ପାଣିପାଗ ସଂକ୍ରାନ୍ତୀୟ ୨୦୧୫ ପ୍ୟାରିସ୍ ରାଜିନାମାରେ ନିର୍ଦ୍ଧାରିତ ତଥା ଆନ୍ତର୍ଜାତିକ ସ୍ତରରେ ଗୃହୀତ ‘୨ ଡିଗ୍ରି ତାପମାତ୍ରା ବୃଦ୍ଧି ସୀମା’ ଲକ୍ଷ୍ୟ ଏବେ ମୃତପ୍ରାୟ ବୋଲି ‘ନାସା’ର ପ୍ରାକ୍ତନ ଜଳବାୟୁ ବୈଜ୍ଞାନିକ ଡକ୍ଟର ଜେମ୍ସ ହାନ୍ସେନ୍ ମତ ରଖିଛନ୍ତି। ଉଲ୍ଲେଖଯୋଗ୍ୟ, ଶିଳ୍ପଯୁଗ ପ୍ରାରମ୍ଭ ତୁଳନାରେ ୨୦୩୦ ମସିହା ସୁଦ୍ଧା ହାରାହାରି ତାପମାତ୍ରା ବୃଦ୍ଧିକୁ ୨ ଡିଗ୍ରି ସେଲ୍ସିଅସ୍ ଭିତରେ ସୀମିତ ରଖିବାକୁ ପ୍ୟାରିସ୍ ସମ୍ମିଳନୀରେ ଲକ୍ଷ୍ୟ ସ୍ଥିର କରାଯାଇଥିଲା। ତେବେ ହାନ୍ସେନ୍ ଓ ତାଙ୍କ ସହକର୍ମୀମାନେ ଏକ ସିଦ୍ଧାନ୍ତରେ ପହଞ୍ଚିଛନ୍ତି ଯେ ଜୀବାଶ୍ମ ଇନ୍ଧନ ବ୍ୟବହାର ଏବଂ ତଜ୍ଜନିତ ନିର୍ଗମନ ପ୍ରତି ଜଳବାୟୁର ସମ୍ବେଦନଶୀଳତା ଆମ ପୂର୍ବ ଆକଳନ ତୁଳନାରେ ଅଧିକ ରହିଛି। ଯଦି ବୈଜ୍ଞାନିକମାନଙ୍କ ଏହି ବିଶ୍ଳେଷଣ ଠିକ୍ ହୁଏ, ତେବେ ଚରମ ପାଣିପାଗ ଘଟଣାଗୁଡ଼ିକ ଆମ ଆକଳନରୁ ଅଧିକ ଉଗ୍ର ହେବା ସହିତ ଆଗକୁ ସେଗୁଡ଼ିକର ବାରମ୍ବାରତା ଓ ତୀବ୍ରତା ବଢ଼ିବ। ପରେ ଏହା ଏଭଳି ସଂକଟଜନକ ଶୀର୍ଷ ଛୁଇଁବ, ଯେଉଁଥିରୁ ପୃଥିବୀର ଉପଶମ ଆଉ ସମ୍ଭବ ହେବନାହିଁ।
ଏ ପରିପ୍ରେକ୍ଷୀରେ ପ୍ୟାରିସ୍ ରାଜିନାମା ଏକ ପ୍ରତାରଣା ବୋଲି ହାନ୍ସେନ୍ କହିଛନ୍ତି। ତାପମାତ୍ରା ବୃଦ୍ଧି ପାଇଁ ମୁଖ୍ୟତଃ ଦାୟୀ ଥିବା ଜୀବାଶ୍ମ ତୈଳର ଦହନ ଯଥାରୀତି ଚାଲୁ ରହିଥିବା ଯାଏ ପ୍ୟାରିସ୍ ରାଜିନାମା କେବଳ ଏକ ବୃଥା ଶପଥ ବୋଲି ତାଙ୍କର ମତ। ପ୍ୟାରିସ୍ ରାଜିନାମା ସ୍ବାକ୍ଷର ପରଠାରୁ ୨୦୨୪ ମସିହା ସବୁଠୁ ଉଷ୍ମତମ ରହିବା ସହ ବିଗତ ଦଶ ବର୍ଷ ଇତିହାସର ଉଷ୍ମତମ ତାଲିକା ଶୀର୍ଷରେ ରହି ଆସିଛି। ଜୀବାଶ୍ମ ତୈଳର ଦହନ ଦିନକୁ ଦିନ ବଢ଼ିଚାଲିଥିବାରୁ ୨୦୩୦ ସୁଦ୍ଧା ଧାର୍ଯ୍ୟ ଲକ୍ଷ୍ୟ ହାସଲ ସମ୍ଭବ ନୁହେଁ। ଏ ବାବଦରେ ସମୟୋଚିତ ନୀତି ଆପଣେଇଲେ ହିଁ ୨୦୪୫ ସୁଦ୍ଧା ତାହା ସମ୍ଭବ ହୋଇପାରିବ ବୋଲି ହାନ୍ସେନ୍ ଆଶା ରଖିଛନ୍ତି। ପ୍ରାକ୍ ଶିଳ୍ପଯୁଗ ତୁଳନାରେ ସମ୍ପ୍ରତି ହାରାହାରି ତାପମାତ୍ରା ବୃଦ୍ଧି ୧.୩ ଡିଗ୍ରି ସେଲ୍ସିଅସ୍ ରହିଥିବା ସତ୍ତ୍ବେ ବିଶ୍ବବ୍ୟାପୀ ଜଳବାୟୁ ପରିବର୍ତ୍ତନର ଧ୍ବଂସକାରୀ ଘଟଣାମାନ ଦେଖିବାକୁ ମିଳୁଛି। ସୁତରାଂ ତାହା ୨ ଡିଗ୍ରି ପହଞ୍ଚିଗଲେ ପ୍ରଳୟର ସାମ୍ନା କରିବାକୁ ପଡ଼ିବ ବୋଲି ସେ ସତର୍କ କରାଇ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/02/10/2TCeMlHX1nNR7td50Jfc.jpg)