ସାରା ବର୍ଷରେ ଶ୍ରୀଜଗନ୍ନାଥଙ୍କର ଗୋଟିଏ ରଥଯାତ୍ରା। କିନ୍ତୁ ଏହାର ଦୁଇଟି ଭାଗ। ପୁଣି ଏହା ତିନିଟି ଅଙ୍ଗରେ ବିଭକ୍ତ। କିନ୍ତୁ ଏ ସଂପର୍କରେ ଆମେ ପ୍ରାୟ ସଚେତନ ନ ଥାଉ। ଅଥଚ ଏହାର ସ୍ପଷ୍ଟ ଉଲ୍ଲେଖ ରହିଛି ‘ସ୍କନ୍ଦପୁରାଣ-ଶ୍ରୀପୁରୁଷୋତ୍ତମ କ୍ଷେତ୍ର ମାହାତ୍ମ୍ୟ’ରେ। ଶ୍ରୀଜଗନ୍ନାଥଙ୍କ ସଂପର୍କିତ ଏହି ଗୁରୁତ୍ବପୂର୍ଣ୍ଣ ପୁରାଣର ପଞ୍ଚତ୍ରିଂଶ ଅଧ୍ୟାୟରେ ବର୍ଣ୍ଣିତ ହୋଇଛି ରଥରକ୍ଷା ବିଧି ଓ ବାହୁଡ଼ାଯାତ୍ରା ଦର୍ଶନର ଫଳ। ସେହି ପ୍ରସଙ୍ଗରେ ଏହା କୁହାଯାଇଛି।

Advertisment

ସେହି ବର୍ଣ୍ଣନା ଅନୁସାରେ, ଶ୍ରୀଗୁଣ୍ଡିଚାଯାତ୍ରା ହେଉଛି ଶ୍ରୀଜଗନ୍ନାଥଙ୍କର ‘ପୂର୍ବଯାତ୍ରା’ ଏବଂ ବାହୁଡ଼ାଯାତ୍ରା ହେଉଛି ତାଙ୍କର ‘ପରଯାତ୍ରା’। ‘ପୂର୍ବଯାତ୍ରା’ ହେଉଛି- ଠାକୁରମାନଙ୍କର ନିଜ ମନ୍ଦିରରୁ ମହାବେଦୀକୁ ଯାତ୍ରା: ଏବଂ ‘ପରଯାତ୍ରା’ ହେଉଛି- ମହାବେଦୀରୁ ପୁନଶ୍ଚ ନିଜ ମନ୍ଦିରକୁ ଯାତ୍ରା ଓ ନିଜ ମନ୍ଦିରରେ ପ୍ରବେଶ। ଏ ଉଭୟ କିନ୍ତୁ ଗୋଟିଏ ଉତ୍ସବ ଏବଂ ଏହା ‘ନବଦିନାତ୍ମକ ଯାତ୍ରା’ ଭାବରେ ପ୍ରସିଦ୍ଧ। ଏହି ପ୍ରସଙ୍ଗରେ, ରଥଯାତ୍ରାର ‘ତ୍ରି-ଅଙ୍ଗ’ ବା ତିନିଟି ଅବୟବର କଥା କୁହାଯାଇଛି। ଏହାକୁ ଅଭିହିତ କରାଯାଇଛି- ‘ଅଙ୍ଗତ୍ରୟ ସମନ୍ବିତ’ ଯାତ୍ରା ଭାବରେ। ଏହି ଯାତ୍ରାର ‘ପୂର୍ବଯାତ୍ରା’ ଅର୍ଥାତ୍ ଶ୍ରୀମନ୍ଦିରରୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାତ୍ରା ହେଉଛି- ପ୍ରଥମ ଅଙ୍ଗ; ସପ୍ତଦିନବ୍ୟାପୀ ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ ହେଉଛି- ଦ୍ବିତୀୟ ଅଙ୍ଗ ଏବଂ ‘ପରଯାତ୍ରା’ ବା ‘ପୁନଃଯାତ୍ରା’ ବା ବାହୁଡ଼ାଯାତ୍ରା ହେଉଛି- ତୃତୀୟ ଅଙ୍ଗ।

ରଥଯାତ୍ରା ‘ଅଙ୍ଗତ୍ରୟ ସମନ୍ବିତ’ ଯାତ୍ରା। ଏହି ଯାତ୍ରାର ‘ପୂର୍ବଯାତ୍ରା’ ଅର୍ଥାତ୍ ଶ୍ରୀମନ୍ଦିରରୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାତ୍ରା ହେଉଛି- ପ୍ରଥମ ଅଙ୍ଗ; ସପ୍ତଦିନବ୍ୟାପୀ ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ ହେଉଛି- ଦ୍ବିତୀୟ ଅଙ୍ଗ ଏବଂ ‘ପରଯାତ୍ରା’ ବା ‘ପୁନଃଯାତ୍ରା’ ବା ବାହୁଡ଼ାଯାତ୍ରା ହେଉଛି- ତୃତୀୟ ଅଙ୍ଗ।

ଏ ସଂପର୍କରେ ସେହି ଅଧ୍ୟାୟରେ ଆହୁରି ମଧ୍ୟ କୁହାଯାଇଛି- ଯେଉଁମାନେ ତ୍ରି-ଅଙ୍ଗ ସମନ୍ବିତ ଏହି ସଂପୂର୍ଣ୍ଣ ଯାତ୍ରାକୁ ଦର୍ଶନ କରନ୍ତି ତଥା ତାହାର ଉପାସନା କରନ୍ତି, ସେମାନେ ଏହି ମହାମହୋତ୍ସବର ପୁଣ୍ୟଫଳ ପ୍ରାପ୍ତ ହୁଅନ୍ତି। ଶ୍ରୀଗୁଣ୍ଡିଚାଯାତ୍ରାରେ ରଥାରୂଢ଼ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ଉତ୍ତର ମୁଖ ହୋଇ ଯାତ୍ରା କରିବା ସମୟରେ ଦର୍ଶନ କଲେ ଯେଉଁ ପୁଣ୍ୟଫଳ ପ୍ରାପ୍ତ ହୁଏ; ‌ସେହି ଦେବତ୍ରୟଙ୍କୁ ବାହୁଡ଼ାଯାତ୍ରାରେ ଦକ୍ଷିଣମୁଖ ହୋଇ ଆଗମନ କରିବା ସମୟରେ ଦର୍ଶନ କଲେ ମଧ୍ୟ ସେହି ପୁଣ୍ୟଫଳ ପ୍ରାପ୍ତ ହୁଏ। ‌ସେହି ଦର୍ଶନର ପୁଣ୍ୟଫଳ ରୂପେ ମାନବଗଣ ଏହି ସଂସାରର ବନ୍ଧନରୁ ମୁକ୍ତ ହୋଇଥାନ୍ତି। ରଥଯାତ୍ରାର ଏହି ତିନିଟିଯାକ ଅଙ୍ଗ ସେମାନଙ୍କୁ ‘ମହାଯୋଗଫଳ’ ପ୍ରଦାନ କରିଥାଏ।