ଦେଶରେ ବାଘ ବଂଶ ତିଷ୍ଠି ରହିବା ଏବଂ ବୃଦ୍ଧି ଘଟିବା କ୍ଷେତ୍ରରେ ପ୍ରାରମ୍ଭିକ ପର୍ଯ୍ୟାୟରେ କେତେଜଣ ବନ ଅଧିକାରୀ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ‘ବାଘ ମଣିଷ’ ନାମରେ ଖ୍ୟାତ ଏଭଳି ତିନିଜଣ ବିରଳ ବନ୍ୟପ୍ରାଣୀ ସଂରକ୍ଷକଙ୍କ ସଂପର୍କରେ କିଂଚିତ୍‌...

Advertisment

ମନୁଷ୍ୟ ଓ ବାଘ ଭଳି ହିଂସ୍ର ପ୍ରାଣୀ ମଧ୍ୟରେ ବନ୍ଧୁତା ଅତି ବିରଳ। ତାହା ପୁଣି ଦୀର୍ଘସ୍ଥାୟୀ ନୁହେଁ। କିନ୍ତୁ, ଓଡ଼ିଶାର ବନ ଅଧିକାରୀ ସରୋଜ ଚୌଧୁରୀ ଓ ବାଘୁଣୀ ଖଇରୀ ମଧ୍ୟରେ ବନ୍ଧୁତା ଥିଲା ନିବିଡ଼ ଓ ସ୍ଥାୟୀ। ଘଟଣା ଥିଲା ଏମିତି- ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣର ପ୍ରତିଷ୍ଠାତା ତଥା କ୍ଷେତ୍ର ନିର୍ଦ୍ଦେଶକ ସରୋଜରାଜ ଚୌଧୁରୀଙ୍କ ନିକଟକୁ ୧୯୭୪ ଅକ୍ଟୋବର ୫ ତାରିଖ ଦିନ ଗୋଟାଏ ମାଈ ବାଘଛୁଆ ଅଣାଯାଇଥିଲା। ଖଇରୀ ନଈକୂଳରୁ ସେ ପରିତ୍ୟକ୍ତ ଛୁଆଟିକୁ ପାଇଥିଲେ ଖରିଆ ଆଦିବାସୀ ସମ୍ପ୍ରଦାୟ ଲୋକେ। ନିରିମାଖି ଛୁଆଟିର ସୁରକ୍ଷା କଥା ଚିନ୍ତାକରି ସରୋଜ ଚୌଧୁରୀ ଓ ତାଙ୍କ ସ୍ତ୍ରୀ ନିହାରନଳିନୀ ସ୍ବାଇଁ ତାକୁ ପୋଷ୍ୟ କରିନେଲେ। ତା’ର ନାଁ ଦେଲେ ‘ଖଇରୀ’।

ତା’ପର ସାତ ବର୍ଷ ପର୍ଯ୍ୟନ୍ତ ଖଇରୀ ଜଶିପୁରସ୍ଥିତ ଚୌଧୁରୀଙ୍କ ସରକାରୀ ବଙ୍ଗଳାରେ ତାଙ୍କ ପରିବାର ସଦସ୍ୟ ପରି ରହି ଅବାଧ ବିଚରଣ କଲା। ତାକୁ ଛେଳିମାଂସ ଓ ଗୁଣ୍ଡଦୁଗ୍ଧ ଖାଇବାକୁ ଦିଆଯାଉଥିଲା। ସେ ଖଟରେ ଶୋଉଥିଲା ଓ ସବୁବେଳେ ପରିବାର ଲୋକଙ୍କ ସହିତ ଖେଳାବୁଲା କରୁଥିଲା। ତାଙ୍କ ଘରେ କୁକୁର ବ୍ୟତୀତ, ଗୋଟାଏ ହେଟା, ଗୋଟାଏ ଭାଲୁ ଓ ଗୋଟାଏ କୁମ୍ଭୀର ମଧ୍ୟ ଥିଲେ। ଖଇରୀ ସେମାନଙ୍କ ସହିତ ସାଙ୍ଗ ଭଳି ଚଳିଲା। ବଡ଼ ହେବାରୁ ତାକୁ ନେଇ ଅରଣ୍ୟରେ ଛାଡ଼ି ଦେବାକୁ ଅନେକ ଥର ଉଦ୍ୟମ କରାଗଲା, କିନ୍ତୁ ସେ ପୁଣି ଲେଉଟି ଆସିଲା। ସେତେବେଳେ ଖଇରୀର ଲୋକପ୍ରିୟତା ଖୁବ୍‌ ବଢ଼ିଯାଇଥିଲା। ସମ୍ବାଦପତ୍ରରେ ତା’ ବିଷୟରେ ବିଭିନ୍ନ ଖବର ବାହାରୁଥିଲା। ଜଣେ ବଙ୍ଗୀୟ କବି ତା’ ବିଷୟରେ କବିତାଟିଏ ବି ଲେଖିଥିଲେ। ସାଧାରଣତଃ ବଣୁଆବାଘ ଦୀର୍ଘଦିନ ଧରି ମଣିଷ ପାଖରେ ରହେନାହିଁ। କିନ୍ତୁ, ଖଇରୀ ଥିଲା ବ୍ୟତିକ୍ରମ। ସେ ଚୌଧୁରୀ ପରିବାରର ସଦସ୍ୟ କି, ତାକୁ ଦେଖିବାକୁ ଆସୁଥିବା ଅସଂଖ୍ୟ ଦେଖଣାହାରିଙ୍କ ପ୍ରତି ଆଦୌ ହିଂସ୍ର ଆଚରଣ କରୁ ନ ଥିଲା।

ବାଘମାନଙ୍କ ଆଚାରବ୍ୟବହାରର ବିଭିନ୍ନ ଦିଗ ବିଶେଷକରି, ଦେହଗନ୍ଧ ଉପଯୋଗ, ସଙ୍ଗମକାଳୀନ ମିଜାଜ ଓ ଆଞ୍ଚଳିକତା ବିଷୟରେ ଅନୁଧ୍ୟାନ କରିବାକୁ ସରୋଜ ଖଇରୀକୁ ନିରୀକ୍ଷଣ କରୁଥିଲେ। କିନ୍ତୁ, ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣର ପ୍ରଥମ କ୍ଷେତ୍ର ନିର୍ଦ୍ଦେଶକ ହେବାର ବହୁ ଆଗରୁ ସରୋଜରାଜ ଚୌଧୁରୀ ବନ୍ୟଜନ୍ତୁ ସଂରକ୍ଷକ, ବିଶେଷକରି ବ୍ୟାଘ୍ର ସଂରକ୍ଷକ ଭା‌େବ ଭାରତରେ ପ୍ରତିଷ୍ଠିତ ହୋଇସାରିଥିଲେ। ସେ ହିଁ ପଞ୍ଝାଚିହ୍ନ ଅନୁସରଣ ସୂତ୍ର ପ୍ରବର୍ତ୍ତନ କରିଥିଲେ। ତାଙ୍କ ପ୍ରଣୀତ ଏହି ପଦ୍ଧତି ଆଧାରରେ ୨୦୦୪ ପର୍ଯ୍ୟନ୍ତ ଭାରତରେ ବ୍ୟାଘ୍ରଗଣନା ଚାଲିଥିଲା। ତା’ପରେ ଆରମ୍ଭ ହେଲା କ୍ୟାମେରା ଟ୍ରାକିଙ୍ଗ୍‌ ବ୍ୟବସ୍ଥା।

୧୯୮୧ରେ ଗୋଟାଏ ପାଗଳ କୁକୁର କାମୁଡ଼ି ପକାଇବାରୁ ଜଳାତଙ୍କ ରୋଗରେ ପୀଡ଼ିତ ହୋଇ ଖଇରୀ ଅକାଳ ମୃତ୍ୟୁବରଣ କରିଥିଲା।
ଭାରତରେ ବନ୍ୟଜନ୍ତୁ ବିଶେଷକରି, ବ୍ୟାଘ୍ର ସଂରକ୍ଷଣ କ୍ଷେତ୍ରରେ ମୂଳଦୁଆ ପକାଇ‌ଥିଲେ ବ୍ୟାଘ୍ର ପ୍ରକଳ୍ପର ପ୍ରଥମ ନିର୍ଦ୍ଦେଶକ କୈଳାସ ସାଙ୍ଖଲା। କିନ୍ତୁ, ବନ ବିଭାଗ ଚାକିରି ଆଦ୍ୟ କାଳରେ ତାଙ୍କର ଏଭଳି ମନୋଭାବ ନ ଥିଲା। ସେତେବେଳେ ବନ ଅଧିକାରୀ ଭାବେ ତାଙ୍କର କାମ ଥିଲା ଶିକାର ପାଇଁ ଅନୁମତି ଦେବା। ଗୋଟାଏ ଅପରାଧବୋଧ ଯୋଗୁଁ ପରବର୍ତ୍ତୀ ସମୟରେ ସେ ବ୍ୟାଘ୍ର ସଂରକ୍ଷକ ହେଲେ। ୧୯୫୦ ଦଶକରେ ସେ ଗୋଟାଏ ବାଘ ମାରିପକାଇଥିଲେ। ସେତେବେଳେ ତାଙ୍କର ମନେହେଲା, ସତେ ଅବା ସେ ମହାପାପ କରିପକାଇଲେ। ପ୍ରାୟଶ୍ଚିତ୍ତ ହେବାକୁ ସେ ତାଙ୍କର ବାକି ଜୀବନ ବାଘ ଓ ସେମାନଙ୍କର ବାସସ୍ଥାନ ସଂରକ୍ଷଣ କାର୍ଯ୍ୟରେ ବିତାଇଥିଲେ।

ପ୍ରାରମ୍ଭିକ ଅବସ୍ଥାରେ ଜଣେ କ୍ଷେତ୍ର ଅଧିକାରୀ ବା ଫିଲ୍‌ଡ୍‌ ଅଫିସର୍‌ ଭାବେ ସେ ବାଘମାନଙ୍କ ଆଚରଣରୁ ସେମାନଙ୍କର ସଂଗୁପ୍ତ ଜୀବନ, ସଂଖ୍ୟା ହ୍ରାସବୃଦ୍ଧି ଓ ଦୈନନ୍ଦିନ କାର୍ଯ୍ୟକଳାପ ବିଷୟରେ ଜାଣିବାକୁ ସରଜମିନ ଗବେଷଣା କରିଥିଲେ। ବ୍ୟା‌ଘ୍ର ସଂରକ୍ଷଣ ପ୍ରସଙ୍ଗରେ ଜାତୀୟ ଏବଂ ଅନ୍ତର୍ଜାତୀୟ ଗଣମାଧ୍ୟମ ଦ୍ବାରା ଜନମତ ସଂଗ୍ରହ କରି ପ୍ରଥମେ ୧୯୭୦ରେ ସେ ବାଘ, କଲରାପତ୍ରିଆ, ତା’ର ଛାଲ ଓ ସେଥିରୁ ପ୍ରସ୍ତୁତ ସାମଗ୍ରୀ ରପ୍ତାନି ନିଷେଧ କରିବା ଲାଗି ଭାରତ ସରକାରଙ୍କୁ ପରାମର୍ଶ ଦେଇଥିଲେ। ପୁନଶ୍ଚ ୧୯୭୨ରେ ବାଘ ଶିକାର ସମ୍ପୂର୍ଣ୍ଣ ନିଷେଧ ଲାଗି ପଦକ୍ଷେପ ଗ୍ରହଣ କରିବା ଲାଗି ମଧ୍ୟ ସେ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ।

ତାଙ୍କ ପରାମର୍ଶକ୍ରମେ ବାଘମାନଙ୍କ ପ୍ରାକୃତିକ ବାସସ୍ଥଳୀ ସୁରକ୍ଷା ଓ ପୁନଃସଂରଚନା ଲାଗି ଏବଂ ଦେଶର ଅରଣ୍ୟରେ ଥିବା ବାଘମାନଙ୍କୁ ଚିହ୍ନଟ କରି ସୁରକ୍ଷିତ ରଖିବା ଲାଗି ୧୯୭୩ ଏପ୍ରିଲ୍‌ରେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ବ୍ୟାଘ୍ର ପ୍ରକଳ୍ପ ସ୍ଥାପନା କଲେ। ସାଙ୍ଖଲାଙ୍କୁ ହିଁ ସେ ଏହାର ପ୍ରଥମ ନିର୍ଦ୍ଦେଶକ ଭା‌େବ ନିଯୁକ୍ତ କରିଥିଲେ। ବ୍ୟାଘ୍ର ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ରଣଥମ୍ଭୌର ଜାତୀୟ ଉଦ୍ୟାନର ସଫଳ ବିନ୍ଧାଣୀ ହେଉଛନ୍ତି ଫତେ ସିଂହ ରାଠୋର। ଏହି ଉଦ୍ୟାନର ରେଞ୍ଜର୍‌, ୱାର୍ଡେନ୍‌ ଓ କ୍ଷେତ୍ର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିବା ଫତେ ତିନିଟି ବିଷୟ ଉପରେ ଗୁରୁତ୍ବାରୋପ କରିଥିଲେ। ସ୍ବାଭାବିକ ଭାବେ ବ୍ୟାଘ୍ର ବାସସ୍ଥଳୀ ପୁନଃସୃଷ୍ଟି, ସ୍ଥାନୀୟ ଅଧିବାସୀଙ୍କ ସହିତ ଯୋଗସୂତ୍ର ସ୍ଥାପନ ଏବଂ ସେ ଅରଣ୍ୟରେ ବାସ କରୁଥିବା ଜୀବଜନ୍ତୁଙ୍କ ପ୍ରତି ଶ୍ରଦ୍ଧାଶୀଳତା। କାଳକ୍ରମେ ଏ ତିନିଟି କଥା ହିଁ ସଫଳ ବ୍ୟାଘ୍ର ସଂରକ୍ଷଣ ନୀତି ଭାବେ ଅଭିହିତ ହେଲା। 

ରଣଥମ୍ଭୌର ଅଭ୍ୟନ୍ତରରେ ଥିବା ପଥୁରିଆ ଅଞ୍ଚଳ ବିଷୟରେ ଅସାଧାରଣ ଜ୍ଞାନ ଏବଂ ସ୍ଥାନୀୟ ଅଧିବାସୀଙ୍କ ସହିତ ତାଙ୍କର ସୁସମ୍ପର୍କ ହିଁ ସେଠାରେ ବ୍ୟାଘ୍ର ସଂରକ୍ଷଣ ସଫଳ କରାଇଥିଲା। ତାଙ୍କ ଦ୍ବାରା ହିଁ ଏହି ଜାତୀୟ ଉଦ୍ୟାନ ଅଭ୍ୟନ୍ତର ଅଞ୍ଚଳରୁ ୧୬ଟି ଗାଁ ସ୍ଥାନାନ୍ତର ସମ୍ଭବ ହୋଇଥିଲା। କିନ୍ତୁ, ତଦ୍ଦ୍ବାରା ଗ୍ରାମୀଣ ଅର୍ଥନୀତି ତିଳେମାତ୍ର ପ୍ରଭାବିତ ହୋଇ ନ ଥିଲା। ଆପ୍ରାଣ ଉଦ୍ୟମ କରି ସେ ସେଠାରେ ଲୁଚାଛପାରେ ଚାଲିଥିବା ବାଘ ଶିକାର ପ୍ରତିହତ କରାଉଥିଲେ। ଜଣେ ବନ ଅଧିକାରୀ ଭାବେ ତାଙ୍କ ବିଶ୍ବସ୍ତତା ଥିଲା କେବଳ ବଣଜଙ୍ଗଲ ପ୍ରତି; ରାଜନେତା ଅଥବା ପଦସ୍ଥ ଅଧିକାରୀଙ୍କ ପ୍ରତି ନୁହେଁ। ଏଥିପାଇଁ ତାଙ୍କୁ ଯଥେଷ୍ଟ ସ୍ବାର୍ଥ ତ୍ୟାଗ କରିବାକୁ ପଡ଼ିଥିଲା।