ଆମ ସୌରମଣ୍ଡଳରେ ରହିଥିବା ବିଭିନ୍ନ ଗ୍ରହ, ଉଲ୍‌କାପିଣ୍ଡ ଓ ଗ୍ରହାଣୁପୁଞ୍ଜ ଆଦି ସୂର୍ଯ୍ୟ ଠାରୁ ସୃଷ୍ଟି ହୋଇଛନ୍ତି। ତେଣୁ ସୌରମଣ୍ଡଳର ପ୍ରତ୍ୟେକଟି ପିଣ୍ଡର ଜନକ ହେଉଛି ସୂର୍ଯ୍ୟ ଏବଂ ସେମାନେ ସମସ୍ତେ ସୌରସନ୍ତାନ। ତେବେ ଦିନ ଆସିବ ଯେବେ ସୂର୍ଯ୍ୟ ନିଜର ସନ୍ତାନମାନଙ୍କୁ ଗୋଟି ଗୋଟି କରି ଗିଳିଦେବାକୁ ବାଧ୍ୟ ହେବ ବୋଲି ଜ୍ୟୋତିର୍ବିଜ୍ଞାନୀମାନେ ଆଶଙ୍କା ପ୍ରକଟ କରିଛନ୍ତି। ପୃଥିବୀ ପରି ଗ୍ରହରେ ଜୀବଜଗତ ସମ୍ଭବ କରାଇଥିବା ସୂର୍ଯ୍ୟ ହିଁ ପ୍ରକୃତରେ ଏକ ଜ୍ବଳନ୍ତ ପିଣ୍ଡ। ନିଜ ଶରୀରରେ ରହିଥିବା ପ୍ରଭୂତ ପରିମାଣର ଉଦ୍‌ଜାନ ବାଷ୍ପର ଜ୍ବଳନ ହିଁ ସୂର୍ଯ୍ୟଙ୍କୁ ଏପରି କୋଟି କୋଟି ବର୍ଷ ଧରି ଅହରହ ତାପ ତଥା ଆଲୋକ ପ୍ରଦାନ କରାଇବାରେ ସହଯୋଗ କରି ଆସିଛି। ତେବେ ଏମିତି ଏକ ସମୟ ଆସିବ, ଯେବେ ସୂର୍ଯ୍ୟ ଗର୍ଭରେ ଗଚ୍ଛିତ ଥିବା ଏହି ଉଦ୍‌ଜାନ ରୂପୀ ଜାଳେଣି ସରିଯିବ। ବୈଜ୍ଞାନିକମାନଙ୍କ ଆକଳନ ଅନୁଯାୟୀ, ଆଜିଠୁ ପ୍ରାୟ ୫୦୦ କୋଟି ବର୍ଷ ପରେ ଏହି ଅବସ୍ଥା ଆସିଯିବ ଓ ସୂର୍ଯ୍ୟ ଏକ ଲୋହିତ ରାକ୍ଷସ ନକ୍ଷତ୍ରରେ ପରିଣତ ହୋଇଯିବ।

Advertisment

ସେତେବେଳେ ସୂର୍ଯ୍ୟ ଧୀରେ ଧୀରେ ନିଜନ ସନ୍ତାନ ଗ୍ରହମାନଙ୍କୁ ଗିଳିବା ଆରମ୍ଭ କରିଦେବ। ପ୍ରଥମେ ବୁଧ ଗ୍ରହ ଠାରୁ ଆରମ୍ଭ କରି ପୃଥିବୀ ପର୍ଯ୍ୟନ୍ତ ଏହା ଗିଳି ଚାଲିବ ବୋଲି ବୈଜ୍ଞାନିକମାନେ ଆଶଙ୍କା କରୁଛନ୍ତି। ଆମ ସୌରମଣ୍ଡଳ ବାହାରେ ଅନ୍ତରୀକ୍ଷରେ ସୂର୍ଯ୍ୟ ସଦୃଶ ଏକ ମଧ୍ୟମ ଧରଣର ନକ୍ଷତ୍ରରେ ଅନୁରୂପ କ୍ରିୟା ସାଧିତ ହୋଇଥିବା ଲକ୍ଷ୍ୟ କରି ଜ୍ୟୋତିର୍ବିଜ୍ଞାନୀମାନେ ଏଭଳି ଆଶଙ୍କା ପ୍ରକଟ କରିଛନ୍ତି। ଏଭଳି ଗୋଟିଏ ଗୋଟିଏ ଗ୍ରହ ଗିଳିଲା ପରେ ସୂର୍ଯ୍ୟର ତେଜ ଆହୁରି ହଜାରେ ଗୁଣ ବଢ଼ିଯିବ। ତେବେ ସେତେବେଳକୁ ଭୂପୃଷ୍ଠରେ ମାନବ ସଭ୍ୟତା ଓ ଜୀବଜଗତ ତିଷ୍ଠି ରହିଥିବ କି ନା ତାହା କହିବା ମୁସ୍କିଲ। ତେଣୁ ସୂର୍ଯ୍ୟର ଏଭ​ଳି ସନ୍ତାନଖାଦକ ଗୁଣ ପାଇଁ ଆମେ ଏବେଠୁ ଆଦୌ ବିବ୍ରତ ହେବା ଆବଶ୍ୟକ ନାହିଁ ବୋଲି ବୈଜ୍ଞାନିକମାନେ ସାନ୍ତ୍ବନା ଦେଇଛନ୍ତି।