ହଙ୍ଗେରିର ଗୀତ ଗୁଣୁଗୁଣଉଥିବା ଏକ ରାସ୍ତାର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଖୁବ୍ ପ୍ରସାରିତ ହେବାରେ ଲାଗିଛି। ଉକ୍ତ ରାସ୍ତା ଦେଇ ଗାଡ଼ି ଚାଳକମାନେ ନିର୍ଦ୍ଧାରିତ ୮୦ କି.ମି. ପ୍ରତି ଘଣ୍ଟା ବେଗ ଭିତରେ ଗଲା ବେଳେ ରାସ୍ତା କଡ଼ରୁ ଆପେ ଆପେ ମୃଦୁ ସଂଗୀତ ଶୁଣିବାକୁ ମିଳୁଛି। ହଙ୍ଗେରିର ଫେସୋଜ୍ସୋଲ୍କା ଠାରୁ ସତୋରାଜୌଝେଲି ଯାଏ ଯାଇଥିବା ରୋଡ୍-୩୭ ନାମକ ରାଜପଥରେ କୌଣସି ଗାଡ଼ି ଠିକ୍ ବେଗରେ ଯାଉଥିଲେ ‘ଏରିକ୍ ଏ ଜୋଲୋ’ ଶୀର୍ଷକ ଏକ ଲୋକଗୀତ ଶୁଣିବାକୁ ମିଳୁଛି।
ହଙ୍ଗେରିର ସୋମୋଗି ପ୍ରଦେଶରେ ଦୁଇ ବର୍ଷ ତଳେ ଏହି ସ୍ବତନ୍ତ୍ର ରାଜପଥ ନିର୍ମିତ ହୋଇଥିଲା। ଏପରି ସଂଗୀତଭିତ୍ତିକ ରାସ୍ତା କେବଳ ହଙ୍ଗେରିରେ ନିର୍ମିତ ହୋଇନାହିଁ। ପୂର୍ବରୁ ୧୯୯୫ରେ ଡେନ୍ମାର୍କରେ ଦୁଇ ଜଣ କଳାକାରଙ୍କ ଦ୍ବାରା ବିଶ୍ବର ପ୍ରଥମ ସଂଗୀତ ପ୍ରଦାନକାରୀ ରାଜପଥ ନିର୍ମାଣ କରାଯାଇଥିଲା, ସେହିପରି ୨୦୦୦ରେ ଫ୍ରାନ୍ସର ଭିଲେପିଣ୍ଟେଠାରେ ମଧ୍ୟ ଅନୁରୂପ ରାସ୍ତା ସଚେତନ ଗାଡ଼ିଚାଳକମାନଙ୍କୁ ମୃଦୁ ସଂଗୀତରେ ଆପ୍ୟାୟିତ କରିବା ଆରମ୍ଭ କରିଥିଲା। ବିଶେଷ କରି ସଡ଼କ ସୁରକ୍ଷାକୁ ପ୍ରୋତ୍ସାହିତ କରିବା ସହ ଲଗାମଛଡ଼ା ଗାଡ଼ିଚାଳକଙ୍କୁ ନିରୁତ୍ସାହିତ କରିବା ଉଦ୍ଦେଶ୍ୟରେ ଏପରି ସ୍ବତନ୍ତ୍ର ରାସ୍ତାର ପରିକଳ୍ପନା କରାଯାଇଛି।