ଆମାଜନ୍ ବର୍ଷାବନର ବୃକ୍ଷଗୁଡ଼ିକର ଆକାର ପ୍ରତି ଦଶ ବର୍ଷରେ ହାରାହାରି ୩%ରୁ ଅଧିକ ବୃଦ୍ଧି ପାଉଛି ବୋଲି ଏକ ନୂତନ ଅଧ୍ୟୟନରୁ ଜଣାପଡ଼ିଛି।ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ମାତ୍ରା ବଢ଼ିବାକୁ ତାଳ ଦେଇ ବୃକ୍ଷମାନଙ୍କ ଆକାରରେ ଏହି ବୃଦ୍ଧି ଘଟୁଛି। ବୈଜ୍ଞାନିକମାନେ ଏହି ବର୍ଷାବନକୁ ‘ପୃଥିବୀର ଫୁସ୍ଫୁସ୍’ ବୋଲି ବିବେଚନା କରିଥା’ନ୍ତି। କାରଣ ଏହା ଅଙ୍ଗାରକାମ୍ଳ ଶୋଷଣ ଓ ଅମ୍ଳଜାନ ଉତ୍ପାଦନ କରିବାରେ ବିଶେଷ ଭୂମିକା ନିଭାଇଥାଏ। ସୁତରାଂ, ଜଳବାୟୁ ପରିବର୍ତ୍ତନ ସମସ୍ୟାର ସମାଧାନ ପାଇଁ ବିଶ୍ୱର ୬୦ରୁ ଅଧିକ ବିଶ୍ୱବିଦ୍ୟାଳୟର ପ୍ରାୟ ଶହେ ବୈଜ୍ଞାନିକଙ୍କ ଏକ ଅନ୍ତର୍ଜାତୀୟ ଦଳ ଉଷ୍ଣକ୍ରାନ୍ତିମଣ୍ଡଳୀୟ ବର୍ଷାବନ ଉପରେ ଗୁରୁତ୍ବାରୋପ କରିଛନ୍ତି। ଗବେଷକମାନେ ଆମାଜନ୍ ଜଙ୍ଗଲର ପ୍ରାୟ ୧୮୮ଟି ସ୍ଥାୟୀ ସ୍ଥାନରେ ବଢୁଥିବା ଗଛର ଆକାରକୁ ତର୍ଜମା କରି ପ୍ରତି ଦଶନ୍ଧିରେ ହାରାହାରି ଗଛର ଆକାର ୩.୨% ବୃଦ୍ଧି ପାଇଥିବା ଲକ୍ଷ୍ୟ କରିଛନ୍ତି।
ଏହି ଧାରା ଅତି କମ୍ରେ ବିଗତ ୩୦ ବର୍ଷ ଧରି ଜାରି ରହିଛି ଏବଂ ଉଭୟ ବଡ଼ ଓ ଛୋଟ ଗଛର ଆକାରରେ ବୃଦ୍ଧି ଘଟିଥିବା ଜଣାଯାଇଛି। ଜଳବାୟୁ ପରିବର୍ତ୍ତନ ଯୋଗୁଁ ଆମାଜନ୍ ଜଙ୍ଗଲ ପାଇଁ ବିପଦ ବଢୁଛି ବୋଲି ମନେ କରାଯାଉଥିବା ବେଳେ ଜଙ୍ଗଲରେ ଗଛଗୁଡ଼ିକ ବଢ଼ି ଚାଲିଥିବା ଖୁସିର ଖବର ବୋଲି ଗବେଷକମାନେ କହିଛନ୍ତି। ତଥାପି, ଜଙ୍ଗଲ କ୍ଷୟ ଏବଂ ଜଳବାୟୁ ପରିବର୍ତ୍ତନ ଆମାଜନ୍ ଜଙ୍ଗଲ ପାଇଁ ଏକ ବଡ଼ ଆହ୍ବାନ ହୋଇ ରହିଛି ବୋଲି ମଧ୍ୟ ବୈଜ୍ଞାନିକମାନେ ଚେତାଇ ଦେଇଛନ୍ତି।