“ଜାତସ୍ୟ ହି ଧ୍ରୁବଂ ମୃତ୍ୟୁ”- ଏକଥା ଜାଣି ମଧ୍ୟ ତ୍ରିଲୋଚନଙ୍କ ଯୋଗନିଦ୍ରା ଶେଷନିଦ୍ରାରେ ପରିଣତ ହେବାର ଦୁଃସମ୍ବାଦ ଅଶେଷ ଦୁଃଖ ଦେଲା। ରାଜନୀତିରେ ମୂଲ୍ୟବୋଧକୁ ସାବ୍ୟସ୍ତ କରିଥିବା ଜଣେ ପ୍ରବୀଣ ରାଜନୀତିଜ୍ଞ ତ୍ରିଲୋଚନ କାନୁନ୍‌ଗୋଙ୍କର ବିକଳ୍ପ ନାହିଁ। ପ୍ରାର୍ଥନା ଥିଲା ତାଙ୍କର ପାଥେୟ, ଜୀବନ ଓ ଜଗତ ପ୍ରତି ଆଶୀର୍ବାଦ, ଶ୍ରଦ୍ଧା ଓ ସହାନୁଭୂତି ଥିଲା ତାଙ୍କ ଜୀବନର ମୂଳମନ୍ତ୍ର।

Advertisment

୧୯୪୦ ସେପ୍ଟେମ୍ବର ୧୨ରେ ତତ୍କାଳୀନ କଟକ ଜିଲ୍ଲାର ବଡ଼ମୂଳେଇ ଗ୍ରାମରେ ଜନ୍ମଗ୍ରହଣ କରିଥିବା ତ୍ରିଲୋଚନ କାନୁନ୍‌ଗୋଙ୍କର ବାଲ୍ୟଜୀବନ କଟିଥିଲା ଗ୍ରାମ୍ୟ ପରିବେଶରେ। ସୁନ୍ଦରଗାଁ ହାଇସ୍କୁଲରୁ ମାଟ୍ରିକ୍ ପାସ୍ କରିବା ପରେ ସେ ଓଡ଼ିଶାର ସର୍ବପୁରାତନ ସର୍ବଶ୍ରେଷ୍ଠ ରେଭେନ୍‌ସା କଲେଜରୁ ଗଣିତରେ ସ୍ନାତକ ଓ ସ୍ନାତକୋତ୍ତର ପରୀକ୍ଷାରେ କୃତିତ୍ୱର ସହ ଉତ୍ତୀର୍ଣ୍ଣ ହୋଇଥିଲେ। ଛାତ୍ରଜୀବନରୁ ହିଁ ସେ ନିଜର ମେଧା, ସ୍ୱାଭିମାନ, ନିର୍ଭୀକତା, ବାଗ୍ମିତା ଓ ପ୍ରତିଭାର ପରିଚୟ ଦେଇଥିଲେ। ୧୯୬୬ ମସିହାରେ ସେ ଥିଲେ ରେଭେନ୍‌ସା କଲେଜର ପ୍ରେସିଡେଣ୍ଟ। ସେହି ସମୟରୁ ତ୍ରିଲୋଚନଙ୍କର ନେତୃତ୍ୱ ନେବାର ପ୍ରତିଭା ସ୍ପଷ୍ଟ ହୋଇଥିଲା। ରାଜନୀତିରେ ‘ନୀତି’ ଶବ୍ଦ ଉପରେ ସେ ଗୁରୁତ୍ୱାରୋପ କରି ଛାତ୍ରସମାଜକୁ ଦିଗ୍‌ଦର୍ଶନ ଦେଇଥିଲେ।

ପରବର୍ତ୍ତୀ କାଳରେ ସକ୍ରିୟ ରାଜନୀତି କ୍ଷେତ୍ରରେ ତ୍ରିଲୋଚନ ଅନେକ ପଦପଦବିରେ କର୍ମରତ ଥିବା ସମୟରେ ରାଜନୀତିରେ ନୀତି, ଆଦର୍ଶ, କର୍ତ୍ତବ୍ୟପରାୟଣତା, ସ୍ୱଚ୍ଛତା, ନିର୍ଭୀକତା, ସମାଜ ପ୍ରତି ଦାୟିତ୍ୱବୋଧ ଭଳି ସଦ୍‌ଗୁଣଗୁଡ଼ିକର ଜ୍ୱଳନ୍ତ ଉଦାହରଣ ଭାବରେ ସମସାମୟିକ ରାଜନେତାମାନଙ୍କୁ ଚମତ୍କୃତ କରିଥିଲେ। ତାଙ୍କର କର୍ମଜୀବନର ଶୁଭାରମ୍ଭ ହୋଇଥିଲା ଶିକ୍ଷକତାରୁ। ସେ ୧୯୭୧ରେ ଗୋବିନ୍ଦପୁର ଆସନରୁ ନିର୍ବାଚନ ଲଢ଼ି ବିଧାୟକ ହୋଇଥିଲେ। ପୁନର୍ବାର ୧୯୭୪ରେ କଟକ ସହରରେ ନିର୍ବାଚନ ଲଢ଼ି ଜୟଯୁକ୍ତ ହୋଇଥିଲେ ଓ ବିଧାୟକ ପଦ ଗ୍ରହଣ କରିଥିଲେ। ସ୍ୱର୍ଗତ ଜାନକୀବଲ୍ଲଭ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ବେଳେ ଓ ତ୍ରିଲୋଚନ ବିଧାୟକ ଥିବା ସମୟରେ ନେତା ଓ ମନ୍ତ୍ରୀମାନଙ୍କର ସମ୍ପତ୍ତି ତାଲିକା ପ୍ରସଙ୍ଗରେ ଜଣେ କେହି ଅଭିଯୋଗ କରିଥିଲେ ଯେ, ତ୍ରିଲୋଚନ କାନୁନ୍‌ଗୋଙ୍କର ସିଡ଼ିଏରେ ଏକ ଘର ଅଛି, ଯାହାର ତାଲିକା ସେ ଦେଇନାହାନ୍ତି। ସ୍ୱାଭିମାନୀ ତ୍ରିଲୋଚନ ଦୃଢ଼ତାର ସହ କହିଥିଲେ, “ଦୁଇଦିନ ଭିତରେ ମୋତେ ପ୍ରମାଣ ଦରକାର ଯେ, ମୋର ସିଡ଼ିଏରେ ଘର ଅଛି। ଯଦି ତା’ ନ ହୁଏ ତେବେ ମୁଁ ମୋ’ ପଦରୁ ଇସ୍ତଫା ଦେବି।” ଦୁଇଦିନ ଭିତରେ ତାଙ୍କର ଘର ଅଛି କି ନା ତା’ର ପ୍ରମାଣ କେହି ଦେଇପାରିଲେ ନାହିଁ। ସମସ୍ତଙ୍କ ବାରଣ ସତ୍ତ୍ୱେ ତ୍ରିଲୋଚନ ଦୁଇଦିନ ପରେ ବିଧାୟକ ପଦରୁ ଇସ୍ତଫା ଦେଇଦେଲେ। ଇସ୍ତଫା ଦେବା ସମୟରେ ତ୍ରିଲୋଚନ କହିଥିଲେ “ସ୍ୱଚ୍ଛତା ଓ ସାଧୁତା ଏବଂ ନୈତିକତା ହେଉଛି ମୋର ପୁଞ୍ଜି, ତା’ ଉପରେ ଯଦି ଲୋକଙ୍କ ଆସ୍ଥା ନାହିଁ ତେବେ ମୋର ରାଜନୀତିରେ ସ୍ଥାନ ନାହିଁ।” ପରେ ଜଣାପଡ଼ିଲା ଯେ, ସିଡ଼ିଏରେ ଜନୈକ ତ୍ରିଲୋଚନ କାନୁନ୍‌ଗୋଙ୍କର ଏକ ଘର ଅଛି। ସେହି ଘର ମାଲିକଙ୍କ ସହ ତ୍ରିଲୋଚନଙ୍କର କୌଣସି ସମ୍ପର୍କ ନାହିଁ। ଆଜିର ରାଜନୀତିରେ ଏଭଳି ସ୍ୱାଭିମାନୀ ବ୍ୟକ୍ତି ବିରଳ।

୧୯୭୮ରେ ପ୍ରତ୍ୟକ୍ଷ ନିର୍ବାଚନ ଲଢ଼ି ସେ କଟକ ପୌର ପରିଷଦର ନଗରପାଳ ନିର୍ବାଚିତ ହୋଇଥିଲେ। ଏହି ସମୟରେ ସେ କଟକ ସହରରୁ ଲୋକସଭା ପାଇଁ ପ୍ରାର୍ଥୀ ହୋଇ ନିର୍ବାଚନ ଲଢ଼ିଥିଲେ। ମାତ୍ର ସେ ହାରିଯାଇଥିଲେ। ତତ୍‌କ୍ଷଣାତ୍ ତ୍ରିଲୋଚନ ପୌର ପରିଷଦର ନଗରପାଳ ପଦରୁ ଇସ୍ତଫା ଦେଇଥିଲେ। କହିଥିଲେ “ଯଦି ମୋ’ ଉପରେ କଟକ ନଗରବାସୀମାନଙ୍କର ଭରସା ନାହିଁ, ତେବେ ମୁଁ ପୌରପରିଷଦର ନଗରପାଳ କାହିଁକି ରହିବି?” ଏ ସମ୍ପର୍କରେ ସମସ୍ତଙ୍କର ନମସ୍ୟ ତ୍ରିଲୋଚନଙ୍କର ଏକଦା ପ୍ରିନ୍‌ସିପାଲ ତଥା ଶିକ୍ଷକ ଡ. ସଦାଶିବ ମିଶ୍ର ତାଙ୍କୁ ବୁଝାଇ କହିଥିଲେ, “କଟକ ନଗରବାସୀ ତୁମକୁ କାହିଁକି ଭୋଟ ଦେଲେ ନାହିଁ ଜାଣିବା ଉଚିତ୍। ତୁମେ ତାଙ୍କ ପାଇଁ ଏତେ ଭଲ କାମ କରୁଥିଲ ଯେ, ସେମାନେ ତୁମକୁ ଛାଡ଼ିବା ପାଇଁ ପ୍ରସ୍ତୁତ ନଥିଲେ। ତୁମକୁ ଛାଡ଼ିଲେ ଆଉ କେହି ନଗରପାଳ ସାଧାରଣ ଲୋକଙ୍କ ପାଇଁ ପ୍ରାଣପାତ କରି କାମ କରିବେ ବୋଲି ସେମାନଙ୍କର ବିଶ୍ୱାସ ନଥିଲା।” ଅବଶ୍ୟ ପରେ ୧୯୯୨ରୁ ୧୯୯୫ ପର୍ଯ୍ୟନ୍ତ ପୁଣି ଦ୍ୱିତୀୟବାର କଟକ ପୌର ପରିଷଦର ନଗରପାଳ ଭାବେ କାର୍ଯ୍ୟ କରିବା ସମୟରେ ସେ ସହରର ପରିମଳ ଓ ମଶାମରା ଅଭିଯାନକୁ ତ୍ୱରାନ୍ୱିତ କରିଥିଲେ। ସେତିକିବେଳେ ସେ କଟକର ଖାନ୍‌ନଗର ଅଞ୍ଚଳରେ ଏକ ଭବ୍ୟ ପବ୍ଲିକ୍ ଲାଇବ୍ରେରି ନିର୍ମାଣ କରିଥିଲେ। ସେ ଅନେକ ସମୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଅନଶନ ମଧ୍ୟ କରୁଥିଲେ। ୧୯୯୮ରୁ ୨୦୦୩ ପର୍ଯ୍ୟନ୍ତ ଜଗତସିଂହପୁର ଲୋକସଭା ସଦସ୍ୟ ଭାବେ ସେ କାର୍ଯ୍ୟ କରିଥିଲେ। ସାଂସଦ କାର୍ଯ୍ୟକାଳ ପୂରଣ ହେବା ପରେ ଓଡ଼ିଶାର ତଥା ଭାରତବର୍ଷର ରାଜନୀତିର ଚିତ୍ର ତାଙ୍କୁ ବେଶ୍ କଷ୍ଟ ଦେଇଥିଲା। ସେ ଆଉ ରାଜନୀତି କ୍ଷେତ୍ରକୁ ଆସିଲେ ନାହିଁ। ଗଠନମୂଳକ କାର୍ଯ୍ୟରେ ନିଜକୁ ନିୟୋଜିତ କଲେ।

ଏମର୍‌ଜେନ୍‌ସି ସମୟରେ ତ୍ରିଲୋଚନ ଅଠରମାସ କାଳ କେଉଁଆଡ଼େ ଅନ୍ତର୍ଦ୍ଧାନ ହୋଇଗଲେ କାହାରିକୁ ଜଣାନଥିଲା। ଜଗତସିଂହପୁର କଲେଜର ପ୍ରାଧ୍ୟାପିକା ତଥା ତ୍ରିଲୋଚନଙ୍କର ପତ୍ନୀ ଅଗସ୍ତୀ ଚାରି ପିଲାଙ୍କୁ ନେଇ କିପରି ମନସ୍ତାପରେ ଥିଲେ ତାହା କାହାରିକୁ ବୁଝାଇ ହେବ ନାହିଁ। ତ୍ରିଲୋଚନ କେଉଁ ଜେଲ୍‌ରେ ଥିଲେ ତାହା ମଧ୍ୟ କାହାରିକୁ ଜଣା ନଥିଲା। ଯେତେବେଳେ ବିନାୟକ ଆଚାର୍ଯ୍ୟ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା କଥା ସେ ଜିଦ୍ ଧରିଲେ ଯେ, ତ୍ରିଲୋଚନ କାନୁନ୍‌ଗୋ ଜେଲ୍‌ରୁ ମୁକ୍ତ ନହେଲେ ସେ ଶପଥ ଗ୍ରହଣ କରିବେ ନାହିଁ। ତାହା ହିଁ ହେଲା। ଅନେକ ଝଡ଼ଝଞ୍ଜା ଭିତରେ ମଧ୍ୟ ତ୍ରିଲୋଚନ ନିଜର ନୀତି ଓ ଆଦର୍ଶରୁ ଟଳିନଥିଲେ। ରାଜନୀତିରେ ତ୍ରିଲୋଚନ ଏକ ବିରଳ ବ୍ୟକ୍ତିତ୍ୱ ହୋଇ ଚିରକାଳ ସମସ୍ତଙ୍କୁ ବିସ୍ମିତ, ବିମୁଗ୍ଧ ଓ ଦୀକ୍ଷିତ କରୁଥିବେ।

ତ୍ରିଲୋଚନଙ୍କ ଗ୍ରାମ ନିକଟବର୍ତ୍ତୀ ଅଡ଼ଶପୁର ଅଞ୍ଚଳରେ କଲେଜ ନଥିବାରୁ ଅନେକ ମେଧାବୀ ଛାତ୍ର ସମ୍ବଳ ଅଭାବରୁ ସହର କଲେଜରେ ପାଠ ପଢ଼ିବାରୁ ବଞ୍ଚିତ ହେଉଥିଲେ। ସ୍ଥାନୀୟ ଲୋକ କଲେଜ ପାଇଁ ଦାବି କରିଆସୁଥିଲେ। ଅଡ଼ଶପୁରର ଉଦୟନାଥ ସାହୁ ନାମକ ଜଣେ ବଦାନ୍ୟ ବ୍ୟକ୍ତି ବିଶ୍ୱାସର ସହ ସତୁରି ହଜାର ଟଙ୍କା ତ୍ରିଲୋଚନଙ୍କ ହାତରେ ଅର୍ପଣ କରି କଲେଜଟିଏ ଗଢ଼ିଦେବା ପାଇଁ ଅନୁରୋଧ କରିଥିଲେ। ସ୍ଥାନୀୟ ଲୋକମାନେ ମଧ୍ୟ ସମର୍ଥନ କରିଥିଲେ କାରଣ ସମସ୍ତେ ତ୍ରିଲୋଚନଙ୍କ ନିର୍ମଳ ଭାବମୂର୍ତ୍ତି ପ୍ରତି ଆସ୍ଥାଭାଜନ ଥିଲେ। କଲେଜ କାର୍ଯ୍ୟ ଆରମ୍ଭ ହେଲା। ତ୍ରିଲୋଚନଙ୍କ ଦୂରଦୃଷ୍ଟି(ଭିଜନ୍‌), କଠୋର ପରିଶ୍ରମ ଏବଂ ଆତ୍ମଶକ୍ତି ବଳରେ ଆଜି ଅଡ଼ଶପୁରର ୟୁ.ଏନ୍‌. କଲେଜ ଏକ ବିଶ୍ୱବିଦ୍ୟାଳୟର ରୂପ ନେବାକୁ ଯାଉଛି। ଗ୍ରାମାଞ୍ଚଳରେ ଏପରି ଏକ ମହାବିଦ୍ୟାଳୟ ଓଡ଼ିଶାରେ ନାହିଁ। ଶେଷ ଜୀବନରେ ମଧ୍ୟ ସେ ପ୍ରତିଦିନ କଟକରୁ ଅଡ଼ଶପୁର କଲେଜକୁ ଯାଉଥିଲେ ଏବଂ ସଂଧ୍ୟାରେ ଫେରୁଥିଲେ। ଶ୍ରୀମତୀ ଅଗସ୍ତୀ ଓ ମୁଁ ରେଭେନ୍ସା କଲେଜରେ ସହପାଠିନୀ ଥିଲୁ ଓ ରେଭେନ୍ସା କଲେଜ ହଷ୍ଟେଲରେ ରହୁଥିଲୁ। ଅଗସ୍ତୀ ସେତେବେଳେ ଜଣାଶୁଣା କବି। ତେଣୁ ତାଙ୍କ ସହ ମୋର ଅନ୍ତରଙ୍ଗତା ସେହି କାରଣରୁ। ଆଜି ପର୍ଯ୍ୟନ୍ତ ଆମର ଅନ୍ତରଙ୍ଗତା ସେହିପରି ନିବିଡ଼ ଅଛି।

ତ୍ରିଲୋଚନ ଗଣିତ ଶାସ୍ତ୍ରର ଛାତ୍ର ଥିଲେ ମଧ୍ୟ ସବୁ ବିଷୟରେ ତାଙ୍କର ଅଗାଧ ଜ୍ଞାନ ବିସ୍ମିତ କରିଦିଏ। ସେ ଥିଲେ ପୁସ୍ତକପ୍ରେମୀ ଏବଂ ଲାଇବ୍ରେରି ଗଢ଼ିବା ତାଙ୍କର ଏକ ସାରସ୍ୱତ ବିଳାସ ଥିଲା। ଅଡ଼ଶପୁର କଲେଜରେ ଭବ୍ୟ ଲାଇବ୍ରେରିଟିଏ ଗଢ଼ି ଉଠିଛି ତାଙ୍କରି ଦିଗ୍‌ଦର୍ଶନରେ। ଅସୁସ୍ଥ ହେବାର ପୂର୍ବଦିନ ପର୍ଯ୍ୟନ୍ତ ସେ ଖରାରେ ବୁଲି ବୁଲି ନିଜେ କଟକ ଓ ଭୁବନେଶ୍ୱର ବହି ଦୋକାନରୁ ବାଛି ବାଛି ବହି କିଣୁଥିଲେ। କଲେଜ ପାଇଁ ଅବିଶ୍ରାନ୍ତ କାର୍ଯ୍ୟ କରୁଥିଲେ ସେ। କଲେଜ ପରିବେଶ ତାଙ୍କ ବିନା ସହସା ନିଷ୍ପ୍ରାଣ ଲାଗୁଥିଲେ ମଧ୍ୟ ତାଙ୍କର ଆତ୍ମା ସେଠି ଅଛି। ତ୍ରିଲୋଚନଙ୍କ ବିନିଦ୍ର ତୃତୀୟ ନୟନ ଯେଉଁ ସ୍ୱପ୍ନ ଦେଖେ ତାହା ଅଧା ରହେନାହିଁ। ଅଡ଼ଶପୁର କଲେଜକୁ ୟୁନିଭର୍‌ସିଟି ଭାବରେ ଦେଖିବାର ସ୍ୱପ୍ନ ତାଙ୍କର ଥିଲା। ସେ ସ୍ୱପ୍ନ ନିଶ୍ଚୟ ସାକାର ହେବ, ଏହା ମୋର ବିଶ୍ୱାସ। ବିଭିନ୍ନ ବୃକ୍ଷରାଜିରେ ଶୋଭିତ ସବୁଜିମାଭରା ଶାନ୍ତିନିକେତନ ଭଳି ଏହି କଲେଜର ପରିବେଶ। ଜଣେ ଲୋକର ଉଦ୍ୟମରେ ଏତେ ବଡ଼ କଲେଜଟିଏ ଗଢ଼ିଉଠିବା ସମସ୍ତଙ୍କୁ ଚକିତ କରେ। ବୋଧଗୟାରୁ ଏକ ବୋଧିଦ୍ରୁମ ସେ ଅଧ୍ୟାପକ ବିଜୟ ନାୟକଙ୍କ ଦ୍ୱାରା ମଗାଇଥିଲେ। ସେହି ବୋଧିଦ୍ରୁମକୁ କଲେଜ କ୍ୟାମ୍ପସ୍‌ରେ ରୋପଣ କରିବାର ସୌଭାଗ୍ୟ ମୋର ହୋଇଥିଲା।

ତ୍ରିଲୋଚନଙ୍କର ଆଜି ମଧ୍ୟ କଟକ ସହରରେ ଘର ନାହିଁ। ତାଙ୍କର ଘର କ’ଣ ହୋଇଥାନ୍ତା? ନିଜ ଗାଁ ଓ ଆଖପାଖ ଅଞ୍ଚଳର ସମସ୍ତଙ୍କ ଘର ତାଙ୍କ ପାଇଁ ଉନ୍ମୁକ୍ତ ଥିଲା। ଗାଁ ଥିଲା ତାଙ୍କର ଜୀବନ। ତ୍ରିଲୋଚନଙ୍କ ଶେଷଯାତ୍ରା ଗାଁ ବଡ଼ମୂଳେଇକୁ ହୋଇଥିଲା। ତାଙ୍କର ଶେଷଯାତ୍ରାର ଦୃଶ୍ୟ ସୂଚାଇଦିଏ ସେ କିପରି ଗାଁରେ ଆବାଳ ବୃଦ୍ଧବନିତାଙ୍କର ପ୍ରିୟ ଥିଲେ।

ଈଶ୍ୱର ତାଙ୍କର ଅମର ଆତ୍ମାର ସଦ୍‌ଗତି କରନ୍ତୁ ଏବଂ ତାଙ୍କର ପରିବାରକୁ ଏହି ଦାରୁଣ ଦୁଃଖକୁ ଅତିକ୍ରମ କରିବାର ଶକ୍ତି ଦିଅନ୍ତୁ। ତ୍ରିଲୋଚନଙ୍କର ତିରୋଧାନ ନାହିଁ। ତାଙ୍କର ତୃତୀୟ ନୟନ ସଦା ଜାଗ୍ରତ। ତାଙ୍କ ନୀତି ଓ ଆଦର୍ଶର ଛନ୍ଦେ ଛନ୍ଦେ ତାଙ୍କ ପ୍ରିୟଜନମାନଙ୍କ ଅଶ୍ରୁଳ ପ୍ରେମାଞ୍ଜଳିରେ ସେ ଅମର ହୋଇ ରହିବେ। ହେ ବନ୍ଧୁ ପ୍ରଣାମ!

ଆଖ୍ୟାୟିକା, ୨୭, ଗଜପତି ନଗର,
ଭୁବନେଶ୍ୱର-୭୫୧୦୦୫