କେନ୍ଦୁଝରଜିଲ୍ଲା ସଦର ମହକୁମାଠାରୁ ମାତ୍ର ୨୫ କିଲୋମିଟର ଦୂରକୁ ଗଲେ ପଡ଼େ ମଦରଙ୍ଗାଯୋଡ଼ି- ବଣପାହାଡ଼ ଘେରା ଛୋଟ ଗାଁଟିଏ। ଏହି ଅଖ୍ୟାତ ପଲ୍ଲୀ ଏବେ ସାଉଁଟିଛି କୁଖ୍ୟାତି। ଏକଦା ଏଠାରେ ଥିବା ପାଉଡର୍ ଖଣିରେ କାମ କରୁଥିବା ଶ୍ରମିକ ଦୁରାରୋଗ୍ୟ ବ୍ୟାଧି ସିଲିକୋସିସ୍ର କବଳିତ ହୋଇଥିଲେ। ଖଣିର ପାପ ୪୦ଜଣଙ୍କ ଜୀବନ ନେବାପରେ ମଧ୍ୟ ନା ସରକାର ନା ପ୍ରଶାସନ କିମ୍ବା ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କର ଦୃଷ୍ଟି ଏଠାରେ ପଡ଼ିନାହିଁ ।
ଗ୍ରାଉଣ୍ଡ୍ ଜିରୋରୁ ଗାର୍ଗୀ ଶତପଥୀଙ୍କ ରିପୋର୍ଟ
ସେଦିନ ଆମେ ମଦରଙ୍ଗାଯୋଡ଼ିରେ ପହଞ୍ଚିବା ବେଳକୁ ଅପରାହ୍ଣ ୪ଟା। ଅଧିକାଂଶ ଘରେ ମହିଳାମାନେ ହିଁ ଥିଲେ। ଗାଁରେ ପୁରୁଷଙ୍କ ସଂଖ୍ୟା ଅପେକ୍ଷାକୃତ କମ୍ ମନେହେଲା। ପୁଣି ୩୫ ବର୍ଷରୁ ଊର୍ଦ୍ଧ୍ବ ବୟସର କୌଣସି ପୁରୁଷ ଆମ ନଜରରେ ପଡ଼ିଲେ ନାହିଁ। ଗାଁର ମହିଳା ଦଶମୀ, କଇଁଫୁଲ ଓ ବିଳାସଙ୍କ ଚେହେରା ହିଁ ଦର୍ଶାଉଥିଲା ସେମାନଙ୍କ ଜୀବନର ଦୁଃଖ, ଦୁର୍ଦ୍ଦଶା ଓ ଦୁଃସ୍ଥିତିର କହାଣୀ। ୩୮ବର୍ଷରେ ବିଧବା ହୋଇଥିବା ଦଶମୀ ବାରିକଙ୍କ ବୟସ ଏବେ ୪୫। ସିଲିକୋସିସ୍ରେ ସ୍ବାମୀଙ୍କ ମୃତ୍ୟୁ ପରେ ପରିବାର ବୋଝ ଏବେ ଦଶମୀଙ୍କ କାନ୍ଧରେ। ଦଶମୀ କହନ୍ତି, ‘‘ଆମ ଘରେ ଜମି ଅଳ୍ପ। ଚାଷ କରିବା ସମ୍ଭବ ନଥିବାରୁ ୧୯ବର୍ଷରେ ସ୍ବାମୀ ଠିକା ଶ୍ରମିକ ଭାବରେ ପାଉଡର୍ (ପାଇରୋଫେଲାଇଟ୍କୁ ସ୍ଥାନୀୟ ଲୋକେ ପାଉଡର୍ ବୋଲି କହନ୍ତି) ଖଣିରେ କାର୍ଯ୍ୟକଲେ। ଖୁବ୍ କମ୍ ମଜୁରି ମିଳୁଥିଲା। ଟୋପି, ମାସ୍କ ମଧ୍ୟ ସବୁଦିନ ମିଳୁ ନଥିଲା। ତାଙ୍କର ଯେତେବେଳେ ବି କଫ ପଡୁଥିଲା ସେଥିରେ ଚିକ୍ ଚିକ୍ କରୁଥିବା ଜିନିଷ ବାହାରୁଥିଲା। ଦେହ କେବେଠାରୁ ଖରାପ ହେଲା ଜଣାନାହିଁ। କିନ୍ତୁ ୨୦୧୨ ମସିହା ବେଳକୁ କଷ୍ଟ ଅସହ୍ୟ ହେଲା। ନିଃଶ୍ବାସ ନେବା ବେଳକୁ କଷ୍ଟ ହେଉଥିଲା। ପ୍ରଥମେ କଟକ ବଡ଼ ଡାକ୍ତରଖାନାରେ ଦେଖାଇଲୁ। ତା’ପରେ ଭୁବନେଶ୍ବରର ଅନେକ ଘରୋଇ ଡାକ୍ତରଖାନାରେ ଚିକିତ୍ସା କଲୁ। ପ୍ରାୟ ୫ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଗଲା। ଏତେ ପଇସା ନଥିଲା। ତେଣୁ ପ୍ରଥମେ ମୋର ଗହଣା ସବୁ ବିକିଲି। ତା’ପରେ ଏକରେ ଜମି ବିକ୍ରିକରି ଭୂମିହୀନ ହୋଇଗଲୁ। ସ୍ବାମୀ ବଞ୍ଚିଯିବେ ବୋଲି ଆଶାକରି ଏସ୍ଏଚ୍ଜିରୁ ଋଣ ବି କରିଥିଲି। କିନ୍ତୁ, କିଛି ହେଲାନାହିଁ। ୨୦୧୮ ମସିହାରେ ସେ ଆମକୁ ଛାଡ଼ି ଚାଲିଗଲେ। ଜମି, ସୁନା ଫେରି ପାଇବା ଦୂରର କଥା, ଆଜି ପର୍ଯ୍ୟନ୍ତ ଋଣ ବି ପରିଶୋଧ ହୋଇ ପାରିନାହିଁ।
ଜୀବନ ଏତେ ଭାରାକ୍ରାନ୍ତ ହେଲା ଯେ ପୁଅ ଅଧାରୁ ପାଠ ଛାଡ଼ି ମଜୁରି ଖଟୁଛି। ଝିଅର ବି ପାଠପଢ଼ା ବନ୍ଦହେଲା। ସେ ବଞ୍ଚିଥିଲେ ଯାହା କେବେ ହୋଇ ନଥାଆନ୍ତା, ଆଜି ତାହା ହେଲା।’’ ଦଶମୀଙ୍କ ଦୁଃଖ କାହାଣୀ ଶୁଣିବା ପରେ ଆମ ମୁହଁରେ ତାଙ୍କୁ ପ୍ରବୋଧନା ଦେବା ପାଇଁ ଭାଷା ନଥିଲା। ୫୦ ବର୍ଷୀୟା ଦ୍ରୌପଦୀଙ୍କ କାହାଣୀ ବି ସେମିତି ହୃଦୟ ବିଦାରକ। ‘‘ମୋ କଥା ଯଦି କହିବି ତେବେ ତମେ ସହି ପାରିବ ନାହିଁ।’’ ଦ୍ରୌପଦୀଙ୍କର ଏ କଥା ପଦକରେ ତାଙ୍କ ଜୀବନଯନ୍ତ୍ରଣାକୁ ବୁଝି ହେଉଥିଲା। ସ୍ବାମୀ ୧୮ବର୍ଷ ଖଣିରେ କାମକଲେ ଏବଂ ମାତ୍ର ୪୦ ବର୍ଷ ବୟସରେ ସିଲିକୋସିସ୍ରେ ଚାଲିଗଲେ। ଛାଡ଼ି ଦେଇଗଲେ ୫ ଝିଅ ଓ ଗୋଟିଏ ପୁଅ। ଏବେ ସାତପ୍ରାଣୀ କୁଟୁମ୍ବ ବୋଝ ସମ୍ଭାଳି ଦୁର୍ବିଷହ ଜୀବନ ବିତାଉଛନ୍ତି ସେ। ଦ୍ରୌପଦୀଙ୍କ ସ୍ବାମୀଙ୍କ ମୃତ୍ୟୁ ବେଳକୁ ମଦରଙ୍ଗାଯୋଡ଼ିର ମୁଣ୍ଡାସାହିେର ଅନେକଙ୍କ ମୃତ୍ୟୁ ହୋଇଥିଲା। କିନ୍ତୁ, ତାହା ସିଲିକୋସିସ୍ଜନିତ ମୃତ୍ୟୁ ବୋଲି ଜଣା ନଥିଲା। ଗୌଡ଼ସାହିରେ ରୋଗ ଚିହ୍ନଟ ହେବା ପରେ ତାହା ଜଣାପଡ଼ିଲା। ଭିନ୍ନକ୍ଷମ ପୁଅକୁ ଧରି କୋହଗ୍ରସ୍ତ ହୋଇ ପଡ଼ିଥିଲେ ଝରଣା ଖୁଣ୍ଟିଆ। ବିବାହର ୮ବର୍ଷ ପରେ ସ୍ବାମୀଙ୍କର ମୃତ୍ୟୁ ହୋଇଗଲା। ଶ୍ବଶୁର ଡମା ଖୁଣ୍ଟିଆଙ୍କ ଭରସାରେ ପରିବାର ଚାଲୁଥିଲା। ସେ ମଧ୍ୟ କିଛିବର୍ଷ ପରେ ଚାଲିଗଲେ। ପରିବାରର ବୋଝବୋହି ଜୀବନ ଜିଉଛନ୍ତି ଝରଣା। ମଦରଙ୍ଗାଯୋଡ଼ିରେ ପ୍ରାୟ ପ୍ରତି ଘରୁ ଶୁଣିବାକୁ ମିଳେ ଏଭଳି ଦୁଃଖଦ କାହାଣୀ।
ଗାଁର ମହିଳାମାନଙ୍କ କହିବା ଅନୁସାରେ, ପ୍ରକୃତରେ ସିଲିକୋସିସ୍ କେବେଠାରୁ ଆରମ୍ଭ ହେଲା ଜଣାନାହିଁ। କିନ୍ତୁ ୨୦୦୦ ମସିହା ପରଠାରୁ ଅବସ୍ଥା ଜଟିଳ ହୋଇପଡ଼ିଲା। ସିଲିକୋସିସ୍ ରୋଗ ଏଠାରେ ମହାମାରୀ ଭଳି ସ୍ଥିତି କଲା ଯେ ମଦରଙ୍ଗାଯୋଡ଼ି ଗାଁରେ ଦିନକୁ ୨ରୁ ୩ ଜଣଙ୍କ ଶବ ଉଠିଲା। ଫଳରେ ଜନ ଅସନ୍ତୋଷ ଏତେ ତୀବ୍ର ହେଲା ଯେ ମାଲିକ ଖଣି ବନ୍ଦ କରିବାକୁ ବାଧ୍ୟହେଲେ। କିନ୍ତୁ ସେତେବେଳକୁ ଅପୂରଣୀୟ କ୍ଷତି ହୋଇସାରିଥିଲା। ୧୯୮୨ ମସିହାରେ ଝାଡ଼ଖଣ୍ଡର ପାଇରୋଫେଲାଇଟ୍ ଖଣିକୁ ମଦରଙ୍ଗାଯୋଡ଼ି ଗାଁରେ ଖଣି ଖନନ ଲାଗି ଅନୁମତି ମିଳିଥିଲା। ଏଥିରୁ ରୋଜଗାର ପାଇ ସ୍ଥାନୀୟ ଗ୍ରାମବାସୀ ମଧ୍ୟ ଖୁବ୍ ଉତ୍ସାହିତ ଥିଲେ। କିନ୍ତୁ ସମୟକ୍ରମେ ସିଲିକୋସିସ୍ରେ ପୀଡ଼ିତହୋଇ ସେମାନଙ୍କର ମୃତ୍ୟୁ ହେବା ଯୋଗୁଁ ୨୦୦୮ ମସିହାରୁ ଖଣି ବନ୍ଦ ହୋଇଗଲା।
କିନ୍ତୁ, ଆଜି ବି ଦୁଇଜଣ ଶ୍ରମିକ ସିଲିକୋସିସ୍ରେ ପୀଡ଼ିତ ହୋଇ ଶଯ୍ୟାଶାୟୀ ଅଛନ୍ତି। ଅତି ଆଶ୍ଚର୍ଯ୍ୟ କଥା, ଏତେ ଲୋକଙ୍କ ମୃତ୍ୟୁର କାରଣ ସାଜିଥିବା ପାଇରୋଫେଲାଇଟ୍ ଖଣି ବିରୋଧରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି। ଆଜି ବି ସମସ୍ତ ମୃତକ ଖଣି ଶ୍ରମିକଙ୍କ ପରିବାରକୁ ଚିକିତ୍ସା ସହାୟତା ରାଶି ମିଳିନାହିଁ। ଜୀବନର ଏତେ ବଡ଼ ଦୁଃଖ ବୋହି ଚାଲିଥିବା ଶ୍ରମିକମାନଙ୍କ ପତ୍ନୀ ଏବଂ ପରିବାର ଆଖିରୁ ଲୁହ ଶୁଖିନାହିଁ। ୧୪ ବର୍ଷରୁ ଊର୍ଦ୍ଧ୍ବ ଶ୍ରମିକ ଭାବରେ କାର୍ଯ୍ୟ କରୁଥିଲେ ରମାକାନ୍ତ ଖୁଣ୍ଟିଆ। ଧୀରେ ଧୀରେ ସେ ରୋଗଗ୍ରସ୍ତ ହେଲେ। ୨୦୧୯ ମସିହାରୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଜଟିଳ ହେଲା। ଛାତିରେ କଷ୍ଟହେଲା ଓ କାଶି କାଶି ସେ ଅଣନିଃଶ୍ବାସୀ ହୋଇପଡ଼ିଲେ। ପରୀକ୍ଷା ପୂର୍ବରୁ ପରିବାର ଲୋକ ଜାଣିଗଲେ ଯେ ସେ ସିଲିକୋସିସ୍ କବଳିତ ହୋଇଛନ୍ତି। ରମାକାନ୍ତଙ୍କ ବଡ଼ଭାଇ ଝାଡ଼େଶ୍ବରୀ ଖୁଣ୍ଟିଆଙ୍କ ଜୀବନ ବି ସିଲିକୋସିସ୍ରେ ଯାଇଥିଲା। ତେଣୁ ଆଗକୁ ବଡ଼ ବିପଦ ମାଡ଼ିଆସୁଥିବା କଥା ସ୍ପଷ୍ଟ ଜଣାପଡୁଥିଲା। ଏଭଳି ଅବସ୍ଥାକୁ ଅଙ୍ଗେ ନିଭାଇଥିବା ରମାକାନ୍ତଙ୍କ ପତ୍ନୀ ମିନାକ୍ଷୀ ଖୁଣ୍ଟିଆ କହନ୍ତି, ‘‘ସ୍ବାମୀଙ୍କୁ କେନ୍ଦୁଝର ଡାକ୍ତରଖାନାରୁ ଏସ୍ସିବିକୁ ଆଣିବାପରେ ସିଲିକୋସିସ୍ ବୋଲି ଜଣାପଡ଼ିଲା। ଏହାପରେ ଜୀବନ ବଞ୍ଚାଇବା ଆଶା ନେଇ ତାଙ୍କୁ ଭୁବନେଶ୍ବର ଏମ୍ସ୍କୁ ଆଣିଲୁ। କିନ୍ତୁ, ସେତେବେଳକୁ କୋଭିଡ୍ ଆସିଯାଇଥିଲା। ସ୍ଥିତି ଆହୁରି ଭୟଙ୍କର ହୋଇଗଲା। ସ୍ବାମୀ ଯେତେବେଳେ ଅଣନିଃଶ୍ବାସୀ ହୁଅନ୍ତି, ଅକ୍ସିଜେନ୍ ପାଇଁ ବିକଳ ହୋଇପଡ଼ନ୍ତି। କୋଭିଡ୍ ସମୟରେ ଅକ୍ସିଜେନ୍ ଅଭାବ ବେଳେ ଜଣେ ଖଣି କର୍ମଚାରୀଙ୍କ ଗୋଡ଼ ଧରି ପକାଇଥିଲି। ଡାକ୍ତରଖାନାରେ ସ୍ବାମୀଙ୍କ ଛାତି ସଫା କରିବା ବେଳକୁ ଖାଲି ସିଲିକା ଗୁଣ୍ଡ ବାହାରୁଥିଲା। ସ୍ବାମୀଙ୍କୁ ବଞ୍ଚାଇବା ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିଛୁ। ସୁନାଗହଣା, ଜମିବାଡ଼ି ସବୁ ବିକ୍ରି ହୋଇଗଲା। କିନ୍ତୁ ସେ ବଞ୍ଚିଲେ ନାହିଁ। ମୋର ଛୋଟ ଦୁଇପୁଅ ସମେତ ଆମ ସମସ୍ତଙ୍କୁ ଅସହାୟ କରି ସେ ଚାଲିଗଲେ। ସରକାରୀ ନିୟମ ଅନୁଯାୟୀ, ସ୍ବାମୀ କାର୍ଯ୍ୟ କରୁଥିବା ସଂସ୍ଥା ତାଙ୍କ ଚିକିତ୍ସା ଖର୍ଚ୍ଚ ବହନ କରିବା କଥା। ଏଥିପାଇଁ ଗ୍ରାମବାସୀ ମିଳିତ ଭାବରେ ଖଣି କର୍ତ୍ତୃପକ୍ଷଙ୍କ ପାଖରେ ବାରମ୍ବାର ଦାବି କରିଛନ୍ତି। ପ୍ଲାଣ୍ଟ୍ ସହାୟତା ତ ଦେଲାନାହିଁ ବରଂ କହିଲା, ତାଙ୍କ ଅବସ୍ଥା ଆମଠାରୁ ବେଶି ଖରାପ।’’
ପାଇରୋଫେଲାଇଟ୍ ଖଣିରେ ରମାକାନ୍ତଙ୍କ ମଜୁରି ଥିଲା ସପ୍ତାହକୁ ମାତ୍ର ୩୨୨ ଟଙ୍କା। ୧୪ ବର୍ଷର ଶ୍ରମ ଜୀବନରେ କଠିନ ପରିଶ୍ରମକରି ସେ ଯେତେ ଆୟ କରି ନଥିଲେ, ୩ ବର୍ଷର ରୋଗଗ୍ରସ୍ତ ଜୀବନ ତା’ଠାରୁ କାହିଁରେ କେତେ ଅଧିକ ଶୋଷି ନେଇ ପଳାଇଗଲା। ଖଣିରେ କାମ ଛାଡ଼ିବା ୧୭ ବର୍ଷ ପରେ ବି ସିଲିକୋସିସ୍ରେ ଆକ୍ରାନ୍ତ ହେଉଛନ୍ତି ଗ୍ରାମବାସୀ। ମଦରଙ୍ଗାଯୋଡ଼ି ମୁଣ୍ଡାସାହିର ୫୦ ବର୍ଷୀୟ ରସାଇ ମୁଣ୍ଡା କହନ୍ତି, ‘‘ଆମ ଘରକୁ ଲାଗିକି ପାଉଡର୍ ଖଣି। ତେଣୁ ପଡ଼ାର ପ୍ରାୟ ସମସ୍ତେ ସେଠାରେ କାର୍ଯ୍ୟ କରୁଥିଲେ। ସେଥିରେ ଅନେକ ମହିଳା ଶ୍ରମିକ ବି ଥିଲେ। ଖଣି କାର୍ଯ୍ୟରେ ବିପଦ ଓ ରୋଗ ହେବାର ଆଶଙ୍କା ଅଛି ବୋଲି ସେତେବେଳେ କାହାକୁ ଜଣା ନଥିଲା। କିନ୍ତୁ, କାର୍ଯ୍ୟ କରିବାବେଳୁ ହିଁ ନାକ ଜାମ୍, ଛାତି ରୁନ୍ଧିହେବା ଭଳି ଲାଗୁଥିଲା। ରୁମ ବି ଧଳା ହୋଇଯାଉଥିଲା। ଖଣି ପକ୍ଷରୁ କେବେ ବି ମାସ୍କ ଦିଆଯାଉ ନଥିଲା କି, ସ୍ବାସ୍ଥ୍ୟ ପରୀକ୍ଷା ହେଉନଥିଲା। କେବଳ କାହାର ଦେହ ଖରାପ ହେଲେ ଏକ ଘରୋଇ କ୍ଲିନିକ୍କୁ ପଠାଇ ଦେଉଥିଲେ। କିନ୍ତୁ କାର୍ଯ୍ୟରତ କୌଣସି ଶ୍ରମିକ କିମ୍ବା ଗ୍ରାମବାସୀ ଏହାକୁ ଗୁରୁତ୍ବ ଦେଇ ନଥିଲେ। ଏହାର ଫଳାଫଳ ଆଜି ଭୋଗ କରିବାକୁ ପଡୁଛି। ଆଣ୍ଠୁବ୍ୟଥା, ଛାତିବ୍ୟଥାରୁ ଯେଉଁ ସ୍ବାସ୍ଥ୍ୟଗତ କଷ୍ଟ ଆରମ୍ଭ ହୋଇଥିଲା ତାହା ଆଜି ଗୁରୁତର ସ୍ଥିତିରେ ପହଞ୍ଚିସାରିଛି। ପେଟ ଓ ଛାତିରେ ଏମିତି କଷ୍ଟ ଲାଗୁଛି ଯେ ପ୍ରତି ୧୫ଦିନରେ ଥରେ ଡାକ୍ତରଖାନା ଯିବାକୁ ପଡୁଛି। ମୁଁ ଚିକିତ୍ସା ବାବଦରେ ୫ ବର୍ଷରେ ୨ ଲକ୍ଷ ଟଙ୍କା ଖର୍ଚ୍ଚ କରିସାରିଲିଣି। କିନ୍ତୁ, ସମ୍ବଳ ଅଭାବରୁ ଉନ୍ନତ ଚିକିତ୍ସା କରିପାରୁନାହିଁ।’’
ଏହି ଗାଁର ନିରଞ୍ଜନ ମୁଣ୍ଡାଙ୍କ କହିବା ଅନୁସାରେ, ତାଙ୍କ ବାପା ଘସିଆ ଓ ମା’ ମୁକ୍ତା ଉଭୟ ଖଣି ପାଖରେ କେନ୍ଦୁପତ୍ର ସଂଗ୍ରହ କରୁଥିଲେ। ୨୦୦୧ ମସିହାରେ ବାପା ୨ ବର୍ଷ ଧରି ଯକ୍ଷ୍ମାରେ ପୀଡ଼ିତହୋଇ ଚିକିତ୍ସାଧୀନ ଥିଲେ। ୨୦୦୮ରେ ମା’ଙ୍କ ମୃତ୍ୟୁ ହୋଇଗଲା। ତାଙ୍କୁ ପ୍ରାୟ ୧୫ରୁ ୧୬ ବର୍ଷ ହୋଇଥିବା ବେଳେ ପାଳିକରି ଦୁହେଁ ଚାଲିଗଲେ। ଲୋକେ କହିଲେ ଯକ୍ଷ୍ମା ହୋଇଥିଲା, ମଦ୍ୟପାନ ଅଭ୍ୟାସ ଥିଲା, ତେଣୁ ମୃତ୍ୟୁ ହୋଇଗଲା। ସେତେବେଳକୁ ମୁଣ୍ଡାପଡ଼ାରେ ଅନେକ ଲୋକଙ୍କର ମୃତ୍ୟୁ ହୋଇଥିଲା। କିନ୍ତୁ, ସେ ମୃତ୍ୟୁକୁ ନିଶାଜନିତ କହି କେହି ଗୁରୁତ୍ବ ଦେଉ ନଥିଲେ। ପରେ ଯେତେବେଳେ ଗାଁର ଅନ୍ୟ ସାହିମାନଙ୍କରେ ଶ୍ରମିକମାନଙ୍କ ସମାନ ଲକ୍ଷଣରେ ମୃତ୍ୟୁ ହେଲା ସେତେବେଳେ ସ୍ଥିତି କେତେ ଭୟଙ୍କର ସମସ୍ତେ ଅନୁଭବ କଲେ। ପ୍ରକୃତରେ ମୁଣ୍ଡାପଡ଼ାର କେତେ ଜଣ ସିଲିକୋସିସ୍ରେ ଆକ୍ରାନ୍ତ ହୋଇଥିଲେ ଏବଂ ସେମାନଙ୍କ ମୃତ୍ୟୁ ହୋଇଥିଲା ତାହା ଆଜି ପର୍ଯ୍ୟନ୍ତ ଜଣାପଡୁ ନାହିଁ। କୁହାଯାଏ, ସିଲିକୋସିସ୍ର କଷ୍ଟ ଏତେ ଭୟଙ୍କର ଥିଲା ଯେ କିଛି ରୋଗୀ ତାହା ସହ୍ୟ କରି ନପାରି ଆତ୍ମହତ୍ୟା କରିଥିଲେ।
ସିଲିକୋସିସ୍ ଖଣିରୋଗ ହୋଇଥିବାରୁ ଏହାର ଚିକିତ୍ସା ଖର୍ଚ୍ଚ ଶ୍ରମିକ କାର୍ଯ୍ୟ କରୁଥିବା ଖଣି କରିବା ଉଚିତ। ମଦରଙ୍ଗାଯୋଡ଼ି ଗାଁର ୧୪ଜଣ ଶ୍ରମିକଙ୍କ ପତ୍ନୀ ସହାୟତା ପାଇଁ ୧୦ ବର୍ଷ ଧରି ଶ୍ରମ ଅଦାଲତରେ ଲଢ଼େଇ କରିବା ପରେ ଟଙ୍କା ପାଇଲେ। ବାକିମାନଙ୍କୁ ସେତକ ମଧ୍ୟ ମିଳିଲାନାହିଁ। ୨୦୧୭ ମସିହାରେ ଜାତୀୟ ଜନଜାତି କମିସନ୍ ଏହି ଗାଁର ସ୍ଥିତି ଅନୁଧ୍ୟାନ କରିଛି। ଏହାପରେ ବି ସ୍ଥିତିରେ ବିଶେଷ ପରିବର୍ତ୍ତନ ହୋଇନାହିଁ। ଖଣି ବନ୍ଦ ହେବା ପରେ ମଧ୍ୟ ଏହି ଅଞ୍ଚଳରେ ପ୍ରଦୂଷଣ ପ୍ରଭାବ କମିନାହିଁ। ପୂର୍ବରୁ ଅତି ଧଳାପାଣି ଆସୁଥିଲା ଏବେ ଲାଲ୍ପାଣି ଆସୁଛି। କାର୍ଯ୍ୟରତ ସ୍ଥାନରେ ଧୂଳିରୁ ରକ୍ଷାପାଇବା ପାଇଁ କ୍ରମାଗତ ପାଣି ସିଞ୍ଚନ ସହିତ ଅନ୍ୟାନ୍ୟ ସୁରକ୍ଷା ପରାମର୍ଶ ଥାଏ। ସମସ୍ତ ଖଣି ପାଇଁ କେନ୍ଦ୍ର ସରକାରଙ୍କ ନିୟମାବଳି ଓ ମାର୍ଗଦର୍ଶିକା ମଧ୍ୟ ରହିଛି। ଖଣି ଅଞ୍ଚଳରେ କାର୍ଯ୍ୟରତ ସଙ୍ଗଠିତ ଶ୍ରମିକମାନଙ୍କ ପାଇଁ ନିୟମ ପାଳନହୁଏ। କିନ୍ତୁ ଆଉଟ୍ସୋର୍ସିଂ କର୍ମଚାରୀ ଏବଂ ଅଣସଙ୍ଗଠିତ ଶ୍ରମିକମାନଙ୍କ କ୍ଷେତ୍ରରେ କୌଣସି ନିୟମ ନାହିଁ। ତେଣୁ ସେମାନେ ବେଶୀ ବିପଦରେ ଅଛନ୍ତି। ଖଣିଗୁଡ଼ିକ ନିୟମିତ ବ୍ୟବଧାନରେ ନିଜ ନିଜ କର୍ମଚାରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ଉଚିତ। ପ୍ରତିବର୍ଷ ସରକାରଙ୍କ ପକ୍ଷରୁ ସବୁ ଖଣିକୁ ସେଠାରେ କାର୍ଯ୍ୟରତ ଶ୍ରମିକମାନଙ୍କୁ ସିଲିକୋସିସ୍ ରୋଗ ନେଇ ତଥ୍ୟ ମାଗିଥାଆନ୍ତି। କିନ୍ତୁ ଏହା ସମ୍ପୂର୍ଣ୍ଣ ଠିକ୍ ବୋଲି କୁହାଯାଇ ପାରିବନାହିଁ। ଅଧିକାଂଶ ଶ୍ରମିକ ଠିକାରେ ନିଯୁକ୍ତି ହୋଇଥିବାରୁ ଏହାର ପ୍ରକୃତ ଚିତ୍ର ପଦାକୁ ଆସୁନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/26/sfhfshhfsxbb-2025-10-26-02-47-26.jpg)