ସାଧାରଣତଃ ରୋଜଗାର ପାଇଁ ଅକ୍ଷମ ହୋଇଥିଲେ ହିଁ ଜଣେ ଭିକ୍ଷାବୃତ୍ତିକୁ ଆଦରିଥାଏ। ସୁତରାଂ ଭିକାରି ଶବ୍ଦଟି ଦାରିଦ୍ର୍ୟ ବା ଅସହାୟତା ସହ ଜଡ଼ିତ ବୋଲି ଆମର ଧାରଣା। ତେବେ ଖରା ବର୍ଷା ଶୀତରେ ରାସ୍ତାକଡ଼ରେ ଛିଣ୍ଡା ଦଦରା ବସ୍ତ୍ର, ଅଲରା କେଶରେ ଦୟାଳୁ ବ୍ୟକ୍ତିଙ୍କ ଅନୁଗ୍ରହରେ ବଞ୍ଚୁଥିବା ଭିକାରିଟିଏ ଦିନକୁ କେତେ ବା ରୋଜଗାର କରୁଥିବ ଭାବି ଆମେ ତାକୁ ଦାନ କରିଥା’ନ୍ତି। ମାତ୍ର ଜାଣିଲେ ଆଶ୍ଚର୍ଯ୍ୟ ହେବାକୁ ପଡ଼ିବ ଯେ କିଛି ଭିକାରି ଭିକ୍ଷାବୃତ୍ତିକୁ ଏକ ପେସା ଭାବେ ଗ୍ରହଣ କରି ସେଥିରୁ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି। ଏହି କ୍ରମରେ ବିଶ୍ବର ସବୁଠୁ ଧନୀ ଭିକାରିର ମାନ୍ୟତା ରଖିଥିବା ଭରତ ଜୈନ ମୁମ୍ବାଇର ମୁଖ୍ୟ ରେଳଷ୍ଟେସନ ବା ଆଜାଦ ମୈଦାନର ରାସ୍ତା କଡ଼ରେ ଭିକ୍ଷାଥାଳ ଧରି ବସି ରହିବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି।
ଭରତ ଏବେ ସାଢ଼େ ୭ କୋଟି ଟଙ୍କାର ମାଲିକ। ପିଲାବେଳେ ଆର୍ଥିକ ଅନଟନ ଯୋଗୁଁ ପ୍ରାଥମିକ ଶିକ୍ଷାରୁ ବଞ୍ଚିତ ହୋଇଥିବା ଭରତ ଭିକ୍ଷାବୃତ୍ତିକୁ ଆଦରି ନେଇଥିଲେ। ଏବେ ସେ ଅନ୍ୟାନ୍ୟ ଉତ୍ସରୁ ମାସକୁ ୬୦ ହଜାରରୁ ୭୫ ହଜାର ଟଙ୍କା ଯାଏ ଉପାର୍ଜନ କରୁଛନ୍ତି। ଭରତଙ୍କ ପରିବାରରେ ପତ୍ନୀଙ୍କ ସମେତ ଦୁଇଟି ପୁଅ, ତାଙ୍କ ଭାଇ ଓ ବାପା ରହୁଛନ୍ତି। ସେ ମୁମ୍ବାଇ ଭଳି ଖର୍ଚ୍ଚବହୁଳ ସହରର ପରେଲ ଇଲାକରାରେ ଗୋଟିଏ ଦୁଇ ଶୟନକକ୍ଷ ବିଶିଷ୍ଟ ଫ୍ଲାଟ କିଣିଛନ୍ତି। ଏଥି ସହିତ ସେ ଥାନେ ଅଞ୍ଚଳରେ ଦୁଇଟି ଦୋକାନଗୃହର ମାଲିକ ଯେଉଁଥିରୁ ମାସିକ ୩୦ ହଜାର ଟଙ୍କା ଭଡ଼ା ମିଳୁଛି। ତାଙ୍କ ପିଲାମାନେ କନଭେଣ୍ଟ୍ ସ୍କୁଲରୁ ଶିକ୍ଷା ସାରିଛନ୍ତି। ଏତେ ସମ୍ବଳ ହାସଲ କରିବା ପରେ ଆଉ ଭିକ୍ଷାବୃତ୍ତି ନକରିବା ପାଇଁ ପରିବାର ଲୋକେ ତାଙ୍କୁ ଯେତେ ପ୍ରବର୍ତ୍ତାଇଲେ ବି ସେ ତାହା ଛାଡ଼ିବାକୁ ନାରାଜ। କାରଣ ଆଜିର ପ୍ରତିଦ୍ବନ୍ଦ୍ବିତାମୂଳକ ଦୁନିଆରେ ଦିନ ତମାମ ଖଟି ଖଟି ଜଣେ କେଇ ସହ ଟଙ୍କା ପାଇପାରୁନଥିବା ବେଳେ ଭରତ ବିନା କଷ୍ଟରେ ୧୦ରୁ ୧୨ ଘଣ୍ଟା ଭିକ ମାଗି ଦୈନିକ ୨ ହଜାରରୁ ଅଢ଼େଇ ହଜାର ଯାଏ ଆୟ କରନ୍ତି।