ଅକ୍ଷୟ ମହାନ୍ତିଙ୍କ ଲୋକପ୍ରିୟ ଗୀତ ‘ବାହୁରେ କୁଟାଇ ତୋର ରାଧାକୃଷ୍ଣ ମୂରତି କେମିତି ଗଲୁରେ ଗୋରୀ ଭୁଲି ମୋର ପୀରତି…’ ଓଡ଼ିଶାରେ ପ୍ରଚଳିତ ଚିତାକୁଟା ପରମ୍ପରାକୁ ମନେପକାଇଦିଏ। ଏହା ଥିଲା ଆମ ଲୋକସଂସ୍କୃତିର ଅଭିନ୍ନ ଅଙ୍ଗ। କିଏ ନିଜ ନାଁ, ତ’ ପୁଣି କିଏ ନିଜ ପସନ୍ଦର ଚିତ୍ରଟିଏ ଶରୀରରେ କୁଟାଇ ଦେଉଥିଲା। କିନ୍ତୁ, ଆଧୁନିକତାର ସୁଅରେ କାଳକ୍ରମେ ଏହା ଆଜି ଅଲୋଡ଼ା। ଦୀର୍ଘ ବ୍ୟବଧାନ ପରେ ଉଧାରି ସଂସ୍କୃତି ଭାବେ ଏହା ଫେରିଲା ସିନା, କିନ୍ତୁ ନାଁ ବଦଳିଗଲା। ଚିତାକୁଟାର ଆଧୁନିକ ଅବତାର ‘ଟାଟୁ’ ଏବେ ବେଶ୍ ଲୋକପ୍ରିୟ। ଖାଲି ହାତରେ ସୀମିତ ରହିଲା ନାହିଁ, କିଏ ବିଭିନ୍ନ ଅଙ୍ଗରେ ତ’ ପୁଣି କିଏ ସାରା ଶରୀରରେ ଆଙ୍କୁଛି ‘ଟାଟୁ’। ଯୁବପିଢ଼ି ‘ଟାଟୁ’ ଖୋଦେଇକୁ ନେଇ ଏକପ୍ରକାର ବାୟା ହେଉଥିବା ବେଳେ ‘ଟାଟୁ’ ଚର୍ମ କର୍କଟର ଅନ୍ୟତମ କାରଣ ବୋଲି ବିଭିନ୍ନ ସମୟରେ ଚର୍ଚ୍ଚା ବି ହୁଏ। ତେବେ ‘ଟାଟୁ’ ଖୋଦେଇ କେତେ ସୁରକ୍ଷିତ ଏବଂ କ’ଣ ରହିଛି ଆଜିର ଟାଟୁ ଟ୍ରେଣ୍ଡ୍‌?

Advertisment

ଶରୀରରେ ଟାଟୁ କରିବା ବିଦେଶ ଓ ଜାତୀୟସ୍ତରରେ ବେଶ୍‌ କ୍ରେଜ୍‌ରେ ଥିବା ବେଳେ ପ୍ରାୟ ୧୩ ବର୍ଷ ହେବ ଏହା ଓଡ଼ିଶାକୁ ଆସିଛି। ତେବେ ଟାଟୁକୁ ନେଇ ଯୁବପିଢ଼ିଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଦେଖାଯାଉଥିବା ବେଳେ ସବୁ ବର୍ଗର ଲୋକଙ୍କ ମଧ୍ୟରେ ଏହାର ଆଦୃତି ପରିଲକ୍ଷିତ ହେଲାଣି।

ଚାହିଦାରେ ‘କଷ୍ଟମାଇଜ୍‌ଡ୍‌’ ଓ ‘ପୋଟ୍ରେଟ୍‌ ଟାଟୁ’
ଫୁଲ, ମୟୂର, ଦେବାଦେବୀଙ୍କ ପ୍ରତିକୃତି ବା ନାମ ଖୋଦେଇ ଏବେ ପୁରୁଣା ହୋଇଯାଇଥିବା ବେଳେ ‘କଷ୍ଟମାଇଜ୍‌ଡ୍‌’ ଓ ‘ପୋଟ୍ରେଟ୍‌ ଟାଟୁ’ ଚାହିଦାର ସର୍ବାଗ୍ରେ ରହିଛି। ନିଜର କିମ୍ବା ନିଜ ପ୍ରିୟଜନଙ୍କ ଚେହେରା ଶରୀରରେ ଖୋଦେଇ କରିବାକୁ ‘ପୋଟ୍ରେଟ୍‌ ଟାଟୁ’ କୁହାଯାଇଥାଏ। ସେହିପରି କଷ୍ଟମାଇଜ୍‌ଡ୍‌ ଟାଟୁ, ଅବ୍‌ଷ୍ଟ୍ରାକ୍ଟ ଟାଟୁ, ଵାଟର୍‌ କଲର୍‌ ଟାଟୁ ଓ କାହାଣୀ ବୟାନ କରୁଥିବା ଟାଟୁ ଖୋଦେଇବାକୁ ଅଧିକ ଉତ୍ସୁକତା ପ୍ରକାଶ ପାଉଛି। ଯୁବପିଢ଼ି ନିଜ ଜୀବନ କାହାଣୀ, ସଂଘର୍ଷ ସମୟର ସଫଳତା, ପ୍ରେମ ଓ ବିବାହ ଆଦିର ବିଭିନ୍ନ କଥାବସ୍ତୁକୁ ନେଇ ଏବେ ଟାଟୁ କରିବାକୁ ପସନ୍ଦ କରୁଛନ୍ତି। ପୁଣି ଏସବୁ ଟାଟୁ ଆଉ ଟୁ-ଡି ହୋଇ ନାହିଁ, ଥ୍ରି-ଡିରେ ଦେଖାଗଲାଣି। ଟାଟୁ ଜଣଙ୍କର ବ୍ୟକ୍ତିତ୍ୱକୁ ପରିପ୍ରକାଶ କରୁଥିବା ବେଳେ ତା’ ଜୀବନର କାହାଣୀ ମଧ୍ୟ ଅବତାରଣା କରେ ବୋଲି କହିଛନ୍ତି ସ୍କାଇଭାସ୍‌ ଟାଟୁ ଷ୍ଟୁଡିଓର ସ୍ବତ୍ବ‌ାଧିକାରୀ ଓମ୍‌ ଆଚାର୍ଯ୍ୟ। ଡିଜାଇନ୍‌କୁ ଆଧାର କରି ଟାଟୁର ମୂଲ୍ୟ ନିର୍ଦ୍ଧାରଣ କରାଯାଉଛି। ଓଡ଼ିଶାରେ ଲୋକମାନେ ୧୫୦୦ ଟଙ୍କାରୁ ଆରମ୍ଭ କରି ଅଢ଼େଇ ଲକ୍ଷ ଟଙ୍କାର ଟାଟୁ କଲେଣି ବୋଲି ‌େସ କହିଛନ୍ତି।

ଏବେ ‘ଟାଟୁ’ କଲେ ଆଉ ଚର୍ମ କର୍କଟ ଭୟ ନାହିଁ
ଟାଟୁ ଯୋଗୁ ଚର୍ମ କର୍କଟ ହେଉଛି କି? ଏ ପ୍ରଶ୍ନର ଉତ୍ତରରେ ଓମ୍‌ ଆଚାର୍ଯ୍ୟ କହନ୍ତି, ‘‘କୌଣସି କଥା ଇଣ୍ଟର୍‌ନେଟ୍‌ରେ ଯଦି ବୁଲୁଛି ତାହା ସମ୍ପୂର୍ଣ୍ଣ ମିଛ ହୋଇ ନ ପାରେ। ଆଗରୁ ‘ଟାଟୁ’ ଯୋଗୁଁ ଚର୍ମ କର୍କଟର ଭୟ ରହୁଥିଲା। କିନ୍ତୁ, ତାହା ୧୫ ବର୍ଷ ତଳର କଥା। ସେତେବେଳେ ଟାଟୁ ଖୋଦେଇ ପାଇଁ ବ୍ୟବହୃତ କାଳି ଚୀନ୍‌ରୁ ଆସୁଥିଲା। ଏଥି‌େର କର୍କଟ ଉତ୍ପନ୍ନକାରୀ ତତ୍ତ୍ବ ରହୁଥିଲା। ଚୀନ୍‌ରୁ ଆସିଥିବା ଲାଲ୍‌, ସବୁଜ ଓ ନୀଳ ରଙ୍ଗର କାଳି ଆହୁରି ଅଧିକ ହାନିକାରକ ଥିଲା। ଏବେ ଆମେରିକାରୁ ପ୍ରସ୍ତୁତ ହୋଇ ଏଫ୍‌ଡିଏ ଅନୁମୋଦନପ୍ରାପ୍ତ କାଳି ସବୁଆଡ଼କୁ ରପ୍ତାନି ହେଉଛି। ଭାରତକୁ ମଧ୍ୟ ଏହି କାଳି ଆସୁଛି। ଏଥି‌େର କର୍କଟ ରୋଗ ଉତ୍ପନ୍ନକାରୀ ଉପାଦାନ ରହୁନାହିଁ। ଏଣୁ ଏହାଦ୍ବାରା କର୍କଟ ରୋଗ ହେବାର ଆଶଙ୍କା ନାହିଁ।’’ ସବୁବେଳେ ପେସାଦାର ଷ୍ଟୁଡିଓରେ ଟାଟୁ ବିଶେଷଜ୍ଞଙ୍କ ପାଖରେ ଟାଟୁ କରିବା ଆବଶ୍ୟକ। ଏହାଦ୍ୱାରା କୌଣସି ଚର୍ମ ସମସ୍ୟା କିମ୍ବା ସଂକ୍ରମଣର ଭୟ ନ ଥାଏ। ରାସ୍ତାକଡ଼ରେ, ମେଳା ମହୋତ୍ସବରେ ଟାଟୁ କରିବା ବିପଦପୂର୍ଣ୍ଣ ହୋଇପାରେ। ଏଫ୍‌ଡିଏ ଅନୁମୋଦନପ୍ରାପ୍ତ ଅର୍ଗାନିକ୍‌ କାଳିରେ ଟାଟୁ କଲେ ଏହାର ଖର୍ଚ୍ଚ ଅତି କମ୍‌ରେ ୧୨୦୦ ଟଙ୍କା ହେବ। କିନ୍ତୁ, ଯଦି କିଏ ୨୦୦ ବା ୩୦୦ ଟଙ୍କାରେ ଟାଟୁ କରାଉଛନ୍ତି, ତେବେ ମାନରେ ନିହାତି ବୁଝାମଣା କରାଯାଇଛି। ଏହା ଶରୀର ପାଇଁ ହାନିକାରକ ହୋଇପାରେ। ଶସ୍ତାରୁ ହିନସ୍ତା ହେବା ଉଚିତ ନୁହେଁ।