ନିରାକାର ଦାସ
“ପାଠାଗାରଟିଏ ଗଢ଼ିବା ଯେତେ ବ୍ୟୟସାପେକ୍ଷ ହେଲେ ବି ତାହା ଅଜ୍ଞତା ତୁଳନାରେ ଶସ୍ତା” ବୋଲି ଆମେରିକାର ପ୍ରସିଦ୍ଧ ସାମ୍ବାଦିକ ୱାଲଟର କ୍ରୋଙ୍କାଇଟ୍ କହିଥିଲେ। ଆମେରିକାର ସମାଜସେବୀ ଏଚ୍. ବେକର କହିଲେ, “ମନ ପାଇଁ ସ୍ୱାସ୍ଥ୍ୟ କେନ୍ଦ୍ର ହେଉଛି ପାଠାଗାର।” ପାଠାଗାରଟିଏ ହେଉଛି ଜ୍ଞାନର ମନ୍ଦିର ଯାହା ମଣିଷକୁ ମୁକ୍ତି ପ୍ରଦାନ କରେ ଏବଂ ସଭ୍ୟତା, ସଂସ୍କୃତିର ବିକାଶକୁ ଆଗକୁ ନିଏ। ପୂର୍ବତନ ରାଷ୍ଟ୍ରପତି ଏ.ପି.ଜେ. ଅବଦୁଲ୍ କଲାମ କହିଥିଲେ: “ପାଠାଗାର ହେଉଛି ଏକମାତ୍ର ସ୍ଥାନ ଯେଉଁଠି ବିନା ଖର୍ଚ୍ଚରେ ପୃଥିବୀକୁ ଆବିଷ୍କାର କରିହେବ।” ଜ୍ଞାନର ଆଲୋକରେ ସାରା ସଂସାରକୁ ଆଲୋକିତ କରିବାକୁ ହେଲେ ଏବଂ ମାଟି ମୁଲକରୁ ଅଜ୍ଞାନତା ରୂପୀ ରାକ୍ଷସକୁ ନିପାତ କରିବାକୁ ହେଲେ ପ୍ରତି ଗାଁ, ସାହି, ସହର କଲୋନିରେ ପାଠାଗାର ଖୋଲିବାର ଆବଶ୍ୟକତା ରହିଛି। ଆମ ଦେଶ ପାଠାଗାର ଆନ୍ଦୋଳନରେ ଖୁବ୍ ପଛରେ ଅଛି ବୋଲି ସବୁ କ୍ଷେତ୍ରରେ ପଛୁଆ। ଯେଉଁ ଯେଉଁ ଦେଶରେ ବା ରାଜ୍ୟରେ ପାଠାଗାର ସମୃଦ୍ଧ, ସେହି ସେହି ଦେଶ ଓ ରାଜ୍ୟ ପୃଥିବୀରେ ଶକ୍ତିଶାଳୀ ଓ ବିଭିନ୍ନ କ୍ଷେତ୍ରରେ ଆଗୁଆ ରୂପେ ପରିଗଣିତ ହେଉଛି। ଏସିଆର ସବୁଠୁ ବଡ଼ ପାଠାଗାର ଚାଇନାରେ ଅଛି ଯେଉଁଥିରେ ୩୩.୭୮ ନିୟୁତ ବହି ଓ ଅନ୍ୟ ଉପକରଣ ରହିଛି। ବ୍ରିଟିଶ୍ ଜାତୀୟ ପାଠାଗାରରେ ୧୫୦ ନିୟୁତ ବହି, ପାଣ୍ଡୁଲିପି ଓ ଡିଜିଟାଲ ଉପକରଣ ରହିଛି। ଆମେରିକାର ‘ପାଠାଗାର କଂଗ୍ରେସ୍’କୁ ପୃଥିବୀର ସବୁଠୁ ବଡ଼ ପାଠାଗାରରେ ଗଣାଯାଏ। ସେଠାରେ ୧୭୦ ନିୟୁତ ପୁସ୍ତକ ଗଚ୍ଛିତ ଅଛି। ଆମ ଦେଶର ସବୁଠୁ ବଡ଼ ପାଠାଗାର କୋଲକାତାସ୍ଥିତ ‘ଭାରତୀୟ ଜାତୀୟ ପାଠାଗାର’ରେ ସମୁଦାୟ ମାତ୍ର ୨.୨ ନିୟୁତ ବହି ଓ ପାଣ୍ଡୁଲିପି ରହିଛି। ପଠନ ସଂସ୍କୃତିରେ ମଧ୍ୟ ଚାଇନା, ଗ୍ରେଟ୍ ବ୍ରିଟେନ୍, ଜର୍ମାନୀ ସର୍ବୋଚ୍ଚ ସ୍ଥାନରେ। ୨୦୧୫-୧୬ର ଏକ ସର୍ବେକ୍ଷଣରୁ ଜଣାପଡ଼ିଛି ବହି ପ୍ରକାଶନରେ ଚାଇନା ଆଗରେ। ଆମେରିକା ଦ୍ୱିତୀୟ, ଗ୍ରେଟ୍ ବ୍ରିଟେନ୍ ତୃତୀୟ, ଫ୍ରାନ୍ସ ଚତୁର୍ଥ ଓ ଜର୍ମାନି ପଂଚମ ସ୍ଥାନରେ ରହିଛି। ପୃଥିବୀର ୧୦ଟି ସର୍ବୋଚ୍ଚ ଶିକ୍ଷିତ ଦେଶରେ ବି ଭାରତ ନାହିଁ। ଦକ୍ଷିଣ କୋରିଆ, କାନାଡା, ଜାପାନ, ଲସ୍କେମ୍ବର୍ଗ, ଆୟରଲ୍ୟାଣ୍ଡ, ରୁଷିଆ, ଲିଥୁନିଆ, ଗ୍ରେଟ୍ ବ୍ରିଟେନ୍, ନେଦରଲ୍ୟାଣ୍ଡ ଓ ନରୱେ ସର୍ବୋଚ୍ଚ ଶିକ୍ଷିତ ଦେଶରେ ଅନ୍ତର୍ଭୁକ୍ତ। ଭାରତର ସ୍ଥାନ ୧୦୧ ନମ୍ବରରେ ରହିଛି।
ଗ୍ରନ୍ଥାଗାରିକ ଦିବସ ଉପଲକ୍ଷେ
ପ୍ରାଚୀନ ମେସୋପଟାମିଆ ସଭ୍ୟତାରେ ବିଶ୍ୱର ପ୍ରଥମ ପାଠାଗାର ପ୍ରତିଷ୍ଠା କରିଥିଲେ ଅସୁରବାନି ପାଲ୍। ଆମ ଦେଶରେ ଖ୍ରୀଷ୍ଟପୂର୍ବ ୩୦୦୦ରୁ ୫୦୦ ଖ୍ରୀଷ୍ଟାବ୍ଦ ମଧ୍ୟରେ ମନ୍ଦିରମାନଙ୍କରେ ପାଠାଗାର ଥିଲା, ଯେଉଁଥିରେ କେବଳ ଧର୍ମ ପୁସ୍ତକ ଓ ପାଣ୍ଡୁଲିପି ରହୁଥିଲା। ଏଥିସହିତ ନାଳନ୍ଦା, ତକ୍ଷଶୀଳା, ବିକ୍ରମଶୀଳା ଇତ୍ୟାଦି ପୁରାତନ ବିଶ୍ୱବିଦ୍ୟାଳୟରେ ପାଠାଗାର ଥିଲା, ଯେଉଁଠି ଏସିଆର ବିଭିନ୍ନ ପ୍ରାନ୍ତରରୁ ଜ୍ଞାନପିପାସୁମାନେ ଆସୁଥିଲେ ପଢ଼ିବାକୁ। ଏହି ବିଶ୍ୱବିଦ୍ୟାଳୟ ପ୍ରଥମ କୁମାର ଗୁପ୍ତଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା, ଯେଉଁଥିରେ ୯ ନିୟୁତ ବୌଦ୍ଧ ଦର୍ଶନ ଓ ପୁରାତନ ଭାରତୀୟ ଦର୍ଶନ ଆଧାରିତ ପୁସ୍ତକ ରହିଥିଲା। କିନ୍ତୁ ଆମ ଦେଶର ଏହି ଗୌରବ ପରବର୍ତ୍ତୀ ସମୟରେ ରହିଲା ନାହିଁ। ନାଳନ୍ଦା ପାଠାଗାରକୁ ମୁସ୍ଲିମ ଶାସକ ବକ୍ତିଆର ଖିଲିଜ ପୋଡ଼ିଜାଳି ଧ୍ୱଂସ କରିଦେଇଥିଲେ। ୧୮୧୯ରେ କଲିକତାରେ ଇମ୍ପେରିଆଲ୍ ଲାଇବ୍ରେରି ପ୍ରତିଷ୍ଠା କରାଗଲା ଓ ପରେ ତାହା ‘ଭାରତର ଜାତୀୟ ପାଠାଗାର’ରେ ପରିବର୍ତ୍ତିତ ହେଲା। ଭାରତବର୍ଷରେ ତାମିଲନାଡୁର ସରସ୍ୱତୀ ମହଲ ପାଠାଗାର ହେଉଛି ସର୍ବ ପୁରାତନ ପାଠାଗାର। ଷୋଡ଼ଶ ଶତାବ୍ଦୀରେ ତାଞ୍ଜାଭୁରର ନାୟକ ରାଜା ଏହି ପାଠାଗାର ପ୍ରତିଷ୍ଠା କରିଥିଲେ। ଏହି ପାଠାଗାରରେ ତାଳପତ୍ର ପୋଥି, ସଂସ୍କୃତ ଓ ତାମିଲ ପାଣ୍ଡୁଲିପି ସହ ବିଭିନ୍ନ ଭାଷାର ବହି ଥିଲା। ତା’ ପଛକୁ ୧୮୨୯ ମସିହାରେ ଟ୍ରାଭାଙ୍କୋରର ରାଜା ସ୍ୱାଥୀ ତିରୁନାଲଙ୍କ ସମୟରେ ‘ତ୍ରିଭାନ୍ଦ୍ରମ୍ ପବ୍ଳିକ୍ ପାଠାଗାର’ ପ୍ରତିଷ୍ଠା ହୋଇଥିଲା। ଏହାକୁ ଭାରତର ପ୍ରଥମ ପବ୍ଲିକ୍ ବା ସାଧାରଣ ପାଠାଗାର ରୂପେ ଗଣାଯାଏ। ଏହି ପାଠାଗାରର କୋଠା ୧୯୦୦ ମସିହାରେ ରାଣୀ ଭିକ୍ଟୋରିଆଙ୍କ ହୀରକ ଜୁବୁଲି ପାଳନ ସ୍ମୃତି ପାଇଁ ନିର୍ମାଣ କରାଯାଇଥିଲା। ଭାରତବର୍ଷରେ ପବ୍ଲିକ୍ ପାଠାଗାର ଆନ୍ଦୋଳନରେ ଗୁଜୁରାଟ ହେଉଛି ଅଗ୍ରଣୀ। ୧୯୧୦ ମସିହାରେ ବରୋଦା ରାଜ୍ୟର ମହାରାଜ ସାୟାଜୀ ରାଓ ଗାୟକ୍ୱାଡ଼-ତୃତୀୟ ପ୍ରଥମେ ରାଜ୍ୟସ୍ତରୀୟ ପବ୍ଲିକ୍ ପାଠାଗାର ପଦ୍ଧତି ଆରମ୍ଭ କରିଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଭାରତବର୍ଷରେ ପାଠାଗାର ବା ଗ୍ରନ୍ଥାଗାର ବିଜ୍ଞାନର ପାଞ୍ଚଟି ପଦ୍ଧତି ୧୯୩୧ ମସିହାରେ ପ୍ରଥମେ ପ୍ରଣୟନ କରିଥିଲେ ସିଆଲି ରାମମିତ୍ର ରଙ୍ଗନାଥନ। ତାଙ୍କୁ ଭାରତର ପାଠାଗାର ବିଜ୍ଞାନର ଜନକ ବୋଲି କୁହନ୍ତି। ସେହିପରି କେରଳର ପୁଥୁଭାଇଲ ନାରାୟଣ ପାନିକରଙ୍କୁ ଭାରତର ପାଠାଗାର ଆନ୍ଦୋଳନର ଜନକ ବୋଲି କୁହାଯାଏ।
ଓଡ଼ିଶାରେ ପାଠାଗାର ଆନ୍ଦୋଳନ ଖୁବ୍ ମନ୍ଥର ଓ ଗୁରୁତ୍ୱହୀନ ମନେହୁଏ। ୧୯୨୨ ମସିହାରେ କନିକା ରାଜା ରାଜେନ୍ଦ୍ର ନାରାୟଣ ଭଞ୍ଜଦେଓଙ୍କ ଉଦ୍ୟମରେ ଓଡ଼ିଶାରେ ସର୍ବପୁରାତନ ଓ ବୃହତ୍ ‘କନିକା ପାଠାଗାର’ ତତ୍କାଳୀନ ରେଭେନ୍ସା ମହାବିଦ୍ୟାଳୟ ପରିସରରେ ସ୍ଥାପିତ ହୋଇଥିଲା। ତା’ପରେ ୧୮୯୭ ମସିହାରେ କେନ୍ଦ୍ରାପଡ଼ା ପୁରୁଣା ବସ୍ଷ୍ଟାଣ୍ଡ ନିକଟରେ ‘ନରେନ୍ଦ୍ର ପାଠାଗାର’ ପ୍ରତିଷ୍ଠା ହୋଇଥିଲା ଯାହା ପରବର୍ତ୍ତି ସମୟରେ ‘ଡାଇମଣ୍ଡ ଜୁବୁଲି ପାଠାଗାର’ ଭାବେ ପରିବର୍ତ୍ତିତ ହେଲା। ୧୯୫୯ ମସିହାରେ ଭୁବନେଶ୍ୱରରେ ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାର ପ୍ରତିଷ୍ଠିତ ହେଲା। ଓଡ଼ିଶାର ପାଠାଗାର ଆନ୍ଦୋଳନର ସର୍ବଶ୍ରେଷ୍ଠ ବ୍ୟକ୍ତି ଭାବେ ଦାସିଆ ଅଜାଙ୍କୁ ବୁଝାଏ। ୧୯୦୭ ମସିହା ଜୁଲାଇ ୧୨ ତାରିଖରେ ଓଡ଼ିଶାର ନୟାଗଡ଼ ଜିଲ୍ଲାର ଉଦୟପୁରଠାରେ ଜନ୍ମିତ ଦାଶରଥି ପଟ୍ଟନାୟକ ଓଡ଼ିଶାରେ ବୁଲି ବୁଲି ବହି, ପୋଥି ସଂଗ୍ରହ କରିବା ସହ ପାଠାଗାର ନେଇ ଜନସଚେତନତା ସୃଷ୍ଟି କରିଥିଲେ। ଏବେ ଉଦୟପୁରର ଦାଶରଥି ପାଠାଗାରରେ ଖୁବ୍ ଉପାଦେୟ ଓ ଗବେଷଣା କରିବା ଭଳି ପୁସ୍ତକ, ପୋଥି ମହଜୁଦ୍ ଅଛି।
ପାଠାଗାର ପ୍ରଶାସନ ଓ ପରିଚାଳନା ପାଇଁ ତାମିଲନାଡୁ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, କେରଳ, ଗୁଜୁରାଟ ଇତ୍ୟାଦି ରାଜ୍ୟ ପବ୍ଲିକ୍ ପାଠାଗାର ଆଇନ ପ୍ରଣୟନ କରିଛନ୍ତି। ବର୍ତ୍ତମାନ ସାରା ଭାରତବର୍ଷରେ ମହାରାଷ୍ଟ୍ରରେ ସର୍ବାଧିକ ୧୨,୧୯୨ଟି ପାଠାଗାର ଥିବାବେଳେ କେରଳରେ ୮୪୧୫ଟି ପାଠାଗାର ଥାଇ ଦ୍ୱିତୀୟ ସ୍ଥାନରେ ରହିଛି। ସେହିପରି କର୍ଣ୍ଣାଟକରେ ୬,୭୯୮ଟି ପାଠାଗାର ଅଛି। ବଡ଼ ରାଜ୍ୟ କଥା ଛାଡ଼ନ୍ତୁ, ତ୍ରିପୁରାରେ ୪୬ଟି ଓ ପୁଡୁଚେରୀରେ ୮୧ଟି ପାଠାଗାର ଥିବା ବେଳେ ଆମ ଓଡ଼ିଶାରେ ମାତ୍ର ୨୭ଟି ପାଠାଗାର ରହିଛି। ଓଡ଼ିଶା ରାଜ୍ୟ ରାଜଧାନୀରେ ଦୁଇଟି ଓ ୩୦ଟି ଜିଲ୍ଲାରେ ୧୭ଟି ପାଠାଗାର ରହିଛି। ଏହା ଏକ ବିକଳ ଚିତ୍ର। ତେବେ କେନ୍ଦ୍ର ସଂସ୍କୃତି ବିଭାଗ ପରିସଂଖ୍ୟାନରୁ ଜଣାଯାଏ ଭାରତବର୍ଷରେ ୨୦୧୯ରେ ୨୭,୬୮୨ଟି ପାଠାଗାରରୁ ୨୦୨୩ ମସିହା ପର୍ଯ୍ୟନ୍ତ ୪୬, ୭୬୮ଟିକୁ ପାଠାଗାର ସଂଖ୍ୟା ବୃଦ୍ଧି ଘଟିଛି। ଏହା ଶୁଭ ଲକ୍ଷଣ। କିନ୍ତୁ ଅନ୍ୟ ଦେଶ ତୁଳନାରେ ଆମେ ଖୁବ୍ ପଛରେ। ଏହା ମଧ୍ୟ ଚିନ୍ତାର ବିଷୟ।
ମୋ: ୯୪୩୭୦୧୩୧୩୯
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/08/12/dgdgvvccv-2025-08-12-02-04-10.jpg)