ବିଶ୍ୱ ବ୍ୟାପୀ ବ୍ରଡ୍ବ୍ୟାଣ୍ଡ କଭରେଜ୍ ପ୍ରଦାନ କରିବା ପାଇଁ ଏଲୋନ୍ ମସ୍କଙ୍କ ସ୍ପେସଏକ୍ସ ପ୍ରତି ସପ୍ତାହରେ ନୂତନ ଷ୍ଟାରଲିଙ୍କ୍ ସାଟେଲାଇଟ୍ ଉତ୍କ୍ଷେପଣ କରୁଛି। ଫଳରେ ଷ୍ଟାରଲିଙ୍କ୍ ସମ୍ପ୍ରତି ପୃଥିବୀର ନିମ୍ନ କକ୍ଷପଥରେ ସବୁଠାରୁ ବଡ଼ ସାଟେଲାଇଟ୍ ନେଟ୍ୱର୍କ ପାଲଟିଛି। ତେବେ ବିଗତ ପାଞ୍ଚ ବର୍ଷ ମଧ୍ୟରେ ଏ କମ୍ପାନି ୫୦୦ରୁ ଅଧିକ ଉପଗ୍ରହ ହରାଇଥିବା ଏକ ନୂତନ ଅନୁଧ୍ୟାନରୁ ଜଣାପଡ଼ିଛି। ଆମ ସୌରମଣ୍ଡଳର ୨୫ତମ ସୌରଚକ୍ର ସମୟରେ ଉପଗ୍ରହଗୁଡ଼ିକ ସୌରମଣ୍ଡଳର ଅନେକ ବଡ଼ କରୋନାଲ୍ ମାସ୍ ଇଜେକ୍ସନ୍(ସିଏମ୍ଇ) ସହିତ ପୃଥିବୀରେ ଭୂ-ଚୁମ୍ବକୀୟ ଝଡ଼ ପରି ତୀବ୍ର କାର୍ଯ୍ୟକଳାପ ପ୍ରତ୍ୟକ୍ଷ କରିଛି ଏବଂ ପ୍ରକାରାନ୍ତେ ସୂର୍ଯ୍ୟଙ୍କ କ୍ରୋଧର ସମ୍ମୁଖୀନ ହୋଇ କେତେକ ଉପଗ୍ରହର କକ୍ଷପଥ ବିଶୃଙ୍ଖଳିତ ହୋଇଯାଇଛି। ଫଳସ୍ବରୂପ ସୌରଚକ୍ରର ତୀବ୍ରତା ଶିଖରରେ ପହଞ୍ଚିଥିବା ବେଳେ (୨୦୨୦ରୁ ୨୦୨୪ ଭିତରେ) ଏଲନ୍ ମସ୍କଙ୍କ ଷ୍ଟାରଲିଙ୍କ୍ ୫୨୩ଟି କୃତ୍ରିମ ଉପଗ୍ରହ ହରାଇଛି।
୨୦୨୦ରୁ ୨୦୨୪ ଭିତରେ ସୌର ଚକ୍ରର ତୀବ୍ରତା ଶିଖରରେ ପହଞ୍ଚିଥିବା ବେଳେ ଷ୍ଟାରଲିଙ୍କ୍ କମ୍ପାନିର ୫୨୩ଟି କୃତ୍ରିମ ଉପଗ୍ରହ କକ୍ଷପଥରୁ ଖସି ନଷ୍ଟ ହୋଇଯାଇଥିଲା। ୨୦୨୫ ଜାନୁଆରିରେ ହିଁ ୧୨୦ଟି ଷ୍ଟାରଲିଙ୍କ୍ ସାଟେଲାଇଟ୍ ଭୂପତିତ ହୋଇଛି
ଉଲ୍ଲେଖଯୋଗ୍ୟ, ସୌରଚକ୍ର ହେଉଛି ପ୍ରାୟ ୧୧ ବର୍ଷର ଏକ ଅବଧି, ଯାହା ମଧ୍ୟରେ ସୂର୍ଯ୍ୟପୃଷ୍ଠରେ କାର୍ଯ୍ୟକଳାପର ଉତ୍ଥାନ ଓ ପତନ ଦେଖିବାକୁ ମିଳେ। ଏହି ସମୟରେ ଚୁମ୍ବକୀୟ କାର୍ଯ୍ୟକଳାପ ଯୋଗୁଁ ବିଶେଷକରି ସନ୍ସ୍ପଟ୍ (ଅନ୍ଧକାର ଓ ଥଣ୍ଡା ଅଞ୍ଚଳ) ସୃଷ୍ଟି ହୋଇଥାଏ। ଏହି ଚକ୍ର ସୂର୍ଯ୍ୟର ଚୁମ୍ବକୀୟ କ୍ଷେତ୍ର, ସୌର ଶିଖା, କରୋନାଲ୍ ମାସ୍ ଇଜେକ୍ସନ୍ ଏବଂ ସମଗ୍ର ଭାବେ ଉପଗ୍ରହ, ଜିପିଏସ୍ ଓ ପାୱାର ଗ୍ରିଡ୍ରେ ବାଧା ସମେତ ପୃଥିବୀକୁ ପ୍ରଭାବିତ କରୁଥିବା ‘ମହାକାଶ ପାଣିପାଗ’କୁ ପ୍ରଭାବିତ କରେ। ବର୍ତ୍ତମାନ ସୂର୍ଯ୍ୟ ‘ମାକ୍ସିମା’ ବା ସର୍ବାଧିକ ସକ୍ରିୟ ଅବସ୍ଥାରେ ଅଛି। ଏଣୁ ଏବେ ସନ୍ସ୍ପଟ୍ ସଂଖ୍ୟା ସର୍ବାଧିକ ହେବା ସହ ଶକ୍ତିଶାଳୀ ସୌର ଶିଖା ଓ ସିଏମ୍ଇ ଅଧିକ ଥର ଦେଖାଯାଏ। ବର୍ତ୍ତମାନର ସୌର ଚକ୍ରର ତୀବ୍ର ସୌର କାର୍ଯ୍ୟକଳାପ ଷ୍ଟାରଲିଙ୍କ୍ ଉପଗ୍ରହମାନଙ୍କୁ ପୃଥିବୀର ବାୟୁମଣ୍ଡଳକୁ ପୁନଃପ୍ରବେଶ କରାଇବାରେ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇସାରିଛି ବୋଲି ‘ନାସା ଗୋଡାର୍ଡ ସ୍ପେସ୍ ଫ୍ଲାଇଟ୍ ସେଣ୍ଟର’ର ମହାକାଶବିଜ୍ଞାନୀମାନେ କହିଛନ୍ତି। ୨୦୨୪ ମସିହାରେ ପୃଥିବୀରେ ସକ୍ରିୟ ଥିବା ସୌର ଚକ୍ର କାଳରେ ସଂଘଟିତ ସବୁଠାରୁ ବଡ଼ ସୌର ଝଡ଼ ଯୋଗୁଁ ପ୍ରକ୍ଷେପଣ କରାଯାଇଥିବା ୪୨ଟି ଷ୍ଟାରଲିଙ୍କ୍ ଉପଗ୍ରହ କିଛି ଦିନ ମଧ୍ୟରେ ଦୁର୍ଘଟଣାଗ୍ରସ୍ତ ହୋଇ ଭୂପୃଷ୍ଠକୁ ଖସିପଡ଼ିଛି। ଆକାଶରେ ଥିବା ବସ୍ତୁଗୁଡ଼ିକୁ ନିରୀକ୍ଷଣ କରି ଜ୍ୟୋତିର୍ବିଜ୍ଞାନୀମାନେ ଉଲ୍ଲେଖ କରିଛନ୍ତି ଯେ କେବଳ ଜାନୁଆରି ୨୦୨୫ରେ ହିଁ ୧୨୦ରୁ ଅଧିକ ଷ୍ଟାରଲିଙ୍କ୍ ଉପଗ୍ରହ ପୃଥିବୀର ବାୟୁମଣ୍ଡଳରେ ପୁନଃପ୍ରବେଶ କରିଥିଲେ ଏବଂ ସୁଦୃଶ୍ୟ ଅଗ୍ନିପିଣ୍ଡୁଳା ପାଲଟି ବାୟୁମଣ୍ଡଳରେ ହିଁ ଜଳି ଯାଇଥିଲେ। ପୁନଃପ୍ରବେଶ ବେଳେ ଉପଗ୍ରହଗୁଡ଼ିକ ଜଳିଯାଇ ବାୟୁମଣ୍ଡଳୀୟ ପ୍ରଦୂଷଣ ସୃଷ୍ଟି କରୁଥିବାରୁ ସେ ନେଇ ମଧ୍ୟ ଉଦ୍ବେଗ ପ୍ରକାଶ ପାଇବାରେ ଲାଗିଛି।