ଶ୍ରେଣୀକକ୍ଷ କାନ୍ଥ ସବୁରେ ନୂଆକରି ସିମେଣ୍ଟ୍ ପଲସ୍ତରା କି, ରଙ୍ଗ ଦେବା ପରିବର୍ତ୍ତେ ଗୋମୟ ବା ଗୋବର ପ୍ରଲେପ ଦିଆଯାଇଥିବା ଦେଖି ଦିଲ୍ଲୀ ବିଶ୍ବବିଦ୍ୟାଳୟର ଲକ୍ଷ୍ମୀବାଈ କଲେଜ ଶିକ୍ଷାର୍ଥୀମାନେ ବିସ୍ମିତ ହୋଇଗଲେ। ଜାଣିଲେ, ଏ କାମ କରିଛନ୍ତି କଲେଜର ଅଧ୍ୟକ୍ଷା ଡକ୍ଟର ପ୍ରତ୍ୟୁଷ ବତ୍ସଳା। ଅଧ୍ୟକ୍ଷା ମହାଶୟା ଚେଆର୍ ଉପରେ ଛିଡ଼ାହୋଇ ଜଣେ କର୍ମଚାରୀଙ୍କ ସହାୟତାରେ ଶ୍ରେଣୀ-କକ୍ଷ କାନ୍ଥରେ ଗୋମୟ ଲେପନ କରୁଥିବା ଦୃଶ୍ୟସମ୍ପଳିତ ସେ ଭିଡିଓ ବି ଭାଇରାଲ୍ ହେଲା।
ସହରାଞ୍ଚଳରେ ଏପରି ଦୃଶ୍ୟ ଅତ୍ୟନ୍ତ ଅସ୍ବାଭାବିକ ହେଲେ ବି ଗ୍ରାମାଞ୍ଚଳରେ ବେଶ୍ ସ୍ବାଭାବିକ। ଆଦିକାଳରୁ ମାଟିଘର ସବୁ ଗୋମୟରେ ଲିପାପୋଛା ହୋଇଆସୁଛି। ଘରେ କୌଣସି ଅଙ୍କଅଭିଷେକ, କାମକାର୍ଯ୍ୟ କି, ପୂଜାପର୍ବାଣିରେ ତ ଗୋମୟ ଲେପନ ହୁଏ। ତା’ଛଡ଼ା ଲକ୍ଷ୍ମୀଙ୍କ ବାର କୁହାଯାଉଥିବା ଗୁରୁବାର ଦିନ ଘର ନ ହେଲେ ବି ଦୁଆର ନିଶ୍ଚୟ ଗୋମୟ ଜଳରେ ଲିପାପୋଛା କରାଯାଏ।
ତିନୋଟି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକରେ ଗୋମୟ
ସମ୍ପ୍ରତି ଗୋମୟରେ ଘର ଲିପିବା ପ୍ରଥା ଅନ୍ଧବିଶ୍ବାସ ବୋଲି ଅଧିକାଂଶ ମନେକଲେ ବି ଏଥିରେ କେତେକ ବିଜ୍ଞାନସମ୍ମତ ସଦ୍ଗୁଣ ରହିଛି। କିନ୍ତୁ ସାଧାରଣ ଲୋକେ ତା’ର ମାହାତ୍ମ୍ୟ ବିଷୟରେ ବିଶେଷ ଜାଣନ୍ତି ନାହିଁ। ବାସ୍ତବରେ ମାଟିଘର ପାଇଁ ଗୋମୟ ତିନୋଟି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକରେ। ପ୍ରଥମତଃ, ଏଥିରେ ଅଠାଭାଗ ଥିବାରୁ ମାଟିକାନ୍ଥ ଫଟାଇଦିଏ ନାହିଁ। ଦ୍ବିତୀୟତଃ, ଏହା ତାପ କୁପରିବାହୀ ହୋଇଥିବାରୁ ଗ୍ରୀଷ୍ମକାଳରେ ଘର ଅପେକ୍ଷାକୃତ ଶୀତଳରହେ ଏବଂ ଶୀତଦିନେ ଉଷୁମ ରହେ। ତୃତୀୟତଃ, ଏଥିରେ ବ୍ୟାକ୍ଟେରିଆ ବା ଅଣୁଜୀବ ବିନାଶକାରୀ ଉପାଦାନ ଥିବାରୁ ଘର ଜୀବାଣୁମୁକ୍ତ ରହେ। ଏସବୁ କାରଣରୁ ମଫସଲ ଅଞ୍ଚଳର ଝାଟିମାଟି ଓ ମାଟି ଘରର କାନ୍ଥ, ଚଟାଣ, ପିଣ୍ଡା ଓ ଦ୍ବାର ଆଦି ଗୋମୟରେ ଲିପି ଚିକ୍କଣ କରାଯାଏ। କଂକ୍ରିଟ୍ ଯେମିତି ବାହ୍ୟ ଉତ୍ତାପ ବିଶୋଷଣ କରେ, ଗୋମୟ ତାହା କରେନାହିଁ। ବରଂ ଏହା ପ୍ରାକୃତିକ ଉତ୍ତାପ ନିରୋଧକ ଭାବେ କାର୍ଯ୍ୟକରି ଗ୍ରୀଷ୍ମକାଳରେ ଘର ଭିତର ଶୀତଳ ଓ ଶୀତଦିନେ ଉଷୁମ ରଖେ।
ବେଦିକ୍ ପ୍ଲାଷ୍ଟର୍ ଓ ଗୋକ୍ରିଟ୍ ବ୍ରିକ୍
ସମ୍ପ୍ରତି ଅବସରପ୍ରାପ୍ତ ପ୍ରଫେସର୍ ଡକ୍ଟର ଶିବଦର୍ଶନ ମଲିକ୍ ଘରେ ଗୋମୟ ଉପଯୋଗ କରିବା ଭଳି ଭାରତର ପ୍ରାଚୀନ ପରମ୍ପରାକୁ ଟିକେ ନୂଆ ମୋଡ଼ ଦେଇ ଉଜ୍ଜୀବିତ କରୁଛନ୍ତି। ପୁରାତନ ଭାରତୀୟ ଜ୍ଞାନ ଏବଂ ଆଧୁନିକ ପରିବେଶ ପରିପାଟୀ ଦ୍ବାରା ଉଦ୍ବୁଦ୍ଧ ହୋଇ ସେ ଦୁଇଟି ନୂତନ ସମାଧାନ ପନ୍ଥା ବିକଶିତ କରିଛନ୍ତି। ଗୋଟିଏ ହେଉଛି ବେଦିକ୍ ପ୍ଲାଷ୍ଟର୍ ଓ ଆରଟି ଗୋକ୍ରିଟ୍ ବ୍ରିକ୍। ଦୁଇଟିଯାକ ସାମଗ୍ରୀ ଗୋମୟ ଓ ପ୍ରାକୃତିକ ଉପାଦାନରେ ନିର୍ମିତ। ଗୋମୟ, କାଦୁଅ, ନିମପତ୍ର, ଜିପ୍ସମ୍ ଭଳି ସାମଗ୍ରୀ ମିଶାଇ ସେ ପ୍ରସ୍ତୁତ କରିଛନ୍ତି ବେଦିକ୍ ପ୍ଲାଷ୍ଟର୍। ସିମେଣ୍ଟ୍ ପଲସ୍ତରା ପରି ଏହା ଉତ୍ତାପ ବିଶୋଷଣ କରେନାହିଁ। ଫଳରେ ଘର ଭିତରର ତାପମାତ୍ରା ୭ ଡିଗ୍ରି ସେଲ୍ସସ୍ କମିଯାଏ। ଗୋମୟ ଏବଂ ଆଖପାଖ ଅଞ୍ଚଳରୁ ସଂଗୃହୀତ ସାମଗ୍ରୀ ମିଶାଇ ସେ ପ୍ରସ୍ତୁତ କରିଥିବା ଗୋକ୍ରିଟ୍ ଇଟା ଏମିତି ଭାବେ ତିଆରି କରାଯାଇଛି ଯେ, ଏହା ଘର ଭିତରକୁ ଉତ୍ତାପ ପ୍ରବେଶ ୭୦%ଯାଏ ହ୍ରାସ କରୁଛି। ସେ କହନ୍ତି, ‘‘କଂକ୍ରିଟ୍ ନିର୍ମାଣ ବୃଦ୍ଧି ପାଇବାରୁ ଗୋମୟ ପୁରୁଣାକାଳିଆ ବୋଲି ବିଚାର କରାଗଲା ଏବଂ କ୍ରମେ ତା’ର ବ୍ୟବହାର ହ୍ରାସ ପାଇଲା। ଗାଁ ଲୋକେ ବି ଗୋମୟ ବ୍ୟବହାର ପରିତ୍ୟାଗ କଲେଣି, କିନ୍ତୁ ଖରାଦିନେ ଗୋମୟ ବାସଗୃହ ଶୀତଳ ରଖେ ଓ ଶୀତଦିନେ ଭିତରର ଉଷୁମ ବାହାରକୁ ଛାଡ଼େନାହିଁ।’’
ପରିବେଶ ଅନୁକୂଳ ଘର
ତାମିଲନାଡୁରେ ଦମ୍ପତି ସୁଧାକର ଓ ନୌଶାଦ୍ୟା ମଧ୍ୟ ପ୍ରାକୃତିକ କଞ୍ଚାମାଲ୍ ଓ କାଦୁଅରେ ଗୋଟାଏ ଫାର୍ମ ଭିତରେ ପରିବେଶ ଅନୁକୂଳ ଏବଂ କମ୍ ଅଙ୍ଗାରକ ନିର୍ଗମନକାରୀ ଗୃହଟିଏ ତୋଳିଛନ୍ତି। ସେମାନେ କହନ୍ତି, ଯେଉଁ ଉପାୟରେ ସମ୍ଭବ ଆମେ ଅଙ୍ଗାରକ ନିର୍ଗମନ ହ୍ରାସ କରାଇବାକୁ ଚାହିଁଲୁ। ତେଣୁ, ଏ ସମୁଦାୟ ଘରଟିକୁ ଆମେ କାଦୁଅ, ଗୋମୟ, ଚୂନ, ପୁରୁଣା କବାଟ ଓ ଝରକା ବ୍ୟବହାର କରି ତିଆରି କରିଛୁ। କେବଳ ଛାତରେ ପୋଡ଼ାମାଟି ଟାଇଲ୍ ଯୋଡ଼େଇ ବେଳେ ଯାହାକିଛି ସିମେଣ୍ଟ ଲାଗିଛି। ବିଷାକ୍ତ ରଙ୍ଗ ପରିବର୍ତ୍ତେ କାନ୍ଥ ଚୂନ ଧଉଳା କରାଯାଇଛି। ସେହିପରି ମୁମ୍ବାଇରେ କିରଣ ଅମାତି ବି କାଠ, କାଦୁଅ, ଗୋମୟ ଏବଂ ଛଣ ବ୍ୟବହାର କରି ଗୋଟାଏ ଅଭିନବ ସ୍ବଳ୍ପ ଅଙ୍ଗାରକ ନିର୍ଗମନକ୍ଷମ ବାସଗୃହ ନିର୍ମାଣ କରିଛନ୍ତି। ବୃତ୍ତାକାର ଷ୍ଟୁଡିଓ ଆକାରର ଏ ଘରେ ବର୍ଜ୍ୟ ପରିଚାଳନା ଲାଗି ଶୁଖିଲାପତ୍ର, ଚୂନ ଓ କରତଗୁଣ୍ଡ ମିଶ୍ରଣ ପରିପୂର୍ଣ୍ଣ ଗୋଟାଏ ସେପ୍ଟିକ୍ ଟ୍ୟାଙ୍କ୍ ରହିଛି। ଉଷ୍ଣ ଜଳବାୟୁ ଅଞ୍ଚଳରେ ଏହି ମିଶ୍ରଣ ଘର ଅଭ୍ୟନ୍ତର ଶୀତଳ ରଖୁଥିବା ବେଳେ ଥଣ୍ଡା ଅଞ୍ଚଳରେ ଉଷ୍ମତା ବଜାୟ ରଖେ। ଏହା ପ୍ରାକୃତିକ ଉତ୍ତାପ ନିୟନ୍ତ୍ରକ ହୋଇଥିବାରୁ ଚରମ ଜଳବାୟୁ ଅଞ୍ଚଳରେ ଆରାମ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ।