ଆନିମେସନ କ୍ଷେତ୍ରରେ ଅସାଧାରଣ ପ୍ରତିଭା ଥିବା ଜଣେ ୧୪ ବର୍ଷୀୟ ବାଳକ ଏବେ ବିଶ୍ବବ୍ୟାପୀ ପ୍ରସିଦ୍ଧି ହାସଲ କରିବାର ଖବର ଚର୍ଚ୍ଚାର ବିଷୟ ହୋଇଛି। କାନାଡାର ଟରଣ୍ଟୋରେ ରହୁଥିବା ପ୍ରିଷ୍ଟନ୍‌ ମୁଟାଙ୍ଗା ନାମକ ଏହି ବାଳକ ବହୁ ପ୍ରତୀକ୍ଷିତ ହଲିଉଡ୍‌ ଫିଲ୍ମ ‘ସ୍ପାଇଡର-ମ୍ୟାନ୍‌: ଆକ୍ରସ ଦି ସ୍ପାଇଡର ଭର୍ସ’ର ମୁଖ୍ୟ ଆନିମେଟର ବୋଲି ଜଣାପଡ଼ିବା ପରେ ତାଙ୍କ ପାଖକୁ ଏବେ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ସୂଚନାନୁଯାୟୀ, ଏହି ସିନେମାର ପ୍ରଥମ ଟ୍ରେଲରକୁ ମୁଟାଙ୍ଗା ୨୦୧୪ର ସିନେମା ‘ଦି ଲିଗୋ ମୁଭି’ ଢାଞ୍ଚାରେ ନିଜ ଅନ୍ଦାଜରେ ପ୍ରସ୍ତୁତ କରି ତାହାର ଏକ ଆନିମେଟେଡ୍‌ ସଂସ୍କରଣ ଗତ ଜାନୁଆରି ମାସରେ ସାମାଜିକ ଗଣମାଧ୍ୟମରେ ଛାଡ଼ିଥିଲେ। ତାହାକୁ ଦେଖିଲା ପରେ ‘ସ୍ପାଇଡର-ମ୍ୟାନ୍‌...’ର ପ୍ରଯୋଜକ କ୍ରିସ ଲର୍ଡ ଓ ଫିଲ ମିଲର ଚକିତ ହୋଇଯାଇଥିଲେ ଏବଂ ମୁଟାଙ୍ଗା ହିଁ ସେମାନଙ୍କ ଫିଲ୍ମ ପାଇଁ ଉନ୍ନତ ଆନିମେସନ କରିପାରିବେ ବୋଲି ଦୃଢ଼ନିଶ୍ଚିତ ହୋଇଥିଲେ।

Advertisment

ବାସ୍‌, ଏହା ପରେ ମୁଟାଙ୍ଗାଙ୍କ ଭାଗ୍ୟରେ ପରିବର୍ତ୍ତନ ଆସିଥିଲା। ସେ ଟରଣ୍ଟୋରେ ରହି ହିଁ ସମସ୍ତ ଆନିମେସନ କାର୍ଯ୍ୟ ଅନ୍‌ଲାଇନ୍‌ରେ ସଂପନ୍ନ କରିଥିଲେ। ଏହାପରେ ଯାହା ଘଟିଲା, ତାହା ଇତିହାସ ହୋଇଗଲା। ୧୦୦ ନିୟୁତ ଡଲାର ବ୍ୟୟରେ ନିର୍ମିତ ଉକ୍ତ ଫିଲ୍ମ ଗତ ୨ ତାରିଖରେ ଯୁକ୍ତରାଷ୍ଟ୍ର ଆମେରିକାରେ ମୁକ୍ତିଲାଭ କରିବା ପରେ ୨୭୪ ନିୟୁତ ଡଲାର ରୋଜଗାର କରି ଆଶାତୀତ ବ୍ୟାବସାୟିକ ସଫଳତା ହାସଲ କରିପାରିଛି। ଏଥି ସହିତ ୧୪ ବର୍ଷୀୟ ମୁଟାଙ୍ଗା ଏବେ ବିଶ୍ବର ଅନ୍ୟତମ ଶ୍ରେଷ୍ଠ ଆନିମେଟର ଭାବେ ନୂତନ ପରିଚିତି ଲାଭ କରିଛନ୍ତି।