୧୮୯୮ ମସିହାର କଲିକତା। ସହରର ଗଳିକନ୍ଦିରେ ତଥାପି ରିକ୍ସାର ଟୁଂ ଟାଂ ଶବ୍ଦ, ହାତରେ ଗାମୁଛା ବନ୍ଧା ଠେଲାଗାଡ଼ି ଟାଣି ଯୁବକମାନେ ଧାଉଁଛନ୍ତି। ଚାରିଆଡ଼େ ଇଂରେଜମାନଙ୍କର ବିଳାସବହୁଳ ମଟର ଗାଡ଼ି, ପୁଣି ସ୍ଥାନେସ୍ଥାନେ ମାଟିର ଘର ଭିତରେ ରହୁଥିବା ପରିବାରମାନଙ୍କରେ କ୍ଷୁଧାର ହାହାକାର। ଏଇ ସମୟରେ ନାରୀର ବିମର୍ଷ ଭାଗ୍ୟକୁ ନେଇ ଚିନ୍ତିିତା ସରଳାଦେବୀ ଚୌଧୁରାଣୀଙ୍କ ଆଖି ଆଗରେ ଭାସିଉଠିଲା ଶିବାନୀର ମୁହଁ। ବିବାହର ମାତ୍ର କିଛିଦିନ ପରେ ହଠାତ୍‌ ରୋଗରେ ତା’ ସ୍ବାମୀର ମୃତ୍ୟୁ ହୋଇଛି। ବାପଘରକୁ ଫେରି ଆସିଛି ସେ।

Advertisment

ସରଳା ଜାଣିଥିଲେ, ନାରୀର ମୁକ୍ତି କେବଳ ବିଦ୍ୟା ଅର୍ଜନରେ ନାହିଁ, ଶିକ୍ଷାଲାଭ ସହିତ ଅର୍ଥନୈତିକ ସ୍ବାଧୀନତା ଭିତରେ ଲୁଚିରହିଛି। ଅସଂଖ୍ୟ ଶିବାନୀଙ୍କୁ ସମର୍ଥ କରି ଗଢ଼ିବା ପାଇଁ ସେ ମନେମନେ ନିଷ୍ପତ୍ତି ନେଲେ। ଦିନେ ଶୀତ ସନ୍ଧ୍ୟାରେ ସେ ଆଖପାଖର ନାରୀମାନଙ୍କୁ ଡାକିଲେ। ସେମାନଙ୍କ ଭିତରେ ଧନୀ, ନିର୍ଧନା, ଶିକ୍ଷିତା, ଅଶିକ୍ଷିତା ଥିଲେ। ସେମାନଙ୍କୁ ଶାନ୍ତ ଗଳାରେ କହିଲେ, “ଭଉଣୀମାନେ, ଆମେମାନେ ଆଜି ଯାହା କରିବା ପାଇଁ ଭାବିଛୁ, ତାହା ନିହାତି ଛୋଟ ଚାରାଗଛଟିଏ ବୋଲି ମନେହେଲେ ମଧ୍ୟ ଦିନେ ନା ଦିନେ ମହୀରୁହ ହେବ। ଆମେମାନେ ଯଦି ପ୍ରତ୍ୟେକେ ମାସକୁ ଅଣାଏ, ଦୁଇଅଣା କରି ସଞ୍ଚୟ କରିବା, ତାହାହେଲେ ଗୋଟିଏ ଭଣ୍ଡାର ଧୀରେ ଧୀରେ ପୂର୍ଣ୍ଣ ହୋଇ ଉଠିବ। ତାହାର ନାମ ଦେବା ଲକ୍ଷ୍ମୀ ଭଣ୍ଡାର, ଯେଉଁ ଭଣ୍ଡାର ହେବ ଆମମାନଙ୍କର ଶକ୍ତିର ପ୍ରତୀକ।’’ ତେବେ ସଭା‌ମଧ୍ୟରୁ କିଛି ଗୁଞ୍ଜରଣ ଶୁଣିଲା ପରେ ସରଳାଦେବୀ ଶାନ୍ତ କିନ୍ତୁ ଦୃଢ଼ ସ୍ବରରେ କହିଲେ, ‘‘ଆଜି ତୁମେମାନେ ଯାହାକୁ ତୁଚ୍ଛ ବୋଲି ଭାବୁଛ, କାଲି ତାହା ଜୀବନ ରକ୍ଷା କରିବ। ସ୍ବାମୀ ହଠାତ୍‌ ଚାଲିଗଲେ, ବାପଘରର ସାମର୍ଥ୍ୟ ନାହିଁ, ଏମିତି ଯଦି କାହାରି ଜୀବନରେ ଦୁର୍ଦ୍ଦିନ ଆସେ? ସେତେବେଳେ ଏହି ସଞ୍ଚିତ ଅର୍ଥ ହିଁ ଆଣିଦେବ ମୁକ୍ତିର ଆଲୋକ। ‘ଶିକ୍ଷା ଓ ସଞ୍ଚୟ’ ଏହି ଦୁଇ ଶକ୍ତି ବ୍ୟତୀତ ନାରୀ କେବେହେଲେ ସ୍ବାଧୀନ ହୋଇପାରିବ ନାହିଁ।” ସରଳା ଦେବୀଙ୍କର ସେହି କେଇପଦ କଥା ଯେମିତି ମନ୍ତ୍ରପରି କାମ କଲା। କେହି ଅଣାଏ, କେହି ଦୁଇଅଣା ତାଙ୍କ ହାତକୁ ବଢ଼ାଇଦେଲେ। ସେହି ଟଙ୍କାସବୁ ଗୋଟିଏ କାଠର ସିନ୍ଦୁକରେ ରଖାହେଲା। ସିନ୍ଦୁକ ଉପରେ ନାଲି କନା ଘୋଡ଼ାଇଦେଇ ତା’ ଉପରେ ଲେଖି ଦିଆଗଲା ‘ଲକ୍ଷ୍ମୀ ଭଣ୍ଡାର’। 

ସମୟ ଗଡ଼ିଚାଲିଲା। ପ୍ରତି ସପ୍ତାହରେ ନାରୀମାନେ ଆସି ସରଳାଙ୍କ ଘରେ ରୁଣ୍ଡ ହେଉଥିଲେ। କେବଳ ଟଙ୍କା ଜମା ଦେବାପାଇଁ ନୁହେଁ, ସେମାନେ ଏକତ୍ରିତ ହୋଇ ଗପସପ କରୁଥିଲେ, ଗୀତ ଗାଉଥିଲେ, ନିଜ ନିଜର ଦୁଃଖ, ଅକୁହା ବେଦନା ବ୍ୟକ୍ତ କରୁଥିଲେ। ସେହି ଭଣ୍ଡାର କେବଳ ସଞ୍ଚୟର ସ୍ଥାନ ନୁହେଁ, ତାହା ଥିଲା ନାରୀମାନଙ୍କର ଆତ୍ମବିଶ୍ବାସର ଅଗଣା। ଆରମ୍ଭ ହେଲା ବିଭିନ୍ନ ସିଲେଇ ଶିକ୍ଷା, କଣ୍ଢେଇ ତିଆରି କରିବା, ସୌଖିନ ଗହଣା ତିଆରି କରିବା ଇତ୍ୟାଦି। କ୍ରମଶଃ ସରଳା ଦେବୀଙ୍କ ଅଗଣା ପାଲଟିଗଲା ନାନା ଧରଣର ହାତକାମର ଶିକ୍ଷାକେନ୍ଦ୍ର। ସରଳା ଦେବୀ କହୁଥିଲେ, “ଦେଖ, ସଞ୍ଚୟ ଓ କାମରେ ଦକ୍ଷତା ଦୁଇଟାଯାକ ଥିଲେ କୌଣସି ନାରୀ ପରର ଦୟାର ପାତ୍ରୀ ହେବେନାହିଁ।’’ ଏହିପରି ଭାବରେ ସେହି ସିନ୍ଦୁକ ଭିତରେ ଟଙ୍କାପଇସା ସହିତ ଛୋଟ ଛୋଟ ରୁପା ଓ ସୁନାର ଅଳଙ୍କାର ବି ଜମା ହେବାକୁ ଲାଗିଲା। ସେଥିରୁ ଅସହାୟ ମହିଳାମାନଙ୍କୁ ଆର୍ଥିକ ସାହାଯ୍ୟ ଦିଆଗଲା। ଯାହାଦ୍ବାରା ସେମାନେ କ୍ରମେ ଉପାର୍ଜନକ୍ଷମ ହେବାକୁ ଲାଗିଲେ।

ଦୁଇ ବର୍ଷ ପରେ ଶିବାନୀ ଆସି କହିଲା, “ଦିଦି, ମୁଁ ଗୋଟିଏ ଛୋଟ କାରଖାନା ଖୋଲିଛି। ମହିଳାମାନେ ସେଠାରେ କଣ୍ଢେଇ ତିଆରି କରନ୍ତି, ଫୁଲମାଳ ଗୁନ୍ଥନ୍ତି। ଲକ୍ଷ୍ମୀଭଣ୍ଡାରର ସାହାଯ୍ୟ ପାଇ ତ ମୁଁ ଏସବୁ କରିବାକୁ ସକ୍ଷମ ହୋଇଛି।’’ ସରଳାଙ୍କ ଆଖିରେ ଲୁହ! ସେ ଅନୁଭବ କଲେ, ଲକ୍ଷ୍ମୀଭଣ୍ଡାର କେବଳ ଟଙ୍କା ସଞ୍ଚୟ କରିବାର ସ୍ଥାନ ନୁହେଁ, ଏହା ସ୍ବପ୍ନ ସଞ୍ଚୟ କରିବାର ସ୍ଥାନ। ଏଠାରେ ସଞ୍ଚିତ ହେଉଛି ନାରୀର ଶକ୍ତି, ସାହସ ଓ ମୁକ୍ତିର ଆଲୋକ। ଆମେ ଯଦି ଚାହିବା, ତେବେ ସଂସାରର ଚାରିକାନ୍ଥ ବାହାରକୁ ଆଲୋକରେ ଉଦ୍‌ଭାସିତ କରିଦେଇ ପାରିବା। ଶିକ୍ଷା, ସଞ୍ଚୟ ଓ ଐକ୍ୟ- ଏହି ତିନିଟିର ମିଶ୍ରଣ ହିଁ ନାରୀଶକ୍ତି। ଲକ୍ଷ୍ମୀଭଣ୍ଡାରର ସେହି କାଠ ସିନ୍ଦୁକ ଉପରେ ସେଦିନ ଗନ୍ଧରାଜ ଫୁଲର ମାଳା ରଖାଗଲା। ସରଳା ଦେବୀଙ୍କ କଣ୍ଠରେ ଦୃଢ଼ ଉଚ୍ଚାରଣ, “ଦିନ ଆସିବ, ଏହି ଭଣ୍ଡାର କେବଳ ଘରର ଚାରିକାନ୍ଥ ଭିତରେ ରହିବ ନାହିଁ। ଏହା ହୋଇ ଉଠିବ ସମଗ୍ର ଦେଶର ନାରୀମାନଙ୍କର ମୁକ୍ତିର ମନ୍ତ୍ର।’’

ତଥ୍ୟ ସୂତ୍ର- ଅକ୍ସଫୋର୍ଡ ଡିକ୍ସିନାରି ଅଫ୍ ନ୍ୟାସନାଲ ବାୟୋଗ୍ରାଫି
ଉପସ୍ଥାପନା- ପ୍ରଦୀପ କୁମାର ରାୟ