ହିମାଳୟ ପର୍ବତମାଳା ଅନ୍ତର୍ଗତ କୌଣସି ଏକ ଉପତ୍ୟକାରେ ରହିଛି ଜ୍ଞାନଗଞ୍ଜ ନଗରୀ। ଅମରାବତୀ ବୋଲି କୁହାଯାଉଥିବା ସେ ନଗରୀରେ ବିନା ବ୍ୟୟରେ ଖାଦ୍ୟ, ପାନୀୟ, ବାସଗୃହ ଓ ଅନ୍ୟାନ୍ୟ ଆବଶ୍ୟକ ପଦାର୍ଥ ମିଳେ ବୋଲି ବିଶ୍ବାସ ରହିଛି। ଏହି ଚିରନ୍ତନ ଗୁପ୍ତ ନଗରୀର ଅବସ୍ଥିତି ହିମାଳୟ ଓ ତିବ୍ବତ ମଧ୍ୟରେ ବୋଲି କିଂବଦନ୍ତି କହେ। ସଠିକ୍‌ ଅବସ୍ଥିତି ଜଣା ନ ଥିଲେ ବି କିଛିଲୋକ ବିଶ୍ବାସ କରନ୍ତି ଯେ ତାହା ନେପାଳ, ଉତ୍ତରାଖଣ୍ଡ ଓ ହିମାଚଳପ୍ରଦେଶ ମଧ୍ୟବର୍ତ୍ତୀ ଅଞ୍ଚଳରେ ରହିଛି।

Advertisment

ଆଠଦଳ ପଦ୍ମ
କେତେକ ବୌଦ୍ଧ ଧର୍ମଶାସ୍ତ୍ରରେ ଜ୍ଞାନଗଞ୍ଜ ସଂପର୍କରେ ଉଲ୍ଲେଖ ଅଛି। ଆଉ କେତେକ ସୁପ୍ରାଚୀନ ଗ୍ରନ୍ଥରେ ଥିବା ବର୍ଣ୍ଣନା ଅନୁସାରେ ଜ୍ଞାନଗଞ୍ଜ ନଗରୀର ଆକାର ଆଠଦଳ ବା ଆଠପାଖୁଡ଼ିଆ ପଦ୍ମଫୁଲ ପରି। ସେ ପଦ୍ମ ମଝିରେ ଅଛି ଗୋଟାଏ ବୃକ୍ଷ। ସେ ବୃକ୍ଷ ପୃଥିବୀ, ଅମରାବତୀ ଓ ପାତାଳ ମଧ୍ୟରେ ସଂଯୋଗ ସେତୁ। ତୁଷାର ଆବୃତ ପର୍ବତଚୂଡ଼ା ପରିବେଷ୍ଟନୀ ମଧ୍ୟରେ ଅବସ୍ଥିତ ସେ ରସହ୍ୟମୟ ରାଜ୍ୟ। ରାମାୟଣ ଓ ମହାଭାରତରେ ସେ ସ୍ଥାନର ନାଁ ‘ସିଦ୍ଧାଶ୍ରମ’ ବୋଲି ପ୍ରକାରା‌ନ୍ତରେ ଉଲ୍ଲେଖ ଥିବା କଥ‌ା କେତେକ କହନ୍ତି। ‘ଶାଙ୍ଗ୍‌ରି-ଲା’ ଓ ‘ଶମ୍ଭାଲା’ ବୋଲି ସେ ରାଜ୍ୟର ଆଉ ଦୁଇଟି ନାଁ ବି ରହିଛି। ସଂସ୍କୃତ ଶବ୍ଦ ‘ଶମ୍ଭାଲା’ର ଅର୍ଥ ‘ଶାନ୍ତିନିବାସ’ ଅଥବା ‘ମଉନନିବାସ’।

କପ‌ା‌ଳ ଲିଖନ
ଅନେକ ଦିବ୍ୟଜ୍ଞାନ ଓ ଅତିଭୌତିକ କ୍ଷମତାଧାରୀ ଅମର ସନ୍ଥ ସେଠାରେ ବସବାସ କରନ୍ତି। ଭାରତୀୟ ଓ ତିବ୍ବତୀୟ କିଂବଦନ୍ତି ମତରେ, ସେମାନେ ନେପଥ୍ୟରେ ରହି ନିରବରେ ସମଗ୍ର ବିଶ୍ବ ବ୍ୟାପାର ଏବଂ ମାନବତାର ଭାଗ୍ୟ ପରିଚାଳନା କରୁଛନ୍ତି। ସମଗ୍ର ମନୁଷ୍ୟ ଜାତିର କପାଳ ଲିଖନ ସେଠାରେ ହିଁ ‌ହୋଇଥାଏ। ବିଶ୍ବାସ କରାଯାଏ, ସେଠାରେ କାହାରି ମୃତ୍ୟୁ ନାହିଁ। ସୁତରାଂ ଜ୍ଞାନଗଞ୍ଜରେ ଚେତନା ସଦାସର୍ବଦା ଜାଗ୍ରତ ରହିଥାଏ।

ଜ୍ଞାନଗଞ୍ଜ ଦର୍ଶନ
ଅନେକ ସାଧୁସନ୍ଥ ଓ ଅଣାକାରବାଦୀ ଦାବି କରନ୍ତି ଯେ ଜ୍ଞାନଗଞ୍ଜକୁ ଯିବାରୁ ହିଁ ସେମାନେ ଦିବ୍ୟଜ୍ଞାନ ଓ କ୍ଷମତାପ୍ରାପ୍ତ ହୋଇଛନ୍ତି। ‘କାର୍ମିକ ସଂଯୋଗ’ ନ ଥିଲେ କେହି ସେଠାକୁ ଯାଇ ପାରେନାହିଁ ବୋଲି କୁହାଯାଏ। ସରଳ କରି କହିଲେ, ଅପକର୍ମ କରି ନ ଥିବା ସୁଦକ୍ଷ ସିଦ୍ଧ ସାଧୁସନ୍ଥମାନେ ହିଁ କେବଳ ଜ୍ଞାନଗଞ୍ଜକୁ ପଥ ପାଆନ୍ତି। ଏକଦା ସାଇ କାକା ନାମରେ ଜଣେ ଭାରତୀୟ ଯୋଗୀ ଦାବି କରିଥିଲେ ଯେ ସେ ଜ୍ଞାନଗଞ୍ଜ ଯାଇଥିଲେ। ସେ କହିଥିଲେ- ଆଧ୍ୟାତ୍ମିକସ୍ତରରେ ଜ୍ଞାନଗଞ୍ଜ ବ୍ରହ୍ମାଣ୍ଡ ଚଳାଏ। କେତେକ ଅାଦିମ ବୌଦ୍ଧଗ୍ରନ୍ଥରେ ଜ୍ଞାନଗଞ୍ଜରେ ପହଞ୍ଚିବା ଲାଗି ସ୍ବଳ୍ପ ନିର୍ଦ୍ଦେଶାବଳି ରହିଛି। କିନ୍ତୁ, ସେଥିରେ ସେ ସ୍ଥାନକୁ ଯିବାର ଦିଗ ନିର୍ଣ୍ଣୟ ଭାଗଟି ଅତ୍ୟନ୍ତ ଦୁର୍ବୋଧ୍ୟ।

ପ୍ରଯୁକ୍ତିବିଦ୍ୟା ବିଫଳ
ଜ୍ଞାନଗଞ୍ଜ ସନ୍ଧାନ ଲାଗି ବହୁ ପ୍ରଚେଷ୍ଟା କରାଯାଇଛି। ଜ୍ଞାନଗଞ୍ଜ ଏଭଳି ଲୁକ୍କାୟିତ ହୋଇ ରହିଛି ଯେ ତାହାର ଅବସ୍ଥିତି ଆଧୁନିକ ପ୍ରଯୁକ୍ତିବିଦ୍ୟା ଏବଂ କୃତ୍ରିମ ଉପଗ୍ରହ ମାଧ୍ୟମରେ ବି ଦୃଶ୍ୟମାନ ହେଉନାହିଁ। ଗୁଗଲ୍‌ ମାନଚିତ୍ରରେ ବି ତା’ର ସତ୍ତା ନାହିଁ! ଚୀନ୍‌ ସରକାର ମଧ୍ୟ ଜ୍ଞାନଗଞ୍ଜ ସନ୍ଧାନ ଲାଗି ଉଦ୍ୟମ କରିଛନ୍ତି। ସେମାନେ କୃତ୍ରିମ ଉପଗ୍ରହ ଦ୍ବାରା ସଂଗୃହୀତ ସେ ଅଞ୍ଚଳର କିଛି ତଥ୍ୟାବଳି ବିଶ୍ଳେଷଣ କରି ଅସଫଳ ହେ‌ାଇଛନ୍ତି। ସେଠାରେ ପହଞ୍ଚିବା ଲାଗି ଯୋଗୀମାନେ କି ପ୍ରଯୁକ୍ତିବିଦ୍ୟା ପ୍ର‌େୟାଗ କରୁଛନ୍ତି, ତାହା ଜାଣିବା ପାଇଁ ସେମାନେ ଏ ପ୍ରଚେଷ୍ଟା ଚଳାଇଥିଲେ। ଜ୍ଞାନଗଞ୍ଜ ବିଷୟରେ ଶୁଣି ତାହାକୁ ଖୋଜି ବାହାର କରିବା ଲାଗି ଆମେରିକାର ରାଷ୍ଟ୍ରପତି ଫ୍ରାଙ୍କ୍‌ଲିନ୍‌ ରୁଜ୍‌ଭେଲ୍‌ଟ୍‌ ମଧ୍ୟ ସ୍ଥିର କରିଥିଲେ। ଆମେରିକୀୟମାନେ ସେ ସ୍ଥାନକୁ କହୁଥିଲେ ‘ଶାଙ୍ଗ୍‌ରି-ଲା’। ସେ ଅଞ୍ଚଳର ଅବସ୍ଥିତି ନିର୍ଣ୍ଣୟ କରିବା ଲାଗି ‘‌ଦି ସେଣ୍ଟ୍ରାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍‌ସି’ ମଧ୍ୟ ଏକାଧିକ ବାର ଉଦ୍ୟମ କରିଥିଲା। ୧୯୪୨ରେ ରାଷ୍ଟ୍ରପତି ରୁଜ୍‌ଭେଲ୍‌ଟ୍‌  ‘ଆମେରିକୀୟ ନୌସେନା ବିମାନବାହୀ ପୋତ’ର ନାଁ ତଥା ତାଙ୍କ ଗୁପ୍ତ ଅବକାଶ ନିବାସର ନାଁ ମଧ୍ୟ ‘ଶାଙ୍ଗ୍‌ରି-ଲା’ ରଖିଥିଲେ।

ପୁସ୍ତକ-ସିନେମା-ସିରିଜ୍‌
୧୯୩୩ରେ ପ୍ରକାଶିତ ବ୍ରିଟିସ୍‌ ଔପନ୍ୟାସିକ ଜେମ୍‌ସ୍ ହିଲ୍‌ଟନ୍‌ଙ୍କ  ପୁସ୍ତକ ‘ଲଷ୍ଟ୍‌ ହରାଇଜନ୍‌, ଏବାଉଟ୍‌ ଦି ଲଷ୍ଟ୍‌ କିଙ୍ଗ୍‌ଡମ୍‌ ଅଫ୍‌ ଶାଙ୍ଗ୍‌ରି-ଲା’ରେ ଜ୍ଞାନଗଞ୍ଜ ସଂପର୍କରେ କାଳ୍ପନିକ ବର୍ଣ୍ଣନା ରହିଛି। ଶାଙ୍ଗ୍‌ରି-ଲାରେ ବାସକରୁଥିବା ଏ ଉପନ୍ୟାସର ଚରିତ୍ରମାନେ ସାଧାରଣ ମାନବୀୟ ଆୟୁଷ ଅପେକ୍ଷା ଶହ ଶହ ବର୍ଷ ଅଧିକ ବଞ୍ଚୁଛନ୍ତି। ‌ବାର୍ଦ୍ଧକ୍ୟ ବି ଏତେ ଶୀଘ୍ର ସେମାନଙ୍କୁ ସ୍ପର୍ଶ କରିପାରୁନାହିଁ। ତାଙ୍କର ଏହି ଉପନ୍ୟାସକୁ ଆଧାରକରି ନିର୍ଦ୍ଦେଶକ ଫ୍ରାଙ୍କ୍‌ କ୍ୟାପ୍‌ରା ସେହି ନାଁ’ରେ ଚଳଚ୍ଚିତ୍ରଟିଏ କରିଥିଲେ। ‘ବିବିସି’ ସମେତ ବହୁ ଟେଲିଭିଜନ୍‌ ସଂସ୍ଥାନ ମଧ୍ୟ ଜ୍ଞାନଗଞ୍ଜ ଉପରେ ସିରିଜ୍‌ ଓ ବୃତ୍ତଚିତ୍ର ପ୍ରସାରଣ କରିଛନ୍ତି।
ଜ୍ଞାନଗଞ୍ଜ ଠାବ କରିବା ପାଇଁ ଅନେକ ସମୟରେ ଅନେକ ବିଦେଶୀ ଆବିଷ୍କାରକ ମଧ୍ୟ ହିମାଳୟ ଅଞ୍ଚଳ ଅନ୍ବେଷଣ କରିଛନ୍ତି। କିନ୍ତୁ, କେହି ସେ ନଗରୀ ଆବିଷ୍କାର କରିପାରିନାହାନ୍ତି। ଏଯାବତ୍‌ କେହି ମଧ୍ୟ ସଠିକ୍‌ ଭାବେ କହିପାରୁ ନାହାନ୍ତି, ଜ୍ଞାନଗଞ୍ଜ ନଗରୀ ବାସ୍ତବ ନା, ଅବାସ୍ତବ! ତଥାପି ସେ କାଳ୍ପନିକ ଅମରାବତୀ ଅନେକଙ୍କୁ ଅଭିଭୂତ କରି ରଖିଛି।