ଗତ ସପ୍ତାହରେ ଦକ୍ଷିଣ ଜର୍ମାନୀରେ ଖନନ ବେଳେ ମାଟି ତଳୁ ଏକ ବ୍ରୋଞ୍ଜ ଖଣ୍ଡା ଉଦ୍ଧାର କରାଯାଇଛି। ପ୍ରାୟ ତିନି ହଜାର ବର୍ଷ ତଳର ଉକ୍ତ ଖଡ଼୍ଗଟି ଏବେ ସୁଦ୍ଧା ଝଲସୁଥିବା ଘଟଣା ପ୍ରତ୍ନତତ୍ତ୍ବବିତ୍ମାନଙ୍କୁ ଚକିତ କରିଛି। ଜର୍ମାନୀର ନ୍ୟୁରେମ୍ବର୍ଗ ଓ ଷ୍ଟୁଗାର୍ଟ ମଧ୍ୟବର୍ତ୍ତୀ ଅଞ୍ଚଳ ନର୍ଦ୍ଲିଞ୍ଜେନଠାରେ ପ୍ରତ୍ନତାତ୍ତ୍ବିକ ଖନନ ବେଳେ ଖ୍ରୀ.ପୂ. ୧୪୦୦, ଅର୍ଥାତ୍ ବ୍ରୋଞ୍ଜ ଯୁଗର ମଧ୍ୟଭାଗର ଏହି ଖଣ୍ଡାଟି ଆବିଷ୍କୃତ ହୋଇଛି ଯେଉଁଥିରେ ବ୍ରୋଞ୍ଜର ମଧ୍ୟ ଏକ ଅଷ୍ଟଭୁଜାକାର ମୁଠା ରହିଛି। ତାହା ଏକ ସମାଧିସ୍ଥଳରୁ ମିଳିଛି ଯେଉଁଠି ତିନି ଜଣଙ୍କୁ ଲଗାତାର ସେଠାରେ କବର ଦିଆଯାଇଥିବା ଜଣାଯାଇଛି।
କବରସ୍ଥ ହୋଇଥିବା ଜଣେ ପୁରୁଷ, ଜଣେ ମହିଳା ଓ ଜଣେ ଶିଶୁ- ସମସ୍ତେ ଦେହରେ ବ୍ରୋଞ୍ଜ ନିର୍ମିତ ସାମଗ୍ରୀ ଧାରଣ କରିଥିବା ଜଣାଯାଇଛି। ସମୟକ୍ରମେ ସଂପୃକ୍ତ ଅଞ୍ଚଳରେ ଲୋକେ ମଧ୍ୟ-ବ୍ରୋଞ୍ଜ ଯୁଗୀୟ କବରସ୍ଥଳଗୁଡ଼ିକରୁ ବିଭିନ୍ନ ସାମଗ୍ରୀ ପ୍ରାୟ ଲୁଟିନେଇଥିବା ବେଳେ ଉକ୍ତ ଖଣ୍ଡାଟିର ଅସ୍ଥିତ୍ବ ଭିନ୍ନ ସନ୍ଦେଶ ଆଣିଛି। ତାହାର ଅଷ୍ଟଭୁଜାକାର ମୁଠାରୁ ତାହାକୁ କୌଣସି କୁଶଳୀ ଶିଳ୍ପୀ ନିର୍ମାଣ କରିଥିବା ଅନୁମାନ କରାଯାଏ। ଖଣ୍ଡାଟି ଏବେ ବି ଶତ୍ରୁକୁ ଅନାୟାସରେ ଛେଦନ କରିପାରିବାର କ୍ଷମତା ରଖିଛି। ମାତ୍ର ଖଣ୍ଡାଟିରେ କୌଣସି ବ୍ୟବହାର ଜନିତ କ୍ଷୟଚିହ୍ନ ଦେଖିବାକୁ ମିଳିନଥିବାରୁ ତାହା କେବଳ ଏକ ଉତ୍ସବୀୟ ସାମଗ୍ରୀ ଭାବେ ବ୍ୟବହୃତ ହେଉଥିବା ପ୍ରତ୍ନତତ୍ତ୍ବବିତ୍ମାନେ ଅନୁମାନ କରୁଛନ୍ତି।