ଆମେରିକାର ଜାକ୍‌ ସ୍ବୋପ୍‌ ନାମକ ଜଣେ ଚଳଚ୍ଚିତ୍ରପ୍ରେମୀ ଗୋଟିଏ ବର୍ଷରେ ପ୍ରେକ୍ଷାଳୟରେ ବସି ସର୍ବାଧିକ ସିନେମା ଦେଖିବାର ଏକ ନିଆରା ଗିନିସ ବିଶ୍ବ ରେକର୍ଡ ସୃଷ୍ଟି କରିଛନ୍ତି। ସେ ୨୦୨୨ ଜୁଲାଇରୁ ୨୦୨୩ ଜୁଲାଇ ମଧ୍ୟରେ ୭୭୭ଟି ସିନେମା ଦେଖି ଏହି କୃତିତ୍ବ ହାସଲ କରିଛନ୍ତି। ପୂର୍ବରୁ ଏହି ରେକର୍ଡ ଫ୍ରାନ୍‌ସର ଭିସେଣ୍ଟ୍‌ କ୍ରୋହ୍ନଙ୍କ ନାମରେ ରହିଥିଲା ଯିଏ ୨୦୧୮ରେ ୭୧୫ଟି ସିନେମା ଦେଖିଥିଲେ। ପୂର୍ବରୁ ବର୍ଷକୁ ହାରାହାରି ଶହେରୁ ଦେଢ଼ଶହ ସିନେମା ଦେଖୁଥିବା ୩୨ ବର୍ଷୀୟ ଜାକ୍‌ ଏହି ରେକର୍ଡ କରିବା ପାଇଁ ବିଭିନ୍ନ ବିଷୟବସ୍ତୁର ସିନେମା ଚୟନ କରିଥିଲେ। ତାଙ୍କର ଏହି ଅଭିଯାନ ‘ମିନିଅନ୍‌ସ: ରାଇଜ୍‌ ଅଫ୍‌ ଗ୍ରୁ’ ଚଳଚ୍ଚିତ୍ରରୁ ଆରମ୍ଭ ହୋଇ ‘ଇଣ୍ଡିଆନା ଜୋନ୍‌ସ ଆଣ୍ଡ୍‌ ଦି ଡାଏଲ ଅଫ୍‌ ଡେଷ୍ଟିନି’ରେ ଶେଷ ହୋଇଥିଲା।

Advertisment

ଏହି ରେକର୍ଡ ହାସଲ କରିବାର ନିୟମ ଅନୁସାରେ, ତାଙ୍କୁ ପ୍ରତ୍ୟେକ ଫିଲ୍ମର ପ୍ରଥମରୁ ଶେଷ ଯାଏ ଦେଖିବାକୁ ପଡ଼ିଥିଲା ଏବଂ ମଝିରେ ଫୋନ୍‌ ଦେଖିବା ବା ଘୁମେଇବା ପରି କିଛି କରିବା ବାରଣ ଥିଲା। ଏପରିକି ଫିଲ୍ମ ମଝିରେ କିଛି ଖାଇବା କି ପିଇବା ପାଇଁ ମଧ୍ୟ ତାଙ୍କୁ ମନା କରାଯାଇଥିଲା। ପ୍ରତି ଫିଲ୍ମର ପ୍ରଦର୍ଶନ ବେଳେ ସଂପୃକ୍ତ ପ୍ରେକ୍ଷାଳୟ କର୍ମଚାରୀ ଜାକ୍‌ଙ୍କର କାର୍ଯ୍ୟକଳାପକୁ ନିରୀକ୍ଷଣ କରି ରିପୋର୍ଟ ଦେଉଥିଲେ। ପ୍ରତ୍ୟହ ସକାଳ ୬ଟା ୪୫ରୁ ଅପରାହ୍‌ଣ ୨ଟା ୪୫ ଯାଏ ସେ ତାଙ୍କ କାର୍ଯ୍ୟକ୍ଷେତ୍ରରେ ଉପସ୍ଥିତ ରହି ଦିନକୁ ସର୍ବାଧିକ ତିନିଟି ଫିଲ୍ମ ଦେଖିପାରୁଥିଲେ। ଛୁଟି ଦିନରେ ସେ ଅଧିକ ସଂଖ୍ୟକ ସିନେମା ଦେଖୁଥିଲେ।