ବ୍ରିଟିସ୍ ଯୁବକ ଲିଆମ୍ ଡର୍ବିସାୟାର୍ ଜନ୍ମରୁ ଏକ ଅତି ବିରଳ ତଥା ଅଦ୍ଭୁତ ଜିନ୍-ଦୋଷର ଶିକାର। ତାଙ୍କୁ ନିଦ ହେବା ମାତ୍ରେ ଶ୍ୱାସକ୍ରିୟା ବନ୍ଦ ହୋଇଯାଉଛି। ସେ ଜନ୍ମ ହେବା ପରେ ଡାକ୍ତରମାନେ କହିଥିଲେ, ଛଅ ସପ୍ତାହରୁ ଅଧିକ ବଞ୍ଚିବେନାହିଁ। ହେଲେ, ତାଙ୍କ କ୍ଷେତ୍ରରେ ଅସଂଭବ, ସଂଭବ ହୋଇଛି। ସେ ଇତି ମଧ୍ୟରେ ଅଠରଟି ବସନ୍ତ ଦେଖିସାରିଲେଣି। ସେ ଭୋଗୁଥିବା ଅବସ୍ଥାର ନାମ ‘ହାଇପୋଭେଣ୍ଟିଲେସନ୍’ ବା ‘ଓନ୍ଡାଇନ୍ସ କସ୍ର୍’। ଫ୍ରେଞ୍ଚ୍ ପରୀ କଥାରେ ଓନ୍ଡାଇନ୍ ଜଣେ ପରୀ।
କିଂବଦନ୍ତି ଅନୁଯାୟୀ ସେ, ପେଲ୍ମୋନ୍ ନାମକ ମଣିଷଙ୍କ ପ୍ରେମରେ ପଡ଼ିଥିଲେ। ଦୁହେଁ ବିବାହ ମଧ୍ୟ କରିଥିଲେ। ପେଲ୍ମୋନ୍ ପ୍ରତିଜ୍ଞା କରିଥିଲେ, ତାଙ୍କର ପ୍ରତିଟି ପ୍ରଶ୍ୱାସ, ଓନ୍ଡାଇନ୍ଙ୍କ ପାଇଁ। ତେବେ, କଥା ରଖି ନ ଥିଲେ। ଓନ୍ଡାଇନ୍ ରାଗିଯାଇ ଶାପ ଦେଇଥିଲେ, ତାଙ୍କୁ ଯେତେ ବେଳେ ନିଦ ହେବ, ଶ୍ୱାସକ୍ରିୟା ବନ୍ଦ ହୋଇଯିବ। କିଂବଦନ୍ତି ଲିଆମ୍ଙ୍କ କ୍ଷେତ୍ରରେ ସତ ହୋଇଛି, ଯଦିଓ ସେ କେବେ କାହାର ପ୍ରେମରେ ପଡ଼ିନାହାନ୍ତି ବା କାହାକୁ ପ୍ରତାରିତ କରିନାହାନ୍ତି।