ସାପକୁ ସାରା ବିଶ୍ବର ଲୋକ ଭୟ କରନ୍ତି। ଏହାର କାରଣ ସେ ବିଷଧର, ତା’ର ଦଂଶନ ମଣିଷକୁ ମୃତ୍ୟୁମୁଖରେ ପକାଏ। ତେଣୁ, ଦୈବାତ୍‌ ସାପଟିଏ ଦେଖିପକାଇଲେ ମନରେ ଛନକା ପଶିଯାଏ। ବିଶେଷଜ୍ଞମାନେ କହନ୍ତି, ସାପ ମଣିଷଠାରୁ ସୁରକ୍ଷା ଲୋଡୁଛି। ଶିକାରୀ ସରୀସୃପ ଶ୍ରେଣୀର ହୋଇଥିବାରୁ ସେ ବେଙ୍ଗ, ମୂଷା ଓ ଅନ୍ୟାନ୍ୟ କୀଟପତଙ୍ଗ ଖାଇ କୃଷି କ୍ଷେତ୍ରରେ ଅଶେଷ ଉପକାର କରେ। ସେମିତି, ନେଉଳ, ମୟୂର, ଛଞ୍ଚାଣ ଆଦି ଜୀବଙ୍କର ଭୋଜନ ହୋଇ ସାପ ଜୀବଜଗତ୍‌ରେ ଖାଦ୍ୟଶୃଙ୍ଖଳ ଅବ୍ୟାହତ ରଖେ।

Advertisment

ସଦ୍ୟତମ ଗଣନାରୁ ଜଣାପଡ଼ିଛି, ସମଗ୍ର ବିଶ୍ବରେ ୩,୭୮୯ ପ୍ରଜାତି ସାପ ଅଛନ୍ତି। ଏ ପ୍ରଜାତି ୩୦ଟି ଭିନ୍ନ ଭିନ୍ନ ପରିବାରବର୍ଗରେ ବିଭକ୍ତ। ସେ ୩୦ ପରିବାର ବର୍ଗ ପୁଣି ଅସଂଖ୍ୟ ଉପ-ପରିବାରରେ ବିଭକ୍ତ। ସେମଧ୍ୟରୁ ଭାରତରେ ୩୫୦ ସାପ ପ୍ରଜାତି ଅଛନ୍ତି। ଆଉ କେରଳରେ ଅଛନ୍ତି ସବୁଠୁ ଅଧିକ ପ୍ରଜାତିର ସାପ। ଭାରତରେ ଥିବା ସାପ ମଧ୍ୟରୁ ମାତ୍ର ୨୦% ବିଷଧର ଓ ସ୍ବଳ୍ପ ବିଷଧର ପ୍ରଜାତି ବର୍ଗର। ଏଥିରୁ ମାତ୍ର ୪ଟି ସାପର ବିଷ ଅତି ଉତ୍କଟ। ସେମାନେ ଦଂଶନ କଲେ ମୃତ୍ୟୁ ଘଟିବାର ୯୦% ଆଶଙ୍କା ଥାଏ।

ସରୀସୃପ ହୋଇଥିଲେ ବି ୭୦% ସାପ ଅଣ୍ଡା ଦିଅନ୍ତି, ବାକି ୩୦% ଛୁଆ ଜନ୍ମ କରନ୍ତି। ବାହ୍ୟ ପରିବେଶରେ ନଷ୍ଟ ହୋଇଯାଉଥିବାରୁ ଥଣ୍ଡା ଜଳବାୟୁ ଅଞ୍ଚଳରେ ବସବାସ କରୁଥିବା ସାପମାନେ ଅଣ୍ଡା ଦିଅନ୍ତି ନାହିଁ। ସାପ ପ୍ରଜାତି ମଧ୍ୟରୁ ଗୋଖର ସବୁଠୁ ବିପଜ୍ଜନକ ବୋଲି ବିବେଚନା କରାଯାଏ। ବିଶ୍ବର ସବୁଠୁ ଲମ୍ବା ସାପ ବୋଲି ଆନାକୋଣ୍ଡାର ରେକର୍ଡ ଅଛି। ସାପର ନାକପୁଡ଼ା ଅଛି ମାତ୍ର ସେ ଦୁଇକେନିଆ ଜିଭ ଓ ତାଳୁରେ ଥିବା ଜାକବ୍ସ୍‌ ଅର୍ଗାନ୍‌ (ଘ୍ରାଣେନ୍ଦ୍ରିୟ) ସାହାଯ୍ୟରେ ଶୁଙ୍ଘେ। ଚୋବାଇ ପାରୁ ନ ଥିବାରୁ ସାପ ସମୁଦାୟ ଖାଦ୍ୟ ଗିଳି ପକାଏ। ସାପର ଅଧଃହନୁ ନମନୀୟ ହୋଇଥିବାରୁ ସେ ତା’ ମୁଣ୍ଡର ୭୫%ରୁ ୧୦୦% ବଡ଼ ଜନ୍ତୁ ଗିଳି ପକାଏ। ସାପର ଚାଲିବା ଭଙ୍ଗୀ ୫ ପ୍ରକାର। ସେଥିଲାଗି ସାପ ଘାସରେ ଯେମିତି ଚାଲେ, ଗଛରେ କି, ସାଉଁଳିଆ ଚଟାଣରେ ସେମିତି ଚାଲେ ନାହିଁ।

ସାପର ଆଖିପତା ନ ଥାଏ। ସେ ଆଖି ମିଟିକା ମାରେନାହିଁ କି, ଶୋଇଲା ବେଳେ ଆଖି ବୁଜିପାରେ ନାହିଁ। କିନ୍ତୁ, ସୁରକ୍ଷା ଲାଗି ତା’ ଆଖି ଉପରେ କାଚ ଭଳି ସ୍ବଚ୍ଛ ପରଦା ଢାଙ୍କି ହୋଇ ରହିଥାଏ। ଆଖିପତା ନ ଥିବା କାରଣରୁ ମଧ୍ୟ ସାପ ମଣିଷ ମନରେ ଭୟ ଉଦ୍ରେକ କରେ। ତେବେ ସାପ ନ ଥିବା ଏକ ମାତ୍ର ରାଷ୍ଟ୍ର ଭାବେ ଆୟର୍ଲାଣ୍ଡ ବିଶ୍ବବିଦିତ। ଏହାର କାରଣ ଏବେ ବି ରହସ୍ୟାବୃତ। ସେମିତି ନ୍ୟୁଜିଲାଣ୍ଡ୍‌ରେ ବି ସାପ ନାହାନ୍ତି। ଭାରତରେ ଲକ୍ଷାଦ୍ବୀପ ହେଉଛି ସାପ ନ ଥିବା ଏକମାତ୍ର ପ୍ରଦେଶ।