ହାତୀ ପରି ବିଶାଳକାୟ ଜୀବ ଓ ତାହାର ଶକ୍ତି ସମ୍ପର୍କରେ ଆମେ ସମସ୍ତେ ଜାଣିଛନ୍ତି। ତେବେ ବିଶ୍ବର ସବୁଠୁ ବଳବାନ ଜୀବର ନାଁ ଶୁଣିଲେ କାନକୁ ଅବିଶ୍ବାସ ଲାଗିବ। ଅତି କ୍ଷୁଦ୍ର ଗୋବର ପୋକ ଆକୃତିର ଆର୍ମର୍ଡ ମାଇଟ୍ ନାମକ ଏହି କୀଟ ହେଉଛି ଭୂପୃଷ୍ଠର ସବୁଠୁ ଶକ୍ତିଶାଳୀ ଜୀବ। କାରଣ ଆମେ ମଣିଷମାନେ ସାଧାରଣତଃ ନିଜ ଓଜନର ଦୁଇ ଗୁଣ ଭାର ବୋହିବା କଷ୍ଟକର ହୋଇଥିବା ବେଳେ ପ୍ରାୟ ଏକ ମିଲିମିଟର ଲମ୍ବର ଏହି କୀଟ ନିଜ ଶରୀର ଓଜନର ହଜାରେ ଗୁଣରୁ ଅଧିକ ଓଜନ ବୋହି ପାରିବାରେ ସମର୍ଥ। ମଣିଷ ସହ ତୁଳନା କଲେ, ଏକ ଛୋଟ ବାଲିଗରଡ଼ା ଆକାରର ତଥା ୦.୧ ମିଲିଗ୍ରାମ ଓଜନର ଏହି କୀଟ ଯେତିକି ଓଜନ ବୋହିପାରୁଛି, ଜଣେ ମଣିଷ ୮୨ ଟନ୍ ଓଜନର ଭାର ପରିବହନ କରିପାରିବା ସଙ୍ଗେ ସମାନ। ଏଥିରୁ ତାହା କେତେ ବଳବାନ, ସହଜରେ ଅନୁମେୟ। ଆର୍ମର୍ଡ ମାଇଟ୍ ପରି ଏସୀୟ ଜାଲବୁଣା ପିମ୍ପୁଡ଼ି ନିଜ ଓଜନର ଶହେ ଗୁଣ ଓ ଗୋବର ପୋକ ନିଜ ଓଜନର ୪୦୦ ଗୁଣ ଭାର ବୋହିପାରିଥା’ନ୍ତି। ବିଭିନ୍ନ କୀଟଗୁଡ଼ିକ ଏପରି ନିଜ ଓଜନର କଳ୍ପନାତୀତ ଗୁଣ ଭାର ବୋହିବା ପଛର କାରଣ ହେଉଛି, ଏହି ଅମେରୁଦଣ୍ଡୀ ପ୍ରାଣୀମାନଙ୍କର ଶରୀର ବାହାରକୁ ରହିଥିବା ଖୋଳପା ସଦୃଶ କଙ୍କାଳ। ଏହା ଅପେକ୍ଷାକୃତ ହାଲକା ହେବା ସହ ଅସ୍ଥିଠାରୁ ଯଥେଷ୍ଟ ଟାଣ। ସୁତରାଂ ତାହା ସେମାନଙ୍କର ମାଂସପେଶୀକୁ ଅଧିକ ଓଜନ ବହନ କରିବାରେ ସହାୟକ ହୋଇଥାଏ। ଏହାର ଅନ୍ୟତମ କାରଣ ହେଲା, ସେମାନଙ୍କ ଓଜନ ଓ ଆୟତନର ଅନୁପାତ। ଅର୍ଥାତ୍ ବଡ଼ ବଡ଼ ପ୍ରାଣୀମାନଙ୍କର ବିଶାଳ ମାଂସପେଶୀ ଥାଇପାରେ, ମାତ୍ର ତାହାର ସାମର୍ଥ୍ୟର ସିଂହଭାଗ ନିଜ ଓଜନକୁ ବହନ କରିବାରେ ବିନିଯୋଗ ହୋଇଥାଏ। ଅପରପକ୍ଷେ, ଏହି କୀଟଗୁଡ଼ିକ ନିଜର ଶକ୍ତିକୁ ପୂର୍ଣ୍ଣମାତ୍ରାରେ ଓଜନ ଉଠାଇବାରେ ଉପଯୋଗ କରିଥା’ନ୍ତି।
ବିଶ୍ବର ସବୁଠୁ ବଳବାନ ଜୀବ
/sambad/media/post_attachments/wp-content/uploads/2023/05/h6ad65465hhahaha.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)