ଓଡ଼ିଶାରେ ବାର ମାସରେ ତେର ପର୍ବ। ଆଉ ପ୍ରତି ପର୍ବପର୍ବାଣିରେ ସ୍ବତନ୍ତ୍ର ଖାଦ୍ୟ ପ୍ରସ୍ତୁତ ହୁଏ ଓଡ଼ିଆ ହାଣ୍ଡିଶାଳରେ। ଏଇ ଯେମିତି ରଜରେ ପୋଡ଼ପିଠା, ପ୍ରଥମାଷ୍ଟମୀରେ ଏଣ୍ଡୁରୀ, ଶାମ୍ବଦଶମୀରେ ଖେଚେଡ଼ି, ଠିକ୍ ସେମିତି ଦ୍ବିତୀୟା ଓଷାରେ ଘାଣ୍ଟ ତରକାରି। ଏସବୁ ଓଡ଼ିଶାର ନିଜସ୍ବ ବ୍ୟଞ୍ଜନ। ଆଉ ଘାଣ୍ଟ ତରକାରିର ମହମହ ବାସ୍ନା ସହ ଦେବୀ ଧରାପୃଷ୍ଠକୁ ଆସିବାର ସଂକେତ ବି ମିଳିଥାଏ। କାରଣ ଏହି ଦିନଠାରୁ ଦେବୀପୀଠରେ ଷୋଡ଼ଶ ଦିନାତ୍ମକ ପୂଜା ଆରମ୍ଭ ହୋଇଥାଏ।
ଆଶ୍ୱିନ ମାସ କୃଷ୍ଣ ଅଷ୍ଟମୀ ଅଥବା ମୂଳାଷ୍ଟମୀ ଦିନ ଦୁତିଆ ଓଷା ପାଳନ କରାଯାଏ। ସୂର୍ଯ୍ୟପୁତ୍ର ଦୂତୀବାମନଙ୍କ ଆରାଧନା ଲାଗି ସପର୍ମିତ ଏହି ଓଷା/ବ୍ରତ ସଧବା ମହିଳାମାନେ ସନ୍ତାନପ୍ରାପ୍ତି କାମନା କରି ପାଳିଥାଆନ୍ତି। ପୁଣି ଏହି ଓଷା କଲେ ଅପୁତ୍ରିକ ନାରୀ ପୁତ୍ରବତୀ ହୁଏ ବୋଲି ଲୋକବିଶ୍ବାସ ରହିଛି। ଓଡ଼ିଶାରେ ପ୍ରଚଳିତ ପରମ୍ପରା ଅନୁସାରେ, ମହିଳାମାନେ ଚିତାରେ କୋଠି କାଟି ଏକ ଗୋଟାଗୁଆକୁ ହଳଦୀରେ ସ୍ନାନକରାଇ ପିଢ଼ାରେ ସ୍ଥାପନ କରିଥାଆନ୍ତି। ସ୍ଥାପନା ପରେ ଦୂତୀବାମନଙ୍କ ପ୍ରତୀକ ଭାବେ ତାଙ୍କୁ ଭୋଗ ଭାବେ ଗଜାମୁଗ, ଗଜାବୁଟ ଓ ନାନାଦି ପନିପରିବା, ଫଳମୂଳ ଅର୍ପଣ କରାଯାଏ। ଏଣୁ ଅନେକ ଅଞ୍ଚଳରେ ଏହା ‘ଫଳଥୁଆ ପୂଜା’ ଭାବେ ପରିଚିତ। ଏହି ପୂଜାର ପରଦିନ ଦୂତୀବାମନଙ୍କୁ ଅର୍ପଣ ହୋଇଥିବା ପନିପରିବାରେ ଘାଣ୍ଟ ତରକାରି ପ୍ରସ୍ତୁତ ହୁଏ। ଏହାପରେ ଘାଣ୍ଟ ତରକାରି ଘରର ଇଷ୍ଟଦେବୀ ଓ ମା’ ଲକ୍ଷ୍ମୀଙ୍କୁ ଅର୍ପଣ କରାଯାଏ।
ଏହି ପର୍ବର ସାମାଜିକ ମହତ୍ତ୍ବ ମଧ୍ୟ ରହିଛି। ଘାଣ୍ଟ ତରକାରି ପାରିବାରିକ ଓ ସାମାଜିକ ସଂପର୍କକୁ ସୁଦୃଢ଼ କରିଥାଏ। କାରଣ ଏହା କେବଳ ଘରେ ଖିଅାଯାଏ ନାହିଁ, ସାଇପଡ଼ିଶା ଓ ସଂପର୍କୀୟଙ୍କ ମଧ୍ୟରେ ବଣ୍ଟାଯାଏ। ଏହି କାରଣରୁ ଗୃହିଣୀମାନେ ନିଜ ଘରର ଘାଣ୍ଟ ଯେଭଳି ସବୁଠୁ ସ୍ବାଦିଷ୍ଠ ହେବ ସେଥିପ୍ରତି ଖୁବ୍ ଯତ୍ନବାନ୍ ହୋଇଥାଆନ୍ତି। ଗାଁଗଣ୍ଡାେର ତ ଆଗରୁ କାହା ଘର ଘାଣ୍ଟ ସବୁଠୁ ସୁଆଦିଆ ସେ ଚର୍ଚ୍ଚା ବି ହେଉଥିଲା। ଉତ୍କଳୀୟ ବୈବାହିକ ପରମ୍ପରା ସହ ଏହାର ବି ସଂପର୍କ ରହିଛି। ନୂଆବୋହୂ ଘରୁ ଦ୍ବିତୀୟା ଓଷାେର ପରିବା ଭାର ଆସିବା ପରମ୍ପରା ଥିଲା। ତେଣୁ ସେହି ପରିବାରେ ଘାଣ୍ଟ ପ୍ରସ୍ତୁତ ହୋଇ ପାଖପଡ଼ିଶା ଓ ସାଇଭାଇଙ୍କୁ ବିତରଣ କରାଯାଏ।
ଆଉ ଏହି ପର୍ବର ସମୟ ହେଉଛି ବର୍ଷା ଓ ଶୀତର ସନ୍ଧିକ୍ଷଣ। ତେଣୁ ବାଡ଼ିବଗିଚାରେ ପନିପରିବା ଭର୍ତ୍ତି ହୋଇଥାଏ। କୌତୂହଳର ବିଷୟ ହେଲା, ଯେଉଁ ଜିନିଷ ଆମେ ଦୈନନ୍ଦିନ ଜୀବନରେ ଖାଇ ନଥାଉ ତାହା ଘାଣ୍ଟରେ ପଡ଼େ। ଉଦାହରଣ ଛଳରେ ଆମେ ବୁଢ଼ାକାକୁଡ଼ିକୁ ନେଇ ପାରିବା। ଓଉ ସାଧାରଣତଃ ତରକାରିେର ପଡୁ ନଥିବା ବେଳେ ଘାଣ୍ଟରେ ପଡ଼େ। ଏହାବାଦ୍ କଖାରୁ, ପାଣିକଖାରୁ, କଞ୍ଚା କଦଳୀ, ଜହ୍ନି, ବାଇଗଣ, ସାରୁ, କନ୍ଦମୂଳ, ଦେଶୀଆଳୁ, ଗଜାମୁଗ, ଗଜାବୁଟ, କାଙ୍କଡ଼, ଶିମ୍ବ, ଝୁଡ଼ଙ୍ଗ, ପୋଟଳ ଓ ମୂଳା ଆଦି ପରିବା ଘାଣ୍ଟ ତରକାରି ପଡ଼େ। ଉଭୟ କୋରା ଓ କଟା ନଡ଼ିଆ ପଡ଼ିଥାଏ। ଆଜିକାଲି ଲୋକେ ଏଥିରେ ଫୁଲକୋବି, ଗାଜର, ବିନ୍, ମଟରଛୁଇଁ, ବିଲାତିବାଇଗଣ ଆଦି ପକାଇଲେଣି। ଆଉ ଘାଣ୍ଟ ଦିନ ଥାଳିରେ ଭାତ ସହିତ ତରକାରି ନୁହେଁ, ତରକାରି ସହ ଭାତ ଲଗେଇ ଖିଆଯାଏ। ଓଡ଼ିଆ ଖାଦ୍ୟ ସଂସ୍କୃତିର ଏହା ଏକ ଲୋକପ୍ରିୟ ପରମ୍ପରା, କାରଣ ସମାଜର ସବୁ ବର୍ଗରେ ଏହା ପାଳିତ ହୁଏ।
ଏକ ବ୍ୟଞ୍ଜନ ଭାବେ ଘାଣ୍ଟ ତରକାରିର ସ୍ବାସ୍ଥ୍ୟଗତ ତାତ୍ପର୍ଯ୍ୟ ମଧ୍ୟ ରହିଛି। ଉତ୍ତମ ସ୍ବାସ୍ଥ୍ୟ ପାଇଁ ଋତୁଜାତୀୟ ପନିପରିବା ଖାଇବାକୁ ପରାମର୍ଶ ଦିଆଯାଏ। ଏହି କ୍ରମରେ ଘାଣ୍ଟ ତରକାରିରେ ପଡ଼ୁଥିବା ବିଭିନ୍ନ ପନିପରିବା ଓ ତନ୍ତୁଜାତୀୟ ଦ୍ରବ୍ୟରେ ପ୍ରଚୁର ପରିମାଣରେ ଖାଦ୍ୟସାର, ଲୌହ, ଜିଙ୍କ୍, ଫାଇବର୍, ପଟାସିୟମ୍, ମ୍ୟାଗ୍ନେସିୟମ୍, ଭିଟାମିନ୍ ଆଦି ଭରି ରହିଥାଏ, ଯାହା ସ୍ବାସ୍ଥ୍ୟ ପକ୍ଷେ ଖୁବ୍ ଉପକାରୀ। ଆମିଷପ୍ରିୟ ଲୋକମାନେ ଘାଣ୍ଟ ତରକାରିରେ ଚିଙ୍ଗୁଡ଼ି କିମ୍ବା ମାଛମୁଣ୍ଡ ପକାଇ ରୋଷେଇ କରନ୍ତି।
ଏ ପ୍ରସଙ୍ଗରେ ବିଶିଷ୍ଟ ଐତିହାସିକ ପ୍ରଫୁଲ ତ୍ରିପାଠୀ କହନ୍ତି, ‘‘ଘାଣ୍ଟ ହେଉଛି ଓଡ଼ିଶାର ଏକାନ୍ତ ନିଜସ୍ବ ଓ ପାରମ୍ପରିକ ବ୍ୟଞ୍ଜନ। କଥାନୁସାରେ, ଗୋପୀମାନେ ଦ୍ବାପର ଯୁଗରେ କୃଷ୍ଣଙ୍କୁ ପାଇବା ପାଇଁ ନଦୀକୂଳରେ ବାଲିରେ ମୂର୍ତ୍ତି ଗଢ଼ି, ପାଖ ଜଙ୍ଗଲରୁ ବିଭିନ୍ନ ଫଳ ଓ ଶାଗ ସଂଗ୍ରହ କରି ଘାଣ୍ଟ ତରକାରି ରାନ୍ଧି କୃଷ୍ଣଙ୍କୁ ଖୁଆଇ ସନ୍ତୁଷ୍ଟ କରାଉଥିଲେ। ସେହିଭଳି ଓଡ଼ିଶାରେ ଦୂତୀବାମନ ପୂଜାରେ ଭୋଗ ଲାଗିଥିବା ବିଭିନ୍ନ ପ୍ରକାର ଫଳମୂଳ, ଶାଗ ଆଦିରେ ଘାଣ୍ଟ ତରକାରି ପ୍ରସ୍ତୁତ କରାଯାଏ। ତେବେ ଓଡ଼ିଶାରେ ଆଗରୁ ଗରିବ ଓ ଶ୍ରମିକ ଶ୍ରେଣୀର ଲୋକଙ୍କର ଏହା ଖାଦ୍ୟ ଥିଲା। ସେମାନେ ବିଲକୁ ସକାଳୁ ବାହାରି ପଡୁଥିଲେ। ପାଖରେ ବିଶେଷ ସାଧନ ନଥିବାରୁ ବିଭିନ୍ନ ଶାଗ, ଚାଉଳ ଚୁନା ଓ ପରିବା ପକାଇ ତରକାରି ରାନ୍ଧି ଭୋକ ମେଣ୍ଟାଉଥିଲେ। କାଳକ୍ରମେ ଏହା ବିଭିନ୍ନ ବର୍ଗର ଓଡ଼ିଆଙ୍କ ଖାଦ୍ୟରେ ସାମିଲ ହେଲା। ତେବେ ଅନ୍ୟ କୌଣସି ରାଜ୍ୟରେ ଘାଣ୍ଟ ପ୍ରସ୍ତୁତ ହେଉଥିବାର ମୁଁ ଆଜିଯାଏ ଦେଖିନାହିଁ।’’
ଏସବୁ ପରେ, ଯେମିତି ଭେଜି ବାଇଗଣ, ରସଗୋଲା, କାଇପିମ୍ପୁଡ଼ି ଆଦି ଜିଆଇ ଟ୍ୟାଗ୍ ପାଇଛି, ସେମିତି ଘାଣ୍ଟ ତରକାରିକୁ ଜିଆଇ ଟ୍ୟାଗ୍ ଦେବା ଲାଗି ଉଦ୍ୟମ ହେବା ଦରକାର।