ଧର୍ମମାସ କାର୍ତ୍ତିକ ଆରମ୍ଭରେ ରାଜସ୍ଥାନର ଆଜମେର୍ ସହର ନିକଟସ୍ଥ ପୁଷ୍କରରେ ପ୍ରତିବର୍ଷ ବିଶାଳ ପ୍ରାଣୀ ମେଳା ଅନୁଷ୍ଠିତ ହୋଇଥାଏ। ଏହାକୁ ସ୍ଥାନୀୟ ଲୋକେ କାର୍ତ୍ତିକ ମେଳା ଓ ପୁଷ୍କର ଓଟ ମେଳା ବୋଲି କହିଥାଆନ୍ତି। କାର୍ତ୍ତିକ ପୂର୍ଣ୍ଣମୀରେ ଶେଷ ହେଉଥିବା ଏହି ମେଳାକୁ ଦେଶବିଦେଶର ୨ ଲକ୍ଷରୁ ଅଧିକ ଦେଖଣାହାରି ପରିଦର୍ଶନ କରିଥାଆନ୍ତି। ସାଧାରଣତଃ ବୃହଦ୍କାୟ ଓ ବିରଳ ପ୍ରାଣୀ ସମ୍ପଦ ପୁଷ୍କର ଆନ୍ତର୍ଜାତିକ ପ୍ରାଣୀ ମେଳାରେ ପ୍ରଦର୍ଶିତ ହେଉଥିବା ବେଳେ ଏଥର ଖର୍ବକାୟ ବା ବାମନାକୃତି ପ୍ରାଣୀମାନେ ଦେଖଣାହାରିଙ୍କ ଧ୍ୟାନ ଆକର୍ଷଣ କରିଛନ୍ତି। ସେଠାକୁ ଆସିଥିବା ସ୍ବଳ୍ପ ଉଚ୍ଚତାବିଶିଷ୍ଟ ଘୋଡ଼ା, ଗାଈ ଓ ବୃଷଭ ଆଦିଙ୍କୁ ଦେଖିବା ଲାଗି ଲୋକେ ବିଶେଷ ଆଗ୍ରହ ପ୍ରକାଶ କରୁଛନ୍ତି। ଅନେେକ ସେଗୁଡ଼ିକୁ କିଣିବାକୁ ଚାହୁଛନ୍ତି, କିନ୍ତୁ ଖାମିଦମାନେ ସେମାନଙ୍କୁ କେବଳ ପ୍ରଦର୍ଶନୀ ନିମନ୍ତେ ଆଣିଛନ୍ତି, ବିକ୍ରୟାର୍ଥେ ନୁହେଁ ବୋଲି ସ୍ପଷ୍ଟ କହିଦେଉଛନ୍ତି।
ଅନ୍ୟାନ୍ୟ ପ୍ରାଣୀ ସମ୍ପଦ ବ୍ୟତିରେକେ ଓଟ ଓ ଘୋଡ଼ା କିଣାବିକା ନିମନ୍ତେ ପୁଷ୍କର ଦେଶର ସବୁଠୁ ବଡ଼ ମେଳା। ଏଠାକୁ ଦେଶର ବିଭିନ୍ନ ପ୍ରାନ୍ତରୁ ପ୍ରାଣୀସମ୍ପଦ ପାଳକମାନେ ଆସନ୍ତି। ବିଦେଶୀ ପର୍ଯ୍ୟଟକମାନଙ୍କୁ ବି ଏ ମେଳା କମ୍ ଆକୃଷ୍ଟ କରେନାହିଁ। ପୁଙ୍ଗନୁର୍ ଗାଈ ଓ ଷଣ୍ଢ ଭଳି ସ୍ବଦେଶୀ ପ୍ରାଣୀ ପ୍ରଜନନ ଓ ସଂରକ୍ଷଣ କରି ସୁନାମ ଅର୍ଜନ କରିଥିବା ଜୟପୁରବାସୀ ଅଭିନବ ତିୱାରୀ ଏଥର ମେଳାକୁ ଆଣିଛନ୍ତି ଦୁନିଆର ସବୁଠୁ କ୍ଷୁଦ୍ର ପ୍ରଜାତିର ଅଣ୍ଡିରା ଓ ମାଈଘୋଡ଼ା।
ଗତବର୍ଷ ପରି ଏଥର ବି ତାଙ୍କ ଷ୍ଟଲ୍ରେ ବହୁସଂଖ୍ୟକ ଦେଖଣାହାରି ସେଟ୍ଲାଣ୍ଡ୍ର ମୂଳନିବାସୀ ଖର୍ବକାୟ ପ୍ରଜାତିର ଘୋଡ଼ାଙ୍କୁ ଟିକେ ଦେଖିବା ପାଇଁ ଗହଳି କରୁଛନ୍ତି। ଅେନକେ ମେଳା ବୁଲିଯିବା ସନ୍ତକ ସ୍ବରୂପ ସେମାନଙ୍କର ଫଟୋ ବି ଉଠାଇ ନେଉଛନ୍ତି। ବିକ୍ରି ପାଇଁ ଆସି ନ ଥିଲେ ବି ବହୁ ଦେଖଣାହାରି ସେ କ୍ଷୁଦ୍ର ଘୋଡ଼ାଙ୍କୁ କିଣିବାକୁ ମନବଳାଉଛନ୍ତି। ମାତ୍ର ତିୱାରୀ ସଫା ସଫା ଶୁଣାଇ ଦେଉଛନ୍ତି ଯେ ଏ କ୍ଷୁଦ୍ର ପ୍ରାଣୀମାନଙ୍କୁ ସେ କେବଳ ପ୍ରଦର୍ଶନ ନିମନ୍ତେ ଆଣିଛନ୍ତି; ଚଢ଼ାଦରରେ ବିକ୍ରି କରି ଲାଭ ଉଠାଇବାକୁ ନୁହେଁ। ଲୋକେ ସେମାନଙ୍କୁ ଦେଖି ଆନନ୍ଦିତ ହେଉଛନ୍ତି। ଏ କ୍ଷୁଦ୍ର ପ୍ରଜାତି ଘୋଡ଼ାଙ୍କ ଆଦିନିବାସ ସ୍କଟ୍ଲାଣ୍ଡ୍ର ସେଟ୍ଲାଣ୍ଡ୍ ଦ୍ବୀପ। ତେଣୁ ସେମାନଙ୍କର ନାଁ ‘ସେଟ୍ଲାଣ୍ଡ୍ ପନି’ ବା ସେଟ୍ଲାଣ୍ଡ୍ ତଟୁଘୋଡ଼ା। ବଗ୍ରୁରେ ଥିବା ଫାର୍ମରେ ତିୱାରୀ ଏସବୁ କ୍ଷୁଦ୍ରକାୟ ପ୍ରାଣୀ ପାଳନ କରୁଛନ୍ତି।
ପୁଷ୍କର ମେଳାକୁ ନିୟମିତ ଆସୁଥିବା ତିୱାରୀ କହନ୍ତି, ‘‘ସେଟ୍ଲାଣ୍ଡ୍ ତଟୁଘୋଡ଼ା ହେଉଛି ଦୁନିଆର ସବୁଠୁ କ୍ଷୁଦ୍ର ଘୋଡ଼ା ପ୍ରଜାତି। ସ୍କଟ୍ଲାଣ୍ଡ୍ରୁ ଏହି ତଟୁଘୋଡ଼ା ଆମଦାନି ହୋଇଆସିଛି। ମୁଁ ପଞ୍ଜାବରୁ ଏମାନଙ୍କୁ କିଣିଛି। ସଉକରେ ମୁଁ ଚାରିଟି ସେଟ୍ଲାଣ୍ଡ୍ ଘୋଡ଼ା ପାଳିଛି ସତ, ହେଲେ ରାଜସ୍ଥାନର ଅସଲ ପରିଚୟ ହେଉଛି ସବୁଠୁ ଅଗ୍ରଣୀ ପ୍ରଜାତିର ଘୋଡ଼ା ମାର୍ୱାଡ଼ି ପ୍ରଜାତି।’’
ସେଟ୍ଲାଣ୍ଡ୍ ଘୋଡ଼ାଙ୍କର ଉଚ୍ଚତା ୨୪ରୁ ୩୦ ଇଞ୍ଚ୍ (ଦୁଇରୁ ଅଢ଼େଇ ଫୁଟ୍) ପର୍ଯ୍ୟନ୍ତ। ସେମାନଙ୍କ ଓଜନ ୨୦୦ କିଲୋ ପର୍ଯ୍ୟନ୍ତ ହୁଏ। ତେଣୁ, ହଠାତ୍ ଦେଖୁଥିବା ଲୋକ ଏମାନଙ୍କୁ ଘୋଡ଼ା ବୋଲି ଭାବନ୍ତି ନାହିଁ। ୧୦ ବର୍ଷରୁ କମ୍ ବୟସ୍କ ପିଲାଏ ଏହା ଉପରେ ସବାର ହୋଇପାରିବେ। କିନ୍ତୁ, ଅଧିକ ବୋଝ ସମ୍ଭାଳି ପାରୁ ନ ଥିବାରୁ ବୟସ୍କମାନେ ଏମାନଙ୍କ ଉପରେ ବସିପାରିବେ ନାହିଁ। ତିୱାରୀ ଏହା ମଧ୍ୟ କହିଛନ୍ତି, ‘‘ଏମାନଙ୍କୁ ଦେଖିବା ପାଇଁ ହିଁ ବହୁସଂଖ୍ୟକ ଲୋକ ମେଳା ବୁଲିଆସୁଛନ୍ତି। ପ୍ରଥମ ନଜରରେ ଲୋକେ ଜାଣିପାରୁ ନାହାନ୍ତି ଯେ ଏମାନେ ଘୋଡ଼ା। କାରଣ, ଭାରତରେ ଅତି ସ୍ବଳ୍ପ ଲୋକ ସେଟ୍ଲାଣ୍ଡ୍ ଘୋଡ଼ା ପାଳିଛନ୍ତି। ମୁଁ ମେଳାକୁ ଆଣିଥିବା ସବୁଠୁ ସାନ ଘୋଡ଼ାକୁ ଆଠମାସ। ବାକି ତିନିଟି ଘୋଡ଼ାଙ୍କ ବୟସ ଚାରିବର୍ଷ।’’
ତଟୁଘୋଡ଼ା ବ୍ୟତିରେକେ, ସେ ବାମନ ପ୍ରଜାତିର ଷୋହଳଟି ଗାଈ ଓ ତିନିଟି ବୃଷଭ ଆଣିଛନ୍ତି। ଏସବୁ ପୁଙ୍ଗନୁର୍ ଓ ବିଛୁର୍ ପ୍ରଜାତିର। ଦକ୍ଷିଣ ଭାରତର ଆଦିନିବାସୀ ପୁଙ୍ଗନୁର୍ ଗୋରୁଙ୍କ ଉଚ୍ଚତା ୨୪ରୁ ୩୬ ଇଞ୍ଚ୍ ମଧ୍ୟରେ। ତେଣୁ, ଛୋଟ ସ୍ଥାନରେ ଏମାନଙ୍କୁ ପାଳିହେବ। ଯେଉଁମାନେ ଗାଈ ପାଳିବାକୁ ଆଗ୍ରହୀ, କିନ୍ତୁ ସ୍ଥାନ ସ୍ବଳ୍ପତା ଦୃଷ୍ଟିରୁ ପାଳି ପାରୁ ନାହାନ୍ତି, ସେମାନେ ପୁଙ୍ଗନୁର୍ ଗାଈ ରଖିବା ଉଚିତ।
Follow Us