ଏକ ଆନ୍ତର୍ଜାତିକ ବିଶେଷଜ୍ଞ ଦଳ ଚୀନ୍‌ର ହୁଆଲଡଙ୍ଗଡଙ୍ଗ ଠାରୁ ଏକପ୍ରକାର ବିଚିତ୍ର ମାନବ ଖପୁରି ଆବିଷ୍କାର କରିଛନ୍ତି। ଆଗରୁ ମିଳିଥିବା ମଣିଷର କୌଣସି ସମ୍ପର୍କୀୟ ପ୍ରଜାତିର ଖପୁରି ସହ ତାହାର ସାମଞ୍ଜସ୍ୟ ନାହିଁ। ତାହା ନିଆଣ୍ଡର୍‌ଟାଲ୍‌ ବା ଡେନିସୋଭାନ୍‌ସ ପରି ପ୍ରାଚୀନ ପ୍ରଜାତି ଅଥବା ହୋମୋ ସାପିଏନ୍‌ସ ପରି ଆଧୁନିକ ମାନବ ପ୍ରଜାତିର କୌଣସି ବଂଶାନୁକ୍ରମିକ ନୁହେଁ। ସୁତରାଂ ତାହା ବର୍ତ୍ତମାନ ଯାଏ ଅଜଣା ରହିଥିବା ଏକ ପ୍ରାଚୀନ ପ୍ରଜାତି ବୋଲି ଗବେଷକମାନେ ଅନୁମାନ କରୁଛନ୍ତି।

Advertisment

‘ଏଚ୍‌ଏଲ୍‌ଡି ୬’ ରୂପେ ନାମିତ ଏହି ଅଜଣା ମାନବ ପ୍ରଜାତିର ହନୁ ହାଡ଼, ଖପୁରି ଓ ଗୋଡ଼ର ଅସ୍ଥି ସହ ଅନ୍ୟାନ୍ୟ ମାନବ ପ୍ରଜାତିର ଅସ୍ଥିସମୂହ ସହ ତୁଳନାତ୍ମକ ପରୀକ୍ଷାନିରୀକ୍ଷା ଜାରି ରହିଛି। ଜୀବାଶ୍ମରୁ ମିଳିଥିବା ୧୨-୧୩ ବର୍ଷୀୟର ହନୁ ହାଡ଼ ଓ ଖପୁରି ମଣିଷ ସହ କିଛି ମାତ୍ରାରେ ମେଳ ଖାଉଛି। ମାତ୍ର ତହିଁରେ ଚିବୁକ ହାଡ଼ ନାହିଁ। ତେଣୁ ତାହା ୪ ଲକ୍ଷ ବର୍ଷ ତଳେ ନିଅଣ୍ଡରଟାଲ୍‌ସ ପ୍ରଜାତିରୁ ଅଲଗା ହୋଇଥିବା ଡେନିସୋଭାନ୍‌ସ ପ୍ରଜାତିର ନିକଟତର ବୋଲି ଅନୁମାନ କରାଯାଉଛି। ତାହା ଆଧୁନିକ ମାନବ ପ୍ରଜାତି ଓ ପ୍ରାଚୀନ ପ୍ରଜାତିର ଏକ ମିଶ୍ର ଉପପ୍ରଜାତି ହୋଇପାରେ। ଏହି ବଂଶଧର ପ୍ରଜାତିର ଉତ୍ଥାନ ଦକ୍ଷିଣପଶ୍ଚିମ ଏସିଆରେ ହେବା ପରେ ସେମାନେ ଅନ୍ୟ ମହାଦେଶଗୁଡ଼ିକୁ ବ୍ୟାପିଥାଇପାରନ୍ତି। ଅବଶ୍ୟ ଏହି ନୂତନ ସିଦ୍ଧାନ୍ତକୁ ଗ୍ରହଣ କରିବା ଲାଗି ଅଧିକ ଗବେଷଣାର ଆବଶ୍ୟକତା ରହିଛି ବୋଲି ଚୀନୀ ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି।