୨୦୦୦ ମସିହାର କଥା। ନବ ଗଠିତ ବିଜୁ ଜନତା ଦଳର ନିର୍ବାଚନ ରଣନୀତି ନିର୍ଣ୍ଣୟ ଲାଗି ରାଜନୈତିକ ବ୍ୟାପାର କମିଟିର ବୈଠକ ଭୁବନେଶ୍ବରର ଏକ ତାରକା ହୋଟେଲ୍‌ରେ ଚାଲିଥାଏ। ବୈଠକରେ ଅଧ୍ୟକ୍ଷତା କରୁଥାଆନ୍ତି ଦଳର ଅନ୍ୟତମ କ୍ଷମତାଶାଳୀ ନେତା ବିଜୟ ମହାପାତ୍ର। ଏହି ସମୟରେ ବାଜି ଉଠିଲା ବିଜୟଙ୍କ ମୋବାଇଲ୍ ଫୋନ୍। ସୁଇଚ୍ ଅନ୍‌ କରି ହ୍ୟାଲୋ କହିବାର କିଛି ମୁହୂର୍ତ୍ତ ଭିତରେ ତାଙ୍କ ମୁହଁର ଭାବ ପୂରା ବଦଳିଗଲା। ସେପଟୁ ଖବର ଆସିଥିଲା- ଦଳର ସଭାପତି ଶେଷ ମୁହୂର୍ତ୍ତରେ ତାଙ୍କର ଟିକେଟ୍ କାଟି ଦେଇଛନ୍ତି। ତାଙ୍କ ବଦଳରେ ଅତନୁ ସବ୍ୟସାଚୀ ନାୟକଙ୍କୁ ପ୍ରାର୍ଥୀ କରାଯାଇଛି ଏବଂ ସେ କେନ୍ଦ୍ରାପଡ଼ାରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଏ ଖବର ଶୁଣି ସେଇଠି ଅଟକିଗଲା ବୈଠକ। ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନରେ ଦଳର ସଭାପତି ବଦଳାଇ ଦେଲେ ପ୍ରାର୍ଥୀ। ବିଜୟ ମହାପାତ୍ରଙ୍କ ହାତରେ ସ୍ବାଧୀନ ପ୍ରାର୍ଥୀ ଭାବେ ମନୋନୟନ ପତ୍ର ଦାଖଲ କରିବା ଲାଗି ସମୟ ବି ନ ଥିଲା। ସେ ନିର୍ବାଚନ ମଇଦାନକୁ ଓହ୍ଲାଇବାରୁ ବଞ୍ଚିତ ହେଲେ।

Advertisment

ଭାରତୀୟ ରାଜନୀତିରେ ନବୀନ ପଟ୍ଟନାୟକ ଜଣେ ବିରଳ ବ୍ୟକ୍ତିତ୍ବ। ବାରମ୍ବାର ଦେଶର ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ବିବେଚିତ ହୋଇଥିଲେ ବି ଜାତୀୟ ରାଜନୀତିକୁ ଯିବା ଲାଗି କେବେ ବି ସେ ଆଗ୍ରହ ପ୍ରକାଶ କରିବା ଦେଖାଯାଇନାହିଁ। ଅନ୍ୟ ରାଜନେତାଙ୍କ ଭଳି ପ୍ରତିପକ୍ଷଙ୍କୁ କଟୁ ଶବ୍ଦରେ ସମାଲୋଚନା କରିବା କିମ୍ବା ବୟାନବାଜି କରିବା ବି ତାଙ୍କର ସ୍ବଭାବ ନୁହେଁ। ଅତ୍ୟନ୍ତ ଭଦ୍ର, ଅମାୟିକ ଓ ସ୍ବଳ୍ପଭାଷୀ ରାଜନେତା ଭାବେ ଜାତୀୟସ୍ତରରେ ତାଙ୍କର ରହିଛି ଭିନ୍ନ ପରିଚୟ। ଏଥର ଓଡ଼ିଶା ରାଜନୀତିର ଏହି ବିସ୍ମୟ ପୁରୁଷଙ୍କ କଥା...

ରାଜନୀତିରେ ମାତ୍ର ୩ ବର୍ଷର ଅଭିଜ୍ଞତା ଥିବା ନବୀନ ପଟ୍ଟନାୟକଙ୍କର ଇଏ ଥିଲା ପ୍ରଥମ ବିଚକ୍ଷଣ ଗୋଟିଚାଳନା, ଯାହା ବିଜୟ ମହାପାତ୍ରଙ୍କ ଭଳି ତତ୍‌କାଳୀନ ଓଡ଼ିଶା ରାଜନୀତିର ଟାଣୁଆ ନେତା ଏବଂ ବିଜୁ ପଟ୍ଟନାୟକଙ୍କ ଅନ୍ୟତମ ଦକ୍ଷ ସହଯୋଗୀଙ୍କୁ ଗୋଟିଏ ଝଟ୍‌କାରେ ଧରାଶାୟୀ କରିଦେଇଥିଲା। ଆଉ ଏହି ‘ନବୀନ ମାଷ୍ଟରଷ୍ଟ୍ରୋକ୍’ରେ ହିଁ ବିଜୟଙ୍କ ରାଜନୈତିକ କ୍ୟାରିଅର୍ ନିଷ୍ପ୍ରଭ ହୋଇଯାଇଥିଲା। ବହୁ ପ୍ରଚେଷ୍ଟା ସତ୍ତ୍ବେ ଏଯାବତ୍‌ ସେ ଆଉ ବିଧାନସଭାକୁ ନିର୍ବାଚିତ ହୋଇପାରି ନାହାନ୍ତି। ଓଡ଼ିଶା ରାଜନୀତିରେ ନବୀନ ଯୁଗ ଆରମ୍ଭ ହେବା ପରେ ଏମିତି ଅନେକ ‘ମାଷ୍ଟରଷ୍ଟ୍ରୋକ୍’ ଖେଳିଛନ୍ତି ସେ। ଚତୁରତାର ସହ ରାଜ୍ୟ ରାଜନୀତିର ତଥାକଥିତ ପ୍ରଭାବଶାଳୀ ନେତାଙ୍କୁ କ୍ଷଣକରେ ରାସ୍ତାରୁ ହଟାଇ ଦେଇଛନ୍ତି। ସ୍ବଚ୍ଛ ଭାବମୂର୍ତ୍ତିର ଦ୍ବାହି ଦେଇ ରାଜେନୈତିକ ପ୍ରତିଦ୍ବନ୍ଦ୍ବୀଙ୍କୁ ସ୍ମିତହାସ୍ୟ ସହ ଅତ୍ୟନ୍ତ ନିଷ୍ଠୁର ଭାବେ ପ୍ରତିହତ କରିଛନ୍ତି। ୧୯୮୦ରୁ ୨୦୦୦ ମଧ୍ୟରେ ୧୫ ବର୍ଷର କଂଗ୍ରେସ ଶାସନ କାଳରେ ଅଭିଜ୍ଞ ରାଜନେତାଙ୍କ ରଣନୀତି ଓ ଦାଓପେଞ୍ଚ ଦେଖିଥିବା ଓଡ଼ିଶାବାସୀଙ୍କୁ ନବୀନଙ୍କ କର୍ମଶୈଳୀ ଓ ମାଷ୍ଟରଷ୍ଟ୍ରୋକ୍ ବିସ୍ମିତ କରିଥିଲା। କଂଗ୍ରେସ ଶାସନ କାଳରେ ଦଳର ପ୍ରଭାବଶାଳୀ ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କୁ ଚାପରେ ରଖିବା ସହ ଗୋଷ୍ଠୀଗଠନ କରି ଚାଲେଞ୍ଜ କରୁଥିବାର ଦୃଶ୍ୟପଟ ମନରୁ ନ ଲିଭୁଣୁ ନିଜ ମନ୍ତ୍ରିମଣ୍ଡଳର ବରିଷ୍ଠ ସଦସ୍ୟଙ୍କୁ ଯେଭଳି ବାହାରର ରାସ୍ତା ନବୀନ ଦେଖାଇଥିଲେ, ତାହା ଜନମାନସକୁ ଚକିତ କରିଦେଇଥିଲା।

ଏହି କ୍ରମରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଅନ୍ୟତମ ସହଯୋଗୀ ତଥା ରାଜ୍ୟ ରାଜନୀତିର ଜଣାଶୁଣା ଚେହେରା ନଳିନୀକାନ୍ତ ମହାନ୍ତି ମନେପଡ଼ନ୍ତି। ନବୀନଙ୍କ ପ୍ରଥମ ପାଳିରେ ନଳିନୀ ଥିଲେ କ୍ୟାବିନେଟ୍ ମନ୍ତ୍ରୀ। ସବୁଦିନ ଭଳି ସେ ସଚିବାଳୟରେ ନିଜ କୋଠରିରେ ବସି ସରକାରୀ କାର୍ଯ୍ୟରେ ବ୍ୟସ୍ତ ଥାଆନ୍ତି। ହଠାତ୍ ଟେଲିଭିଜନ୍ ପର୍ଦ୍ଦାରେ ଖବର ପ୍ରସାରିତ ହୁଏ- ମୁଖ୍ୟମନ୍ତ୍ରୀ ତାଙ୍କୁ ମନ୍ତ୍ରିମଣ୍ଡଳରୁ ଅପସାରିତ କରିଛନ୍ତି ଏବଂ ତାଙ୍କୁ ବରଖାସ୍ତ କରିବାକୁ ରାଜ୍ୟପାଳଙ୍କୁ ଚିଠି ଲେଖିଛନ୍ତି। ଆକାଶରୁ ଖସି ପଡ଼ିବା ଭଳି ଅବସ୍ଥା ହୁଏ ତାଙ୍କର। ଘଟଣା କ’ଣ ବୁଝିବା ପାଇଁ ଗୋଟିଏ ମହଲା ଉପରେ ଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଯାଆନ୍ତି। କିନ୍ତୁ ସୁରକ୍ଷା କଡ଼ାକଡ଼ି ହୋଇଥିବା ହେତୁ ନବୀନଙ୍କୁ ଭେଟି ପାରନ୍ତି ନାହିଁ। ନିଜ ମନ୍ତ୍ରୀଙ୍କୁ ବିଦା କରିବାର ଏଇ ଯେଉଁ ତରିକା ତାହା ଓଡ଼ିଶା ରାଜନୀତିରେ ପ୍ରଥମ ଥିଲା। ଏଭଳି ‘ମାଷ୍ଟରଷ୍ଟ୍ରୋକ୍’ ତାଙ୍କୁ କିଛି ବର୍ଷ ମଧ୍ୟରେ ବହୁଚର୍ଚ୍ଚିତ ବ୍ୟକ୍ତିତ୍ବରେ ପରିଣତ କରିଥିଲା। ଦୁର୍ନୀତିର ଛାଇ ପଡ଼ିଲେ ତାଙ୍କ ନାହି ଡେଇଁବା ନ୍ୟାୟରେ ନିଜର ଅନେକ ସହଯୋଗୀଙ୍କୁ ସେ ବିଭିନ୍ନ ପାଳିରେ ଏଭଳି ବରଖାସ୍ତ କରିଛନ୍ତି।
ଜଣେ ସଂଭ୍ରାନ୍ତ ପରିବାରର ଦାୟାଦ ଭାବେ ରାଜଧାନୀ ଦିଲ୍ଲୀରେ ରହି ଅୟସୀ ଜୀବନ ବିତାଉଥିବା ବିଜୁ ପଟ୍ଟନାୟକଙ୍କ କୋଳପୋଛା ପୁଅ ନବୀନ ୧୯୯୭ରେ ବାପାଙ୍କ ମୃତ୍ୟୁ ପରେ ରାଜନୀତିକୁ ଆସନ୍ତି। ଦିଲ୍ଲୀରେ ପାଠପଢ଼ା ପରେ ଲେଖାଲେଖି, କଳାଚର୍ଚ୍ଚା ଓ ଗ୍ଲାମର୍ ଦୁନିଆରେ ବିଚରଣ କରୁଥିବା ନବୀନ ଯେ ଚାକଚକ୍ୟଭରା ଜୀବନଶୈଳୀ ଛାଡ଼ି ଧଳା ପାଇଜାମା-କୁର୍ତ୍ତାକୁ ଆପଣାଇ ରାଜନୀତିରେ ଏମିତି ପକ୍‌କା ଖେଳୁଆଡ୍ ପାଲଟି ଯିବେ ତାହା କଳନାର ବାହାରେ ଥିଲା। ୨୭ ବର୍ଷର ରାଜନୈତିକ କ୍ୟାରିଅର୍‌ରେ ପରାଜୟର ସ୍ବାଦ ଚାଖି ନ ଥିବା ନବୀନ ୨୦୨୪ ନିର୍ବାଚନରେ ପ୍ରଥମ ଥର ଲାଗି ଜଣେ ଯୁବନେତାଙ୍କ ଠାରୁ କଣ୍ଟାବାଞ୍ଜିରେ ହାରି ଯାଇଛନ୍ତି। ପୁଣି ତାଙ୍କର ଗଡ଼ କୁହାଯାଉଥିବା ଗଞ୍ଜାମ ଜିଲ୍ଲାର ହିଞ୍ଜିଳିରୁ ସେ ମାତ୍ର ୪୬୦୦ରୁ ଅଳ୍ପ ଅଧିକ ଭୋଟ୍‌ରେ ଜିତିଛନ୍ତି। ନବୀନଙ୍କ ଭଳି ଜଣେ ଉତ୍ତୁଙ୍ଗ, ଅପରାଜେୟ ଓ ସଫଳ ବ୍ୟକ୍ତିତ୍ବ ହଠାତ୍ ଏଭଳି ପରାଜୟ ବରଣ କରିବେ ଓ ତାଙ୍କ ନେତୃତ୍ବାଧୀନ ବିଜୁ ଜନତା ଦଳ ଗୋଟିଏ ଝଟ୍‌କାରେ ୨୪ ବର୍ଷ ପରେ କ୍ଷମତାରୁ ଅଚାନକ ଅପସରିଯିବ ତାହା ‌କେବଳ ଓଡ଼ିଶା ନୁହେଁ, ସାରା ଦେଶର ଜନସାଧାରଣଙ୍କୁ ବିସ୍ମିତ କରିଛି।

ଏଥର ନବୀନ ମାଷ୍ଟରଷ୍ଟ୍ରୋକ୍ ଖେଳିବାରେ ଫେଲ୍ ହୋଇଛନ୍ତି। ଅନେକ ନୂଆ ଇତିହାସ ସୃଷ୍ଟି କରିଥିବା ନବୀନ ନିଜେ ପାଲଟି ଯାଇଛନ୍ତି ଇତିହାସ! ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିର୍ବାଚନ ପ୍ରଚାର ବେଳେ ବିଜେପି ଓଡ଼ିଶାରେ ସରକାର ଗଢ଼ିବ ବୋଲି ଘୋଷଣା କରିବା ପରେ ନବୀନ ଏକ ଭିଡିଓ ବାର୍ତ୍ତାରେ କହିଥିଲେ ବିଜେପି ‘ଦିବାସ୍ବପ୍ନ’ ଦେଖୁଛି। ଅଧିକାଂଶ ଏଥିରେ ମନେମନେ ଏକମତ ଥିଲେ। ମାତ୍ର ନିର୍ବାଚନ ଫଳାଫଳ ଆସିବା ପରେ ପ୍ରମାଣିତ ହେଲା ଜଣେ ଦକ୍ଷ ଖେଳାଳି ଭାବେ ନିଜ ଶୈଳୀର ଷ୍ଟ୍ରୋକ୍ ଖେଳି ମ୍ୟାଚ୍ ପରେ ମ୍ୟାଚ୍ ଜିତି ଚାଲିଥିବା ଅଭିଜ୍ଞ ଓ ବିଚକ୍ଷଣ ବ୍ୟାଟ୍‌ସମ୍ୟାନ୍ ଛକା ମାରୁମାରୁ ଫିଲ୍‌ଡର୍‌ଙ୍କ ହାତରେ ଧରାପଡ଼ିଗଲେ। ଷଷ୍ଠ ଥର ଲାଗି ଶାସନ କ୍ଷମତାକୁ ଆସି ମୁଖ୍ୟମନ୍ତ୍ରୀ ହୋଇ ବିରଳ ରେକର୍ଡ କରିବାର ସମସ୍ତ ସମ୍ଭାବନା ଧୂଳିସାତ୍ ହୋଇଯାଇଛି। ସମାଲୋଚକଙ୍କ ଦୃଷ୍ଟିରେ ନବୀନ ନିଜ ଚଉହଦିରେ ପ୍ରବାହିତ ପରିବର୍ତ୍ତନର ହାୱାକୁ କିଭଳି ଅନୁଭବ କରିପାରି ନ ଥିଲେ, ତାହା ହିଁ ବିସ୍ମୟ। ସେ ହିଁ ‘ଦିବାସ୍ବପ୍ନ’ରେ ଥିଲେ, ନିର୍ବାଚନ ଫଳାଫଳ ଯାହାକୁ ଭାଙ୍ଗିଦେଇ ତାଙ୍କୁ ବାସ୍ତବତାର ସାମ୍ନାସାମ୍ନି କରିଛି।
ଗତ କିଛିବର୍ଷ ଭିତରେ ନବୀନଙ୍କ ଲୋକପ୍ରିୟତା ଏମିତି ହ୍ରାସ ପାଇବା ପଛରେ କାରଣ କ’ଣ? ଅଢ଼େଇ ବର୍ଷ ପୂର୍ବେ ଅନୁଷ୍ଠିତ ପଞ୍ଚାୟତ ନିର୍ବାଚନ ଓ ପୌର ନିର୍ବାଚନରେ ତ ତାଙ୍କ ଦଳ ଅଧିକାଂଶ ସ୍ଥାନରେ ବହୁମତ ହାସଲ କରି ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ନିଜ କବ୍‌ଜାରେ ରଖିଥିଲା। କିନ୍ତୁ ହେଲା କ’ଣ? ଏ ପ୍ରସଙ୍ଗରେ ଅଧିକାଂଶ ସମାଲୋଚକଙ୍କ ମତ, ତତ୍‌କାଳୀନ ୫-ଟି ଅଧ୍ୟକ୍ଷ ଭୈରବ କାର୍ତ୍ତିକେୟନ୍‌ ପାଣ୍ଡିଆନଙ୍କୁ ଦଳୀୟ ବ୍ୟାପାରରେ ନିରଙ୍କୁଶ ସ୍ବାଧୀନତା ଦେଇ ନବୀନ ଶେଷ ଜୀବନରେ ଅସଫଳତାର ସ୍ବାଦ ଚାଖିଲେ। ଯଦିଓ ବାଧ୍ୟବାଧକତାବଶତଃ ସେ ଶେଷ ମୁହୂର୍ତ୍ତରେ ପାଣ୍ଡିଆନ ତାଙ୍କ ରାଜନୈତିକ ଉତ୍ତରାଧିକାରୀ ନୁହନ୍ତି ବୋଲି ଘୋଷଣା କଲେ, ମାତ୍ର ସେ‌େ‌ତବେଳକୁ ନେଡ଼ିଗୁଡ଼ କହୁଣୀକୁ ବୋହି ଯାଇଥିଲା। ନବୀନଙ୍କ ଏଭଳି ଏକ ବିସ୍ମୟକର ନିଷ୍ପତ୍ତିକୁ ହୁଏତ ତାଙ୍କୁ ପସନ୍ଦ କରୁଥିବା ଜନସାଧାରଣଙ୍କୁ ପସନ୍ଦ ଆସିନାହିଁ। ଯେହେତୁ ନବୀନଙ୍କ ପ୍ରତିନିଧି ଭାବେ ଶ୍ରୀ ପାଣ୍ଡିଆନ ଏକାକୀ ନିର୍ବାଚନ ପ୍ରଚାରର ମଙ୍ଗ ଧରିଥିଲେ, ତେଣୁ ସ୍ବାଭାବିକ ଭାବେ ଏହି ବିଫଳତାର ଉତ୍ତରଦାୟୀ ମଧ୍ୟ ସେ, ଏଥିରେ ଦ୍ବିମତ ନାହିଁ।
ନବୀନଙ୍କ ଆବିର୍ଭାବ ଯେପରି ଏକ ବିସ୍ମୟ ଥିଲା, ତାଙ୍କର କାର୍ଯ୍ୟଧାରା ବି ଠିକ୍‌ ସେଇଭଳି। ପ୍ରାରମ୍ଭିକ ସମୟରେ ସେ ବାଛିବାଛି ରାଜନୈତିକ ପ୍ରତିଦ୍ବନ୍ଦ୍ବୀମାନଙ୍କୁ ହଟାଇଥିବା ବେଳେ ପରବର୍ତ୍ତୀ ସମୟରେ ନିଜ ପାଖରେ କ୍ଷମତା କେନ୍ଦ୍ରମାନ ସୃଷ୍ଟି କରି ନିଜେ ଅସୁବିଧାରେ ପଡ଼ିଛନ୍ତି। ଏହି କ୍ରମରେ ପ୍ରଥମେ ଆସନ୍ତି ପୂର୍ବତନ ପ୍ରଶାସନିକ ଅଧିକାରୀ ପ୍ୟାରୀମୋହନ ମହାପାତ୍ର। ଚାକିରି କାଳରେ ବିଜୁବାବୁଙ୍କ ବ୍ୟକ୍ତିଗତ ସଚିବ ଥିବା ପ୍ୟାରୀମୋହନଙ୍କୁ ‘ଅଙ୍କଲ୍’ ଡାକୁଥିବା ନବୀନ ଶେଷରେ ତାଙ୍କୁ ‘ବେଇମାନ୍’ ବୋଲି ଆଖ୍ୟା ଦେଇଥିଲେ। ଅଙ୍କଲ୍ କେମିତି ହୋଇଗଲେ ‘ବେଇମାନ୍’? ପ୍ରଥମେ ପ୍ୟାରୀମୋହନ ଆଢୁଆଳରେ ରହି ନବୀନଙ୍କୁ ପରାମର୍ଶ ଦେଉଥିଲେ। ଧୀରେଧୀରେ ସାମ୍ନାକୁ ଆସିଲେ। ଦଳୀୟ କାର୍ଯ୍ୟରେ ମୁଣ୍ଡ ପୂରାଇଲେ। ସାଂସଦ ହେଲେ। ୨୦୦୯ରେ ନିର୍ବାଚନ ପରିଚାଳନା କଲେ ଓ ସଫଳତା ଆଣିଦେଲେ। ସମୟକ୍ରମେ ବିିଜେଡିର ଦ୍ବିତୀୟ କ୍ଷମତାକେନ୍ଦ୍ରରେ ପରିଣତ ହେଲେ। ନବୀନ ତାଙ୍କ ଉପରେ ଦାୟିତ୍ବ ଛାଡ଼ି ନିଧଡ଼କ କ୍ଷମତା ଉପଭୋଗ କରୁଥିଲେ। ହେଲେ ଶେଷରେ ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତ ସମୟରେ ପ୍ୟାରୀଙ୍କ ସହିଦନଗର ବାସଭବନରେ ବିଧାୟକ ମେଳି ସବୁ ଓଲଟପାଲଟ କରିଦେଲା। ନବୀନଙ୍କୁ ଗାଦିଚ୍ୟୁତ କରିବାକୁ ପ୍ୟାରୀ ଷଡ୍‌ଯନ୍ତ୍ର କରୁଥିବା କଥା ବିଜେଡିର କିଛି ନେତା ପ୍ରଚାର କଲେ। ବିଦେଶ ଗସ୍ତ ଅଧା ରଖି ନବୀନ ଫେରିଲେ ଓ ପ୍ୟାରୀଙ୍କୁ ‘ବେଇମାନ୍’ କହି ବିଦା କଲେ। ଏଠାରେ ସ୍ବତଃ ପ୍ରଶ୍ନ ଆସେ ପ୍ୟାରୀଙ୍କୁ କ୍ଷମତାଶାଳୀ କରିଲା କିଏ ଏବଂ ନବୀନ କାହିଁକି ତାଙ୍କର କାର୍ଯ୍ୟକଳାପ ଉପରେ ଦୃଷ୍ଟି ରଖି ନ ଥିଲେ? ଏହା ବିସ୍ମୟଜନକ ନୁହେଁ କି?

ଠିକ୍ ସେମିତି ନିଜ ନିର୍ମଳ ଭାବମୂର୍ତ୍ତିରେ ଦାଗଟିଏ ବି ଲାଗିବାକୁ ଦେଇ ନଥିବା ନବୀନ ପଟ୍ଟନାୟକଙ୍କର ସାଂପ୍ରତିକ ଦୁଃସ୍ଥିତି ଲାଗି ଦାୟୀ ପୁଣି ଏକ କ୍ଷମତାକେନ୍ଦ୍ରର ଆବିର୍ଭାବ। କାହାଣୀ ବି ପାଖାପାଖି ସମାନ। ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ.ପାଣ୍ଡିଅାନ ପ୍ରଥମେ ଆଢୁଆଳରେ ରହି ପରାମର୍ଶ ଦିଅନ୍ତି। ଧୀରେଧୀରେ ଦଳୀୟ ମାମଲାରେ ମୁଣ୍ଡ ପୂରାନ୍ତି। ନବୀନଙ୍କ ସମ୍ମତି ପାଇ ଦଳର ପରିଚାଳନାକୁ ହାତକୁ ନିଅନ୍ତି। ସେ ଆଉ ପାଦେ ଆଗକୁ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଦଳୀୟ କର୍ମକର୍ତ୍ତା ଓ ଛାମୁଆ ନେତାଙ୍କ ଠାରୁ ଦୂରେଇ ରଖନ୍ତି। କ୍ରମେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କେବଳ ତାଙ୍କରି ମାଧ୍ୟ‌ମରେ ହିଁ ଆସେ। ସମୟକ୍ରମେ ସେ ନବୀନଙ୍କ ପ୍ରତିଭୂ ପାଲଟି ଯାଆନ୍ତି। ଆଉ ତା’ ପରେ ଯାହା ଘଟିଛି ତାହା ଊଣାଅଧିକେ ସମସ୍ତଙ୍କୁ ଜଣା, ବର୍ଣ୍ଣନାର ପ୍ରୟୋଜନ ନାହିଁ। ଏଠାରେ ମଧ୍ୟ ସେଇ ସମାନ ପ୍ରଶ୍ନ ଆସେ, ଲୋକଙ୍କ ଭିତରେ ପରିବର୍ତ୍ତନର ମିଜାଜ ଦାନା ବାନ୍ଧିବା କିଭଳି ଜଣେ ଅଭିଜ୍ଞ ତଥା ବିଚକ୍ଷଣ ରାଜନେତା ଭାବେ ନବୀନ ଜାଣିପାରିଲେ ନାହିଁ? କିଭଳି ଜଣଙ୍କୁ ବିଶ୍ବାସ କରି ସବୁ ଠିକ୍‌ଠାକ୍ ଚାଲିଛି ଏବଂ ଓଡ଼ିଶାବାସୀ ତାଙ୍କ ସହ ଅଛନ୍ତି ବୋଲି ଭାବିନେଲେ? ଏହାହିଁ ସମସ୍ତଙ୍କୁ ଆଚମ୍ବିତ କରେ। ଜଣେ ଅଭିଜ୍ଞ ମୁଖ୍ୟମନ୍ତ୍ରୀ ତୃଣମୂଳସ୍ତର‌ର ବାସ୍ତବତା ଠାରୁ ଏତେ ଦୂରରେ କିଭଳି ରହିଲେ ତାହାହିଁ ବଡ଼ ବିସ୍ମୟ। ପ୍ରସଙ୍ଗକ୍ରମେ ଏ କଥା ବି କହାଯାଇପାରେ, ଯାହା ବିଧିନିର୍ଦ୍ଦିଷ୍ଟ ତାହାହିଁ ଘଟେ! ବରିଷ୍ଠ ସାମ୍ବାଦିକ ରୁବେନ୍ ବାନାର୍ଜୀଙ୍କ ଲିଖିତ ‘ନବୀନ ପଟ୍ଟନାୟକ’ ପୁସ୍ତକରେ ବର୍ଣ୍ଣିତ ଏକ ଘଟଣା ଏଠାରେ ଉଲ୍ଲେଖ କରାଯାଇପାରେ। ୨୦୦୦ ମସିହାରେ ମୁଖ୍ୟମନ୍ତ୍ରୀ ହେବା ପରେ ଜଣେ ଜ୍ୟୋତିଷଙ୍କୁ ନବୀନଙ୍କ ଜାତକ ବିଚାର କରିବାର ସୁଯୋଗ ଦିଆଯାଇଥିଲା। ସେ ଗଣନା କରି ଭବିଷ୍ୟବାଣୀ କରିଥିଲେ, ନବୀନ ୨୦୦୦ରୁ ୨୦୧୯ ମଧ୍ୟରେ ହେବାକୁ ଥିବା ସମସ୍ତ ନିର୍ବାଚନରେ ବିଜୟ ଲାଭ କରିବେ। ବୋଧହୁଏ ଜ୍ୟୋତିଷଙ୍କ ଗଣନା ଠିକ୍ ଥିଲା। କାରଣ ୨୦୨୪ ନିର୍ବାଚନରେ ପ୍ରଥମ ଥର ଲାଗି ସେ ବିଫଳତାର ସ୍ବାଦ ଚାଖିବା ସହ ମୁଖ୍ୟମନ୍ତ୍ରିତ୍ବରୁ ଅପସାରିତ ହୋଇଛନ୍ତି।

ଭାରତୀୟ ରାଜନୀତିରେ ନବୀନ ପଟ୍ଟନାୟକ ଜଣେ ବିରଳ ବ୍ୟକ୍ତିତ୍ବ। ବାରମ୍ବାର ଦେଶର ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ବିବେଚିତ ହୋଇଥିଲେ ବି ଜାତୀୟ ରାଜନୀତିକୁ ଯିବା ଲାଗି କେବେ ବି ସେ ଆଗ୍ରହ ପ୍ରକାଶ କରିବା ଦେଖାଯାଇନାହିଁ। ଅନ୍ୟ ରାଜନେତାଙ୍କ ଭଳି ପ୍ରତିପକ୍ଷଙ୍କୁ କଟୁ ଶବ୍ଦରେ ସମାଲୋଚନା କରିବା କିମ୍ବା ବୟାନବାଜି କରିବା ବି ତାଙ୍କର ସ୍ବଭାବ ନୁହେଁ। ଅତ୍ୟନ୍ତ ଭଦ୍ର, ଅମାୟିକ ଓ ସ୍ବଳ୍ପଭାଷୀ ରାଜନେତା ଭାବେ ଜାତୀୟସ୍ତରରେ ତାଙ୍କର ରହିଛି ଭିନ୍ନ ପରିଚୟ। ରାଜନୀତିରେ ସେ ‌େଯଉଁ ଈର୍ଷଣୀୟ ସଫଳତା ହାସଲ କରିଛନ୍ତି, ଅତୀତରେ କେହି କେବେ ହାସଲ କରି ନ ଥିଲେ। ବରିଷ୍ଠ ସାମ୍ବାଦିକ ସନ୍ଦୀପ ସାହୁ କହନ୍ତି, ‘‘ନବୀନଙ୍କ ଭାବମୂର୍ତ୍ତି ବାସ୍ତବରେ ଏକ ବିସ୍ମୟ କହିଲେ ଭୁଲ୍‌ ହେବନି। ଚିଟ୍‌ଫଣ୍ଡ୍‌ ଦୁର୍ନୀତି, ଚାଷୀ ଆତ୍ମହତ୍ୟା ଓ ଦେଶର ସବୁଠାରୁ ଚର୍ଚ୍ଚିତ ଖଣି ଦୁର୍ନୀତିର ଦାଗ ତାଙ୍କ ଦେହରେ ଟିକିଏ ମାତ୍ର ନ ଲାଗିବା ନିଶ୍ଚିତ ଏକ ବିସ୍ମୟ। ନବୀନ ପ୍ରତ୍ୟକ୍ଷ ଭାବେ ଜନସାଧାରଣଙ୍କ ସହିତ ମିଳାମିଶା ନ କରିବା, ସର୍ବସାଧାରଣ ଜୀବନରୁ ଦୂରେଇ ରହିବା ଏବଂ ଅନେକ ଯୋଜନା ଲୋକଙ୍କ ପାଖରେ ନ ପହଞ୍ଚିବା କିମ୍ବା ଅଧାରେ ବନ୍ଦ ହୋଇଯିବା ଭଳି ଏକାଧିକ ବିଫଳତା ତାଙ୍କର ଭାବମୂର୍ତ୍ତିକୁ ଟିକିଏ ବି ମଳିନ କରିପାରି ନଥିଲା। ଗୋଟିଏ ପରେ ଗୋଟିଏ ନିର୍ବାଚନ ଜିତିବା ନିଶ୍ଚିତ ଏକ ଆଶ୍ଚର୍ଯ୍ୟ। ନିଜ ବ୍ୟକ୍ତିତ୍ବ ମାଧ୍ୟମରେ ସେ ଲୋକଙ୍କ ପାଖରେ ନିଜକୁ ସର୍ବଦା ସରଳ, ଅମାୟିକ ଓ ସାଧୁତାର ଏକ ପ୍ରତିଛବି ରୂପେ ଉପସ୍ଥାପନ କରିବାରେ ସକ୍ଷମ ହୋଇଥିଲେ। ୨୪ ବର୍ଷ ଧରି ନିରଙ୍କୁଶ ଓ ନିରବଚ୍ଛିନ୍ନ ଭ‌ାବେ ନିଜ ବ୍ୟକ୍ତିତ୍ବକୁ ନବୀନ ଯେପରି ବଜାୟ ରଖିଥିଲେ ତାହା ଭାରତର ରାଜନୈତିକ ଇତିହାସରେ ସମସ୍ତଙ୍କୁ ହତବାକ୍‌ କରିଥିଲା।’’ ବାସ୍ତବରେ ସେ ଜଣେ ବିସ୍ମୟ। ଯେଉଁ ରାଜ୍ୟରେ ସେ ନିରଙ୍କୁଶ ସଂଖ୍ୟାଗରିଷ୍ଠତା ସହ ୨୪ ବର୍ଷ ଶାସନ କଲେ, ସେହି ରାଜ୍ୟର ଭାଷାରେ ତାଙ୍କର ଦକ୍ଷତା ନାହିଁ। ଏହାକୁ ନେଇ କ୍ରମାଗତ ଭାବେ ତାଙ୍କୁ ସମାଲୋଚନା କରାଯାଇଛି, କିନ୍ତୁ ଲୋକପ୍ରିୟତାରେ ଏହା କୌଣସି ଆଞ୍ଚ ଆଣି ପାରିନାହିଁ। ତାଙ୍କ ଶାସନ କାଳରେ ବହୁ ବିକାଶମୂଳକ କାର୍ଯ୍ୟ ହୋଇଛି, ‌ସମାଜର ଦୁର୍ବଳ ଶ୍ରେଣୀ ପାଇଁ ଅନେକ ଜନକଲ୍ୟାଣ ଯୋଜନା ଆସିଛି। ରାଜ୍ୟକୁ ମିଳିଛି ରାଜନୈୖତିକ ସ୍ଥିରତା। ଏସବୁ ସତ୍ତ୍ବେ ନିର୍ବାଚନରେ ତାଙ୍କ ନେତୃତ୍ବାଧୀନ ବିଜେଡିର ଅପ୍ରତ୍ୟାଶିତ ପରାଜୟ ସମସ୍ତଙ୍କୁ ବିସ୍ମିତ କରିଛି।

publive-image

ନବୀନଙ୍କ ରାଜନୀତିର ଇତିହାସ

ଓଡ଼ିଶା ରାଜନୀତିର ବିରଳ ବ୍ୟକ୍ତିତ୍ବ ନବୀନ ପଟ୍ଟନାୟକ ହେଉଛନ୍ତି ଏକମାତ୍ର ଭାରତୀୟ ରାଜନେତା ଯାହାଙ୍କର ଦୀର୍ଘ ୨୪ ବର୍ଷର ରାଜନୈତିକ ଯାତ୍ରା ସଦାସର୍ବଦା ସଫଳତାର ଶିଖର ଛୁଇଁଛି।
n ୧୯୪୬ ମସିହା ଅକ୍ଟୋବର ୧୬ ତାରିଖ ଦିନ କଟକସ୍ଥିତ ଆନନ୍ଦ ଭବନରେ ନବୀନ ପଟ୍ଟନାୟକ ଜନ୍ମ ଗ୍ରହଣ କରିଥିଲେ। ଡେରାଡୁନ୍‌ସ୍ଥିତ ୱେଲ୍‌ହାମ୍‌ ବଏଜ୍‌ ସ୍କୁଲ୍‌ରୁ ପ୍ରଥମେ ଏବଂ ପରେ ପ୍ରସିଦ୍ଧ ଡୁନ୍‌ ସ୍କୁଲରୁ ନବୀନ ଶିକ୍ଷା ଗ୍ରହଣ କରିଥିଲେ। ସ୍କୁଲ୍‌ରେ ସେ ରାଜୀବ ଗାନ୍ଧୀଙ୍କଠାରୁ ତିନି ବର୍ଷ ଜୁନିୟର୍‌ ଥିଲେ ଏବଂ ସଞ୍ଜୟ ଗାନ୍ଧୀଙ୍କର ସହପାଠୀ ରହିଥିଲେ। ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର କିରୋଡିମଲ୍‌ କଲେଜରୁ କଳାରେ ସ୍ନାତକ ଡିଗ୍ରି (ବି.ଏ.) ହାସଲ କରିଥିଲେ। ନବୀନଙ୍କର ହିନ୍ଦୀ, ପଞ୍ଜାବୀ, ଇଂରାଜୀ ଓ ଫରାସୀ ଭାଷାରେ ଯଥେଷ୍ଟ ଦକ୍ଷତା ରହିଛି।
n ୧୭ ଏପ୍ରିଲ୍‌ ୧୯୯୭ ମସିହାରେ ବାପା ବିଜୁ ପଟ୍ଟନାୟକଙ୍କ ମୃତ୍ୟୁ ପରେ ନବୀନ ଓଡ଼ିଶା ରାଜନୀତିକୁ ଆସିଥିଲେ। ବିଜୁବାବୁଙ୍କ ରାଜନୈତିକ ଅନୁଗତଙ୍କ ଦ୍ୱାରା ନବୀନ ରାଜନୀତିରେ ଅବତୀର୍ଣ୍ଣ ହୋଇଥିଲେ। ଜନତା ଦଳରୁ ସେ ୧୯୯୭ ମସିହାରେ ସର୍ବପ୍ରଥମେ ଆସ୍କା ଲୋକସଭା ଆସନରୁ ଉପ-ନିର୍ବାଚନ ଲଢ଼ି (ଏକାଦଶ ଲୋକସଭା) ବିଜୟୀ ହୋଇଥିଲେ।
n ପରବର୍ତ୍ତୀ ସମୟରେ ଜନତା ଦଳର ତୁଙ୍ଗ ନେତୃବୃନ୍ଦ ନବୀନ ପଟ୍ଟନାୟକଙ୍କ ସହିତ ବିଚାରବିମର୍ଶ କରି ବିଜୁ ଜନତା ଦଳ (ବିଜେଡି) ଗଠନର ନିଷ୍ପତ୍ତି ଗ୍ରହଣ କରିଥିଲେ। ଜନତାଦଳରୁ ୨୮ ବିଧାୟକ ଅଲଗା ହୋଇ ନୂଆ ଦଳ ଗଠନ ପ୍ରକ୍ରିୟା ଆରମ୍ଭ କରିଥିଲେ। ୧୯୯୭ ମସିହା ଡିସେମ୍ବର ୨୬ରେ ଆନୁଷ୍ଠାନିକ ଭାବେ ବିଜେଡି ପ୍ରତିଷ୍ଠା ହୋଇଥିଲା। ପରବର୍ତ୍ତୀ ଅବସ୍ଥାରେ ଦେଶରେ ହୋଇଥିବା ଦ୍ବାଦଶ ଲୋକସଭା ନିର୍ବାଚନରେ ନବଗଠିତ ବିଜେଡିରୁ ୧୯୯୮ ମସିହାରେ ନବୀନ ସେହି ଆସ୍କା ଲୋକସଭା ନିର୍ବାଚନ କ୍ଷେତ୍ରରୁ ଲଢ଼ି ବିପୁଳ ବିଜୟ ହାସଲ କରିଥିଲେ। ଏହାପରେ ୧୯୯୯ ସାଧାରଣ ନିର୍ବାଚନରେ ପୁଣିଥରେ ଆସ୍କାରୁ ଲୋକସଭା ସାଂସଦ (ତ୍ରୟୋଦଶ ଲୋକସଭା) ଭାବେ ନିର୍ବାଚିତ ହୋଇଥିଲେ।
n ଅଟଳ ବିହାରୀ ବାଜପେୟୀଙ୍କର ୧୩ ମାସିଆ ସରକାରରେ ନବୀନ ୧୯୯୮ରୁ ୨୦୦୦ ପର୍ଯ୍ୟନ୍ତ ଖଣି ଓ ଇସ୍ପାତ ମନ୍ତ୍ରୀ ରହିଥିଲେ।
n ୨୦୦୦ ମସିହାରେ ବିଜେଡି ଓ ବିଜେପି ମେଣ୍ଟ କରି ଓଡ଼ିଶା ବିଧାନସଭା ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ। ଏହାପରେ ଅଟଳବିହାରୀ ବାଜପେୟୀଙ୍କ ସରକାରରୁ ନବୀନ ଇସ୍ତଫା ଦେଇ ଓଡ଼ିଶା ରାଜନୀତିର ମଙ୍ଗ ଧରିଥିଲେ। ୨୦୦୦ ମସିହା ମାର୍ଚ୍ଚ ୫ରେ ସେ ରାଜ୍ୟର ଚତୁର୍ଦ୍ଦଶ ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିଥିଲେ।
n ଏହାପରେ ୨୦୦୪ ମସିହାରେ ଏନ୍‌ଡିଏ ମେଣ୍ଟ ଯଦିଓ ଲୋକସଭା ନିର୍ବାଚନରେ କ୍ଷମତାକୁ ଫେରିପାରି ନଥିଲା, କିନ୍ତୁ ବିଧାନସଭା ନିର୍ବାଚନରେ ନବୀନଙ୍କ ନେତୃତ୍ୱରେ ଓଡ଼ିଶାରେ ବିଜେଡି-ବିଜେପି ମେଣ୍ଟ ପୂର୍ଣ୍ଣ ବହୁମତ ହାସଲ କରି ରାଜ୍ୟରେ ସରକାର ଗଠନ କରିଥିଲା। ନବୀନ ପୁଣିଥରେ ମୁଖ୍ୟମନ୍ତ୍ରୀ ହୋଇଥିଲେ।
n ୨୦୦୭-୦୮ରେ କନ୍ଧମାଳ ଦଙ୍ଗା ଓ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ସମେତ ତାଙ୍କ ଶିଷ୍ୟଙ୍କ ହତ୍ୟା ପରେ ବିଜେଡି-ବିଜେପି ମେଣ୍ଟରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା।
n ଏହାପରେ ୨୦୦୯ ନିର୍ବାଚନରେ ନବୀନଙ୍କ ନେତୃତ୍ୱରେ ବିଜେଡି ଏକାକୀ ନିର୍ବାଚନ ଲଢ଼ି ୧୦୩ ବିଧାନସଭା ଓ ୧୪ ଲୋକସଭା ଆସନରେ ବିଜୟୀ ହୋଇଥିଲା। ୨୦୧୪ ନିର୍ବାଚନରେ ବିଜେଡି ବିଧାନସଭାରେ ୧୧୭ ଓ ଲୋକସଭାରେ ୨୦ ଆସନରେ ବିଜୟ ଲାଭ କରିବା ପରେ ନବୀନ ପ୍ରମାଣ କରିଦେଲେ ସେ ଅପରାଜେୟ।
n ୨୦୧୯ ନିର୍ବାଚନରେ ବିଧାନସଭାରେ ୧୧୨ ଓ ଲୋକସଭାରେ ୧୨ ଆସନରେ ନବୀନ ବିଜେଡିକୁ ବିଜୟ ଟିକା ପିନ୍ଧାଇବାରେ ସମର୍ଥ ହୋଇଥିଲେ। ରାଜନୈତିକ ସମାଲୋଚକମାନେ ତାଙ୍କୁ ଅପରାଜେୟ ଓ ଅପ୍ରତିଦ୍ବନ୍ଦ୍ବୀ ନେତା ବୋଲି ମୁକ୍ତକଣ୍ଠରେ ସ୍ୱୀକାର କରିବାକୁ ବାଧ୍ୟ ହୋଇଥିଲେ।
n ୨୦୦୦ରୁ ୨୦୧୪ ମସିହା ପର୍ଯ୍ୟନ୍ତ କ୍ରମାଗତ ଭାବେ ନବୀନ ହିଞ୍ଜିଳି ବିଧାନସଭା ଆସନରୁ ନିର୍ବାଚନ ଲଢ଼ି ଅପ୍ରତିଦ୍ବନ୍ଦ୍ବୀ ନେତା ଭାବେ ବିଜୟ ହାସଲ କରିଆସୁଥିଲେ। ତାଙ୍କର ବିଜୟକୁ ନେଇ ବିରୋଧୀ ଶିବିରରେ ନୈରାଶ୍ୟ ଖେଳିଯାଇଥିଲା। ୨୦୧୯ ନିର୍ବାଚନରେ ସେ ବିଜେପୁର ଓ ହିଞ୍ଜିଳି ଉଭୟ ଆସନରୁ ନିର୍ବାଚନ ଲଢ଼ିଥିଲେ ଓ ସହଜ ବିଜୟ ହାସଲ କରିଥିଲେ। ୨୦୨୪ ବିଧାନସଭା ଆସନ ପାଇଁ ନବୀନ ହିଞ୍ଜିଳି ସହିତ କଣ୍ଟାବାଞ୍ଜି ଆସନରୁ ପ୍ରତିଦ୍ବନ୍ଦ୍ବିତା କରି ପ୍ରଥମ ବିଫଳତାକୁ ଆମନ୍ତ୍ରଣ କରିଥିଲେ। ୧୯୯୭ ଉପନିର୍ବାଚନରୁ ନେଇ ୨୦୧୯ ପର୍ଯ୍ୟନ୍ତ ପରାଜୟର ସ୍ୱାଦ ଚାଖି ନଥିବା ନବୀନ ଶେଷରେ କଣ୍ଟାବାଞ୍ଜି ନିର୍ବାଚନରେ ପରାସ୍ତ ହୋଇଥିଲେ।
n ୨୦୨୪ ଲୋକସଭା ଓ ବିଧାନସଭା ନିର୍ବାଚନରେ ନବୀନ ଓ ତାଙ୍କ ବିଜେଡି ଜୟଯାତ୍ରାର ଯବନିକା ପଡ଼ିଗଲା।

ବିଧାନସଭାରେ ପ୍ରଥମ ଦିନରେ ହିଁ ନବୀନଙ୍କୁ ଭେଟିବି
ଲକ୍ଷ୍ମଣ ବାଗ, ନିର୍ବାଚିତ ବିଧାୟକ, କଣ୍ଟାବାଞ୍ଜି
ବିଧାନସଭାରେ ପ୍ରଥମ ଦିନରେ ମୁଁ ପ୍ରଥମେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବି। ହାତଯୋଡ଼ି ନମସ୍କାର କରିବା ପରେ ତାଙ୍କୁ ଓଡ଼ିଆ ଭାଷ‌ାରେ ପଚାରିବି, ‘ଆପଣ କେମିତି ଅଛନ୍ତି? ଦେହପା’ ସବୁ ଠିକ୍‌ ଅଛି? ନିଜ ଦେହର ଉପଯୁକ୍ତ ଯତ୍ନ ନିଅନ୍ତୁ।’ ମୁଁ ଜାଣିନି ସେ ଓଡ଼ିଆ ବୁଝିପାରିବେ ନା ନାହିଁ, ମୋ ପ୍ରଶ୍ନର ଉତ୍ତର‌ ଓଡ଼ିଆରେ ଦେଇପାରିବେ ନା ନାହିଁ। କିନ୍ତୁ, ମୁଁ ଓଡ଼ିଆରେ ଉତ୍ତର ପାଇବାକୁ ଆଶା ରଖିଛି। ମୋର ପ୍ରତିଦ୍ବନ୍ଦ୍ବୀ ହିସାବରେ ସେ ନିର୍ବାଚନରେ ମୋ ସହିତ ଭାଗ ନେଇଥିଲେ। ତାଙ୍କ ପ୍ରତି ମୋର ଶ୍ରଦ୍ଧା ଓ ସମ୍ମାନ ରହିଛି, କିନ୍ତୁ ସେ ମୋତେ କିପରି ଦୃଷ୍ଟିରେ ଦେଖିବେ ତାହା ବିଧାନସଭାରେ ହିଁ ଜଣାପଡ଼ିବ। ନିର୍ବାଚନ ସମୟରେ ମୋତେ ଓ ମୋର ଲୋକମାନଙ୍କୁ ପୁଲିସ ପ୍ରଶାସନ ଲଗାଇ ଦମନ କରାଗଲା। ଘରୁ ବାହାରିବା ମୋ ପାଇଁ କଷ୍ଟକର ହୋଇପଡ଼ିଲା। ଅଜସ୍ର ଅର୍ଥ ଖର୍ଚ୍ଚ କରି ଓ ପ୍ରବଳ ବାହୁବଳ ଲଗାଇ ମୋତେ ହରାଇବାର ସମସ୍ତ ପ୍ରକାର ଚେଷ୍ଟା କରାଗଲା। ତଥାପି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋ ଭଳି ଜଣେ ଅତ୍ୟନ୍ତ ସାଧାରଣ ମଣିଷ (ଡ୍ରାଇଭର ଓ ଚାଷୀ) ଠାରୁ କାହିଁକି ହାରିଗଲେ? ଏହାର ସମୀକ୍ଷା ସେ ନିଜେ କରିବା ଆବଶ୍ୟକ। ଅନ୍ୟପକ୍ଷରେ କଂଗ୍ରେସର ଦୁର୍ଗରେ ସନ୍ତୋଷ ସିଂହ ସାଲୁଜାଙ୍କର ପରାଜୟର କାରଣ ହେଉଛି ମୋତେ ହରାଇବାକୁ କଣ୍ଟାବାଞ୍ଜିରେ ସେ ମଧ୍ୟ ବିଜେଡି ସହିତ ଗୁପ୍ତ ବୁଝାମଣା କଲେ। ଏହି ଷଡ୍‌ଯନ୍ତ୍ର ଓ ଚକ୍ରାନ୍ତକୁ ସାଧାରଣ ଭୋଟରମାନେ ବୁଝିପାରିଲେ। ତେଣୁ ତାଙ୍କ ନିଜ ସପକ୍ଷ ଭୋଟ୍‌ ମଧ୍ୟ ସେ ପାଇବାକୁ ସମର୍ଥ ହେଲେ ନାହିଁ। ଚାରିଥର ବିଧାୟକ ଥିବା ଶ୍ରୀ ସାଲୁଜା ଭୋଟରଙ୍କ ବିଶ୍ବାସକୁ ଭାଙ୍ଗିଦେଲେ।

ପୁରସ୍କାର ଓ ସମ୍ମାନ
୨୪ ବର୍ଷର ରାଜନୈତିକ ଜୟଯାତ୍ରାରେ ନବୀନ ପଟ୍ଟନାୟକ ଅନେକ ସୁଖ୍ୟାତି ଅର୍ଜନ କରିବା ସହିତ ବହୁ ପୁରସ୍କାର ଓ ସମ୍ମାନର ଅଧିକାରୀ ହୋଇଛନ୍ତି।
l ୨୦୧୩ରେ ଫନି ବାତ୍ୟାର ସଫଳ ମୁକାବିଲା ଲାଗି ନବୀନଙ୍କୁ ଜାତିସଂଘ ପକ୍ଷରୁ ସ୍ୱତନ୍ତ୍ର ସମ୍ମାନ ପ୍ରଦାନ କରାଯାଇଥିଲା।
l ୨୦୧୫ ମାର୍ଚ୍ଚ ୧୪ ତାରିଖରେ ଜାପାନରେ ଜାତିସଂଘ ପକ୍ଷରୁ ଆୟୋଜିତ ତୃତୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଓ ପ୍ରଶମନ ସମ୍ମିଳନୀରେ ସ୍ୱତନ୍ତ୍ର ଅତିଥି ଭାବେ ନିମନ୍ତ୍ରିତ ହୋଇ ନବୀନ ନିଜର ଅଭିଭାଷଣ ରଖିଥିଲେ।
l ୨୦୧୭ରେ ଆଉଟ୍‌ଲୁକ୍‌ ଇଣ୍ଡିଆ ସ୍ପିକ୍‌ ଆଉଟ୍‌ ପକ୍ଷରୁ ନବୀନଙ୍କୁ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ‘ବେଷ୍ଟ୍‌ ଆଡ୍‌ମିନିଷ୍ଟ୍ରେଟର୍‌ ଅଫ୍‌ ଇଣ୍ଡିଆ’ ପୁରସ୍କାର ପ୍ରଦାନ କରିଥିଲେ।
l ୨୦୧୮ରେ ଆୟୋଜିତ ଅଷ୍ଟମ ଇଣ୍ଡିଆନ୍‌ ଷ୍ଟୁଡେଣ୍ଟସ୍‌ ପାର୍ଲାମେଣ୍ଟ୍‌ରେ ତାଙ୍କୁ ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲ୍‌ ‘ଆଇଡିଆଲ୍‌ ଚିଫ୍‌ ମିନିଷ୍ଟର୍‌’ ସମ୍ମାନରେ ସମ୍ମାନିତ କରିଥିଲେ।
l ହକି ଖେଳ ପ୍ରତି ଅବଦାନ ହେତୁ ନବୀନ ୨୦୧୮ ମସିହାରେ ଇଣ୍ଟର୍‌ନ୍ୟାସନାଲ୍‌ ହକି ଫେଡେରେସନ୍‌ ଦ୍ବାରା ‘ଏଫ୍‌ଆଇଏଚ୍‌ ପ୍ରେସିଡେଣ୍ଟ ଆୱାର୍ଡ’ରେ ସମ୍ମାନିତ ହୋଇଥିଲେ।
l ୨୦୧୯ରେ ବିଧାନସଭା ଓ ଲୋକସଭାରେ ୩୩ ପ୍ରତିଶତ ମହିଳା ସ୍ଥାନ ସଂରକ୍ଷଣ କରିବାର ପ୍ରଚେଷ୍ଟା ପାଇଁ ତାଙ୍କୁ ଜାତିସଂଘ ସ୍ୱତନ୍ତ୍ର ସମ୍ମାନ ପ୍ରଦାନ କରିଥିଲା।
l ବିଶ୍ୱର ପ୍ରସିଦ୍ଧ ପ୍ରାଣୀ କଲ୍ୟାଣ ଅନୁଷ୍ଠାନ ‘ପେଟା’ ପକ୍ଷରୁ ୨୦୨୦ ମସିହାରେ ତାଙ୍କୁ ‘ହିରୋ ଟୁ ଆନିମଲ୍‌ସ୍‌ ଆୱାର୍ଡ’ ପ୍ରଦାନ କରାଯାଇଥିଲା।
l ଏହା ସହିତ ୨୦୨୨ ମସିହାରେ କ୍ୟାପିଟାଲ୍‌ ଫାଉଣ୍ଡେସନ୍‌ ଅନୁଷ୍ଠାନ ପକ୍ଷରୁ ନବୀନଙ୍କୁ ଲାଇଫ୍‌ଟାଇମ୍‌ ଆଚିଭ୍‌ମେଣ୍ଟ୍‌ ପୁରସ୍କାର ଭାରତର ତତ୍କାଳୀନ ପ୍ରଧାନ ବିଚାରପତି ପ୍ରଦାନ କରିଥିଲେ।