ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଦିଗରେ ଅଗ୍ରସର ହେବା ପାଇଁ ସଂଘର୍ଷ କରିବାକୁ ପଡ଼ିବ। ଏହି ଆହ୍ବାନକୁ ସଫଳତାର ସହିତ ମୁକାବିଲା କରିପାରିଲେ ଲକ୍ଷ୍ୟସ୍ଥଳ ହାତପାଆନ୍ତାରେ ରହିପାରିବ ବୋଲି ‘ହାତମୁଠାରେ ଆକାଶ’ ଆଲୋଚନାଚକ୍ରରେ ଅତିଥିମାନେ କହିଛନ୍ତି। ଏହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ଅଭିନେତ୍ରୀ ତଥା କଣ୍ଠଶିଳ୍ପୀ ଡାକ୍ତର ଅନୁରାଧା ପାଣିଗ୍ରାହୀ, ଲେଖିକା ବନସ୍ମିତା ପତି ଓ ଓଡ଼ିଶା ଲେବର୍ ସର୍ଭିସ୍ ଟ୍ରେନିଂ ଅଫିସର ମୋନାଲିସା ସାହୁ।
ଅନୁରାଧା କହିଲେ, ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଉଛି ସମୟର ସଦୁପଯୋଗ। କାମ ପ୍ରତି ମଧ୍ୟ ସମର୍ପଣ ଭାବ ରହିବା ଆବଶ୍ୟକ। ଲୋକପ୍ରିୟତା ପଛରେ ଧାଇଁବା ଅପେକ୍ଷା ନିଜର କର୍ମ ପ୍ରତି ଧ୍ୟାନ କେନ୍ଦ୍ରିତ କଲେ ସଫଳତା ମିଳିପାରିବ। ପୁରୁଷ ପ୍ରାଧାନ୍ୟ ସମାଜର ସ୍ଥିତି କ୍ରମେ ବଦଳିବାରେ ଲାଗିଛି। ବର୍ତ୍ତମାନ ମହିଳାମାନେ ବିଭିନ୍ନ କ୍ଷେତ୍ରରେ ନିଜର ନେତୃତ୍ବ ଦକ୍ଷତାକୁ ପ୍ରତିପାଦନ କରିବାରେ ସଫଳ ହୋଇଛନ୍ତି। ବନସ୍ମିତା କହିଲେ ଯେ ଜୀବନରେ ଆହ୍ବାନ ସବୁବେଳେ ଲାଗି ରହିବ। ମାତ୍ର ଯିଏ ସ୍ଥିର ରୁହେ ସିଏ ସଫଳ ହୁଏ। ନିଜକୁ ସଶକ୍ତ କରିବା ସହିତ ମନ ଭିତରେ କିଛି କରିବାର ଜିଦ୍ ରହିବା ଦରକାର। ଶିକ୍ଷା ଆମ ସମାଜର ଗୁରୁତ୍ବପୂର୍ଣ୍ଣ ଅଙ୍ଗ। ଏଣୁ ଭଲ ବହି ପଢ଼ିବା ସହିତ ଭଲ ଶୁଣିବା ଓ ଭଲ କହିବା ପାଇଁ ନିଜକୁ ପ୍ରସ୍ତୁତ କରିବାକୁ ପଡ଼ିବ। ନିଜେ ପରିବର୍ତ୍ତନ ହେଲେ ହିଁ ସମାଜ ପରିବର୍ତ୍ତନ ହେବ। ଜଣେ ନାରୀ ଠିକ୍ ରହିଲେ ସମାଜର ଚିତ୍ର ବଦଳିବ। ମୋନାଲିସା କହିଲେ, ଯେତେ ଦୁଃଖ ଥିଲେ ମଧ୍ୟ ପାଖରେ ଶକ୍ତି ଥିଲେ ସବୁକିଛି ମୁକାବିଲା କରିବା ସମ୍ଭବ। ଈଶ୍ବର ଓ ବାପାମାଆଙ୍କ ଆଶୀର୍ବାଦ ସର୍ବୋପରି। ବସି ରହିଲେ କିଛି ମିଳିବ ନାହିଁ। ନାରୀମାନଙ୍କୁ ଲକ୍ଷ୍ୟ ନିର୍ଦ୍ଧାରଣ କରିବାକୁ ହେବ। ମାନସିକତାରେ ପରିବର୍ତ୍ତନ ସହିତ ଆତ୍ମବିଶ୍ବାସ ଥିଲେ ନେତୃତ୍ବର ବିକାଶ ଘଟିବ। କନକ ନ୍ୟୁଜ୍ର ସିନିୟର ନ୍ୟୁଜ୍ ପ୍ରଡ୍ୟୁସର୍ ସୁପ୍ରିୟା ରାଉତରାୟ ମଞ୍ଚ ପରିଚାଳନା କରିଥିଲେ।