ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ) ନିକଟରେ ‘ଟ୍ରେଣ୍ଡ୍ସ ଇନ୍ ମାଟର୍ନାଲ୍ ମୋର୍ଟାଲିଟି ୨୦୦୦ ଟୁ ୨୦୨୩’ ନାମକ ରିପୋର୍ଟ ପ୍ରକାଶ କରିଛି। ଏହି ରିପୋର୍ଟ ୨୦୦୦ରୁ ୨୦୨୩ ମସିହା ମଧ୍ୟରେ ମାତୃ ମୃତ୍ୟୁର ତୁଳନାତ୍ମକ ଚିତ୍ର ଉପସ୍ଥାପନ କରିଛି। ଏହି ରିପୋର୍ଟ ଅନୁଯାୟୀ, ୨୦୨୩ରେ ପୃଥିବୀରେ ପ୍ରତି ଦିନ ୭୦୦ ଜଣ ମହିଳା ନିବାରଣଯୋଗ୍ୟ ଗର୍ଭଧାରଣ ଓ ପ୍ରସବକାଳୀନ ଜଟିଳତା ଯୋଗୁଁ ମୃତ୍ୟୁବରଣ କରିଥିଲେ। ସେହି ବର୍ଷ ନାଇଜେରିଆରେ ସର୍ବାଧିକ ୭୫,୦୦୦ ମାତୃ ମୃତ୍ୟୁ ହୋଇଥିଲା। ତା’ ପଛକୁ ଭାରତ ଓ କଙ୍ଗୋରେ ୧୯,୦୦୦ ଲେଖାଏଁ ମାତୃ ମୃତ୍ୟୁ ହୋଇଥିଲା। ଅର୍ଥାତ୍, ୨୦୨୩ରେ ଭାରତରେ ଦିନକୁ ୫୨ ମାତୃ ମୃତ୍ୟୁ ପଞ୍ଜୀକୃତ ହୋଇଥିଲା ଏବଂ ପୃଥିବୀର ସମୁଦାୟ ମାତୃ ମୃତ୍ୟୁରେ ଭାରତର ଭାଗ ହେଉଛି ୭.୨%। ୧୧,୦୦୦ ମାତୃ ମୃତ୍ୟୁ ସହିତ ପାକିସ୍ତାନ ତୃତୀୟ ସ୍ଥାନରେ ରହିଛି। ଚିନ୍ତାଜନକ ବିଷୟ ହେଉଛି, ଏହି ଚାରିଟି ଦେଶର ମାତୃ ମୃତ୍ୟୁ ସଂଖ୍ୟା ପୃଥିବୀର ସମୁଦାୟ ମାତୃ ମୃତ୍ୟୁର ପ୍ରାୟ ଅଧା।
ଡବ୍ଲ୍ୟୁଏଚ୍ଓର ମୁଖ୍ୟ ଡାକ୍ତର ଟେଡ୍ରୋସ୍ ଆଧାନୋମ୍ଙ୍କ ମତରେ ନିବାରଣଯୋଗ୍ୟ ମାତୃ ମୃତ୍ୟୁର ଦାରିଦ୍ର୍ୟ ଓ ବୈଷମ୍ୟ ସହିତ ଗଭୀର ସମ୍ପର୍କ ରହିଛି। ପ୍ରାୟ ସମସ୍ତ ମାତୃ ମୃତ୍ୟୁ ନିମ୍ନ ଓ ମଧ୍ୟ ଆୟକାରୀ ଦେଶରେ ହୋଇଥାଏ। ମାତୃ ମୃତ୍ୟୁ ହ୍ରାସ ଦିଗରେ ଅଗ୍ରଗତି ହୋଇଥିଲେ ହେଁ ଅନେକ ମହିଳାଙ୍କ ପାଇଁ ଆଜି ବି ଗର୍ଭଧାରଣ କରିବା ବିପଜ୍ଜନକ। ଏହି ବିପଦର ସମାଧାନ ରହିଛି, କିନ୍ତୁ ସର୍ବାଧିକ ସହାୟତା ଲୋଡୁଥିବା ମହିଳାଙ୍କ ପାଖରେ ତାହା ପହଞ୍ଚିପାରୁନାହିଁ।
ଜନସଂଖ୍ୟା ଦୃଷ୍ଟିରୁ ଭାରତ ସହ ସମକକ୍ଷ ଚୀନ ସହିତ ଯଦି ତୁଳନା କରିବା ତେବେ ୨୦୨୩ ମସିହାରେ ଭାରତରେ ୧୯,୦୦୦ ମାତୃ ମୃତ୍ୟୁ ହୋଇଥିବା ବେଳେ ଚୀନରେ ଏହି ସଂଖ୍ୟା ମାତ୍ର ୧,୪୦୦। ଭାରତର ମାତୃ ମୃତ୍ୟୁ ଅନୁପାତ ୮୦, କିନ୍ତୁ ଚୀନରେ ତାହା ୧୬।
ଜନସଂଖ୍ୟା ଦୃଷ୍ଟିରୁ ଭାରତ ସହ ସମକକ୍ଷ ଚୀନ ସହିତ ଯଦି ତୁଳନା କରିବା ତେବେ ସମାନ ବର୍ଷରେ ଚୀନରେ ମାତ୍ର ୧,୪୦୦ ମାତୃ ମୃତ୍ୟୁ ହୋଇଥିଲା। ଭାରତରେ ଚୀନ ତୁଳନାରେ ୧୩ ଗୁଣ ଅଧିକ ମାତୃ ମୃତ୍ୟୁ ହେବା ଆମ ସ୍ବାସ୍ଥ୍ୟସେବା ଭିତ୍ତିଭୂମି ନେଇ ଉଦ୍ବେଗଜନକ ପ୍ରଶ୍ନମାନ ଛିଡ଼ା କରୁଛି। ତେବେ ଏହି ରିପୋର୍ଟରୁ ମିଳିଥିବା ଏକ ସକାରାତ୍ମକ ଚିତ୍ର ହେଉଛି ଯେ ୨୦୦୦ ମସିହାରୁ ୨୦୨୩ ମସିହା ମଧ୍ୟରେ ଭାରତରେ ମାତୃ ମୃତ୍ୟୁ ଅନୁପାତ (ଏମ୍ଏମ୍ଆର୍) ୩୬୨ରୁ ଉଲ୍ଲେଖନୀୟ ଭାବେ ହ୍ରାସ ପାଇ ୮୦ରେ ପହଞ୍ଚିଛି। ସମାନ ଅବଧିରେ ଚୀନର ଏମ୍ଏମ୍ଆର୍ ୫୬ରୁ ୧୬କୁ ଖସିଆସିଛି। ୨୦୦୦ରୁ ୨୦୨୩ ମଧ୍ୟରେ ବିଶ୍ବ ସ୍ତରରେ ମାତୃ ମୃତ୍ୟୁ ଅନୁପାତ ୪୦% କମିଛି, କିନ୍ତୁ ୨୦୧୬ ପରଠୁ ଏହି ଅଗ୍ରଗତିର ବେଗ ତୀବ୍ର ଭାବେ ହ୍ରାସ ପାଇଛି।