ରାତି ପାହିଲେ ସାବିତ୍ରୀ ବ୍ରତ। ପୌରାଣିକ ମତ ଅନୁସାର ଦେବୀ ସାବିତ୍ରୀ ନିଜ ସତୀତ୍ବର ଶକ୍ତି ଓ ନିଷ୍ଠା ବଳରେ ସ୍ୱାମୀଙ୍କ ଜୀବନ ଯମଙ୍କଠାରୁ ଫେରାଇ ଆଣିବାରେ ସକ୍ଷମ ହୋଇଥିଲେ। ଉତ୍କଳୀୟ ପରମ୍ପରା ଅନୁସାରେ ସ୍ବାମୀଙ୍କ ଦୀର୍ଘାୟୁ କାମନା କରି ସଧବା ନାରୀମାନେ ସାବିତ୍ରୀ ବ୍ରତ ପାଳନ କରି ଆସୁଛନ୍ତି। କିନ୍ତୁ ସ୍ବାମୀମାନେ ନିଜ ସ୍ତ୍ରୀଙ୍କ ପାଇଁ ସାବିତ୍ରୀ ବତ୍ର ଦିନ ଉପବାସ ପାଳିବା କଥା ଶୁଣିଛନ୍ତି କି? ଆସନ୍ତୁ ଏପରି ଦୁଇ ନିଆରା ଦମ୍ପତିଙ୍କୁ ଭେଟିବା, ଯେଉଁମାନେ ସାବିତ୍ରୀ ଦିନ ପରସ୍ପରର ମଙ୍ଗଳ ମନାସୀ ବ୍ରତ ପାଳି ଭିନ୍ନ ଉଦାହରଣ ସୃଷ୍ଟି କରିଛନ୍ତି। 

Advertisment

ପ୍ରଗତି ସାହୁ

ଶୁଭ୍ରାଂଶୁ ଓ ଦେବସ୍ମିତା : ଅନାବିଳ ପ୍ରେମର କବିତା
କଲେଜରୁ ପ୍ରେମ। ପ୍ରେମ ପରେ ବାହାଘର। ଏଇ ସତ୍ୟବାନ୍‌ ଓ ସାବିତ୍ରୀଙ୍କ ନାଁ ହେଉଛି ଶୁଭ୍ରାଂଶୁ ମହାପାତ୍ର ଓ ଦେବସ୍ମିତା ପଣ୍ଡା। ବାଲେଶ୍ବର ଜିଲ୍ଲା ରେମୁଣାର ବାସିନ୍ଦା ଏଇ ଦମ୍ପତିଙ୍କୁ ନେଇ ସୋସିଆଲ୍‌ ମିଡିଆରେ ଢେର୍‌ ଚର୍ଚ୍ଚା। ପ୍ରେମର ମିଠା ଅନୁଭବରୁ ନବାହାରୁଣୁ ଦୁହିଁଙ୍କ ଜୀବନରେ ମାଡ଼ି ଆସିଲା ଅନ୍ଧାର। ହଠାତ୍‌ ଦେବସ୍ମିତା ପକ୍ଷାଘାତର ଶିକାର ହେଲେ। ବେକରୁ ଗୋଡ଼ଯାଏ ଅକାମୀ ହୋଇଗଲା। ଧୂଳିସାତ୍‌ ହୋଇଗଲା ସବୁ ସ୍ବପ୍ନ। କିନ୍ତୁ ଶୁଭ୍ରାଂଶୁ ଭାଙ୍ଗି ନପଡ଼ି ଦେବସ୍ମିତାଙ୍କୁ ହିଁ ବିବାହ କରିବେ ବୋଲି ନିଷ୍ପତ୍ତି ନେଇଥିଲେ। ଏ ନେଇ ଶୁଭ୍ରାଂଶୁ କହନ୍ତି, ‘‘ଏକାଠି ହେବାକୁ ଯେଉଁ ରଙ୍ଗିନ ସ୍ବପ୍ନ ଦେଖିଥିଲୁ ହଠାତ୍‌ ତାହା ଚୂର୍‌ମାର୍‌ ହୋଇଯାଇଥିଲା। କିନ୍ତୁ ପ୍ରତିଶ୍ରୁତି ଅନୁସାରେ ତାକୁ ହ୍ବିଲ୍‌ ଚେୟାର୍‌ରେ ବସାଇ ବିବ‌ାହ କରିଥିଲି। ଡାକ୍ତର କହିଥିଲେ, ଏଇ ରୋଗର କୌଣସି ପ୍ରତିକାର ନାହିଁ। ତଥାପି ତା’ର ଭଲ ପାଇବା ମୋ ପାଇଁ ବଳ ସାଜିଛି। ଡାକ୍ତର ତା’କୁ ଉପବାସ ରହିବାକୁ ମନା କରିଛନ୍ତି। ତେଣୁ ସେ କୌଣସି ଓଷାବ୍ରତ ପାଳେନାହିଁ। କିନ୍ତୁ ସାବିତ୍ରୀ ଦିନ ତାକୁ ମଁୁ ନିଜ ହାତରେ ସଜେଇ ଦିଏ, ବେଣି କରିଦିଏ, ଚୁଡ଼ି ପିନ୍ଧାଏ। ପ୍ରତିବର୍ଷ ସାବିତ୍ରୀ ଆମ ଦୁହିଁଙ୍କ ପାଇଁ ଅଜସ୍ର ଖୁସି ନେଇ ଆସେ। ମୋ ମତରେ, କେବଳ ସ୍ତ୍ରୀଟିଏ କାହିଁକି ସାବିତ୍ରୀ ବ୍ରତ କରିବ? ସ୍ବାମୀ ହୋଇ ଆମର ବି କର୍ତ୍ତବ୍ୟ ଅଛି ନା ନାହିଁ? ଆମେ ବି ସ୍ତ୍ରୀଙ୍କ ମଙ୍ଗଳକାମନା କରିବୁ, ସେମାନଙ୍କ ସହଯାତ୍ରୀ ସାଜି ସୁଖଦୁଃଖରେ ସହଭାଗୀ ହେବୁ। ତେଣୁ ସାବିତ୍ରୀ ଦିନ ଗେହ୍ଲୀ ପାଇଁ ମୁଁ ନିର୍ଜଳା ଉପବାସ କରିଥାଏ। ତା’ ଦେହ କିପରି ଜଲ୍‌ଦି ସୁସ୍ଥ ହେବ ଏବଂ ଆଗଭଳି କିଭଳି ଆମେ ଏକାଠି ଜୀବନରାସ୍ତାରେ ହାତରେ ହାତଛନ୍ଦି ଚାଲିବୁ, ତାହାକୁ ମଁୁ ଅପେକ୍ଷା କରିଛି। ଜୀବନ ଥିବା ପର୍ଯ୍ୟନ୍ତ ଏ ଓଷା କରିବି ଆଉ ତା’କୁ ଏମିତି ଭଲ ପାଉଥିବି।’’

ବିମଳ ଓ ଗୀତା: ସମର୍ପିତ ସଂପର୍କର ଗାଥା
ଆଜି ସେମାନଙ୍କ ବାହାଘରକୁ ପୂରିଲା ୫୦ ବର୍ଷ। କିନ୍ତୁ ଗୀତାରାଣୀଙ୍କୁ ୫ ମିନିଟ୍‌ ପାଖରେ ନ ପାଇଲେ ଅସ୍ତବ୍ୟସ୍ତ ହୋଇପଡ଼ନ୍ତି ବିମଳ କୁମାର ମଙ୍ଗରାଜ। ବୟସର ଅପରାହ୍‌ଣରେ ପହଞ୍ଚିଲେଣି ସତ, କିନ୍ତୁ ପରସ୍ପର ପ୍ରତି ସ୍ନେହ, ଆଦର ଓ ଯତ୍ନ ଟିକିଏ ବି ଊଣା ହୋଇନାହିଁ। ଜୀବନର ପୁରୁଣା ସ୍ମୃତି ବଖାଣି ବିମଳ କହନ୍ତି,‘‘୨୦୦୨ ମସିହାର କଥା। ଆମେ ସେତେବେଳେ ରାଉରକେଲାରେ ରହୁଥାଉ। ହଠାତ୍‌ ମୋର ମାସିଭ୍‌ ହାର୍ଟଷ୍ଟ୍ରୋକ୍‌ ହେଲା। ପାଖରେ କେହି ନଥିଲେ। ଗୀତା ମୋତେ ହସ୍‌ପିଟାଲ୍‌ରେ ଭର୍ତ୍ତି କରେଇଲେ। ତା’ପରେ ମୋତେ ହାଇଦ୍ରାବାଦ୍‌ ଆପୋଲୋକୁ ନିଆଗଲା। ସେହି ସମୟରେ ମୋ ସୁସ୍ଥତା ପାଇଁ ଗୀତାଙ୍କର ବ୍ୟାକୁଳତା ଓ ସେବାଯତ୍ନ ଦେଖି ତାଙ୍କ ପାଖରେ ମୁଣ୍ଡ ନୋଇଁଗଲା। ମଁୁ ସୁସ୍ଥ ନହେବା ପର୍ଯ୍ୟନ୍ତ ସେ ଗୋଟେ ମିନିଟ୍‌ ବି ମତେ ଛାଡ଼ି କୁଆଡ଼େ ଯାଇ ନାହାନ୍ତି। ମୁଁ ଭଲହୋଇ ଫେରିବା ପରଦିନ ହିଁ ଥିଲା ସାବିତ୍ରୀ ବ୍ରତ। ସେ ଏତେ ଦୁର୍ବଳ ହୋଇପଡ଼ିଥିଲେ ଯେ ମଁୁ ବ୍ରତ ପାଳିବାକୁ ମନା କରିଥିଲି। କିନ୍ତୁ ସେ ବହୁ କଷ୍ଟ ସ୍ବୀକାରକରି ସାବିତ୍ରୀ ପାଳିଥିଲେ। ତାଙ୍କର ଏଇ ବ୍ରତ ଯୋଗୁଁ ଯଦି ମଁୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇପାରିଛି ତେବେ ଆଜିଠାରୁ ମଁୁ ବି ତାଙ୍କ ଦୀର୍ଘଜୀବନ କାମନା କରି ଏଇ ବ୍ରତ ପାଳିବି ବୋଲି ନିଷ୍ପତ୍ତି ନେଲି। ପତ୍ନୀମାନେ ଆମପାଇଁ ସୋମବାରରୁ ଆରମ୍ଭ କରି ଏକାଦଶୀ, ଚତୁର୍ଦ୍ଦଶୀ ଆଦି କେତେ କ’ଣ ଓଷାବ୍ରତ କରୁଛନ୍ତି, ଆମର କ’ଣ ସେମାନଙ୍କ ପାଇଁ କିଛି କରିବାର ଅଧିକାର ନାହିଁ? ଆମେ ସେମାନଙ୍କ ପାଇଁ ମୂଲ୍ୟବାନ୍‌ ହେଲେ ସେମାନେ ଆମ ମେରୁଦଣ୍ଡ। ସେଇ ଦିନଠାରୁ ମୋ ସ୍ତ୍ରୀଙ୍କ ସହ ମଁୁ ବି ସାବିତ୍ରୀ ବ୍ରତ କରିଆସୁଛି।’’