ଭୁବନେଶ୍ବର : ଦିନ ଥିଲା ମାଧ୍ୟମିକ ଶିକ୍ଷା ପରିଷଦ(ବିଏସ୍ଇ) ଅଧୀନ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନ ଦୁର୍ବଳ ଥିଲା। ସାରା ରାଜ୍ୟର ପାସ୍ହାର ୮୦% ଛୁଇଁବା କଷ୍ଟକର ହୋଇପଡ଼ୁଥିଲା। ସେହି ସମୟରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍ଇ) ଅଧୀନରେ ଦଶମ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀ ୯୫%ରୁ ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହେଉଥିଲେ। ମାତ୍ର ଏବେ ପାଠପଢ଼ାର ଢାଞ୍ଚା, ପରୀକ୍ଷା ଓ ମୂଲ୍ୟାୟନ ପଦ୍ଧତି ବଦଳି ଯାଇଛି। ପରିଣାମ ସ୍ବରୂପ ବିଏସ୍ଇ ଅଧୀନ ଛାତ୍ରଛାତ୍ରୀଙ୍କ ସଫଳତା ରେକର୍ଡ ସୃଷ୍ଟି କରିଛି।
ଚଳିତବର୍ଷ ବିଏସ୍ଇ ପକ୍ଷରୁ ପ୍ରକାଶିତ ଦଶମ ପରୀକ୍ଷା ଫଳ ରେକର୍ଡ ସୃଷ୍ଟି କରିଛି। ଓଡ଼ିଶାରେ ବିଏସ୍ଇ ପାସ୍ହାର ସିବିଏସ୍ଇ ତୁଳନାରେ ଆଗରେ ରହିଛି। ଚଳିତ ବର୍ଷ ସିବିଏସ୍ଇ ପାସ୍ହାର ୯୩.୧୨% ଥିବା ବେଳେ ବିଏସ୍ଇ ପାସ୍ହାର ୯୬.୪୦% ହୋଇଛି। ଓଡ଼ିଶାରୁ ସିବିଏସ୍ଇ ଦଶମ ଶ୍ରେଣୀରେ ୬୧୮ ବିଦ୍ୟାଳୟରୁ ପଞ୍ଜୀକରଣ କରିଥିବା ୫୧ ହଜାର ୭୦୯ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୪୭ ହଜାର ୯୩୮ଜଣ କୃତକାର୍ଯ୍ୟ ହୋଇଛନ୍ତି। ସେହି ତୁଳନାରେ ବିଏସ୍ଇ ଅଧୀନରେ ୧୦ ଗୁଣ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବା ସହ ପାସ୍ହାରରେ ଆଗରେ ରହିଛନ୍ତି। ବହୁ ସଂଖ୍ୟକ ପରୀକ୍ଷାର୍ଥୀ ଗୋଟିଏ ଗୋଟିଏ ବିଷୟରେ ଶତ ପ୍ରତିଶତ ନମ୍ବର ରଖିଥିବା ଦେଖିବାକୁ ମିଳିଛି।
ଉଲ୍ଲେଖଥାଉକି, କରୋନା ପରବର୍ତ୍ତୀ ସମୟରେ ବିଏସ୍ଇ ପରୀକ୍ଷା ଫଳରେ ବ୍ୟାପକ ପରିବର୍ତ୍ତନ ଆସିଛି।
ଶିକ୍ଷାବିତ୍ ଆର ଏନ୍ ପଣ୍ଡାଙ୍କ କହିବାନୁଯାୟୀ ଏବର୍ଷ ରେଜଲ୍ଟ ଅଭୂତପୂର୍ବ। ସ୍କୁଲସ୍ତରରେ ୪ଟି ଏଫ୍ଏ ପରୀକ୍ଷା ହୋଇଛି। ଯେଉଁଥିରେ ସ୍କୁଲଗୁଡ଼ିକ ପିଲାଙ୍କୁ ଶତ ପ୍ରତିଶତ ମାର୍କ ଦେଇଛନ୍ତି। ଏସ୍ଏ-୧ ଓ ଏସ୍ଏ-୨ ବି କରାଯିବା ଦ୍ବାରା ପିଲାଙ୍କୁ ଭଲ ମାର୍କ ମିଳିଛି। ଏଭଳି ପରୀକ୍ଷା ଫଳ ଦ୍ବାରା ପିଲାମାନେ ଲାଭବାନ ହେବେ ସତ ମାତ୍ର ଗୁଣାତ୍ମକ ଶିକ୍ଷା ମିଳିବ ନାହିଁ। କେତେକ ବିଦ୍ୟାଳୟରେ ଶିକ୍ଷକ ଅଭାବ ରହିଥିଲେ ମଧ୍ୟ ୯୬% ରେଜଲ୍ଟ ହେବା ଆଶ୍ଚର୍ଯ୍ୟ ଚକିତ କରୁଛି।
ଶିକ୍ଷାବିତ୍ ଶରତ କୁମାର କରଙ୍କ କହିବାନୁଯାୟୀ ବିଏସ୍ଇ ପକ୍ଷରୁ ଏସ୍ଏ-୧ ଓ ଏସ୍ଏ-୨ ମାର୍କକୁ ମିଶାଇ ମୂଲ୍ୟାୟନ କରାଯିବା ଦ୍ବାରା ପିଲାମାନେ ଲାଭବାନ ହୋଇଛନ୍ତି।
ଓଷ୍ଟା ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି କହିଛନ୍ତି, ଏଭଳି ପରୀକ୍ଷା ଫଳକୁ ଆମେ ସ୍ବାଗତ କରୁଛୁ। ସମିଟିଭ୍ ଆସେସ୍ମେଣ୍ଟ(ଏସ୍ଏ)-୧ ଓ ଏସ୍ଏ-୨ ମାର୍କ ମିଶିବା ଦ୍ବାରା ପରୀକ୍ଷାର୍ଥୀଙ୍କ ମାର୍କ ବଢ଼ିଯାଉଛି। ତେଣୁ ୯ମ ଓ ଦଶମ ଶ୍ରେଣୀ ଏସ୍ଏ-୧ ବୋର୍ଡ ପରୀକ୍ଷାକୁ ବନ୍ଦ କରିବାକୁ ପଡ଼ିବ। ଗୁଣାତ୍ମକ ଶିକ୍ଷାକୁ ପ୍ରାଥମିକତା ଦେବାକୁ ପଡ଼ିବ। ୩୨୦୦ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଶିକ୍ଷକ ନାହାନ୍ତି। ସେଥିପ୍ରତି ରାଜ୍ୟ ସରକାର ଗୁରୁତ୍ବ ଦେଲେ ପିଲାମାନେ ଭଲ ପ୍ରଦର୍ଶନ କରିବେ।
ଏନପିଏସ ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ସଭାପତି ପ୍ରଦୀପ୍ତ କୁମାର ପ୍ରଧାନ କହିଛନ୍ତି, ଦୁଇ ବର୍ଷ ମଧ୍ୟରେ ୧୨ ହଜାରରୁ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି ଦିଆଯାଇଛି। ୫-ଟିରେ ରୂପାନ୍ତରିତ ବିଦ୍ୟାଳୟଗୁଡ଼ିକରେ ମିଳୁଥିବା ସୁବିଧାକୁ ଛାତ୍ରଛାତ୍ରୀ ଠିକ ଉପଯୋଗ କରିଛନ୍ତି, ଯାହାର ସୁଫଳ ପରୀକ୍ଷା ଫଳରେ ଦୃଶ୍ୟମାନ ହେଉଛି।