ଝିଅଟିର ନାଆ ସାଦାକୋ ସାସାକି। ୧୯୪୩ ଜାନୁଆରୀ ମାସରେ ତାର ଜନ୍ମ। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଆମେରିକା ଜାପାନର ହିରୋସୀମା ସହର ଉପରେ ୧୯୪୫ ଅଗଷ୍ଟ ୬ ତାରିଖରେ ଆଣବିକ ବୋମା ନିକ୍ଷେପ କଲାବେଳକୁ ତାକୁ ଅଢ଼େଇ ବର୍ଷ ବୟସ। ସେଦିନ ସାଦାକୋ ସୌଭାଗ୍ୟକ୍ରମେ ବଞ୍ଚିଯାଇଥିଲା ସତ, ମାତ୍ର ୧୧ ବର୍ଷ ହେବା ବେଳକୁ ସେ ଗୁରୁତର ଅସୁସ୍ଥ ହୋଇପଡ଼ିଲା। ଡାକ୍ତରମାନେ ନିରୂପଣ କଲେ, ଯେ ଆଣବିକ ବିକିରଣରେ ପ୍ରଭାବିତ ହୋଇ ସେ ରକ୍ତକର୍କଟ ରୋଗରେ ପୀଡ଼ିତ। ବଞ୍ଚିବାର ଆଶା ପ୍ରାୟ ନଥାଏ। ତା’ ସ୍କୁଲ୍‌ର ସାଙ୍ଗସାଥୀମାନେ ଦଳଦଳ ହେଇ ଆସୁଥାନ୍ତି ତାକୁ ଭେଟିବାକୁ। ଜଣେ ସାଙ୍ଗ ତାକୁ ଦିନେ କାଗଜରେ ତିଆରି ସାରସଟିଏ ବଢ଼ାଇଦେଲା ଏବଂ କହିଲା, ସେ ଯଦି କିଛି ମାନସିକ ରଖି ନିଜ ହାତରେ ହଜାରେଟି କାଗଜ ସାରସ ତିଆରି କରେ, ତେବେ ତାର ଆଶା ନିଶ୍ଚୟ ପୂରଣ ହେବ।

Advertisment

ସାଦାକୋ ବଞ୍ଚିବାକୁ ଚାହୁଁଥିଲା। ଡାକ୍ତରଖାନାରୁ ଭଲ ହୋଇ ଫେରିଆସି ସାଙ୍ଗସାଥୀଙ୍କ ସହ ଖେଳିବାକୁ ଚାହୁଁଥିଲା। ଏଣୁ ସେ ସେହିଦିନରୁ କାଗଜ ସାରସ ତିଆରି କରିବା ଆରମ୍ଭ କରିଦେଲା। କୌଣସି କଥାରେ ତାର ଆଉ ମନ ନଥାଏ। ତାକୁ ଦେଖିବାକୁ ଆସୁଥିବା ଲୋକ, ପାଖ ବେଡ୍‌ର ରୋଗୀ, ଡାକ୍ତରଖାନାର ଷ୍ଟାଫ୍‌- ସମସ୍ତଙ୍କୁ ପୁରୁଣାକାଗଜ ମାଗି, ରାତି ଦିନ ତାର ଦୁର୍ବଳ ହାତ ଦୁଇଟିରେ କାଗଜ ଭାଙ୍ଗି ସାରସ ତିଆରି କରିବାରେ ଲାଗିଥାଏ। ମାତ୍ର ୧୯୫୫ ଅକ୍ଟୋବର ୨୫ ତାରିଖରେ ତାର ମୃତ୍ୟୁ ହେଲା। ସାଥୀ ପିଲାମାନେ ଗଣି ଦେଖିଲେ, ତା ଶେଯ କଡ଼ରେ ଥୁଆ ହୋଇଛି ୬୪୪ଟି କାଗଜ ସାରସ। ସେମାନେ ବାକି ୩୫୬ଟି ସାରସ ତିଆରି କରି ତାର ମୃତ୍ୟୁ ଶଯ୍ୟା ନିକଟରେ ରଖିଲେ। ବଞ୍ଚିବାକୁ ଚାହୁଁଥିବା ନିଷ୍ପାପ ଶିଶୁଟି ଜୀବନ ହରାଇଦେଲା ସିନା, ସାରା ବିଶ୍ୱରେ ସେ ଓ ତାର କାଗଜ ସାରସ, ଆଣବିକ ଯୁଦ୍ଧର ବିଭୀଷିକା ବିରୋଧରେ ସଚେତନତାର ଏକ ପ୍ରତୀକ ପାଲଟିଗଲେ।

୧୯୫୮ ମସିହାରେ ହିରୋସୀମା ଶାନ୍ତି ସଂଗ୍ରହାଳୟ ନିକଟରେ ସାଦାକୋର ସ୍ମୃତିରେ ଏକ ସ୍ମୃତିସ୍ତମ୍ଭ ଉନ୍ମୋଚିତ ହେଲା। ସେହି ସ୍ତମ୍ଭର ଉପରିଭାଗରେ ସାଦାକୋ ଦୁଇହାତ ଉପରକୁ ଟେକି ଠିଆହୋଇଛି। ହାତରେ ତାର ଉଡ଼ିବାକୁ ଉଦ୍ୟତ ସାରସଟିଏ। ସାଦାକୋ ଯେମିତି ଏକ ପରୀ, ଏକ ଶାନ୍ତିଦୂତ। ଆଜି ରୁଷ୍‌-ୟୁକ୍ରେନ୍ ଯୁଦ୍ଧ ଥମିବାର ନାଆଁ ନେଉନଥିବାବେଳେ, ସାରାବିଶ୍ୱର ଶାନ୍ତିକାମୀ ମଣିଷଙ୍କ ଆତ୍ମାରେ ପ୍ରତିଧ୍ୱନିତ ହେଉଛି ସାଦାକୋର ସେହି ଆକୁଳ ପ୍ରାର୍ଥନା- “ମୁଁ ବଞ୍ଚିବାକୁ ଚାହେଁ।”
-ସ୍ୱରାଜ ମିଶ୍ର