ବିଲୋପନ ପଥରେ କ୍ଷୁଦ୍ରତମ ହସ୍ତୀ

ବିଶ୍ବର ସବୁଠୁ କ୍ଷୁଦ୍ର ପ୍ରଜାତି ହାତୀର ମାନ୍ୟତା ରଖିଥିବା ‘ବୋର୍ଣ୍ଣୀୟ ହାତୀ’ ଏବେ ବିଲୋପନର ପାଦଦେଶରେ। ଆନ୍ତର୍ଜାତିକ ପ୍ରକୃତି ସଂରକ୍ଷଣ ସଂଘ (ଆଇୟୁସିଏନ୍) ଦ୍ବାରା ବିପନ୍ନ ଘୋଷିତ ଏହି ପଶୁସମ୍ପଦ ଦେଖିବାକୁ ଖୁବ୍ କୌତୁକିଆ। ବିଶ୍ବ ବନ୍ୟପ୍ରାଣୀ ପାଣ୍ଠିରୁ ମିଳିଥିବା ସୂଚନା ମୁତାବକ, ଅନ୍ୟ ପ୍ରଜାତିର ହାତୀଙ୍କ ଭଳି ଏହାର ବିଶାଳକାୟ କାନ ଥିବା ବେଳେ ଏହାର ଲାଙ୍ଗୁଡ଼ ବେଳେ ବେଳେ ଭୂଇଁକୁ ଛୁଇଁଥାଏ। ଅପରପକ୍ଷେ, ଅନ୍ୟ ହାତୀଙ୍କ ଭଳି ଏହାର ଦାନ୍ତ ଦୁଇଟି ବଙ୍କା ନହୋଇ ସିଧା ଭାବେ ବାହାରକୁ ବାହାରିଥାଏ। ଇଂଲାଣ୍ଡର ପ୍ରାକୃତିକ ଇତିହାସ ସଂଗ୍ରହାଳୟ ସମେତ ଅନ୍ୟାନ୍ୟ ସ୍ଥାନରୁ ମିଳିଥିବା ୧୨୦ଟି ଏସୀୟ ହାତୀଙ୍କ କଙ୍କାଳକୁ ବିଶ୍ଳେଷଣ କରି ଏହାକୁ ଏକ ଉପପ୍ରଜାତିର ଶ୍ରେଣୀଭୁକ୍ତ କରାଯାଇଥିଲା।

 

ବିପନ୍ନ ପ୍ରାଣୀ ଶ୍ରେଣୀଭୁକ୍ତ ବୋର୍ଣ୍ଣୀୟ ହାତୀଙ୍କ ସଂଖ୍ୟା ଏବେ ମାତ୍ର କିଛି ହଜାରରେ ସୀମିତ ହୋଇଛି। ପ୍ରାୟ ୬୦% ବାସସ୍ଥାନ ଧ୍ବଂସ ହେବା ସହ ହାତୀଦାନ୍ତ ଶିକାର ଯୋଗୁଁ ଏମାନଙ୍କ ସଂଖ୍ୟା ବୋର୍ଣ୍ଣିଓ ଓ ସାବାରେ ଚିନ୍ତାଜନକ ଭାବେ
ହ୍ରାସ ପାଇଛି।

ଶାରୀରିକ ଗଠନରେ ପାର୍ଥକ୍ୟ ରହିଥିବା ଏହି ସ୍ବତନ୍ତ୍ର ଧରଣର ଏସୀୟ ହାତୀକୁ ୧୯୫୦ ମସିହାରେ ‘ବୋର୍ଣ୍ଣୀୟ ହାତୀ’ ଭାବେ ନାମକରଣ କରାଯାଇଥିଲା। ସେବେଠାରୁ ବନ୍ୟପ୍ରାଣୀ ସଂରକ୍ଷକ ତଥା ପରିବେଶବିତ୍‌ମାନଙ୍କ ମଧ୍ୟରେ ଏହା ଆଲୋଚ୍ୟ ପ୍ରସଙ୍ଗ ହୋଇ ରହି ଆସିଛି। ବିଶେଷ କରି ମାଲେସିଆର ସାବା ଓ ଇଣ୍ଡୋନେସିଆର କାଲିମାନ୍ତନ୍ ପ୍ରଦେଶ ଅନ୍ତର୍ଗତ ବୋର୍ଣ୍ଣିଓ ଦ୍ବୀପରେ ଦେଖାଯାଉଥିବା ପ୍ରାୟ ୮.୨ ଫୁଟରୁ ୯.୮ ଫୁଟ ଉଚ୍ଚତା ବିଶିଷ୍ଟ ଏହି ହାତୀ ସେଠାରେ ସବୁଠୁ ଉଚ୍ଚ ପ୍ରାଣୀ ଭାବେ ବିବେଚିତ। ତେବେ ବିଗତ ୪୦ ବର୍ଷ ଭିତରେ ବୋର୍ଣ୍ଣିଓରେ ବ୍ୟାପକ ପାମ୍ ଚାଷ ପାଇଁ ଜଙ୍ଗଲ କଟା ସାଙ୍ଗକୁ ହାତୀଦାନ୍ତ ଶିକାରୀ ଓ କାଠ ମାଫିଆମାନଙ୍କର ଦୌରାତ୍ମ୍ୟ ଯୋଗୁଁ ଏହି ନିରୀହ ପ୍ରାଣୀ ଘୋର ବାସସ୍ଥାନ ଓ ଖାଦ୍ୟ ସଂକଟର ଶିକାର ହୋଇଛି।

ଫଳରେ ସେମାନଙ୍କ ସଂଖ୍ୟାରେ ବଡ଼ ଧରଣର ହ୍ରାସ ଦେଖାଯାଇଛି। ପ୍ରାୟ ୬୦ ପ୍ରତିଶତ ‘ବୋର୍ଣ୍ଣୀୟ ହାତୀ’ଙ୍କ ବାସସ୍ଥାନ ଧ୍ବଂସ ହେବା ସହ ହାତୀଦାନ୍ତ ଶିକାର କାରଣରୁ ହିଁ ଏହାର ବଂଶବୃଦ୍ଧି ଧୀରେ ଧୀରେ ବ୍ୟାହତ ହୋଇଛି। ମୋଟ ଉପରେ ବୋର୍ଣ୍ଣିଓ ଓ ସାବାରେ ଏବେ ମାତ୍ର ହଜାରେ ସଂଖ୍ୟକ ଏହି କ୍ଷୁଦ୍ରତମ ହାତୀ ରହିଥିବା ବେଳେ ଏହାକୁ ଏବେ ବିପନ୍ନ ବନ୍ୟପ୍ରାଣୀ ଭାବେ ଘୋଷଣା କରାଯାଇଛି। ଏବେ ସେମାନଙ୍କର ସଂରକ୍ଷଣ ପାଇଁ ନାନା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ସମ୍ବନ୍ଧିତ ଖବର