ବାହାରୁ ଦେଖିଲେ ଫ୍ୟାସନ ଦୁନିଆ ଚାକଚକ୍ୟରେ ପରିପୂର୍ଣ୍ଣ, ହେଲେ ଏ ଦୁନିଆର ବାସ୍ତବତା ଜାଣିଲେ ହୁଏତ ଅନେକ ଝିଅ ମଡେଲିଂକୁ କ୍ୟାରିଅର ରୂପେ ବାଛିବା ପୂର୍ବରୁ ଦୁଇଥର ଭାବିବେ। ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ବ୍ରାଣ୍ଡ୍ର ପୋଷାକ, ପ୍ରସାଧାନ ଓ ଉତ୍ପାଦ ପାଇଁ ମଡେଲିଂ କରିଆସୁଥିବା ରୋଶନି ଶର୍ମା ଭାରତର ମଡେଲିଂ ଦୁନିଆର କେତେକ ଅପ୍ରିୟ ସତ ପ୍ରଘଟ କରିଛନ୍ତି। ପ୍ରଥମ କଥା ହେଲା ମଡେଲିଂ କାମର ପାରିଶ୍ରମିକ ଦିନକୁ ଦିନ କମିବାରେ ଲାଗିଛି। ଫଳସ୍ବରୂପ ମଡେଲ୍ମାନେ କାମ ପାଇବା ପାଇଁ ନିଜନିଜ ବଜେଟ୍କୁ ସଂକୁଚିତ କରୁଛନ୍ତି। ରୋଶନୀଙ୍କ କହିବା ଅନୁସାରେ କିଛି ମଡେଲ୍ ଲଗାତାର ୧୨ ଘଣ୍ଟା ଧରି ଏକାଧିକ କାର୍ଯ୍ୟକ୍ରମରେ ରାମ୍ପ୍ ଵାକ୍ କରିବା ଲାଗି ମାତ୍ର ୧୫ରୁ ୨୦ ହଜାର ଟଙ୍କା ପାଉଛନ୍ତି। ଗମନାଗମନ, ରହଣି ଓ ଅନ୍ୟାନ୍ୟ ଖର୍ଚ୍ଚ ନିଜେ ଦେବା ପରେ ଏହି ପାରିଶ୍ରମିକ କଦାପି ଗ୍ରହଣୀୟ ନୁହେଁ ବୋଲି ସେ ପ୍ରକାଶ କରିଛନ୍ତି।
ମଡେଲ୍ ଭାବେ କାମ କରିବାର ସ୍ବାସ୍ଥ୍ୟଗତ ପ୍ରଭାବ ବିଷୟରେ ରୋଶନୀ କୁହନ୍ତି ଯେ ଏଥିପାଇଁ ଶରୀରର ମାପକୁ ସ୍ଥିର ରଖିବାକୁ ପଡ଼େ। କଠୋର ଖାଦ୍ୟ କଟକଣା ଓ ଫିଟ୍ନେସ୍ ରୁଟିନ୍ ପାଳନ ସତ୍ତ୍ବେ ନିଜ ଓଜନକୁ ସ୍ଥିର ରଖିବା ଖୁବ୍ କଠିନ କାମ। ଫ୍ୟାସନ୍ ଦୁନିଆର ଏହି ଶୋଷଣକାରୀ ବ୍ୟବସ୍ଥାକୁ ସମାଲୋଚନା କରି ରୋଶନୀ ପ୍ରସ୍ତାବ ଦେଇଛନ୍ତି, ଫ୍ୟାସନ୍ ଵିକ୍ କାର୍ଯ୍ୟକ୍ରମ ପାଇଁ ପୁଲ୍ ମଡେଲ୍ମାନଙ୍କୁ ଦୈନିକ ଅନ୍ତତଃ ୪୦ ହଜାର ଟଙ୍କା ପାରିଶ୍ରମିକ ସହିତ ଗମନାଗମନ ଓ ରହଣି ବ୍ୟବସ୍ଥା କରିବା ଆବଶ୍ୟକ। ଅଭିଜ୍ଞ ମଡେଲ୍ମାନେ ଅସୁରକ୍ଷିତ ମନୋଭାବ ଛାଡ଼ି ନିଜ ପ୍ରାପ୍ୟ ଦାବି କରିବା ପାଇଁ ସେ ଉପଦେଶ ଦେଇଛନ୍ତି। ସାମାଜିକ ଗଣମାଧ୍ୟମରେ ରୋଶନୀଙ୍କ ଏହି ସାହସିକ ତଥା ସତ୍ୟନିଷ୍ଠ ପୋଷ୍ଟ ପାଇଁ ପ୍ରଶଂସା ଓ ସମର୍ଥନର ସୁଅ ଛୁଟୁଛି। ଏହି କଥା ସହିତ ପ୍ରାୟ ସମସ୍ତେ ସହମତ ଯେ ଫ୍ୟାସନ୍ ଶିଳ୍ପ ଏହାର ମଡେଲ୍ମାନଙ୍କ କଠିନ ପରିଶ୍ରମ ଉପରେ ନିର୍ଭରଶୀଳ, ତେଣୁ ସେମାନଙ୍କ କାମକୁ ଯଥାର୍ଥ ପ୍ରାପ୍ୟ ମିଳିବା ଆବଶ୍ୟକ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/08/11/dgdgvccvcvcv-2025-08-11-00-33-38.jpg)