ଭିତ୍ତିଭୂମି ନିର୍ମାଣ ହେଉ ବା ବୈଷୟିକ ଜ୍ଞାନକୌଶଳ, ଅଭୂତପୂର୍ବ ଜିନିଷ ଗଢ଼ିବାରେ ଚୀନ୍ ସମସ୍ତଙ୍କ ଆଗରେ। ଏହି କ୍ରମରେ ଚୀନ୍ର ବୈଜ୍ଞାନିକମାନେ ବିଶ୍ବର ସବୁଠୁ ଶକ୍ତିଶାଳୀ ଚୁମ୍ବକ ପ୍ରସ୍ତୁତ କରିବା ଘଟଣା ବିଶ୍ବର ବୈଜ୍ଞାନିକ ସମୁଦାୟଙ୍କୁ ସ୍ତମ୍ଭୀଭୂତ କରିଦେଇଛି। ଏକ କୋଠରି ଆକାରର ଏହି ଚୁମ୍ବକରୁ ନିର୍ଗତ ଚୁମ୍ବକୀୟ କ୍ଷେତ୍ର ପୃଥିବୀର ଚୁମ୍ବକୀୟ କ୍ଷେତ୍ର ଅପେକ୍ଷା ୮ ଲକ୍ଷ ଗୁଣ ଶକ୍ତିଶାଳୀ ବୋଲି ଦାବି କରାଯାଇଛି।
ଚୀନ୍ର ଏକାଡେମି ଅଫ୍ ସାଇନ୍ସେସ୍ ଅଧୀନ ହେଫେଇ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଫିଜିକାଲ୍ ସାଇନ୍ସେସ୍ର ଦଳେ ଗବେଷକ ୪୨.୦୨ ଟେସ୍ଲାର ସ୍ଥିର ଚୁମ୍ବକୀୟ କ୍ଷେତ୍ର ବିଶିଷ୍ଟ ଏହି କୃତ୍ରିମ ଚୁମ୍ବକ ପ୍ରସ୍ତୁତ କରିବାରେ ସକ୍ଷମ ହୋଇଛନ୍ତି। ଏହି ଚୁମ୍ବକ ପ୍ରାୟ ୩୨.୩ ମେଗାଵାଟ୍ ବିଦ୍ୟୁତ୍ ଶକ୍ତି ବ୍ୟବହାର କରିଥାଏ। ଏହା ଆମେରିକାର ଫ୍ଲୋରିଡା ସ୍ଥିତ ନାସନାଲ୍ ହାଇ ମାଗ୍ନେଟିକ୍ ଫିଲ୍ଡ ଲାବୋରେଟୋରି ଦ୍ବାରା ୨୦୧୭ରେ ପ୍ରସ୍ତୁତ ୪୧.୪ ଟେସ୍ଲା ବିଶିଷ୍ଟ ଚୁମ୍ବକକୁ ପଛରେ ପକାଇଦେଇଛି। ନୂତନ କ୍ବାଣ୍ଟମ୍ ତତ୍ତ୍ବ ନିରୀକ୍ଷଣରେ ଏହି ଶକ୍ତିଶାଳୀ ଚୁମ୍ବକର ଭୂମିକା ଗୁରୁତ୍ବପୂର୍ଣ୍ଣ ରହିବ ବୋଲି ଆଶା ରଖାଯାଇଛି। ଏହାର ଅତ୍ୟନ୍ତ ଶକ୍ତିଶାଳୀ ଚୁମ୍ବକୀୟତା ରସାୟନବିଜ୍ଞାନ ଓ ପଦାର୍ଥବିଜ୍ଞାନ କ୍ଷେତ୍ର ଠାରୁ ଆରମ୍ଭ କରି ବସ୍ତୁବିଜ୍ଞାନ ଓ ଜୀବବିଜ୍ଞାନ କ୍ଷେତ୍ରରେ ମଧ୍ୟ ଉପଯୋଗ ହୋଇପାରିବ ବୋଲି ଏହାର ନିର୍ମାତାମାନେ କହିଛନ୍ତି। ଉଲ୍ଲେଖଯୋଗ୍ୟ, ବିଗତ କିଛି ଦଶନ୍ଧି ଭିତରେ କେବଳ ଉଚ୍ଚ ଚୁମ୍ବକୀୟ କ୍ଷେତ୍ର ବ୍ୟବହାର କରି ଆବିଷ୍କୃତ ୧୦ରୁ ଅଧିକ ବୈଜ୍ଞାନିକ ଉପଲବ୍ଧିକୁ ନୋବେଲ ପୁରସ୍କାର ମିଳିଛି। ଏଥିରୁ ଚୁମ୍ବକୀୟ କ୍ଷେତ୍ରର ଗୁରୁତ୍ବ ସହଜରେ ଅନୁମେୟ।