ୟୁନାଇଟେଡ୍‌ କିଙ୍ଗଡମ୍‌ର କାର୍ଡିଫ୍‌ ବିଶ୍ବବିଦ୍ୟାଳୟ ଅଧୀନ ଡିମେନ୍‌ସିଆ ଗବେଷଣା ପ୍ରତିଷ୍ଠାନର ଗବେଷକମାନେ ପାର୍କିନ୍‌ସନ୍‌ସ ରୋଗ ସଂକ୍ରାନ୍ତ ଏକ ନୂତନ ସୂଚନା ପାଇଛନ୍ତି। ଏହି ରୋଗର ଲକ୍ଷଣ ଜଣାପଡ଼ିବାର ପ୍ରାୟ ୭ ବର୍ଷ ଆଗରୁ ସ୍ମାର୍ଟୱାଚ୍ ବ୍ୟବହାରକାରୀଙ୍କୁ ସତର୍କ ସୂଚନା ମିଳିପାରିବ ବୋଲି ଗବେଷକମାନେ ନିଶ୍ଚିତ ହୋଇଛନ୍ତି। ସେମାନେ କୃତ୍ରିମ ବୁଦ୍ଧିମତା ଉପଯୋଗରେ ୧,୦୩,୭୧୨ ଜଣ ସ୍ମାର୍ଟୱାଚ୍ ବ୍ୟବହାରକାରୀଙ୍କ ଠାରୁ ମିଳିଥିବା ତଥ୍ୟକୁ ବିଶ୍ଳେଷଣ କରି ଏହି ନିଷ୍କର୍ଷରେ ପହଞ୍ଚିଛନ୍ତି। ୨୦୧୩ରୁ ୨୦୧୬ ମଧ୍ୟରେ ସଂପୃକ୍ତ ବ୍ୟବହାରକାରୀଙ୍କ ଚଳପ୍ରଚଳକୁ ନିରୀକ୍ଷଣ କରି କେଉଁମାନେ ପାର୍କିନ୍‌ସନ୍‌ସ ରୋଗର ସମ୍ଭାବ୍ୟ ଶିକାର ହେବାକୁ ଯାଉଛନ୍ତି ବୋଲି ଆକଳନ କରିବା ସମ୍ଭବ ହୋଇଛି।

Advertisment

ତେଣୁ ସ୍ମାର୍ଟୱାଚ୍ ଦ୍ବାରା ପ୍ରଦତ୍ତ ଏହି ତଥ୍ୟ ଦ୍ବାରା ପାର୍କିନ୍‌ସନ୍‌ ପୀଡ଼ିତଙ୍କୁ ଆଗୁଆଠାବ କରିବା ସହଜ ହେବ ବୋଲି ସେମାନେ ଆଶାବାଦୀ ଅଛନ୍ତି। ତେବେ ବିଶ୍ବବ୍ୟାପୀ ଅଧିକ ତଥ୍ୟ ସଂଗ୍ରହ କରାଯାଇ ଏହି ଗବେଷଣାକୁ ସୁନିଶ୍ଚିତ କରାଯାଇପାରିବ ବୋଲି ସେମାନେ ପ୍ରସ୍ତାବ ରଖିଛନ୍ତି। ଉଲ୍ଲେଖଯୋଗ୍ୟ, ଜଣେ ପାର୍କିନ୍‌ସନ୍‌ସ ପୀଡ଼ିତଙ୍କ ଠାରେ ଗୋଡ଼ହାତ ଥରିବା ଓ ପାଦର ଗତି ଧିମେଇ ଯିବା ଭଳି ଲକ୍ଷଣ ଦେଖାଯାଇଥାଏ। ଏଥି ସହିତ ମାଂସପେଶୀଗୁଡ଼ିକ ଟାଣ ତଥା ଶିଥିଳ ହୋଇପଡ଼େ। ମସ୍ତିଷ୍କର ସ୍ଥିତିରେ ସଂଘଟିତ ସମ୍ୟକ୍‌ ପରିବର୍ତ୍ତନ ଯୋଗୁଁ ଏପରି ଘଟିଥାଏ। ତେବେ ରୋଗ ସମ୍ପର୍କରେ ଆଗୁଆ ଜାଣି ଚିକିତ୍ସା କରାଗଲେ ମସ୍ତିଷ୍କ ଅଧିକ କ୍ଷତିଗ୍ରସ୍ତ ହେବାରୁ ରୋକାଯାଇପାରିବ। ବିଶେଷ କରି ୟୁନାଇଟେଡ୍‌ କିଙ୍ଗ୍‌ଡମ୍‌ରେ ୩୦ ପ୍ରତିଶତ ନାଗରିକ ସ୍ମାର୍ଟଵାଚ୍‌ ବ୍ୟବହାର କରୁଥିବାରୁ ଏହା ପାର୍କିନ୍‌ସନ୍‌ ରୋଗର ପ୍ରାକ୍‌ ଅବସ୍ଥିତି ସମ୍ପର୍କରେ ଜାଣିବା ଲାଗି ଏକ ସହଜଲବ୍‌ଧ ମାଧ୍ୟମ ହୋଇପାରିବ ବୋଲି ଉକ୍ତ ଗବେଷକମାନେ ଆଶା ରଖିଛନ୍ତି।