ହିମାଳୟ ଅଞ୍ଚଳରେ ସଫେଦ ଚାଦରରେ ଢାଙ୍କି ହେଉଥିବା ସୁଉଚ୍ଚ ପର୍ବତ ଶିଖର ଏବେ ଠାଏଁ ଠାଏଁ ଧୂସର ଦିଶିଲାଣି। ହିନ୍ଦୁକୁଶ ପର୍ବତମାଳା ଅନ୍ତର୍ଗତ ୧୧ଟି ପ୍ରମୁଖ ନଦୀ ଅବବାହିକାରେ ଦୃଷ୍ଟିଗୋଚର ହେଲାଣି ତୁଷାର ମରୁଡ଼ି। ସେହିଭଳି ଓଡ଼ିଶାର ଦାରିଙ୍ଗବାଡ଼ି, ଲମତାପୁଟ ଓ ଶିମିଳପାଳରେ ମଧ୍ୟ ଶୀତରାତିର କାକର ଆଉ ଭୋର୍‌ ସମୟରେ ଜମାଟ ବାନ୍ଧି ବରଫ ପାଲଟି ଯାଉନାହିଁ। ଜଳବାୟୁ ଗବେଷକମାନଙ୍କର ଏକ ଦଳ ପାର୍ବତ୍ୟ ଅଞ୍ଚଳରେ କ୍ରମଶଃ ଅଦୃଶ୍ୟ ହୋଇଯାଉଥିବା ତୁଷାର ସଂପର୍କରେ ଅଧ୍ୟୟନ କରିବାକୁ ହିମାଚଳ ପ୍ରଦେଶର ସ୍ପିତିକୁ ଯାତ୍ରା କରିଥିଲେ। କାହିଁକି ଘଟୁଛି ତୁଷାର ମରୁଡ଼ି? ଏହାର କୁପ୍ରଭାବ, କାରଣ ଓ ନିରାକରଣକୁ ନେଇ ଏଥରର ପ୍ରଚ୍ଛଦ ପ୍ରସଙ୍ଗ...     
ଉପସ୍ଥାପନା: ବିଭୂତି ପତି

Advertisment

ପ୍ରତିବର୍ଷ ଭଳି ଏଥର କେଦାରନାଥରେ ତୁଷାରପାତରେ ଅନିୟମିତତା ଦେଖାଯାଇଛି। କେବଳ କେଦାରନାଥ ନୁହେଁ, ହିମାଳୟ ଅଞ୍ଚଳରେ ଅବସ୍ଥିିତ ବହୁ ସ୍ଥାନ‌େର ଏହି ବ୍ୟତିକ୍ରମ ଦେଖିବାକୁ ମିଳିଛି। ସଫେଦ ଚାଦରରେ ଢାଙ୍କି ହେଉଥିବା ସୁଉଚ୍ଚ ପର୍ବତ ଶିଖର ଏବେ ଠାଏଁ ଠାଏଁ ଦିଶିଲାଣି ଧୂସର! ପୁଣି ଉପଗ୍ରହ ଦ୍ବାରା ସଂଗୃହୀତ ତଥ୍ୟରୁ ଜଣାପଡ଼ିଲାଣି କି, ହିନ୍ଦୁକୁଶ ପର୍ବତମାଳା ଅନ୍ତର୍ଗତ ୧୧ଟି ପ୍ରମୁଖ ନଦୀ ଅବବାହିକାରେ ଦୃଷ୍ଟିଗୋଚର ହେଲାଣି ତୁଷାର ମରୁଡ଼ି! ଏହା ସଙ୍ଗେ ସଙ୍ଗେ ତୁଷାର ଆଚ୍ଛାଦନର ଅବଧି ବି ହ୍ରାସ ପାଇଲାଣି। ବୈଶ୍ବିକ ଅଧ୍ୟୟନ ସ୍ପଷ୍ଟ କଲାଣି କି, ତାପମାତ୍ରା ବୃଦ୍ଧି ଯୋଗୁଁ ୩୦୦୦ରୁ ୬୦୦୦ ମିଟର ଉଚ୍ଚରେ ଥିବା ଅଞ୍ଚଳଗୁଡ଼ିକ ତୁଷାର ଓ ବରଫ ହ୍ରାସ କାରଣରୁ କ୍ରମେ ବିପଦପ୍ରବଣ ହୋଇପଡ଼ିଲାଣି। ହିମାଳୟ ଅଞ୍ଚଳରେ ତୁଷାର ମରୁଡ଼ି ପ୍ରତି ବିଶେଷ ଧ୍ୟାନ ଦିଆଯାଉ ନ ଥିବା ବେଳେ ଗବେଷକମାନେ ସତର୍କ କରାଇ କହିଛନ୍ତି, ଏହା ଉଭୟ ମଣିଷ ଓ ପରିବେଶ ଉପରେ ସୁଦୂରପ୍ରସାରୀ ପ୍ରଭାବ ପକାଇବ। ସେହିଭଳି ଓଡ଼ିଶାର ଦାରିଙ୍ଗବାଡ଼ି, ଲମତାପୁଟ ଓ ଶିମିଳିପାଳରେ ମଧ୍ୟ ଶୀତରାତିର କାକର ଆଉ ଭୋର୍‌ ସମୟରେ ଜମାଟ ବାନ୍ଧି ବରଫ ପାଲଟି ଯାଉନାହିଁ। ଧୀରେ ଧୀରେ ହଜି ଯାଉଛି ତୁଷାର ଏବଂ ମାଡ଼ି ଆସୁଛି ତୁଷାର ମରୁଡ଼ି।

ଜଳବାୟୁ ଗବେଷକମାନଙ୍କର ଏକ ଦଳ ପାର୍ବତ୍ୟ ଅଞ୍ଚଳରେ କ୍ରମଶଃ ଅଦୃଶ୍ୟ ହୋଇଯାଉଥିବା ତୁଷାର ସଂପର୍କରେ ଅଧ୍ୟୟନ କରିବାକୁ ହିମାଳୟ ପର୍ବତମାଳା ଅନ୍ତର୍ଗତ ଏକ ଉଚ୍ଚସ୍ଥାନ ହିମାଚଳ ପ୍ରଦେଶର ସ୍ପିତିକୁ ଯାତ୍ରା କରିଥିଲେ। ଯାତ୍ରାପଥରେ ସେମାନେ ଏ ସଂପର୍କରେ ସ୍ଥାନୀୟ ଅଧିବାସୀଙ୍କ ମତାମତ ସଂଗ୍ରହ କରିଥିଲେ। ଚମରୀ ଗାଈ ଚରାଉଥିବା ଦଳେ ପଶୁପାଳକମାନଙ୍କ ସହିତ କଥାବାର୍ତ୍ତାକରି ସେମାନେ ଅବଗତ ‌େହାଇଥିଲେ କି, ଶୀତଋତୁ କ୍ରମାଗତ ଭାବେ ଛୋଟ ତଥା ଉଷ୍ଣ ହୋଇଯାଉଛି। ବରଫ ଜମାଟ ବାନ୍ଧିବା ଓ ତରଳିବାରେ ଅସ୍ବାଭିକତା ଦେଖାଦେଇଛି। ପଶୁପାଳକମାନେ ସୂଚିତ କରିଥିଲେ ଯେ ସେମାନଙ୍କ ଚମରୀ ଗାଈମାନେ ମଧ୍ୟ ସ୍ବାଭାବିକ ସମୟ ପୂର୍ବରୁ ପ୍ରଜନନ କରିବା ଆରମ୍ଭ କରିଦେଇଛନ୍ତି।

ହିମାଚଳ ପ୍ରଦେଶର କୁଲୁ ଜିଲ୍ଲାର ଡୁଣ୍ଡି ଅଞ୍ଚଳ ଓ ବାଥାଡ଼ ଗ୍ରାମରେ ତୁଷାରପାତରେ ତାରତମ୍ୟ ପର୍ଯ୍ୟବେକ୍ଷଣ ଲାଗି ଗବେଷକମାନେ ବିବରଣୀ ସଂଗ୍ରହ କରୁଥିବା ବେଳେ ସ୍ଥାନୀୟ ବାସିନ୍ଦାଙ୍କଠାରୁ ଜାଣିବାକୁ ପାଇଥିଲେ କି, ପ୍ରତ୍ୟେକ ଶୀତଋତୁରେ ଉକ୍ତ ଅଞ୍ଚଳରେ ପାଞ୍ଚ ମିଟରରୁ ଅଧିକ ତୁଷାରପାତ ହୋଇଥାଏ। ମାତ୍ର ବର୍ତ୍ତମାନ ତୁଷାରପାତ ଏକ ମିଟରରୁ କମ୍‌ ହୋଇଯାଇଛି। ଏହି ପରିବର୍ତ୍ତନ ସ୍ଥାନୀୟ କୃଷି ଉତ୍ପାଦନକୁ ପ୍ରଭାବିତ କରିଛି।  କାରଣ ବରଫ ତରଳି ଯେଉଁ ଜଳସ୍ରୋତ ଚାଷଜମିକୁ ଯାଇଥାଏ, ତାହା ହ୍ରାସ ପାଇଛି। ଗବେଷକମାନେ ଏଠାରେ ଗତବର୍ଷ ଜାନୁଆରିରେ ମାତ୍ର ୪୦-୫୦ ସେଣ୍ଟିମିଟର୍‌ ଗଭୀରତାର ତୁଷାର ଥିବା ରେକର୍ଡ କରିଥିଲେ।

ତୁଷାର ଓ ହିମବାହୀ ଜଳ-ବିଜ୍ଞାନ ତଥା ଏହା ସହିତ ସଂପୃକ୍ତ ବିପଦ ଉପରେ ଗବେଷଣା କରୁଥିବା ଭାରତୀୟ ପ୍ରଯୁକ୍ତିବିଦ୍ୟା ସଂସ୍ଥାନ (ଆଇଆଇଟି)ର ବରିଷ୍ଠ ଗବେଷକ ହେମନ୍ତ ସିଂହ କହନ୍ତି, ‘‘ଗବେଷକମାନେ ଅନୁଧ୍ୟାନ କରିଛନ୍ତି ଯେ ସାଧାରଣତଃ ତୁଷାରପାତ ଆରମ୍ଭ ହେବା ପୂର୍ବରୁ ମାଟି ଓଦା ରହିଥାଏ। ଏହି ପ୍ରକ୍ରିୟା ବସନ୍ତ ଋତୁ‌ରୁ ହିଁ ଆରମ୍ଭ ହୋଇଥାଏ। ଏ‌େବ କିନ୍ତୁ ତାହା ବିଳମ୍ବିତ ହେଉଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ପାର୍ବତ୍ୟ ଅଞ୍ଚଳରେ ମାଟି ଉପରେ ଜମିଥିବା ବରଫ ଉଷ୍ଣ ପାଗ ଆସିବା ପର୍ଯ୍ୟନ୍ତ ତରଳି ନଥାଏ। ଏବେ କିନ୍ତୁ ସେପରି ଘଟୁନାହିଁ। ସ୍ଥାନୀୟ ଅଧିବାସୀଙ୍କ ଅନୁଭୂତି ସୂଚାଉଛି କି, ସେଠାକାର ତୁଷାରପୂର୍ଣ୍ଣ ଶୀତଋତୁ ଏବେ ତୁଷାରଅଭାବୀ ଶୀତଋତୁରେ ପରିବର୍ତ୍ତିତ ହେଉଛି। ତୁଷାରପାତ ହ୍ରାସ ହିମାଳୟରେ ଦେଖାଯାଉଥିବା ତୁଷାର ମରୁଡ଼ିର ଏକ ସ୍ପଷ୍ଟ ସଂକେତ।’’

ଶୁଷ୍କ ଓ ଉଷ୍ଣ ତୁଷାର ମରୁଡ଼ି କ’ଣ?
ଗବେଷକ ହେମନ୍ତ ସିଂହ ଓ ତାଙ୍କର ସହକର୍ମୀମାନଙ୍କ ଦ୍ବାରା ପ୍ରକାଶିତ ଅଧ୍ୟୟନ ରିପୋର୍ଟରେ କୁହାଯାଉଛି, ‘‘ହିମାଳୟର ହିନ୍ଦୁକୁଶ ପାର୍ବତ୍ୟାଞ୍ଚଳରେ ତୁଷାର ମରୁଡ଼ି ବୃଦ୍ଧିପାଉଛି। ତୁଷାର ମରୁଡ଼ିକୁ ବର୍ଷର ଏକ ନିର୍ଦ୍ଦିଷ୍ଟ ସମୟରେ ମାଟି ଉପରେ ଜମା ହୋଇଥିବା ତୁଷାରରେ ବଡ଼ ଧରଣର ଅଭାବ ବୋଲି ପରିଭାଷିତ କରାଯାଉଛି। ଏହା ଜଳତତ୍ତ୍ବ ଓ ପାଣିପାଗ ସଂପର୍କିତ ମରୁଡ଼ିଠାରୁ ଭିନ୍ନ। ତୁଷାର ମରୁଡ଼ିକୁ ଦୁଇଟି ମୁଖ୍ୟ ଶ୍ରେଣୀରେ ବିଭକ୍ତ କରାଯାଇଛି- ଶୁଷ୍କ ତୁଷାର ମରୁଡ଼ି ଓ ଉଷ୍ଣ ତୁଷାର ମରୁଡ଼ି।” ବାୟୁମଣ୍ଡଳରେ ଆର୍ଦ୍ରତା ବଢ଼ିଗଲେ ତୁଷାର ପ୍ରସ୍ତୁତ ହୋଇପାରେନାହିଁ। ଏହି କାରଣରୁ  ଶୁଷ୍କ ତୁଷାର ମରୁଡ଼ି ହୋଇଥାଏ। ଅନ୍ୟପକ୍ଷରେ ଉଷ୍ଣ ତୁଷାର ମରୁଡ଼ି ମୁଖ୍ୟତଃ ତାପମାତ୍ରା ବୃଦ୍ଧି ଯୋଗୁଁ ସଂଘଟିତ ହୋଇଥାଏ। ଶୀତଦିନେ ତାପମାତ୍ରା ଅତ୍ୟଧିକ ହେଲେ ତୁଷାରପାତ ହୋଇପାରେ ନାହିଁ। ସ୍ଥଳବିଶେଷରେ ତୁଷାରପାତ ବଦଳରେ ବର୍ଷା ହୋଇଥାଏ। ଏହାଦ୍ବାରା ପୂର୍ବରୁ ଜମାଟ ବାନ୍ଧିଥିବା ବରଫ ସମୟ ପୂର୍ବରୁ ତରଳି ଯାଇଥାଏ।

ତୀବ୍ର ହେଉଛି ତୁଷାର ସଂକଟ
ସିନ୍ଧୁ, ମେକଙ୍ଗ୍‌ ଓ ଆମୁ-ଦରିଆ ସମେତ ପ୍ରମୁଖ ନଦୀ ଅବବାହିକାରେ ତୁଷାର ଆଚ୍ଛାଦନ ଅବଧି ହ୍ରାସପାଉଛି ଏବଂ ତୁଷାରର ସ୍ଥାୟିତ୍ବ ଦୁର୍ବଳ ହୋଇଯିବା ଲକ୍ଷ୍ୟ କରାଯାଉଛି ବୋଲି ଉପରୋକ୍ତ ଅଧ୍ୟୟନରୁ ଜଣାପଡ଼ିଛି। ବିଶେଷକରି ୩୦୦୦ରୁ ୬୦୦୦ ମିଟର ଉଚ୍ଚତାରେ ଥିବା ଅଞ୍ଚଳ ଉଷ୍ଣତା ପ୍ରତି ଅଧିକ ସମ୍ବେଦନଶୀଳ। କିନ୍ତୁ ହିମାଳୟ ଅଞ୍ଚଳରେ ତୁଷାର ମରୁଡ଼ି ଅଧ୍ୟୟନ ପୁଙ୍ଖାନୁପୁଙ୍ଖ ବୋଲି କହିହେବ ନାହିଁ। କାରଣ ବର୍ତ୍ତମାନ ପ୍ରକ‌ାଶିତ ଅଧ୍ୟୟନଗୁଡ଼ିକ ପ୍ରାଥମିକ ଉତ୍ସରୁ ସଂଗୃହୀତ ତଥ୍ୟ ଆଧାରିତ ନୁହେଁ। ପ୍ରଥମତଃ, ବର୍ତ୍ତମାନ ଉପଲବ୍ଧ ଅଧ୍ୟୟନଗୁଡ଼ିକ ଉପଗ୍ରହ ଦ୍ବାରା ଉତ୍ତୋଳିତ ଚିତ୍ର ଆଧାରିତ ତଥ୍ୟର ବିଶ୍ଳେଷଣ କରି ଉପସ୍ଥାପିତ କରାଯାଇଛି। ଏହା ହିମାଳୟର ଜଟିଳ ଭୂମି ରୂପରେ ତୁଷାରର ଗତିଶୀଳତାକୁ ବୁଝିବା ପାଇଁ ଯଥେଷ୍ଟ ନୁହେଁ ବୋଲି ସିଂହ ଦାବି କରନ୍ତି। ଦ୍ବିତୀୟତଃ, ତୁଷାରର ଗଭୀରତା, ତୁଷାର-ଜଳ ସମତୁଲ୍ୟତା (ଏହା ଜମା ହୋଇଥିବା ତୁଷାରରେ ଜଳର ପରିମାଣ ଆକଳନ କରିଥାଏ) ଏବଂ ବୃଷ୍ଟିପାତର ପର୍ଯ୍ୟାୟ ଆଦି ମାନଦଣ୍ଡଗୁଡ଼ିକୁ ପ୍ରକୃତ ସ୍ଥାନରୁ ତଥ୍ୟ ଆଣି ବିଶ୍ଳେଷଣ କରାଯାଇନାହିଁ। ତେଣୁ ପ୍ରକୃତ-ସ୍ଥାନ ଆଧାରିତ ତଥ୍ୟର ଅଭାବ ବୈଜ୍ଞାନିକମାନଙ୍କୁ ଏହି ଅଞ୍ଚଳରେ ତୁଷାର ମରୁଡ଼ି ଅଧ୍ୟୟନ ଓ ନିରୀକ୍ଷଣ କରିବାରୁ ବିରତ କରିଛି।

shfshsfhfsh

ଲଣ୍ଡନ୍‌ର ଟିସାଇଡ୍ ବିଶ୍ବବିଦ୍ୟାଳୟର ପରିବେଶ ପରିଚାଳନା ଓ ନିରନ୍ତରତା ବିଭାଗର ଅଧ୍ୟାପକ ମେହନାଜ୍‌ ରସିଦ୍‌ ନିଜ ଗବେଷଣାରେ ଦର୍ଶାଇଛନ୍ତି,“ହିନ୍ଦୁକୁଶ ହିମାଳୟ ଅଞ୍ଚଳର ତୁଷାର ଆଚ୍ଛାଦନ ଦ୍ରୁତ ହ୍ରାସ ପାଉଥିବାରୁ ତୁଷାର ମରୁଡ଼ିରେ ନିୟମିତତା ବୃଦ୍ଧି ପାଉଛି। ତେଣୁ ବର୍ତ୍ତମାନ ଅଧିକ ପ୍ରଭାବିତ ଅଞ୍ଚଳଗୁଡ଼ିକର ଚିହ୍ନଟ ଜରୁରି। ଏହି ଗୁରୁତ୍ବପୂର୍ଣ୍ଣ ଗବେଷଣାର ତଥ୍ୟଗୁଡ଼ିକ ନୀତି ନିର୍ଦ୍ଧାରଣ ଏବଂ ତୁଷାର ମରୁଡ଼ି ଦ୍ବାରା ପ୍ରଭାବିତ ଗୋଷ୍ଠୀଗୁଡ଼ିକୁ ସୁରକ୍ଷା ଦେବା ନିମନ୍ତେ  ତୁରନ୍ତ ପଦକ୍ଷେପ ନେବାକୁ ସହାୟକ ହେବ। ସେହିପରି ବମ୍ବେ ଆଇଆଇଟିର ପ୍ରଫେସର୍‌ ରାଜ୍‌ ରାମଶଙ୍କରନ୍‌ କହିଛନ୍ତି,‘‘ହିମାଳୟର ହିନ୍ଦୁକୁଶ ଅଞ୍ଚଳରେ ତୁଷାର ମରୁଡ଼ିର ନିରୀକ୍ଷଣ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଏହା ଆଞ୍ଚଳିକ ଜଳ ପରିଚାଳନା, ଜଳତତ୍ତ୍ବ ମଡେଲିଂ, କୃଷି ପଦ୍ଧତି ଓ ଜଳବିଦ୍ୟୁତ୍‌ ଉତ୍ପାଦନର ଅଧ୍ୟୟନ ସକାଶେ ନିତାନ୍ତ ଜରୁରି।’’

ବୃଦ୍ଧି ପାଇବ ଛଅଗୁଣ  
ବିଶ୍ବସ୍ତରରେ କରାଯାଇଥିବା ବିଭିନ୍ନ ଅଧ୍ୟୟନରୁ ଏକଥା ଜଣାପଡୁଛି ଯେ ୨୧୦୦ ମସିହା ବେଳକୁ ତୁଷାର ମରୁଡ଼ି ଭଳି ଜଳବାୟୁ ପରିବର୍ତ୍ତନ ଆଧାରିତ ଘଟଣାବଳୀ ୧୯୮୦ ଦଶକ ତୁଳନାରେ ତିନି-ଚାରିଗୁଣ ଅଧିକ। ଚଳିତ ଶତାବ୍ଦୀର ମଧ୍ୟଭାଗ ବେଳକୁ ପୃଥିବୀର ବିଭିନ୍ନ ସ୍ଥାନରେ ଘଟୁଥିବା ତୁଷାର ମରୁଡ଼ିର ଦୁଇ-ତୃତୀୟାଂଶ ଉଷ୍ଣ ତୁଷାର ମରୁଡ଼ି ହୋଇଥିବ ବୋଲି ଆକଳନ କରାଯାଇଛି। ଉଷ୍ଣ ଓ ଶୁଷ୍କ-ଉଷ୍ଣ ତୁଷାର ମରୁଡ଼ିର ନିୟମିତତା ପ୍ରାୟ ଛଅଗୁଣ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ ବୋଲି ଗବେଷକମାନେ ଆଶଙ୍କା କରିଛନ୍ତି। ୨୦୧୫ ମସିହା ଶୀତଋତୁରେ ଯୁକ୍ତରାଷ୍ଟ୍ର ଆମେରିକାର ପଶ୍ଚିମ ଉପକୂଳରେ ଏକ ସ୍ବତନ୍ତ୍ର ପ୍ରକାରର ଉଷ୍ଣ ତୁଷାର ମରୁଡ଼ି ସୃଷ୍ଟି ହୋଇଥିଲା। ଏହାର ବୈଶିଷ୍ଟ୍ୟ ଥିଲା ଯେ ବୃଷ୍ଟିପାତ ସ୍ବାଭାବିକ ପାଖାପାଖି ହୋଇଥିବା ବେଳେ ଭୂମି ଉପରେ ଖୁବ୍‌ କମ୍ ମୋଟେଇର ତୁଷାର ଜମା ହୋଇଥିଲା, ଯାହା ଏକ ରେକର୍ଡ ଥିଲା। ହିମାଳୟ ପରି ଉଚ୍ଚ ପାର୍ବତ୍ୟାଞ୍ଚଳରେ ଉଷ୍ଣତା ବୃଦ୍ଧି ପାଇବା ଫଳରେ ଆକାଶରୁ ପଡୁଥିବା ତୁଷାର ଜଳରେ ପରିବର୍ତ୍ତିତ ହୋଇ ତୁଷାର ରେଖାକୁ ଅଧିକ ଉଚ୍ଚକୁ ଘୁଞ୍ଚାଇ ଦେଉଛି। ଏହା ତୁଷାର ରୂପେ ପଡୁଥିବା ବୃଷ୍ଟିକୁ ହ୍ରାସକରି ତୁଷାର ଆଚ୍ଛାଦନର ଋତୁକାଳୀନ ଅବଧିକୁ ମଧ୍ୟ କମାଇ ଦେଉଛି। ବିଶେଷକରି ମଧ୍ୟମରୁ ଅଧିକ ଉଚ୍ଚତା ସ୍ତରରେ ଏପରି ପରିଲକ୍ଷିତ ହେଉଛି। କାରଣ ଏହି ଅଞ୍ଚଳର ଭୌଗୋଳିକ ସ୍ଥିତି ଓ ପର୍ଯ୍ୟାବରଣ ତାପମାତ୍ରାର ସ୍ବଳ୍ପ ପରିବର୍ତ୍ତନ ପ୍ରତି ମଧ୍ୟ ସମ୍ବେଦନଶୀଳ।

ହିମାଳୟରେ ଥଣ୍ଡା କମୁଛି
ପଶ୍ଚିମ ହିମାଳୟ ଆଞ୍ଚଳିକ ଜାତୀୟ ଜଳବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ରିୟାଜ୍‌ ମୀର୍ କହନ୍ତି, “ବିଗତ ଦଶନ୍ଧିରେ ଉତ୍ତର-ପଶ୍ଚିମ ହିମାଳୟରେ ଥିବା କାଶ୍ମୀର ଉପତ୍ୟକାରେ ଶୀତକାଳୀନ ତାପମାତ୍ରାରେ ନିରବଚ୍ଛିନ୍ନ ବୃଦ୍ଧି ଘଟିଛି। ଏହି ପରିବର୍ତ୍ତନ ଯୋଗୁଁ ଭୂମି ଉପରେ ଜମାହୋଇ ରହିଥିବା ତୁଷାରରେ ହ୍ରାସ, ତୁଷାରପାତ ଆରମ୍ଭ ହେବାରେ ବିଳମ୍ବ ଏବଂ ତୁଷାର ଆବରଣର ଅବଧି ହ୍ରାସ ପାଇଛି।’’ ପାରମ୍ପରିକ ଭାବରେ ହିମାଳୟ ଅଞ୍ଚଳରେ ତୁଷାରପାତ ସେପ୍ଟେମ୍ବର ମଧ୍ୟଭାଗରୁ ଆରମ୍ଭହୋଇ ଜାନୁଆରି ୨୬ ବେଳକୁ ଶୀର୍ଷରେ ପହଞ୍ଚିଥାଏ। ଡିସେମ୍ବର ମଧ୍ୟଭାଗରୁ ଜାନୁଆରି ମଧ୍ୟଭାଗ ପର୍ଯ୍ୟନ୍ତ ୪୦ ଦିନର ଅବଧି ହେଉଛି ହାଡ଼ଭଙ୍ଗା ଶୀତର ସମୟ। କିନ୍ତୁ ଆଜିକାଲି ତୁଷାରପାତ ପ୍ରାୟତଃ ବିଳମ୍ବରେ ହୋଇଥାଏ। ବେଳେବେଳେ ନଭେମ୍ବର ଶେଷ ପର୍ଯ୍ୟନ୍ତ ତୁଷାରପାତ ହୋଇ ନଥିବାର ରେକର୍ଡ ହୋଇଛି। ବିଭିନ୍ନ ଅଧ୍ୟୟନ ମଧ୍ୟ ତୁଷାରପାତର ସମୟ ପରିବର୍ତ୍ତନକୁ ସ୍ବୀକାର କରୁଛନ୍ତି। ୧୯୭୪ରୁ ୨୦୨୪ ମସିହା ପର୍ଯ୍ୟନ୍ତ କରାଯାଇଥିବା ଏକ ସାଂପ୍ରତିକ ଅଧ୍ୟୟନରେ ତୁଷାର-ଜଳ-ସମତୁଲ୍ୟ (ସ୍ନୋ ୱାଟର୍‌ ଇକ୍ୟୁଭାଲଣ୍ଟ୍‌) ଏବଂ ତୁଷାର ଆବରଣରେ ଯଥେଷ୍ଟ ହ୍ରାସ ଘଟିଥିବାର ଦର୍ଶାଯାଇଛି। ଅନ୍ୟଏକ ଗୁରୁତ୍ବପୂର୍ଣ୍ଣ କଥା ହେଲା, ତୁଷାର ସମ୍ବଳର ହ୍ରାସ ଓ ଅବକ୍ଷୟର ଏକ ପ୍ରମୁଖ କାରଣ। କୁପ୍‌ୱାରା ଓ ବାନ୍ଦିପୋରା ପରି ଅଧିକ ଉଚ୍ଚତାରେ ଥିବା ଅଞ୍ଚଳ ପାଇଁ ଏହା ପ୍ରଯୁଜ୍ୟ। ଶୀତଋତୁର ଅବଧିରେ ହ୍ରାସଘଟି ବସନ୍ତଋତୁ ଭଳି ଜଳବାୟୁ ଅପେକ୍ଷାକୃତ ଶୀଘ୍ର ଅନୁଭୂତ ହେଉଛି। କାଶ୍ମୀରରେ ତୁଷାର ଆବରଣର ଅବଧି, ଗଭୀରତା ଓ ସମୟରେ ବଡ଼ ଧରଣର ପରିବର୍ତ୍ତନ ଘଟୁଛି।”

ପ୍ରତି ଦଶବର୍ଷରେ ହ୍ରାସପାଉଛି ପାଞ୍ଚଦିନ!
ହିମାଳୟର କାଶ୍ମୀର ଅଞ୍ଚଳର ୫୪୨୫ ଉଚ୍ଚତାବିଶିଷ୍ଟ କୋଲାହୋଇ ଶିଖରରେ ତୁଷାର ମରୁଡ଼ି ପରିଲକ୍ଷିତ ହୋଇଛି। ୧୯୬୦ ଦଶକରୁ ନେଇ ୨୦୨୫ ଡିସେମ୍ବର ୬ ମଧ୍ୟରେ ଏଠାରେ ବରଫପାତ ୨୫ ପ୍ରତିଶତ ହ୍ରାସପାଇଛି। ଏହି ଅଞ୍ଚଳ ଏବେ ବିଲୁପ୍ତି ଆଡ଼କୁ ଠେଲି ହୋଇଯାଉଛି। ଯଦି ଏପରି ହୁଏ ତେବେ ଝେଲମ୍‌ ନଦୀ ଓ ସ୍ଥାନୀୟ ସମୁଦାୟ ପାଇଁ ଜଳ ଯୋଗାଣ ଘୋର ପ୍ରଭାବିତ ହେବ। ଇଣ୍ଟର୍‌ନ୍ୟାସ୍‌ନାଲ୍‌ ସେଣ୍ଟର୍‌ ଫର୍ ଇଣ୍ଟିଗ୍ରେଟେଡ୍ ମାଉଣ୍ଟେନ୍ ଡେଭ୍‌ଲପ୍‌ମେଣ୍ଟ୍‌ (ଆଇ.ସି.ଆଇ.ଏମ୍.ଓ.ଡି.) ଦ୍ବାରା ପ୍ରକାଶିତ ୨୦୨୫ର ତୁଷାରପାତ ରିପୋର୍ଟ କାଶ୍ମୀର ସମେତ ବିସ୍ତୃତ ହିମାଳୟ ଅଞ୍ଚଳ ପାଇଁ ସତର୍କବାଣୀ ଶୁଣାଇଛି। ଏହି ରିପୋର୍ଟରେ ୨୩ବର୍ଷ ମଧ୍ୟରେ ସର୍ବନିମ୍ନ ତୁଷାରପାତକୁ ରେକର୍ଡକରି ଏଥିରେ ଲାଗାତାର ତୃତୀୟ ବର୍ଷ ସକାଶେ ତୁଷାରପାତ ହ୍ରାସପାଇଛି ବୋଲି କୁହାଯାଇଛି। ସମଗ୍ର ଅଞ୍ଚଳରେ ଋତୁକାଳୀନ ତୁଷାର ଆଚ୍ଛାଦନ ପ୍ରାୟ ୨୪% ହ୍ରାସପାଇଛି ବୋଲି ଗବେଷକମାନେ ସୂଚନା ପ୍ରଦାନ କରିଛନ୍ତି। ସେମାନେ ଚେତାବନୀ ଦେଇ କହିଛନ୍ତି, ଆଗାମୀ ଦିନରେ ୧୨ଟି ପ୍ରମୁଖ ନଦୀ ଓ ଏହାର ତୁଷାରପୁଷ୍ଟ ଜଳ ଉପରେ ନିର୍ଭରଶୀଳ କୋଟି କୋଟି ଲୋକଙ୍କ ପାଇଁ ତୁଷାର ମରୁଡ଼ି ଜୀବନଜୀବିକାକୁ ବିପଦରେ ପକାଇବ। କାରଣ ତଳମୁଣ୍ଡରେ ଜଳର ଉପଲବ୍ଧତା କ୍ଷେତ୍ରରେ ଘୋର ସମସ୍ୟା ସୃଷ୍ଟି ହେବ।

ତୁଷାର ଜମାଟବାନ୍ଧିବା ପ୍ରକ୍ରିୟା ହ୍ରାସ ପାଉଥିବାରୁ ହିମବାହଗୁଡ଼ିକର ପୁନଃଭରଣାକୁ ମଧ୍ୟ ଏହା ପ୍ରଭାବିତ କରେ। ତେଣୁ ନଦୀଗୁଡ଼ିକର ଜଳ ପ୍ରବାହର ସମୟ ଓ ପରିମାଣ ବଦଳିଯାଏ। ଏହା କୃଷି, ଜଳବିଦ୍ୟୁତ୍‌ ଏବଂ ଜଳଯୋଗାଣ ଉପରେ ନକାରାତ୍ମକ ପ୍ରଭାବ ପକାଏ। ବାରମ୍ବାର ତୁଷାର ଜମାଟ ବାନ୍ଧିବା ଓ ତରଳିବାର କ୍ରମ ଢାଲୁ ଚଟାଣଗୁଡ଼ିକୁ ଅସ୍ଥିର କରିଦିଏ ଯାହାକି ଭୂସ୍ଖଳନ ଓ ଭିତ୍ତିଭୂମି ଧ୍ବଂସ ଭଳି ବିପତ୍ତିକୁ ବଢ଼ାଇ ଦେଇଥାଏ। ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ଆନ୍ତଃସରକାରୀ ଚ୍ୟାନେଲ୍ (ଆଇ.ପି.ସି.ସି.ସି.)ର ସଦ୍ୟତମ ରିପୋର୍ଟରେ କୁହାଯାଇଛି ଯେ, ଜଳବାୟୁ ପରିବର୍ତ୍ତନ ଯୋଗୁଁ ପାର୍ବତ୍ୟ ଅଞ୍ଚଳଗୁଡ଼ିକରେ, ବିଶେଷକରି ନିମ୍ନ ଉଚ୍ଚତାରେ, କ୍ରମାଗତ ଭାବେ ତୁଷାର ଆଚ୍ଛାଦନ ହ୍ରାସ ପାଇଚାଲିଛି। ଏହିସବୁ ଅଞ୍ଚଳଗୁଡ଼ିକରେ ତୁଷାରପାତ ବର୍ତ୍ତମାନ ପ୍ରତି ଦଶନ୍ଧିରେ ପ୍ରାୟ ପାଞ୍ଚଦିନ ହାରରେ ହ୍ରାସପାଉଛି।

ତୁଷାର ମରୁଡ଼ି ମୁକାବିଲା ପାଇଁ ରଣନୀତି
ବୈଜ୍ଞାନିକମାନଙ୍କ ମତରେ ଉଭୟ ମଣିଷ ଓ ପରିବେଶ ଉପରେ ତୁଷାର ମରୁଡ଼ିର ସୁଦୂରପ୍ରସାରୀ ପ୍ରଭାବ ରହିଛି। ତୁଷାର ତରଳିବାରେ ହ୍ରାସ ଯୋଗୁଁ ଗ୍ରୀଷ୍ମଋତୁରେ ନଦୀର ପ୍ରବାହ ହ୍ରାସପାଏ, ଯାହାଫଳରେ ଜଳଭଣ୍ଡାରରେ ଜଳ ସଂରକ୍ଷଣ, ପାନୀୟଜଳ ଯୋଗାଣ, କୃଷି ଆବଶ୍ୟକତା ପ୍ରଭାବିତ ହୋଇଥାଏ। ଏହାସହିତ ପୂର୍ବ ଅନୁମାନଯୋଗ୍ୟ ବସନ୍ତ-ଗ୍ରୀଷ୍ମ ପ୍ରବାହ ଉପରେ ନିର୍ଭରଶୀଳ ଜଳବିଦ୍ୟୁତ୍‌ କେନ୍ଦ୍ରଗୁଡ଼ିକର ବିଦ୍ୟୁତ୍‌ ଉତ୍ପାଦନ ହ୍ରାସପାଏ ଏବଂ ଏଗୁଡ଼ିକୁ କାର୍ଯ୍ୟକ୍ଷମ ରଖିବା କଷ୍ଟକର ହୋଇପଡ଼େ। ଶୀତଋତୁରେ ଜଳବାୟୁର ଉଷ୍ଣତା ବୃଦ୍ଧି ପାଉଥିବା କାରଣରୁ ଆକାଶରୁ ତୁଷାରପାତ ନ ହୋଇ ବର୍ଷା ହୋଇଥାଏ ଏବଂ ତୁଷାର ଉପରେ ବାରମ୍ବାର ବୃଷ୍ଟିପାତ ଘଟିଥାଏ। ତୁଷାର ମରୁଡ଼ି ଜଳ ପରିଚାଳନାକୁ ଜଟିଳ କରିଦେଇଥାଏ। ହିମବାହ ପର୍ଯ୍ୟଟନ ଓ ପର୍ବତାରୋହଣ ପରି କାର୍ଯ୍ୟକଳାପ ତୁଷାର ମରୁଡ଼ି ଯୋଗୁଁ ପ୍ରଭାବିତ ହେଉଛି। ବିଭିନ୍ନ ଅଞ୍ଚଳରେ ପର୍ବତାରୋହଣ ପଥର ସୁରକ୍ଷା ବିଗିଡ଼ି ଯାଇଥିବା କାରଣରୁ ପର୍ବତାରୋହଣ ସୁଯୋଗ ହ୍ରାସ ପାଉଛି। ପ୍ରାକୃତିକ ତୁଷାର ଆବରଣରେ ପରିବର୍ତ୍ତନ ତଥା ହ୍ରାସ ନିମ୍ନ ଉଚ୍ଚତାରେ ଅବସ୍ଥିତ ସ୍କି-ରିସର୍ଟଗୁଡ଼ିକର ପରିଚାଳନାକୁ ବିପଦଗ୍ରସ୍ତ କରିଛି।

କାଶ୍ମୀର ବିଶ୍ବବିଦ୍ୟାଳୟର ପରିବେଶ ବିଜ୍ଞାନ ବିଭାଗର ଅଧ୍ୟାପକ ମଞ୍ଜୁର ଅହମ୍ମଦ‌୍ ଶାହ କହନ୍ତି,“ପ୍ରଭାବିତ ଅଞ୍ଚଳଗୁଡ଼ିକରେ ସମନ୍ବିତ ଜଳ ପରିଚାଳନା, ପରିସଂସ୍ଥାନର ପୁନର୍ବାହାଲ ଭଳି ପ୍ରକୃତି ଆଧାରିତ ସମାଧାନ ଜରୁରି। ଏଥିସହ ଜନସାଧାରଣଙ୍କ ସଂପୃକ୍ତି ସହ ପଦକ୍ଷେପ ଏବଂ ଉପଯୁକ୍ତ ଯୋଜନା ପ୍ରସ୍ତୁତି ଦ୍ବାରା ହିମାଳୟ ଅଞ୍ଚଳରେ ଜଳବାୟୁ ପରିବର୍ତ୍ତନ ଦ୍ବାରା ପରିଚାଳିତ ତୁଷାର ମରୁଡ଼ିର ମୁକାବିଲା କରାଯାଇପାରିବ। ହିମାଳୟର ବ୍ୟାପକ ଅଞ୍ଚଳରେ ଏକ ସମନ୍ବିତ ପରୀକ୍ଷାମୂଳକ ଆଭିମୁଖ୍ୟ ଆପଣେଇବାକୁ ପଡ଼ିବ। ପରିସଂସ୍ଥାନ ସଂପର୍କିତ ଦୀର୍ଘକାଳୀନ ପର୍ଯ୍ୟବେକ୍ଷଣ କେନ୍ଦ୍ର ସ୍ଥାପନ ଏବଂ ତୁଷାର ମରୁଡ଼ିର ଏହି ଧାରାକୁ ପ୍ରତିହତ କରିବା ସକାଶେ ନୀତି ନିର୍ଦ୍ଧାରକ ସ୍ତରରେ ହସ୍ତକ୍ଷେପ କରିବାକୁ ପଡ଼ିବ।”