ସୌରାଷ୍ଟ୍ର ବିଶ୍ବବିଦ୍ୟାଳୟର ସମ୍ମାନଜନକ ମନୋବିଜ୍ଞାନ ବିଭାଗ ଦ୍ବାରା କରାଯାଇଥିବା ଏକ ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ରାଜକୋଟ ସହରର ୭୨% କର୍ମଜୀବୀ ମହିଳା ‘ସୁପରଓମେନ୍ ସିଣ୍ଡ୍ରୋମ୍’ ଦ୍ବାରା କବଳିତ। ଏଥିରୁ ସ୍ପଷ୍ଟ ଯେ ‘ସୁପରଓମେନ୍ ସିଣ୍ଡ୍ରୋମ୍’ ନାମକ ଏକ ମାନସିକ ବିକାର ଆଧୁନିକ ମହିଳାଙ୍କୁ ଦୁର୍ବଳ କରିବାରେ ଲାଗିଛି।
‘ସୁପରଓମେନ୍ ସିଣ୍ଡ୍ରୋମ୍’ ହେଉଛି ଜୀବନର ପ୍ରତିଟି ଦିଗରେ ସଫଳତା ହାସଲ କରିବାର ବ୍ୟାକୁଳତା ମହିଳାଙ୍କ ମନକୁ ଆଚ୍ଛନ୍ନ କରି ରଖିବା ଅବସ୍ଥା। ଏହା କ୍ରମେ ମାନସିକ ଚାପ ବୃଦ୍ଧି କରିଚାଲେ ଏବଂ ମହିଳାମାନେ ବ୍ୟକ୍ତିଗତ ଆବଶ୍ୟକତାଗୁଡ଼ିକୁ ଅବହେଳା କରିବାରେ ଲାଗନ୍ତି। ଏହି ସିଣ୍ଡ୍ରୋମ୍ ଭୋଗୁଥିବା ମହିଳାଙ୍କ ଠାରେ ସାଧାରଣତଃ କ୍ଳାନ୍ତି, ଉଦ୍ବେଗ, ବିଷାଦ, ନିଦ୍ରାହୀନତା ଆଦି ଲକ୍ଷଣ ଦେଖାଯାଇଥାଏ।
ଏହା ସତ ଯେ ମହିଳାମାନେ ଏକା ସମୟରେ ଏକାଧିକ କାମ କରିବାରେ ପାରଙ୍ଗମ। କିନ୍ତୁ ପେସାଦାର ଓ ପାରିବାରିକ ଜୀବନ ମଧ୍ୟରେ ସନ୍ତୁଳନ ରଖିବା ଆଜିର ଭାରତୀୟ ମହିଳାଙ୍କ ଲାଗି ଅପେକ୍ଷାକୃତ କଷ୍ଟସାଧ୍ୟ ହୋଇଥାଏ। ଗୋଟିଏ ପଟେ ଅଫିସରେ ଟାର୍ଗେଟ୍ ପୂରଣ କରିବାର ଚାପ ଏବଂ ଅନ୍ୟପଟେ ପାରିବାରିକ ଦାୟିତ୍ବ ତୁଲାଇବାର ପ୍ରତିବଦ୍ଧତା। ଉଭୟ ସ୍ଥାନରେ ନିଖୁଣତା ବଜାୟ ରଖିବାର ଉଦ୍ୟମ ଯୋଗୁଁ ‘ସୁପରଓମେନ୍ ସିଣ୍ଡ୍ରୋମ୍’ର ବ୍ୟାପକତା ବଢ଼ିବାରେ ଲାଗିଛି।
/sambad/media/post_attachments/wp-content/uploads/2020/06/mental.jpg)
ବିଶେଷଜ୍ଞଙ୍କ ଅନୁଯାୟୀ ଯେକୌଣସି ବସୟର ମହିଳାମାନେ ଏହି ସିଣ୍ଡ୍ରୋମ୍ର ଶିକାର ହୋଇପାରନ୍ତି। କିନ୍ତୁ ସାମାଜିକ ରୂପେ ସକ୍ରିୟ ଥିବା ତଥା ଚାକିରିଆ ମହିଳାଙ୍କ ଠାରେ ଏହି ସିଣ୍ଡ୍ରୋମ୍ ବିକଶିତ ହେବାର ଆଶଙ୍କା ଅଧିକ। ସୌରାଷ୍ଟ୍ର ବିଶ୍ବବିଦ୍ୟାଳୟର ସର୍ବେକ୍ଷଣ ତଥ୍ୟରୁ ଏହାର କେତେକ ଉଦ୍ବେଗଜନକ ଦିଗ ଉନ୍ମୋଚିତ ହୋଇଛି। ‘ସୁପରଓମେନ୍ ସିଣ୍ଡ୍ରୋମ୍’ ଭୋଗୁଥିବା ମହିଳାମାନଙ୍କ ମାନସିକତା ସବୁଠାରୁ ହତାଶଜନକ। ସର୍ବେକ୍ଷଣରେ ଭାଗ ନେଇଥିବା ୭୨୦ ମହିଳାଙ୍କ ମଧ୍ୟରୁ ୭୭% ଅଂଶଗ୍ରହଣକାରୀ ସେମାନେ ସମ୍ମୁଖୀନ ହେଉଥିବା ପ୍ରତ୍ୟେକ ବିଫଳତା ପାଇଁ ନିଜକୁ ଦାୟୀ କରିଥାନ୍ତି। ସେହିପରି ୮୨% ଅଂଶଗ୍ରହଣକାରୀ ସେମାନେ ଗ୍ରହଣ କରୁଥିବା ପ୍ରତିଟି ଦାୟିତ୍ବକୁ ଶ୍ରେଷ୍ଠ ଢଙ୍ଗରେ ତୁଲାଇବାକୁ ବଦ୍ଧପରିକର ବୋଲି ପ୍ରକାଶ କରନ୍ତି। ୮୮% ସେମାନଙ୍କ କାର୍ଯ୍ୟ ପାଇଁ ପ୍ରଶଂସା ଲୋଡୁଥିବା ବେଳେ ୯୦% ନିଜ ପାଇଁ ସମୟ ନ ଥିବା କଥା କହନ୍ତି। ଅପରପକ୍ଷେ, ୬୩% ଅଂଶଗ୍ରହଣକାରୀ ନିଦ୍ରାହୀନତା ଭୋଗିବା ଦର୍ଶାଇଥାଏ ଯେ ଏହି ସିଣ୍ଡ୍ରୋମ୍ ମହିଳାମାନଙ୍କ ସ୍ବାସ୍ଥ୍ୟ ଉପରେ କେତେ ନକାରାତ୍ମକ ପ୍ରଭାବ ପକାଉଛି। ମହିଳମାନେ ନିଜ ସାମର୍ଥ୍ୟର ସୀମା ଲଂଘିବାର ଉଦ୍ୟମ କରିବାର ପରିଣାମ ହେଉଛି ‘ସୁପରଓମେନ୍ ସିଣ୍ଡ୍ରୋମ୍’।
ମହିଳାମାନେ ଅଧିକ ସଂଖ୍ୟାରେ ଦିନକୁ ଦିନ ବିଭିନ୍ନ ପେସା ଓ ବ୍ୟବସାୟରେ ପ୍ରବେଶ କରୁଥିବାରୁ ଆଗକୁ ‘ସୁପରଓମେନ୍ ସିଣ୍ଡ୍ରୋମ୍’ର ଭୟାବହତା ଅଧିକ ବ୍ୟାପକ ହେବାର ଆଶଙ୍କା ରହିଛି। ଉକ୍ତ ସର୍ବେକ୍ଷଣକୁ ଏହାର ଏକ ପୂର୍ବାଭାଷ ରୂପେ ଦେଖି କର୍ମଜୀବୀ ମହିଳାଙ୍କ ନିରବ ସଂଘର୍ଷ ପ୍ରତି ଅଧିକ ଯତ୍ନବାନ ହେବା ଅପରିହାର୍ଯ୍ୟ। ମହିଳାମାନେ କାର୍ଯ୍ୟାଳୟ ଓ ପରିବାରରେ ଭୋଗୁଥିବା ଚାପର ଉପସ୍ଥିତିକୁ ପ୍ରଥମେ ସମାଜ ସ୍ବୀକାର କରିବା ଦରକାର। ତେବେ ଯାଇ କର୍ମଜୀବୀ ମହିଳାଙ୍କ ମନରେ ନିଜ ପ୍ରତି ସମ୍ବେଦନା ଓ ସମର୍ଥନ ଉଦ୍ରେକ ହେବ ଏବଂ ସେମାନେ କାର୍ଯ୍ୟ ଓ ପରିବାର ମଧ୍ୟରେ ଏକ ସୁସ୍ଥ ସମନ୍ବୟ ରକ୍ଷା କରିପାରିବେ।