ଗତ ୮ ତାରିଖରେ ଯୁକ୍ତରାଷ୍ଟ୍ର ଆମେରିକାର ନ୍ୟୁ ଜର୍ସି ସ୍ଥିତ ହପ୍‌ୱେଲ୍ ଟାଉନ୍‌ସିପ୍‌ର ଜଣେ ଅଧିବାସୀ ଦେଖିବାକୁ ପାଇଥିଲେ ଯେ ତାଙ୍କ ଘର ଚଟାଣରେ ଏକ ଛୋଟ ପଥର ଖଣ୍ଡ ପଡ଼ିଛି। ଏହା ପରେ ସେ କୋଠରି ଛାତରେ ଦୁଇଟି କଣା ସମେତ କାଠ ଚଟାଣରେ ଗର୍ତ୍ତ ଦେଖିବାକୁ ପାଇଥିଲେ।

Advertisment

ପୁଲିସକୁ ଜଣାଇବା ପରେ ଉକ୍ତ ପଥରକୁ ପରୀକ୍ଷା ପାଇଁ ନିକଟସ୍ଥ କଲେଜର ପଦାର୍ଥବିଜ୍ଞାନ ବିଭାଗକୁ ପଠାଯାଇଥିଲା। ପରୀକ୍ଷାରୁ ଏବେ ସ୍ପଷ୍ଟ ହୋଇଛି ଯେ ଉକ୍ତ ପଥରଟି ବାସ୍ତବରେ ଏକ ବିରଳ ଉଲ୍‌କା। କୋଣ୍ଟ୍ରାଇଟ୍ ଶ୍ରେଣୀର ଏହି ଉଲ୍‌କା ପିଣ୍ଡଟି ପ୍ରାୟ ୪୬୦ କୋଟି ବର୍ଷ ପୁରୁଣା, ଅର୍ଥାତ୍ ଆମ ସୌରମଣ୍ଡଳ ସୃଷ୍ଟି ବେଳୁ ଏହା ଉପସ୍ଥିତ ଅଛି। ୧୫ ସେଣ୍ଟିମିଟର୍ ଲମ୍ବା ଓ ୧୦ ସେଣ୍ଟିମିଟର୍ ଓସାର ବିଶିଷ୍ଟ ଉଲ୍‌କାଟିର ଓଜନ ପ୍ରାୟ ୯୦୦ ଗ୍ରାମ୍। ନିକଟସ୍ଥ ପୋଷ୍ଟ ଅଫିସ୍‌ ଅନୁସାରେ ଏହାର ନାମ ‘ଟିଟୁସ୍‌ଭିଲ୍’ ରଖାଯିବ ବୋଲି ଅନୁମାନ କରାଯାଉଛି।