ଚୈତ୍ର ଶୁକ୍ଳପକ୍ଷ ତ୍ରୟୋଦଶୀର ନାମ ‘ଅନଙ୍ଗ ତ୍ରୟୋଦଶୀ’। ‘ଅନଙ୍ଗ’ ଅର୍ଥ କାମଦେବ। ‘ଭବିଷ୍ୟପୁରାଣ’ରେ ଥିବା ବର୍ଣ୍ଣନା ଅନୁସାରେ, ଏହି ତିଥିରେ ବ୍ରତ ପାଳନ କରି କାମଦେବ ଓ ରତିଦେବୀଙ୍କର ପୂଜା କରାଯାଏ। ବସନ୍ତ ପ୍ରେମର ଋତୁ ଏବଂ କାମଦେବ ଓ ରତି ଏହି ଋତୁର ଦମ୍ପତି। ଏଣୁ ଏହି ଦିନ ବସନ୍ତର ପୂଜା ମଧ୍ୟ କରାଯାଇଥାଏ। ତେବେ କେବଳ ଚୈତ୍ର ଶୁକ୍ଳ ଏକାଦଶୀ ନୁହେଁ; ବର୍ଷର ସମସ୍ତ ଶୁକ୍ଳ ତ୍ରୟୋଦଶୀରେ ଏହି ବ୍ରତ ପାଳନ କରାଯାଏ। ଏହି ବ୍ରତ କଲେ ଦାମ୍ପତ୍ୟ ପ୍ରେମ ନିବିଡ଼ ହେବା ସହିତ, ପତି-ପତ୍ନୀ ସୁଖ, ସୌଭାଗ୍ୟ ଓ ସନ୍ତାନ ଲାଭ କରନ୍ତି। ସାଧାରଣତଃ ଚତୁର୍ଦ୍ଦଶୀ ଶିବଙ୍କର ପ୍ରିୟ ତିଥି। ଉଭୟ କୃଷ୍ଣ ଓ ଶୁକ୍ଳ ଚତୁର୍ଦ୍ଦଶୀ ତାଙ୍କର ପ୍ରିୟ। କିନ୍ତୁ ଏହି ତ୍ରୟୋଦଶୀ ମଧ୍ୟ ଶିବଙ୍କର ପ୍ରିୟ ତିଥି। କାମଦେବ ଓ ରତିଦେବୀଙ୍କ ପରି, ଶିବ-ପାର୍ବତୀ ମଧ୍ୟ ଦାମ୍ପତ୍ୟପ୍ରେମର ପ୍ରତୀକ।
କାମଦେବଙ୍କର ଅନ୍ୟ ଦୁଇଟି ନାମ ହେଉଛି- ପ୍ରଦ୍ୟୁମ୍ନ ଓ ଶମ୍ବରାରି। ତାଙ୍କର ନାମ ‘ଶମ୍ବରାରି’ ହେବାର କାରଣ, ସେ ଶମ୍ବର ନାମକ ଅସୁରକୁ ନିହତ କରିଥିଲେ। ସେ ‘ପ୍ରଦ୍ୟୁମ୍ନ’- କାରଣ, ଶିବଙ୍କ ତୃତୀୟ ନେତ୍ରର ଅଗ୍ନିରେ କାମଦେବ ନିଜର ଶରୀର ହରାଇ ‘ଅନଙ୍ଗ’ ହେବା ପରେ, ଶ୍ରୀକୃଷ୍ଣ ଓ ଋକ୍ମିଣୀଙ୍କ ସନ୍ତାନ ରୂପେ ସେ ଜାତ ହୋଇଥିଲେ ଏବଂ ତାଙ୍କର ନାମ ରହିଥିଲା ପ୍ରଦ୍ୟୁମ୍ନ। ଶମ୍ବରାରି ଓ ପ୍ରଦ୍ୟୁମ୍ନ ନାମ ସହ ସଂପର୍କିତ ଏକ ଉପାଖ୍ୟାନର ମର୍ମ ମଧ୍ୟ ଦାମ୍ପତ୍ୟପ୍ରେମ।

Advertisment

ଚତୁର୍ଦ୍ଦଶୀ ଶିବଙ୍କର ପ୍ରିୟ ତିଥି। ଉଭୟ କୃଷ୍ଣ ଓ ଶୁକ୍ଳ ଚତୁର୍ଦ୍ଦଶୀ ତାଙ୍କର ପ୍ରିୟ। କିନ୍ତୁ ଏହି ତ୍ରୟୋଦଶୀ ମଧ୍ୟ ଶିବଙ୍କର ପ୍ରିୟ ତିଥି। କାମଦେବ ଓ ରତିଦେବୀଙ୍କ ପରି, ଶିବ-ପାର୍ବତୀ ମଧ୍ୟ ଦାମ୍ପତ୍ୟପ୍ରେମର ପ୍ରତୀକ।

ଶମ୍ବର ଅସୁର ଜାଣିଥିଲା, ଶ୍ରୀକୃଷ୍ଣଙ୍କ ପୁତ୍ର ପ୍ରଦ୍ୟୁମ୍ନଙ୍କ ହାତରେ ତା’ର ମୃତ୍ୟୁ ହେବ। ସେଥିପାଇଁ ପ୍ରଦ୍ୟୁମ୍ନ ମାତ୍ର ୬ ଦିନର ଶିଶୁ ହୋଇଥିବାବେଳେ, ସେ ତାଙ୍କୁ ସୂତିକା ଗୃହରୁ ଚୋରି କରି ନେଇ ସମୁଦ୍ରରେ ନିକ୍ଷେପ କଲା। ସମୁଦ୍ରରେ ପ୍ରଦ୍ୟୁମ୍ନଙ୍କୁ ଏକ ମାଛ ଗିଳିଦେଲା। ଗୋଟିଏ କେଉଟ ସେହି ମାଛକୁ ଧରି ଘରକୁ ଆଣିଲା। କନ୍ଦର୍ପପତ୍ନୀ ରତିଦେବୀ ମାୟାବତୀ ନାମ ଧାରଣ କରି ସେହି କେଉଟ ଘରେ ରହିଥିଲେ। ସେ ମାଛକୁ କାଟି ତା’ ପେଟରୁ ନିଜର ଭାବୀ ସ୍ୱାମୀ ପ୍ରଦ୍ୟୁମ୍ନଙ୍କୁ ଉଦ୍ଧାର କଲେ ଏବଂ ଆଦରରେ ତାଙ୍କୁ ଲାଳନପାଳନ କଲେ। ପ୍ରଦ୍ୟୁମ୍ନଙ୍କୁ ୧୬ ବର୍ଷ ବୟସ ହେବା ପରେ ମାୟାବତୀ ବା ରତିଦେବୀ ତାଙ୍କୁ ପୂର୍ବଜନ୍ମ ବୃତ୍ତାନ୍ତ ଶୁଣାଇଲେ ଏବଂ ପ୍ରଦ୍ୟୁମ୍ନ ଶମ୍ବୁରାସୁରକୁ ନିହତ କରିବା ସହିତ ରତିଦେବୀଙ୍କୁ ପୁନର୍ବାର ସ୍ତ୍ରୀ ରୂପେ ପାଇଲେ। ଏଣୁ ଅନଙ୍ଗ ତ୍ରୟୋଦଶୀ ଦାମ୍ପତ୍ୟ ସୁଖ ଓ ପୁତ୍ରସୁଖ ପ୍ରାପ୍ତି ନିମନ୍ତେ ପାଳିତ ହେଉଥିବା ଏକ ବ୍ରତ।