ ଆଉ କେଉଁଠି କମ୍ ଦେଖିବାକୁ ମିଳିବ ବୋଲି ଏକ ନୂତନ ବୈଜ୍ଞାନିକ ଅଧ୍ୟୟନରୁ ଜଣାପଡ଼ିଛି। ଜଳବାୟୁ ପରିବର୍ତ୍ତନ ହେତୁ ବିଶ୍ବବ୍ୟାପୀ ବୃ‌ଷ୍ଟିପାତ ଧାରା ଓ ମେଘମାଳାରେ ପରିବର୍ତ୍ତନ ଘଟୁଛି। କେତେବେଳେ ଓ କେଉଁଠି ଇନ୍ଦ୍ରଧନୁ ଦେଖାଯିବ ତାହା ମଧ୍ୟ ବଦଳି ଯିବାର ସମ୍ଭାବନା ସୃଷ୍ଟି ହୋଇଛି। ସୂର୍ଯ୍ୟରଶ୍ମି ବାୟୁମଣ୍ଡଳରେ ଥିବା ସୂକ୍ଷ୍ମ ଜଳକଣିକା ଭେଦକଲା ବେଳେ ଆକାଶରେ ଇନ୍ଦ୍ରଧନୁ ପଡ଼େ। ତେଣୁ ଜଳୀୟବାଷ୍ପରେ କୌଣସି ପରିବର୍ତ୍ତନ ଘଟିଲେ ତାହା ଇନ୍ଦ୍ରଧନୁ ସୃଷ୍ଟି ହେବାର ପୌନଃପୁନିକତା ଉପରେ ପ୍ରଭାବ ପକାଇବାର ସମ୍ଭାବନା ରହିଛି।

Advertisment

ଜଳବାୟୁ ପରିବର୍ତ୍ତନ ହେତୁ ବିଶ୍ବବ୍ୟାପୀ ବୃ‌ଷ୍ଟିପାତ ଧାରା ଓ ମେଘମାଳାରେ ପରିବର୍ତ୍ତନ ଘଟୁଛି। ଏହି କାରଣରୁ କେତେବେଳେ ଓ କେଉଁଠି ଇନ୍ଦ୍ରଧନୁ ଦେଖାଯିବ ତାହା ମଧ୍ୟ ବଦଳି ଯିବାର ସମ୍ଭାବନା ସୃଷ୍ଟି ହୋଇଛି।

ଉପରୋକ୍ତ ତତ୍ତ୍ବ ଭଲରୂପେ ବୁଝିବା ପାଇଁ ବୈଜ୍ଞାନିକମାନେ ବିଶ୍ବର ବିଭିନ୍ନ ପ୍ରାନ୍ତରୁ ଲୋକମାନେ ପଠାଇଥିବା ଇନ୍ଦ୍ରଧନୁ ଫଟୋଗୁଡ଼ିକର ଗୋଟାଏ ବୈଶ୍ବିକ ଡାଟାବେସ୍‌ ପ୍ରସ୍ତୁତ କଲେ। ତା’ପରେ ସେମାନେ ଜଳବାୟୁ ଓ ପାଣିପାଗ ଅବସ୍ଥା ଆଧାରରେ ଇନ୍ଦ୍ରଧନୁ ଦେଖାଯିବା ଘଟଣାର ଆଗୁଆ ସୂଚନା ଦେବାଲାଗି ଗୋଟାଏ ମଡେଲ୍‌ ପ୍ରୋଗ୍ରାମ୍‌ ପ୍ରସ୍ତୁତ କଲେ। ଉକ୍ତ ମଡେଲ୍‌ଟିକୁ ସାମ୍ପ୍ରତିକ ଜଳବାୟୁ ତଥ୍ୟାବଳି ଓ ତିନିଟି ସମ୍ଭାବ୍ୟ ଭବିଷ୍ୟତ ଜଳବାୟୁ ପୃଷ୍ଠଭୂମିରେ ପରୀକ୍ଷା କରାଗଲା।
‘ଗ୍ଲୋବାଲ୍‌ ଏନ୍‌ଭାଇରନ୍‌ମେଣ୍ଟ୍‌ ଚେଞ୍ଜ୍‌’ରେ ପ୍ରକାଶିତ ଉକ୍ତ ପରୀକ୍ଷାର ଫଳାଫଳ ଅତୀବ ଚମକପ୍ରଦ। ତାହା ହେଉଛି, ସଂପ୍ରତି ଭୂପୃଷ୍ଠରୁ ସ୍ବାଭାବିକ ଅବସ୍ଥାରେ ବର୍ଷକୁ ହାରାହାରି ୧୧୭ ଦିନ ଇନ୍ଦ୍ରଧନୁ ଦେଖାଯାଇଥାଏ। ସେହି ହିସାବରେ ୨୧୦୦ ମସିହା ବେଳକୁ ଇନ୍ଦ୍ରଧନୁ ଦିଶିବା ଦିନ ସଂଖ୍ୟା ୪ରୁ ୫ ପ୍ରତିଶତ ବୃଦ୍ଧି ପାଇପାରେ। ଅବଶ୍ୟ ତାହା ସବୁଜଗୃହ ବାଷ୍ପ ନିର୍ଗମନ ସ୍ତର ଉପରେ ନିର୍ଭର କରୁଛି। କିନ୍ତୁ, ଏହି ଇନ୍ଦ୍ରଧନୁ ଦୃଶ୍ୟମାନତାରେ ବୃଦ୍ଧି ବିଶ୍ବର ସବୁଆଡ଼େ ସମାନ ଭାବେ ବାଣ୍ଟି ହେବନାହିଁ। ବିଶ୍ବର ପ୍ରାୟ ୨୧ରୁ ୩୪ ପ୍ରତିଶତ ଭୂଭାଗ ଅଞ୍ଚଳରେ ଇନ୍ଦ୍ରଧନୁ ପଡ଼ିବା ଦିନସଂଖ୍ୟା ହ୍ରାସ ପାଇପାରେ ଏବଂ ୬୬ରୁ ୭୯ ପ୍ରତିଶତ ଅଞ୍ଚଳରେ ତାହା ଅଧିକ ଦୃଶ୍ୟମାନ ହୋଇପାରେ।

ଅପେକ୍ଷାକୃତ ସ୍ବଳ୍ପ ଲୋକ ବାସକରୁଥିବା ସୁମେରୁ ଓ ହିମାଳୟ ଅଞ୍ଚଳ ଭଳି ଶୀତଳ ଓ ପାହାଡ଼ିଆ ଅଞ୍ଚଳରେ ଇନ୍ଦ୍ରଧନୁ ଦୃଶ୍ୟମାନତାରେ ସବୁଠୁ ଅଧିକ ବୃଦ୍ଧି ପାଇପାରେ। କିନ୍ତୁ, ଜନାକୀର୍ଣ୍ଣ ଅଞ୍ଚଳରେ ଖୁବ୍‌ କମ୍‌ ଦିନ ଇନ୍ଦ୍ରଧନୁ ଦିଶିବ। ଜଳବାୟୁ ପରିବର୍ତ୍ତନ ଯୋଗୁଁ ମନୁଷ୍ୟ ଅଲକ୍ଷ୍ୟରେ ଏମିତି ଅନେକ କିଛି ପ୍ରାକୃତିକ ଘଟଣା ବଦଳିଯାଉଛି। ଏସବୁର କୌଣସି ବିଶେଷ ପ୍ରଭାବ ନ ଥିଲେ ବି ମନୁଷ୍ୟ ସୁନ୍ଦର ସୁନ୍ଦର ପ୍ରାକୃତିକ ଅଭିଜ୍ଞତା ହରାଉଛି। ଇନ୍ଦ୍ରଧନୁ ଜୈବବ୍ୟବସ୍ଥା କି ଅର୍ଥନୀତି ଉପରେ ପ୍ରତ୍ୟକ୍ଷ ପ୍ରଭାବ ନ ପକାଇଲେ ବି ତାହା ମନରେ ଆନନ୍ଦ, ବିସ୍ମୟ ଓ ପ୍ରକୃତି ସହିତ ଯୋଡ଼ି ହେବା ଭଳି ସକାରାତ୍ମକ ଧାରଣା ସୃଷ୍ଟି କରିଥାଏ।